ହର୍‌ମନଦୀପ ସିଂହ ଯେଉଁଠି ଛିଡ଼ା ହୋଇଥିଲେ ତାଙ୍କ ଚାରିପାଖରେ ରଙ୍ଗିନ୍‌ ଗୁଡ଼ି ସବୁ ବିଛେଇ ହୋଇପଡ଼ିଥିଲା। ଟିକେ ଆଗରେ, ପଞ୍ଜାବ ଏବଂ ହରିଆଣା ମଝିରେ ଶମ୍ଭୁ ସୀମାରେ କୃଷକମାନଙ୍କ ଶୋଭାଯାତ୍ରା ଦିଲ୍ଲୀରେ ପହଞ୍ଚିବାକୁ ରୋକିବା ପାଇଁ ପୋଲିସ ଦ୍ୱାରା ବିଶାଳ ବ୍ୟାରିକେଡ୍‌ ସବୁ ଲଗାଯାଇଥିଲା।

ଅମୃତସରରୁ ଆସିଥିବା ଏହି ୧୭ ବର୍ଷ ବୟସ୍କ ତରୁଣ ପ୍ରତିବାଦକାରୀ କୃଷକମାନଙ୍କ ଉପରେ ଲୁହବୁହା ଗ୍ୟାସ୍‌ ଶେଲ୍‌ ଖସାଉଥିବା ଡ୍ରୋନ୍‌ଗୁଡ଼ିକୁ ତଳକୁ ଆଣିବା ପାଇଁ ଏହି ଗୁଡ଼ିଗୁଡ଼ିକ ବ୍ୟବହାର କରିଥିଲେ, ଏହା ପ୍ରତି ଆକ୍ରମଣର ଏକ ନୂତନ ଉପାୟ ଥିଲା। ସେ କହନ୍ତି, ‘‘ମୁଁ ମୋର ଆଖି ଚାରିପାଖରେ ଟୁଥ୍‌ପେଷ୍ଟ ଲଗାଇଛି, କାରଣ ଏହା ଲୁହବୁହା ଗ୍ୟାସ୍‌ର ପ୍ରଭାବକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ। ଆମେ ଆଗକୁ ମାଡ଼ିଚାଲିବୁ ଏବଂ ଏହି ଯୁଦ୍ଧ ଜିତିବୁ।’’

୧୩ ଫେବୃଆରୀ ୨୦୨୪ରେ ଦିଲ୍ଲୀକୁ ଶାନ୍ତିପୂର୍ଣ୍ଣ ଯାତ୍ରା ଆରମ୍ଭ କରିଥିବା ପଞ୍ଜାବର ହଜାର ହଜାର କୃଷକ ଓ ଶ୍ରମିକମାନଙ୍କ ମଧ୍ୟରୁ ହର୍‌ମନଦୀପ ହେଉଛନ୍ତି ଜଣେ। ଶମ୍ଭୁ ସୀମାରେ ସେମାନେ ଅର୍ଦ୍ଧ ସାମରିକ, ରାପିଡ୍‌ ଆକ୍ସନ୍‌ ଫୋର୍ସ (ଆର୍‌.ଏ.ଏଫ୍‌.) କର୍ମଚାରୀ ଏବଂ ପୋଲିସ ଅଧିକାରୀମାନଙ୍କୁ ଭେଟିଥିଲେ। କୃଷକମାନେ ଦିଲ୍ଲୀରେ ସେମାନଙ୍କ ପ୍ରତିବାଦ ସ୍ଥଳରେ ପହଞ୍ଚିବାକୁ ରୋକିବା ପାଇଁ ଲୁହା କଣ୍ଟା ଏବଂ କଂକ୍ରିଟ୍‌ କାନ୍ଥ ରାସ୍ତା ଉପରେ ରଖାଯାଇଥିଲା।

ପ୍ରଥମ ବ୍ୟାରିକେଡ୍‌ଠାରେ ଗୁରଜାନ୍ଦ ସିଂହ ଖାଲ୍‌ସା ସେମାନଙ୍କର ପାଞ୍ଚଟି ମୁଖ୍ୟ ଦାବିକୁ ପୁନରାବୃତ୍ତି କରି ଏକ ସମୂହକୁ ଉଦ୍‌ବୋଧିତ କରୁଥିଲେ- ସ୍ୱାମୀନାଥନ ଆୟୋଗଙ୍କ ଅନୁମୋଦନ ଅନୁଯାୟୀ ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌.ଏସ୍.ପି.)ର ପ୍ରତିଶ୍ରୁତି, କୃଷକ ଏବଂ କୃଷି ଶ୍ରମିକମାନଙ୍କ ଋଣକୁ ସମ୍ପୂର୍ଣ୍ଣ ଛାଡ଼, ଲଖିମପୁରଖେରୀ ଗଣହତ୍ୟାରେ ପ୍ରଭାବିତ କୃଷକମାନଙ୍କ ନିମନ୍ତେ ନ୍ୟାୟ ଏବଂ ଅପରାଧୀଙ୍କୁ ଗିରଫ କରିବା, କୃଷକ ଏବଂ ଶ୍ରମିକମାନଙ୍କ ପାଇଁ ଏକ ପେନ୍‌ସନ୍‌ ଯୋଜନା ଆରମ୍ଭ କରିବା ଏବଂ ୨୦୨୦-୨୦୨୧ ପ୍ରତିବାଦରେ ସହିଦ୍‌ ହୋଇଥିବା କୃଷକମାନଙ୍କ ପରିବାରକୁ କ୍ଷତିପୂରଣ ପ୍ରଦାନ କରିବା।

PHOTO • Vibhu Grover
PHOTO • Vibhu Grover

ବାମ: ହର୍‌ମନଦୀପ କହନ୍ତି, ‘ମୁଁ ମୋ ଆଖି ଚାରିପାଖରେ ଟୁଥ୍‌ପେଷ୍ଟ ଲଗାଇଛି କାରଣ ଏହା ଲୁହବୁହା ଗ୍ୟାସ୍‌ର ପ୍ରଭାବକୁ କମ୍‌ କରିବାରେ ସାହାଯ୍ୟ କରିଥାଏ। ଡାହାଣ: ୧୩ ଫେବୃଆରୀ ୨୦୨୪ରେ ଦିଲ୍ଲୀକୁ ଶାନ୍ତିପୂର୍ଣ୍ଣ ଯାତ୍ରା ଆରମ୍ଭ କରିଥିବା ପଞ୍ଜାବର ହଜାର ହଜାର କୃଷକ ଓ ଶ୍ରମିକମାନଙ୍କ ମଧ୍ୟରୁ ହର୍‌ମନଦୀପ ହେଉଛନ୍ତି ଜଣେ

PHOTO • Vibhu Grover

କୃଷକମାନେ ଲୁହବୁହା ଗ୍ୟାସ୍‌ ଶେଲ୍‌ ବର୍ଷଣ କରୁଥିବା ଡ୍ରୋନ୍‌ର ମୁକାବିଲା ପାଇଁ ଗୁଡ଼ି ଉଡ଼ାଇବାକୁ ଚେଷ୍ଟା କରୁଛନ୍ତି

୨୦୨୦-୨୧ରେ ସାରା ଦେଶର କୃଷକମାନେ ତିନୋଟି କୃଷି ଆଇନ ବିରୋଧରେ ପ୍ରତିବାଦ ପାଇଁ ଏକତ୍ର ହୋଇଥିଲେ- ସେପ୍ଟେମ୍ବର ୨୦୨୦ରେ ସଂସଦ ଦ୍ୱାରା ଲଦି ଦିଆଯାଇଥିବା କୃଷକ (ସଶକ୍ତିକରଣ ଏବଂ ସୁରକ୍ଷା) ଦାମ୍‌, ଆଶ୍ୱାସନା ଏବଂ କୃଷି ସେବା ଉପରେ ବୁଝାମଣା ଅଧିନିୟମ, ୨୦୨୦ ; କୃଷି ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସରଳୀକରଣ) ଅଧିନିୟମ, ୨୦୨୦ ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଅଧିନିୟମ, ୨୦୨୦ । ସରକାର ନଭେମ୍ବର ୨୦୨୧ରେ ଏହି ଆଇନଗୁଡ଼ିକ ପ୍ରତ୍ୟାହାର କରିବାକୁ ରାଜି ହୋଇଥିଲେ। ଏହି ଆନ୍ଦୋଳନ ସମ୍ପର୍କରେ ପରୀର କାହାଣୀଗୁଡ଼ିକ ପଢ଼ନ୍ତୁ: କୃଷି ଆଇନ ବିରୋଧରେ ପ୍ରତିବାଦ: ସମ୍ପୂର୍ଣ୍ଣ କଭରେଜ୍‌

କର୍ନଲରୁ ଆସିଥିବା ୨୨ ବର୍ଷ ବୟସ୍କ ଖାଲ୍‌ସା କହନ୍ତି, ‘‘ଆମେ କେବେବି ଏହି ପ୍ରତିବାଦ ଶେଷ କରିନଥିଲୁ। ଆମେ କେବଳ ଏହାକୁ ବିରାମ ଦେଇଥିଲୁ କାରଣ କେନ୍ଦ୍ର ସରକାରଙ୍କ ସହିତ ଆମର ଏକ ବୈଠକ ଥିଲା ଯେଉଁଥିରେ କେନ୍ଦ୍ର ମନ୍ତ୍ରୀମାନେ ଆମର ସମସ୍ତ ଦାବି ପ୍ରତି ସହମତି ପ୍ରକାଶ କରିଥିଲେ ଏବଂ ସେଗୁଡ଼ିକ ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଆମେ ଏତେ ଦିନ ଅପେକ୍ଷା କଲୁ କାରଣ ସରକାରଙ୍କ ଦ୍ୱାରା ଗଠିତ କମିଟି ସହିତ ଆଲୋଚନା ଜାରି ରହିଥିଲା। କିନ୍ତୁ ଦୁଇ ବର୍ଷ ପରେ ହଠାତ୍‌ ବୈଠକଗୁଡ଼ିକ ବନ୍ଦ ହୋଇଗଲା ଏବଂ କମିଟି ଭାଙ୍ଗି ଦିଆଗଲା, ଯାହା ଆମକୁ ଫେରିବାକୁ ବାଧ୍ୟ କରିଥିଲା।’’

କୃଷକ ଏବଂ ଶ୍ରମିକମାନଙ୍କର ଏକ ବଡ଼ ଗୋଷ୍ଠୀ ରାସ୍ତା କଡ଼ରେ ଥିବା ପଡ଼ିଆରେ ଜମା ହୋଇ ଅଧିକାରୀମାନଙ୍କୁ ଉତ୍ତେଜିତ କରିବାକୁ ଏବଂ ଅନ୍ୟମନଷ୍କ କରିବାକୁ ଆରମ୍ଭ କରିଥିଲେ ଯେପରିକି ପ୍ରତିବାଦକାରୀମାନେ ସୀମା ଅତିକ୍ରମ କରିପାରିବେ।

ପ୍ରତିବାଦକାରୀମାନେ ଶମ୍ଭୁଠାରେ ଥିବା ବାରିକେଡ୍‌ ଦେଇ ଯିବାକୁ ଚେଷ୍ଟା କରିବା ଆରମ୍ଭ କରିବାରୁ ପୋଲିସ ଅଧିକାରୀମାନେ କେତେଗୁଡ଼ିଏ ଲୁହବୁହା ଗ୍ୟାସ୍‌ ଶେଲ୍‌ ଫୁଟାଇଥିଲେ, ଯାହା ଦ୍ୱାରା ଅନେକ ଲୋକ ଆହତ ହୋଇଥିଲେ। ଦେଖଣାହାରୀମାନେ ଜଣାଇଥିଲେ ଯେ ପୋଲିସ ଭିଡ଼ ଘଉଡ଼ାଇବା ପାଇଁ ଆକାଶରେ ଏହାକୁ ଫୁଟାଇବା ପରିବର୍ତ୍ତେ ଏହାକୁ ଲୋକମାନଙ୍କ ଉପରକୁ ଲକ୍ଷ୍ୟ କରୁଥିଲେ। ପ୍ରତିବାଦକାରୀମାନଙ୍କୁ ଘଉଡ଼ାଇବା ପାଇଁ ୱାଟର୍‌ କ୍ୟାନନ୍‌ ମଧ୍ୟ ବ୍ୟବହାର କରାଯାଇଥିଲା। ଅନେକ ବରିଷ୍ଠ କୃଷକ ଓ ଶ୍ରମିକ ଲୁହବୁହା ଗ୍ୟାସ୍‌ ଶେଲ୍‌ଗୁଡ଼ିକୁ ନିଷ୍କ୍ରିୟ କରିବା ପାଇଁ ଲାଠି ଆଣିଥିଲେ। ପ୍ରତ୍ୟେକ ଶେଲ୍‌ ନଷ୍ଟ ହେବା ସହ ଏହି ଭିଡ଼ରୁ ଆନନ୍ଦର ଚିତ୍କାର ଶୁଣାଯାଉଥିଲା ଏବଂ ସେମାନେ ଖୁସି ହେଉଥିଲେ।

PHOTO • Vibhu Grover
PHOTO • Vibhu Grover

ଶମ୍ଭୁଠାରେ ପ୍ରତିବାଦକାରୀମାନେ ବ୍ୟାରିକେଡ୍‌ଗୁଡ଼ିକ ଅତିକ୍ରମ କରିବାକୁ ଆରମ୍ଭ କରିବାରୁ ପୋଲିସ ଅଧିକାରୀମାନେ ଏକାଧିକ ଲୁହବୁହା ଗ୍ୟାସ୍‌ ଶେଲ୍‌ ପ୍ରୟୋଗ କରିଥିଲେ। ବରିଷ୍ଠ କୃଷକ ଏବଂ ଶ୍ରମିକମାନେ ଏହି ଶେଲ୍‌ଗୁଡ଼ିକୁ ଏକ ଲାଠି ଦ୍ୱାରା ନିଷ୍କ୍ରିୟ କରିଥିଲେ

PHOTO • Vibhu Grover

ପଞ୍ଜାବ-ହରିଆଣା ଶମ୍ଭୁ ସୀମାରେ ଜଣେ କୃଷକ ଏକ ଲୁହବୁହା ଗ୍ୟାସ୍‌ ଶେଲ୍‌କୁ ତାଙ୍କ ଲାଠିରେ ସଫଳତାର ସହ ନିଷ୍କ୍ରିୟ କରିବା ପରେ ଖୁସି ମନାଉଛନ୍ତି

ଅମୃତସରର ଜଣେ କୃଷକ ତୀରପାଲ ସିଂହ ଲୁହବୁହା ଗ୍ୟାସ୍‌ ଶେଲ୍‌ ନିଷ୍କ୍ରିୟ କରୁଥିବା ଲୋକମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ସେ କହନ୍ତି, ‘‘ଆମେ ଅସ୍ତ୍ରଶସ୍ତ୍ର ଧରିନଥିଲୁ ତଥାପି ସେମାନେ ରବର ବୁଲେଟ୍‌, ପେଲେଟ୍‌, ପେଟ୍ରୋଲ୍‌ ବମ୍‌ ଏବଂ ଲୁହବୁହା ଗ୍ୟାସ୍‌ ପରି ଅସ୍ତ୍ର ବ୍ୟବହାର କରିଛନ୍ତି। ଏହି ସଡ଼କ ହେଉଛି ପୃଥିବୀର, ଆମେ କେବଳ ଆଗକୁ ଯିବାକୁ ଚେଷ୍ଟା କରୁଛୁ। ଆମେ ଶାନ୍ତି ରକ୍ଷା କରିଥିଲୁ ତଥାପି ଆମ ଉପରେ ଆକ୍ରମଣ କରାଗଲା। ବର୍ତ୍ତମାନ ମୋତେ ଶମ୍ଭୁ ସୀମାରେ ବନ୍ଦୀ ହେବା ପରି ଲାଗୁଛି।’’

୫୦ ବର୍ଷ ବୟସ୍କ ଏହି କୃଷକ ଅନୁଭବ କରନ୍ତି ଯେ ସରକାର ସେମାନଙ୍କ ସହ ବିଶ୍ୱାସଘାତକ କରିଛନ୍ତି। ସେ କହନ୍ତି, ‘‘ସରକାର ଏମ୍‌.ଏସ୍.ପି.ର ପ୍ରତିଶ୍ରୁତି ଦେଉନାହାନ୍ତି କାରଣ ସେମାନେ ସେମାନଙ୍କର ଦଳକୁ ଆର୍ଥିକ ସହଯୋଗ ଦେଉଥିବା ଧନୀ କର୍ପୋରେଟ୍‌ଗୁଡ଼ିକୁ ଖୁସି କରିବାକୁ ଚାହାଁନ୍ତି। ଏମ୍‌.ଏସ୍‌.ପି.ର ପ୍ରତିଶ୍ରୁତି ବିନା ବଡ଼ ବଡ଼ କର୍ପୋରେସନ୍‌ଗୁଡ଼ିକ ଆମକୁ ଶୋଷଣ କରିପାରିବେ। ସେମାନେ ଯେ କୌଣସି ସମୟରେ ଆସିପାରିବେ, ଆମର ଫସଲକୁ ଅତ୍ୟନ୍ତ ଶସ୍ତା ଦରରେ କିଣିବେ ଏବଂ ଏହା ପରେ ଏହାକୁ ଉଚ୍ଚ ଦରରେ ବିକ୍ରି କରିପାରିବେ।’’ ଯଦି ସରକାର ବଡ଼ ବଡ଼ କର୍ପୋରେସନ୍‌ଗୁଡ଼ିକର ଶହ ଶହ କୋଟି ମୂଲ୍ୟର ଋଣ ଛାଡ଼ କରିପାରୁଛନ୍ତି, ତେବେ ତିରପାଲ୍‌ ସିଂହ ବିଶ୍ୱାସ କରନ୍ତି ଯେ ଅଳ୍ପ କିଛି ଲକ୍ଷ କିମ୍ବା ଏହାଠାରୁ କମ୍‌ ଋଣ ଥିବା କୃଷକ ଏବଂ ଶ୍ରମିକମାନଙ୍କର ଋଣ ମଧ୍ୟ ସେ ଛାଡ଼ କରିବା ଉଚିତ୍‌।

ଲୁହବୁହା ଗ୍ୟାସ୍‌ର ଧୂଆଁ ଏବଂ ପାଣି କ୍ୟାନନ୍‌କୁ ସାମ୍ନା କରିସାରିବା ପରେ ଅନେକ ପ୍ରତିବାଦକାରୀ ବ୍ୟାରିକେଡ୍‌ର ଦ୍ୱିତୀୟ ସ୍ତରରେ ଥିବା କଣ୍ଟାଗୁଡ଼ିକ ଅପସାରଣ କରିବାକୁ ଚେଷ୍ଟା କରିଥିଲେ। ସେହି ସ୍ଥାନରେ ପୋଲିସ ଭିଡ଼ ଉପରକୁ, ବିଶେଷକରି ସେମାନଙ୍କର ଗୋଡ଼ ଉପରକୁ ରବର ବୁଲେଟ୍‌ ଚଳାଉଥିବା ଦେଖିବାକୁ ମିଳୁଥିଲା, ଯେପରିକି ସେମାନେ ଫେରିଯିବାକୁ ବାଧ୍ୟ ହେବେ।

କେଇ ମିନିଟ୍‌ ମଧ୍ୟରେ ଅନେକ କୃଷକ ଏବଂ ଶ୍ରମିକଙ୍କ ଦେହରୁ ରକ୍ତ ବୋହୁଥିବା ଏବଂ ସ୍ୱାଧୀନ ଡାକ୍ତରମାନଙ୍କ ଦ୍ୱାରା ସ୍ଥାପିତ ଚିକିତ୍ସା ଶିବିରକୁ ବୁହା ହେଉଥିବା ଦେଖିବାକୁ ମିଳିଥିଲା।

ଏପରି ଗୋଟିଏ ଶିବିରର ଦାୟିତ୍ୱରେ ଥିବା ୨୮ ବର୍ଷ ବୟସ୍କ ଡାକ୍ତର ମନଦୀପ ସିଂହ କହନ୍ତି, ‘‘ଗତ ଘଣ୍ଟାଏ ଭିତରେ ମୋତେ ୫୦ ଜଣ ରୋଗୀଙ୍କୁ ଦେଖିବାକୁ ହୋଇଥିଲା। ମୁଁ ଶମ୍ଭୁ ସୀମାରେ ପହଞ୍ଚିବା ପରେ ମୁଁ କେତେ ରୋଗୀଙ୍କୁ ଦେଖିଲି ତାହାର ହିସାବ ପାଇଲି ନାହିଁ।’’ ପଞ୍ଜାବର ହୁସିଆରପୁର ଜିଲ୍ଲାସ୍ଥିତ ତାଙ୍କ ହୋସିଆରପୁର ଗ୍ରାମରେ ମନଦୀପ ବାବା ଶ୍ରୀ ଚାନ୍ଦଜୀ ଡାକ୍ତରଖାନା ଚଳାନ୍ତି। ଏହି ଯୁବ ଡାକ୍ତର ଜଣକ କୃଷକ ପରିବାରରୁ ଆସିଛନ୍ତି ଏବଂ ୨୦୨୦ରେ ମଧ୍ୟ ପ୍ରତିବାଦର ଏକ ଅଂଶ ଥିଲେ। ସେହି ସମୟରେ ସେ ଜାତିସଂଘ ସହ ଅନୁବନ୍ଧିତ ସୁରକ୍ଷା ଏବଂ ମାନବୀୟ ସହାୟତା ଅନୁଷ୍ଠାନ ୟୁନାଇଟେଡ୍‌ ଶିଖ୍‌ ସହିତ ଏକ ଶିବିର ଚଳାଉଥିଲେ।

ସେ କହନ୍ତି, ‘‘ରୋଗୀମାନେ କଟା ଘା’ରୁ ଆରମ୍ଭ କରି ଚିରା ଘା’ ପର୍ଯ୍ୟନ୍ତ ଏବଂ କେତେ ଜଣ ଶ୍ୱାସ ସମସ୍ୟା ପରି ବିଭିନ୍ନ ପ୍ରକାର ସମସ୍ୟା ନେଇ ଆସନ୍ତି।’’ ଏଥିସହ ସେ କହନ୍ତି, ‘‘ସରକାର କୃଷକ ଏବଂ ସେମାନଙ୍କର କଲ୍ୟାଣ ପ୍ରତି ଯତ୍ନଶୀଳ ହେବା ଉଚିତ। ଆମେ ସେମାନଙ୍କୁ ନିର୍ବାଚିତ କରିଛୁ ଏବଂ କ୍ଷମତାକୁ ଆଣିଛୁ।’’

PHOTO • Vibhu Grover

ଏହି ଭିଡ଼ ଉପରେ ଲୁହବୁହା ଗ୍ୟାସ୍‌ ପ୍ରୟୋଗ ହେବା ସମୟରେ ସେମାନେ ଦ୍ୱିତୀୟ ପ୍ରତିବନ୍ଧକ ଅତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି

PHOTO • Vibhu Grover

ଡକ୍ଟର ମନଦୀପ ସିଂହ (ଗୋଲାପୀ ସାର୍ଟ) ଶମ୍ଭୁ ସୀମାରେ ତାଙ୍କ ଶିବିରରେ ତାଙ୍କ ରୋଗୀମାନଙ୍କର ସେବା କରୁଛନ୍ତି। ସେ ତାଙ୍କ ଗ୍ରାମ ହୋସିଆରପୁରରେ ବାବା ଶ୍ରୀ ଚାନ୍ଦଜୀ ଡାକ୍ତରଖାନା ଚଳାନ୍ତି

ଘଟଣାସ୍ଥଳରେ ଥିବା ଆଉ ଜଣେ ଡାକ୍ତର ଦୀପିକା ଚିକିତ୍ସା ଶିବିରରେ ସାହାଯ୍ୟ କରିବା ପାଇଁ ହିମାଚଳ ପ୍ରଦେଶର ଶିମ୍‌ଲାରୁ ଆସିଛନ୍ତି। ଏହି ୨୫ ବର୍ଷ ବୟସ୍କା କହନ୍ତି, ‘‘ଶ୍ୱାସ ସମସ୍ୟା ସହିତ ଲୋକମାନେ ଉଦ୍‌ବିଗ୍ନ ଏବଂ ଅସ୍ୱସ୍ତି ଅନୁଭବ କରୁଛନ୍ତି। ସେମାନେ ଘଣ୍ଟା ଘଣ୍ଟା ଧରି ଲୁହବୁହା ଗ୍ୟାସ୍ ପ୍ରୟୋଗ କାରଣରୁ ହେଉଥିବା ଧୂଆଁ ଯୋଗୁଁ ପେଟ ଯନ୍ତ୍ରଣାର ମଧ୍ୟ ଅଭିଯୋଗ କରୁଛନ୍ତି।’’

କେବଳ ଡାକ୍ତରମାନେ ଯେ ସାହାଯ୍ୟ କରୁଥିଲେ ତାହା ନୁହେଁ – ବାରିକେଟ୍‌ଠାରୁ କେଇ ମିଟର ଦୂରରେ ଲୋକମାନେ ସେମାନଙ୍କର ଟ୍ରଲି ସଜାଡ଼ିବାରେ ବ୍ୟସ୍ତ ଥିଲେ ଏବଂ ସମସ୍ତଙ୍କ ପାଇଁ ଲଙ୍ଗର୍‌ ପ୍ରସ୍ତୁତ କରୁଥିଲେ। ଅନେକେ ସେମାନଙ୍କ ପରିବାର ସହିତ ଆସିଥିଲେ। ଗୁରପ୍ରୀତ ସିଂହ ତାଙ୍କ ଛୋଟ ପୁଅ ତେଜସବୀର ସହିତ ଏଠାକୁ ଆସିଛନ୍ତି। ପଟିଆଲାରୁ ଆସିଥିବା ଗୁରପ୍ରୀତ କହନ୍ତି, ‘‘ମୁଁ ମୋର ପୁଅକୁ ଏଠାକୁ ଆଣିଛି ଯାହା ଦ୍ୱାରା ସେ ଆମର ସଂଘର୍ଷ ଦେଖିପାରିବ।’’ ଏଥିସହିତ ସେ କହନ୍ତି, ‘‘ମୁଁ ତା’କୁ ଶିଖାଇବାକୁ ଚାହେଁ କାହିଁକି ଆମର ଅଧିକାର ପାଇଁ ଲଢ଼େଇ କରିବା ଗୁରୁତ୍ୱପୂର୍ଣ୍ଣ, କାରଣ ଆମକୁ ଦବେଇବା ପାଇଁ ସରକାରଙ୍କ ଉଦ୍ୟମ ବିପକ୍ଷରେ ଆମେ କୃଷକ ଏବଂ ଶ୍ରମିକମାନଙ୍କୁ ଏହା କରିବାକୁ ହେବ।’’

ପ୍ରତିବାଦ ସ୍ଥଳର ଚାରିଆଡ଼ୁ କ୍ରାନ୍ତିକାରୀ ସଙ୍ଗୀତ ଏବଂ ସ୍ଲୋଗାନ୍‌ ଶୁଣାଯାଉଥିଲା। ‘‘ଦଳଗୁଡ଼ିକ ଆଗକୁ ବଢ଼ିବା ଏବଂ ଅଧିକ ଲୋକଙ୍କୁ ନିଜ ସହ ମିଶାଇବା ସମୟରେ ଡାକରା ଥିଲା ‘‘ଇକ୍କି ଦୁକ୍କି ଚକ୍କ ଦେୟଙ୍ଗେ, ଧାଉଁ ତେ ଗୋଡ଼ ରଖ ଦେୟଙ୍ଗେ’’ [ଆମେ ସମସ୍ତଙ୍କୁ ତଳେ ପକାଇଦେବୁ ସେମାନଙ୍କ ବେକ ଆମ ପାଦ ତଳେ ରହିବ]।

ରାଜ କୌର ଗିଲ୍‌ କହନ୍ତି, ‘‘ମୁଁ ପ୍ରତିବାଦ କରୁଛି କାରଣ ଏହା କୃଷକମାନଙ୍କ ମୌଳିକ ଅଧିକାର ନିମନ୍ତେ ଏକ ସଂଗ୍ରାମ’’। ଚଣ୍ଡିଗଡ଼ରୁ ଆସିଥିବା ଏହି ୪୦ ବର୍ଷ ବୟସ୍କା ମହିଳା ୨୦୨୧ରେ ଚଣ୍ଡିଗଡ଼ରେ କୃଷକମାନଙ୍କ ପ୍ରତିବାଦର ମୁଖ୍ୟ ସ୍ଥଳ ଥିବା ମଟ୍‌କା ଚୌକର ଏକ ଜଣାଶୁଣା ବ୍ୟକ୍ତିତ୍ୱ ଥିଲେ।

ସେ କହନ୍ତି, ‘‘ଏମ୍‌.ଏସ୍.ପି. ପ୍ରଦାନ ନ କରିବା ଦ୍ୱାରା ସରକାର ଜଣେ କୃଷକର ମୌଳିକ ଜୀବନକୁ ଖୁବ୍‌ କଷ୍ଟକର କରିଦେଉଛନ୍ତି। ଏଗୁଡ଼ିକ କେବଳ ଯେଉଁମାନେ ଦେଶକୁ ଖାଦ୍ୟ ଯୋଗାଉଛନ୍ତି ସେମାନଙ୍କୁ ଶୋଷଣ କରି ବଡ଼ କର୍ପୋରେଟ୍‌ ହାଉସ୍‌ଗୁଡ଼ିକୁ ସଫଳ କରିବା ପାଇଁ କରାଯାଉଛି। ସେମାନେ କେବେବି ସଫଳ ହେବେ ନାହିଁ।’’


PHOTO • Vibhu Grover

ଦିଲ୍ଲୀକୁ ଶୋଭାଯାତ୍ରାରେ ଯାଉଥିବା କୃଷକ ଏବଂ ଶ୍ରମିକମାନଙ୍କୁ ଅଟକାଇବା ପାଇଁ ଶମ୍ଭୁ ସୀମାରେ ମୁତୟନ କରାଯାଇଥିବା ଆର୍‌.ଏ.ଏଫ୍‌. ଅଧିକାରୀ ଏବଂ ହରିଆଣା ପୋଲିସ

PHOTO • Vibhu Grover

ଶମ୍ଭୁ ସୀମାରେ ସେମାନେ ଅର୍ଦ୍ଧ ସାମରିକ, ଆର୍‌.ଏ.ଏଫ୍‌. ଏବଂ ପୋଲିସ ଅଧିକାରୀମାନଙ୍କୁ ଭେଟିଥିଲେ। ରାସ୍ତା ଉପରେ କଣ୍ଟା ସହିତ କଂକ୍ରିଟ୍‌ କାନ୍ଥ ରଖାଯାଇଥିଲା

PHOTO • Vibhu Grover

ତିର୍‌ପାଲ୍‌ ସିଂହ କହନ୍ତି, ‘ଆମେ ଅସ୍ତ୍ରଶସ୍ତ୍ର ଧରିନଥିଲୁ ତଥାପି ସେମାନେ ରବର ବୁଲେଟ୍‌, ପେଲେଟ୍‌, ପେଟ୍ରୋଲ୍‌ ବମ୍‌ ଏବଂ ଲୁହବୁହା ଗ୍ୟାସ୍‌ ପରି ଅସ୍ତ୍ର ବ୍ୟବହାର କରିଛନ୍ତି’

PHOTO • Vibhu Grover

ପ୍ରତିବାଦ ସ୍ଥଳର ଚାରିଆଡ଼ୁ କ୍ରାନ୍ତିକାରୀ ସଙ୍ଗୀତ ଓ ସ୍ଲୋଗାନ୍‌ ଶୁଣାଯାଉଥିଲା

PHOTO • Vibhu Grover

ଗୁରପ୍ରୀତ ସିଂହ ଏଠାକୁ ତାଙ୍କର ଛୋଟ ପୁଅ ତେଜସବୀରଙ୍କ ସହିତ ଆସିଛନ୍ତି। ସେ କହନ୍ତି, ‘ମୁଁ ମୋ ପୁଅକୁ ଏଠାକୁ ଆଣିଲି ଯାହା ଦ୍ୱାରା ସେ ଆମର ସଂଘର୍ଷ ଦେଖିପାରିବ’

PHOTO • Vibhu Grover

ଗୋଟିଏ ଲୁହବୁହା ଗ୍ୟାସ୍‌ ଶେଲ୍‌ ବାଜିବା ସମୟରେ ଜଣେ କୃଷକ ସଂଘର୍ଷ କରୁଛନ୍ତି

PHOTO • Vibhu Grover

ସେମାନେ ନିଜକୁ ଲୁହବୁହା ଗ୍ୟାସ୍‌ରୁ ରକ୍ଷା କରିବା ପାଇଁ ସେମାନଙ୍କର ମୁହଁକୁ ଘୋଡ଼ାଇ ଦେଇଛନ୍ତି

PHOTO • Vibhu Grover

ଡକ୍ଟର ମନଦୀପ ସିଂହ କହନ୍ତି, ‘ଗତ ଗୋଟିଏ ଘଣ୍ଟାରେ ମୁଁ ୫୦ ଜଣ ରୋଗୀଙ୍କୁ ଦେଖିଥିଲି’ ଏବଂ ଏଥିସହିତ କହନ୍ତି, ‘ରୋଗୀମାନେ ବିଭିନ୍ନ ପ୍ରକାର ସମସ୍ୟା ନେଇ ଆସନ୍ତି, କଟା ଘା’ରୁ ଚିରା ଘା’ ପର୍ଯ୍ୟନ୍ତ ଏବଂ କେତେ ଜଣ ଶ୍ୱାସ ସମସ୍ୟା ସହିତ ଆସିଛନ୍ତି’

PHOTO • Vibhu Grover

ପୋଲିସ ତାଙ୍କ ଆଡ଼କୁ ଫିଙ୍ଗିଥିବା ଏକ ଫାଟିଥିବା ଲୁହବୁହା ଗ୍ୟାସ୍‌ ଶେଲ୍‌କୁ କୃଷକ ସେମାନଙ୍କୁ ଫିଙ୍ଗୁଛନ୍ତି

PHOTO • Vibhu Grover

ସୁରକ୍ଷା ବାହିନୀ ଦ୍ୱାରା ଲୁହବୁହା ଗ୍ୟାସ୍‌ ଏବଂ ରବର ବୁଲେଟ୍‌ ପ୍ରୟୋଗ ପରେ ଆହତ ହୋଇଥିବା ଜଣେ କୃଷକ

PHOTO • Vibhu Grover

କୃଷକମାନେ ଗୋଟିଏ ବ୍ୟାରିକେଡ୍‌ ଲଗାଇବାକୁ ଏବଂ ଏହାକୁ ରବର ବୁଲେଟ୍‌ ବିପକ୍ଷରେ ଏକ ଢାଲ ଭାବରେ ବ୍ୟବହାର କରିବାକୁ ଏହାକୁ ନେଉଛନ୍ତି

PHOTO • Vibhu Grover

ଡ୍ରୋନ୍‌ଗୁଡ଼ିକୁ ତଳକୁ ଖସାଇବା ପାଇଁ ଗୁଡ଼ି ବ୍ୟବହାର କରୁଥିବା ଅନ୍ୟ କୃଷକମାନଙ୍କ ସହ ହରମନଦୀପ ସିଂହ

PHOTO • Vibhu Grover

ପଞ୍ଜାବରୁ ଦିଲ୍ଲୀ ଆଡ଼କୁ ଯାଉଥିବା ଜଣେ ବୟସ୍କ କୃଷକଙ୍କର ଛବି

PHOTO • Vibhu Grover

ରାଜ କୌର ଗିଲ୍‌ କହନ୍ତି, ‘ଏମ୍‌.ଏସ୍.ପି. ପ୍ରଦାନ ନ କରିବା ଦ୍ୱାରା ସରକାର ଜଣେ କୃଷକର ମୌଳିକ ଜୀବନକୁ ଖୁବ୍‌ କଷ୍ଟକର କରିଦେଉଛନ୍ତି। ଏଗୁଡ଼ିକ କେବଳ ଯେଉଁମାନେ ଦେଶକୁ ଖାଦ୍ୟ ଯୋଗାଉଛନ୍ତି ସେମାନଙ୍କୁ ଶୋଷଣ କରି ବଡ଼ କର୍ପୋରେଟ୍‌ ହାଉସ୍‌ଗୁଡ଼ିକୁ ସଫଳ କରିବା ପାଇଁ କରାଯାଉଛି। ସେମାନେ କେବେବି ସଫଳ ହେବେ ନାହିଁ’

ଅନୁବାଦ: ଓଡ଼ିଶାଲାଇଭ୍‍

Vibhu Grover

Vibhu Grover is an independent journalist based in Delhi.

Other stories by Vibhu Grover
Editor : PARI Desk

PARI Desk is the nerve centre of our editorial work. The team works with reporters, researchers, photographers, filmmakers and translators located across the country. The Desk supports and manages the production and publication of text, video, audio and research reports published by PARI.

Other stories by PARI Desk
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE