ମଧ୍ୟପ୍ରଦେଶର ଜଙ୍ଗଲ ବିଭାଗ ଦ୍ୱାରା ଜଣେ ସହରିୟାର ଆଦିବାସୀ ଗୁଟ୍ଟୀ ସମନ୍ୟାଙ୍କୁ ଯେତେବେଳେ ‘ଚିତା ମିତ୍ର’ (ଚିତାମାନଙ୍କ ବନ୍ଧୁ) ଭାବେ ନିଯୁକ୍ତ କରାଗଲା,‘‘ଚିତାଙ୍କୁ ଦେଖିଲେ ବନ ବିଭାଗ ରେଞ୍ଜରଙ୍କୁ ସୂଚନା ଦେବା ପାଇଁ’’ ତାଙ୍କୁ କୁହାଗଲା।

ପାରିଶ୍ରମିକ ନଥିଲେ ସୁଦ୍ଧା ଏହା ଅତି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ବୋଲି ମନେ ହେଉଥିଲା। ସର୍ବୋପରି, କାର୍ଗୋ ଓ ସାମରିକ ବିମାନ ଓ ହେଲିକପ୍ଟରରେ ସମୁଦ୍ର ଓ ଭୂଭାଗ ପାର୍‌ ହୋଇ ୮,୦୦୦ କିଲୋମିଟର ଦୂରରୁ ଆଫ୍ରିକୀୟ ଚିତାମାନଙ୍କୁ କୁନୋ ଜାତୀୟ ଉଦ୍ୟାନକୁ ଅଣାଯାଉଥିଲା । ଭାରତ ସରକାର ସେମାନଙ୍କର ଯାତ୍ରା ପାଇଁ ଅଘୋଷିତ ମାତ୍ରାରେ ବିଦେଶୀ ମୁଦ୍ରା ଖର୍ଚ୍ଚ କରୁଥିଲେ ଏବଂ ସେମାନଙ୍କ ରହିବା ଉପରେ ସଂରକ୍ଷଣ ପାଇଁ ରାଜକୋଷ ଖାଲି କରି ଦେଉଥିଲେ।

ଶିକାରୀଙ୍କଠାରୁ ଚିତାଗୁଡ଼ିକୁ ସୁରକ୍ଷିତ ରଖିବା ଏବଂ ଗାଁ ଲୋକଙ୍କ ଘରେ ବାଟବଣା ହୋଇ ପଶିଗଲେ କ୍ରୋଧିତ ଗ୍ରାମବାସୀଙ୍କଠାରୁ ସେମାନଙ୍କୁ ବଞ୍ଚାଇବାର ଦାୟିତ୍ୱ ଚିତା ମିତ୍ରମାନଙ୍କୁ ଦିଆଗଲା। ତେଣୁ ପାଖାପାଖି ୪୦୦-୫୦୦ ଜଣ ଚିତା ମିତ୍ର କୁନୋ-ପାଲପୁର ଜାତୀୟ ଉଦ୍ୟାନ (କେଏନପି) ସୀମାକୁ ଲାଗି ରହିଥିବା କ୍ଷୁଦ୍ର ବସ୍ତି ଏବଂ ଗାଁରେ ବ୍ୟାପି ରହିଥିଲେ ଯେଉଁମାନେ ଦେଶ ସେବା ପାଇଁ ପ୍ରସ୍ତୁତ ଥିଲେ । ସେମାନେ ସମସ୍ତେ ବନବାସୀ, ଚାଷୀ ଓ ଦିନ ମଜୁରିଆ ଥିଲେ ।

କିନ୍ତୁ ଚିତାଗୁଡ଼ିକ ଏଠାରେ ପହଞ୍ଚିବା ପରେ ସେମାନଙ୍କୁ ଅଧିକାଂଶ ସମୟ ଖୁଆଡ଼ ଭିତରେ ବିତାଇବାକୁ ପଡ଼ିଛି ଏବଂ କୁନୋ ଉଦ୍ୟାନରେ ବାଡ଼ ଘେରା ସ୍ଥାନ ସଂଖ୍ୟା ବଢ଼ିଯାଇଛି । କେବଳ ଚିତାମାନଙ୍କୁ ଭିତରେ ରଖି ଅନ୍ୟମାନଙ୍କୁ ବାହାରେ ରଖିବା ସୁନିଶ୍ଚିତ କରାଯାଇଛି। ‘‘ଆମକୁ ଭିତରକୁ ଯିବା ପାଇଁ ଅନୁମତି ମିଳୁନାହିଁ । ସେସେପୁରା ଓ ବାଗ୍‌ଚାରେ ନୂଆ ଗେଟ୍‌ ତିଆରି ହୋଇଛି,’’ ଜଣେ ଚିତା ମିତ୍ର ଭାବେ ନିଯୁକ୍ତ ହୋଇଥିବା ଶ୍ରୀନିବାସ ଆଦିବାସୀ କୁହନ୍ତି ।

PHOTO • Priti David
PHOTO • Priti David

ବାମ : ପୀପଲବୌଦିଠାରେ ଥିବା ନୂଆ ଫାଟକ। ଡାହାଣ : ଜାତୀୟ ଉଦ୍ୟାନ ଦେଇ କୁନୋ ନଦୀ ପ୍ରବାହିତ ହୋଇଯାଇଛି ଏବଂ ନଦୀ ଅପରପାର୍ଶ୍ୱରେ ଥିବା ଚିତାଙ୍କ ରହଣି ସ୍ଥଳକୁ ଯିବା ପାଇଁ ଆଗନ୍ତୁକମାନଙ୍କୁ ଅନୁମତି ନାହିଁ

PHOTO • Priti David
PHOTO • Priti David

ନୂଆ ଖୁଆଡ଼ ( ଡାହାଣ ) ନିର୍ମାଣ କରାଯାଇଥିବା କାରଣରୁ ଜାଳେଣି ( ବାମ ) ଏବଂ ଅନ୍ୟ ଲଘୁ ବନ୍ୟଜାତ ଦ୍ରବ୍ୟ ସଂଗ୍ରହ ଏବେ ଜଙ୍ଗଲ ଲୁଚକାଳି ଖେଳ ପାଲଟିଛି

ଗୁଟ୍ଟିଙ୍କ ସମେତ ଅନ୍ୟ ହଜାର ହଜାର ଆଦିବାସୀ ଓ ଦଳିତ ଲୋକମାନେ ଏକଦା କୁନୋ ଜାତୀୟ ଉଦ୍ୟାନରେ କଲରାପତରିଆ ବାଘ ଓ ଅନ୍ୟ ବନ୍ୟ ପ୍ରାଣୀଙ୍କ ସହ ବସବାସ କରି ଆସୁଥିଲେ। ଜୁନ୍‌ ୨୦୨୩ରେ, ଜାତୀୟ ଉଦ୍ୟାନ ପରିସରରେ ଥିବା ବାଗ୍‌ଚା ଗ୍ରାମର ଶେଷ ଗ୍ରାମବାସୀଙ୍କ ମଧ୍ୟରେ ସେ ଥିଲେ ଅନ୍ୟତମ ଯେଉଁମାନଙ୍କୁ ବହୁଚର୍ଚ୍ଚିତ ଚିତା ପ୍ରକଳ୍ପ ପାଇଁ ୪୦ କିଲୋମିଟର ଦୂରକୁ ସ୍ଥାନନ୍ତରିତ କରାଯାଇଥିଲା। ଏବେ, ନିଜ ଘରଦ୍ୱାର ଚିତାମାନଙ୍କୁ ସମର୍ପି ଦେବାର ଆଠ ମାସ ପରେ ସେ ଜଙ୍ଗଲ ବାହାରେ ରହିବାକୁ ନେଇ ସାମାନ୍ୟ ଅସନ୍ତୋଷ ପ୍ରକାଶ କରିଥାନ୍ତି । ‘‘ଜଙ୍ଗଲଠାରୁ ଏତେ ଦୂରରେ ରହିବା ପରେ ମୁଁ କିଭଳି ଜଣେ ଚିତା ମିତ୍ର ହୋଇପାରିବି?’’ ସେ ପ୍ରଶ୍ନ କରନ୍ତି ।

କଡ଼ା ସୁରକ୍ଷା ଏବଂ ଗୋପନୀୟତା କାରଣରୁ ଯେକୌଣସି ଆଦିବାସୀଙ୍କ ପାଇଁ ଚିତାଙ୍କୁ ଦେଖିବା ଅସମ୍ଭବ। ଗୁଟ୍ଟି ଓ ସିରିନିବାସ କୁହନ୍ତି : ‘‘ଆମେ କେବଳ ଚିତାର ଏକ ଭିଡ଼ିଓ ଦେଖିଛୁ,’’ ଯାହାକୁ ଜଙ୍ଗଲ ବିଭାଗ ଦ୍ୱାରା ପ୍ରସାରିତ କରାଯାଇଥିଲା।

ପ୍ରଥମ ପର୍ଯ୍ୟାୟରେ ସେପ୍ଟେମ୍ବର ୨୦୨୨ରେ ଆଠଟି ଚିତାଙ୍କୁ ଏଠାକୁ ଅଣାଯାଇଥିଲା। ସେହି ଘଟଣାକୁ ଫେବୃଆରୀ ୨୦୨୪ରେ ୧୬ ମାସ ପୂରଣ ହେଉଛି । ୨୦୨୩ରେ ଦ୍ୱିତୀୟ ପର୍ଯ୍ୟାୟରେ ୧୨ଟି ଚିତାଙ୍କୁ ଅଣାଯାଇଥିଲା; ଆମଦାନୀ ହୋଇଥିବା ଚିତାଙ୍କ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୭ଟି ମୃତ୍ୟୁବରଣ କରିଥିବା ବେଳେ ଭାରତରେ ଜନ୍ମିତ ୧୦ ଛୁଆଙ୍କ ମଧ୍ୟରୁ ୩ଟି ପ୍ରାଣ ହରାଇଛନ୍ତି, ଏହାକୁ ମିଶାଇ ମୋଟ୍‌ ୧୦ଟି ଚିତା ମଲେଣି।

ପ୍ରକଳ୍ପର ସଫଳତା ମାନଦଣ୍ଡ ପାଇଁ ୫୦ ପ୍ରତିଶତ ଜୀବିତ ରହିବା ହାର ହାସଲ କରିବାର ଆବଶ୍ୟକତା ଥିବାରୁ ବ୍ୟସ୍ତ ହେବାର କୌଣସି କାରଣ ନାହିଁ ବୋଲି ଚିତାଙ୍କୁ ଆଣିବା ପାଇଁ ପ୍ରସ୍ତୁତ କାର୍ଯ୍ୟ ଯୋଜନା ରେ କୁହାଯାଇଛି। କିନ୍ତୁ ଏହି ମାନଦଣ୍ଡ ମୁକ୍ତ ଭାବେ ବୁଲୁଥିବା ଚିତାଙ୍କ ପାଇଁ ଉଦ୍ଦିଷ୍ଟ। ଅନ୍ୟପଟେ କୁନୋର ଚିତାମାନଙ୍କୁ ବୋମାସ (ଖୁଆଡ଼) ଭିତରେ ରଖାଯାଇଛି ଯାହାର ଆକାର ୫୦ x ୫୦ ମିଟର ୦.୫ x୧.୫ ବର୍ଗମିଟର ମଧ୍ୟରେ ହେବ। ସେମାନଙ୍କୁ ସଂଗରୋଧ କରି ରଖିବା, ଜଳବାୟୁ ସହିତ ଖାପଖୁଆଇବା, କୌଣସି ଅସୁସ୍ଥତାରୁ ସୁସ୍ଥ କରିବା ଏବଂ ଶିକାର ଆଶଙ୍କାକୁ ଦୃଷ୍ଟିରେ ରଖି ଏପରି କରାଯାଇଛି। ଆନୁମାନିକ ୧୫ କୋଟି ଟଙ୍କା ବ୍ୟୟରେ ଏସବୁ ଆବଦ୍ଧ କ୍ଷେତ୍ର ନିର୍ମାଣ କରାଯାଇଛି। ସେମାନଙ୍କୁ ଜଙ୍ଗଲରେ ବୁଲିବା, ବଞ୍ଚିବା, ପ୍ରଜନନ କରିବା ଏବଂ ଶିକାର କରିବା ପାଇଁ ଅଧିକ ସମୟ ପାଇଁ ଛଡ଼ା ଯାଇ ନାହିଁ, ଯଦିଓ ଏହା ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ।

ଏହା ପରିବର୍ତ୍ତେ ଚିତାଗୁଡ଼ିକ ବର୍ତ୍ତମାନର ଶିବିରରେ ଶିକାର କରୁଛନ୍ତି। ତେବେ, ‘‘ସେଗୁଡ଼ିକୁ ନିଜସ୍ୱ କ୍ଷେତ୍ର ସ୍ଥାପନ କରିବା ଏବଂ ପ୍ରଜନନ କରିବାରେ ସକ୍ଷମ ହୋଇପାରୁନାହାନ୍ତି। କୌଣସି ଗୋଟିଏ ହେଲେ ଦକ୍ଷିଣ ଆଫ୍ରିକୀୟ ମାଈ ଚିତାଙ୍କୁ ଅଣ୍ଡିରା ଚିତାଙ୍କ ସହ ମିଶିବା ପାଇଁ ଯଥେଷ୍ଟ ସମୟ ମିଳିନାହିଁ । କୁନୋରେ ଜନ୍ମ ନେଇଥିବା ସାତଟି ଛୁଆଙ୍କ ମଧ୍ୟରୁ ଛଅଟି ଛୁଆଙ୍କର ପିତା ଜଣେ ପବନ ବୋଲି ଡକ୍ଟର ଆଡ୍ରିଆନ୍‌ ଟୋର୍ଡିଫ କୁହନ୍ତି । ଦକ୍ଷିଣ ଆଫ୍ରିକାର ଏହି ପ୍ରାଣୀ ଚିକିତ୍ସକ ପୂର୍ବରୁ ପ୍ରକଳ୍ପ ଚିତାର ପ୍ରମୁଖ ସଦସ୍ୟ ଥିଲେ କିନ୍ତୁ ଖୋଲାଖୋଲି ନିଜର ମତପ୍ରକାଶ କରିବା କାରଣରୁ ତାଙ୍କୁ ଅଣଦେଖା କରାଗଲା ବୋଲି ସେ କୁହନ୍ତି ।

PHOTO • Photo courtesy: Project Cheetah Annual Report 2022-2023
PHOTO • Photo courtesy: Project Cheetah Annual Report 2022-2023

ଚିତାଙ୍କ ପାଇଁ କୋମଳ ମୁକ୍ତ ଖୁଆଡ଼ର ଏକ ନକ୍ସା ( ବାମ ) ଏବଂ ସଂଗରୋଧ ବୋମାସ ( ଡାହାଣ )

କୁନୋ ଏକଦା ୩୫୦ ବର୍ଗ କିଲୋମିଟର ବିଶିଷ୍ଟ ଏକ ଛୋଟ ଅଭୟାରଣ୍ୟ ଥିଲା ପରବର୍ତ୍ତୀ ସମୟରେ ଏକ ଜାତୀୟ ଉଦ୍ୟାନ ହେବା ପାଇଁ ଏହାର ଆକାର ଦୁଇ ଗୁଣ କରି ଦିଆଯାଇଥିଲା ଯାହାଫଳରେ ବନ୍ୟପ୍ରାଣୀମାନେ ମୁକ୍ତ ଭାବେ ଶିକାର କରିପାରିବେ। ୧୯୯୯ ପରଠାରୁ ବାଘଙ୍କର ଅବାଧ ଚଳପ୍ରଚଳ ପାଇଁ ଏହି ସ୍ଥାନରୁ ୧୬,୦୦୦ରୁ ଅଧିକ ଆଦିବାସୀ ଓ ଦଳିତ ଲୋକମାନଙ୍କୁ ଏଠାରୁ ନିଷ୍କାସିତ କରି ଦିଆଯାଇଛି ।

‘‘ ହମ୍‌ ବାହାର ହୈ। ଚିତା ଅନ୍ଦର୍‌ (ଆମେ ବାହାରେ ଅଛୁ। ଚିତା ଭିତରେ ଅଛନ୍ତି)!’’ ବାଗ୍‌ଚାର ଜଣେ ସହରିୟର ଆଦିବାସୀ ମଙ୍ଗିଲାଲ୍‌ ଆଦିବାସୀ କୁହନ୍ତି । ନୂଆ କରି ବିସ୍ଥାପିତ ହୋଇଥିବା ଏହି ୩୧ ବର୍ଷୀୟ ଯୁବକ ଶ୍ୟୋପୁର ତହସିଲର ଚକ୍‌ବାମୁଲ୍ୟାରେ ନିଜର ଘର ଓ ଜମିକୁ ପୁଣିଥରେ ପ୍ରସ୍ତୁତ କରିବା ପାଇଁ ପୂର୍ଣ୍ଣ ଚେଷ୍ଟାରେ ଲାଗି ପଡ଼ିଛନ୍ତି।

ଗୁଟ୍ଟୀ, ସିରିନିବାସ ଏବଂ ମଙ୍ଗୀଲାଲ ସହରିୟା ଆଦିବାସୀ ଅଟନ୍ତି ଯେଉଁମାନଙ୍କୁ ମଧ୍ୟପ୍ରଦେଶରେ ଅତି ଆପଦଗ୍ରସ୍ତ ଜନଜାତି ସମୂହ (ପିଭିଟିଜି) ଭାବେ ତାଲିକାଭୁକ୍ତ କରାଯାଇଛି । ସେମାନେ ମୁଖ୍ୟତଃ ଲାଖ, ଜାଳେଣି କାଠ, ଫଳ, ମୂଳ ଏବଂ ଜଡ଼ିବୁଟି ଭଳି ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ରୋଜଗାର ପାଇଁ ନିର୍ଭର କରିଥା’ନ୍ତି।

‘‘ବାଗ୍‌ଚାରେ (ସେମାନଙ୍କୁ ଯେଉଁସ୍ଥାନରୁ ବିସ୍ଥାପିତ କରାଯାଇଥିଲା) ଆମକୁ ଜଙ୍ଗଲକୁ ଯିବା ପାଇଁ ଅନୁମତି ମିଳୁଥିଲା। ସେଠାରେ ମୁଁ ୧,୫୦୦ରୁ ଅଧିକ ଚିର୍‌ ଗୋନ୍ଦ (ଲାଖ) ଗଛ ଛାଡ଼ି ଆସିଛି ଯାହା ଉପରେ ମୋ ପରିବାରର ପୂର୍ବପୁରୁଷ ଅମଳରୁ ଅଧିକାର ରହି ଆସିଥିଲା। ପଢ଼ନ୍ତୁ: କୁନୋରେ : ଚିତା ଆସିଲେ, ଆଦିବାସୀ ବିଦା । ଏବେ ନିଜ ଗଛଗୁଡ଼ିକଠାରୁ ସେ ଓ ତାଙ୍କ ଗାଁ ୩୦-୩୫ କିଲୋମିଟର ଦୂରରେ ଅଛି; ସେମାନେ ଜଙ୍ଗଲରେ ପ୍ରବେଶ ସୁଦ୍ଧା କରିପାରିବେ ନାହିଁ - ସେମାନଙ୍କୁ ବାଡ଼ ଦେଇ ବାହାର କରି ଦିଆଯାଇଛି ।

ମଙ୍ଗୀଲାଲ କୁହନ୍ତି, ‘‘ଆମକୁ (ବିସ୍ଥାପନ ପାଇଁ) ୧୫ ଲକ୍ଷ ଟଙ୍କା ମିଳିବ ବୋଲି କୁହାଗଲା, କିନ୍ତୁ ଆମକୁ ଘର ତିଆରି ପାଇଁ ମାତ୍ର ୩ ଲକ୍ଷ ଟଙ୍କା, ଖାଦ୍ୟସାମଗ୍ରୀ କିଣିବାକୁ ୭୫,୦୦୦ ଟଙ୍କା ଏବଂ ବିହନ ଓ ସାର କିଣିବାକୁ ୨୦,୦୦୦ ଟଙ୍କା ମିଳିଲା।’’ ଅବଶିଷ୍ଟ ପ୍ରାୟ ୧୨ ଲକ୍ଷ ଟଙ୍କାରୁ ଅଧିକ ଟଙ୍କା ୯ ବିଘା (ପ୍ରାୟ ତିନି ଏକର) ଜମି, ବିଦ୍ୟୁତ ସଂଯୋଗ, ସଡ଼କ, ଜଳ ଓ ପରିମଳ ବ୍ୟବସ୍ଥା କରିବାକୁ ଖର୍ଚ୍ଚ ହେଲା ବୋଲି ତାଙ୍କୁ ଜଙ୍ଗଲ ବିଭାଗ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ଏକ ବିସ୍ଥାପନ କମିଟି ପକ୍ଷରୁ ସୂଚନା ଦିଆଯାଇଥିଲା।

ନୂଆ କରି ପ୍ରତିଷ୍ଠା ହୋଇଥିବା ବାଗ୍‌ଚା ଗ୍ରାମରେ ବଲ୍ଲୁ ଆଦିବାସୀ ପଟେଲ୍‌ (ମୁଖିଆ) ଦାୟିତ୍ୱ ନିର୍ବାହ କରୁଛନ୍ତି, କିନ୍ତୁ ବିସ୍ଥାପିତ ଲୋକମାନେ ପୁରୁଣା ନାମ ଜାରି ରଖିବାକୁ ଚାହୁଁଛନ୍ତି। ଶୀତୁଆ ସନ୍ଧ୍ୟାର ମଳିନ ଆଲୋକରେ ସେ ନିର୍ମାଣ ସ୍ଥଳୀର ବର୍ଜ୍ୟବସ୍ତୁ, କଳା ପାଲ ପଡ଼ିଥିବା ତମ୍ବୁ ଏବଂ ଶୀତଳ ପବନରେ ଉଡ଼ୁଥିବା ଜରି ଖଣ୍ଡକୁ ଦେଖନ୍ତି। ଶ୍ୟୋପୁର ସହରରେ ଏକ ବ୍ୟସ୍ତବହୁଳ ରାଜପଥର ସମାନ୍ତରାଳରେ ଅଧା-ପନ୍ତରିଆ ଇଟା ଓ ସିମେଣ୍ଟ ଘରସବୁ ବ୍ୟାପି ରହିଛି। ସେ କୁହନ୍ତି, ‘‘ଆମ ଘର ସମ୍ପୂର୍ଣ୍ଣ କରିବା ଏବଂ କେନାଲ ଓ ଗଡ଼ାଣିଆ ସ୍ଥାନ ସହିତ ଆମ ଚାଷ ଜମିକୁ ସ୍ଥାପିତ କରିବା ଲାଗି ଆମ ପାଖରେ ଟଙ୍କା ନାହିଁ।’’

PHOTO • Priti David
PHOTO • Priti David

ବାଗ୍‌ଚା ଗ୍ରାମବାସୀ ୨୦୨୩  ମଧ୍ୟ ଭାଗରେ ନିଜ ନୂଆ ଘରକୁ ଚାଲି ଯାଇଥିଲେ। ବର୍ତ୍ତମାନ ସୁଦ୍ଧା ସେମାନଙ୍କୁ ସମ୍ପୂର୍ଣ୍ଣ କ୍ଷତିପୂରଣ ମିଳିନଥିବା ସେମାନେ କୁହନ୍ତି ଯାହାଫଳରେ ସେମାନେ ନିଜ ଘର ଓ ଚାଷ ଜମିକୁ ପ୍ରସ୍ତୁତ କରିବା ପାଇଁ ସଂଘର୍ଷ କରୁଛନ୍ତି

PHOTO • Priti David
PHOTO • Priti David

‘ଆମ ଘର ସମ୍ପୂର୍ଣ୍ଣ କରିବା ଏବଂ କେନାଲ ଓ ଗଡ଼ାଣିଆ ସ୍ଥାନ ସହିତ ଆମ ଚାଷ ଜମିକୁ ସ୍ଥାପିତ କରିବା ଲାଗି ଆମ ପାଖରେ ଟଙ୍କା ନାହିଁ,’ ମୁଖିଆ ବଲ୍ଲୁ ଆଦିବାସୀ କୁହନ୍ତି

‘‘ଆପଣ ଯେଉଁ ଫସଲ ଦେଖୁଛନ୍ତି ସେସବୁ ଆମେ ଲଗାଇ ନାହୁଁ। ଆମେ ଆଖପାଖ ଲୋକଙ୍କୁ ଜମି ବଟାଇ (ଭାଗରେ) ଦେଇଛୁ । ସେମାନେ ଆମକୁ ଯେଉଁ ଟଙ୍କା ଦେଇଥିଲେ ସେଥିରେ ଆମେ ଗୋଟିଏ ହେଲେ ଫସଲ ଲଗାଇ ପାରିଲୁ ନାହି,’’ ବଲ୍ଲୁ କୁହନ୍ତି। ସେ ଆହୁରି କହିଥା’ନ୍ତି, ଗାଁର ମୂଳ ବାସିନ୍ଦା ଉଚ୍ଚ ଜାତିର ଲୋକମାନଙ୍କ ଜମି ଭଳି ସେମାନଙ୍କ ଜମି ଭଲ ଭାବେ ହଳ କରିବା ଯୋଗ୍ୟ ଏବଂ ସମତଳ ଭୂମି ନୁହେଁ ।

୨୦୨୨ରେ ପରୀ ଯେତେବେଳେ ବଲ୍ଲୁଙ୍କଠାରୁ ସାକ୍ଷାତକାର ନେଇଥିଲା ସେ କହିଥିଲେ ଯେ, ଅନ୍ୟ ଯେଉଁମାନେ ବିସ୍ଥାପିତ ହୋଇଥିଲେ ସେମାନେ ଏବେ ସୁଦ୍ଧା ସରକାର ୨୦ ବର୍ଷ ତଳେ ଦେଇଥିବା ପ୍ରତିଶ୍ରୁତି ପୂରଣ ହେବାକୁ ଅପେକ୍ଷା କରି ରହିଛନ୍ତି । ବିସ୍ଥାପନକୁ ବିରୋଧ କରି ସେ କୁହନ୍ତି, ‘‘ଆମେ ସେଭଳି  ସ୍ଥିତିରେ  ଫସିବାକୁ ଚାହୁଁନାହୁଁ । ପଢ଼ନ୍ତୁ : କୁନୋ ଜାତୀୟ ଉଦ୍ୟାନରେ, କାହାକୁ ହେଲେ ମିଳେ ନାହିଁ ସିଂହଭାଗ

କିନ୍ତୁ ସେ ଓ ଅନ୍ୟମାନେ ଏବେ ଠିକ୍‌ ସେଭଳି ସ୍ଥିତିରେ ରହିଛନ୍ତି।

‘‘ଆମେ କୁନୋ ଛାଡ଼ି ଦେଉ ବୋଲି ସେମାନେ ଯେତେବେଳେ ଚାହୁଁଥିଲେ, ତୁରନ୍ତ (କିଛି ସମୟ ମଧ୍ୟରେ) ଆମ ଦାବିକୁ ମାନି ନେଇଥିଲେ। ଏବେ ପଚାରିଲେ, ସେମାନେ ହସି ଦିଅନ୍ତି,’’ ଚିତା ମିତ୍ର ମାନ୍ୟତା ପାଇଥିଲେ ସୁଦ୍ଧା ଗୁଟ୍ଟୀ ସମନ୍ୟା କହିଥାନ୍ତି।

*****

ଅନ୍ତିମ ଆଦିବାସୀମାନେ ବାହାରିଯିବା ପରେ, ଏବେ ଜାତୀୟ ଉଦ୍ୟାନର ୭୪୮ ବର୍ଗ କିଲୋମିଟର କ୍ଷେତ୍ର ସ୍ୱତନ୍ତ୍ର ଭାବେ ଚିତାମାନଙ୍କର ହୋଇସାରିଛି - ଏହା ଏକ ଦୁର୍ଲଭ ବିଶେଷ ଅଧିକାର ଯାହା ଭାରତୀୟ ବନ୍ୟପ୍ରାଣୀ ସଂରକ୍ଷକମାନଙ୍କୁ ଚକିତ କରିଥାଏ। ସେମାନେ କୁହନ୍ତି, ଗଙ୍ଗା ଡଲଫିନ, ଗୋଡ଼ାବଣ (ଦ ଗ୍ରେଟ୍‌ ଇଣ୍ଡିଆନ ବଷ୍ଟାର୍ଡ), ସାମୁଦ୍ରିକ କଇଁଚ୍ଛ, ଏସୀୟ ସିଂହ, ତିବ୍ବତୀୟ ମୃଗ ଏବଂ ଅନ୍ୟ ଦେଶୀ ପ୍ରଜାତିଗୁଡ଼ିକ ‘‘ଅଧିକ ବିଲୁପ୍ତପ୍ରାୟ…. ଏବଂ ପ୍ରାଥମିକ ପ୍ରଜାତି’’ ଭାବେ ଭାରତର ବନ୍ୟପ୍ରାଣୀ କାର୍ଯ୍ୟ ଯୋଜନା ୨୦୧୭-୨୦୩୧ରେ ତାଲିକାଭୁକ୍ତ ହୋଇଛନ୍ତି । ଏଥିରେ ଚିତାମାନେ ନାହାନ୍ତି ।

ଚିତାମାନଙ୍କୁ କୁନୋ ଆଣିବା ପାଇଁ ଭାରତ ସରକାରଙ୍କୁ ବିଭିନ୍ନ ଆଇନଗତ ଏବଂ କୂଟନୈତିକ ବାଧକଗୁଡ଼ିକୁ ଦୂର କରିବାକୁ ପଡ଼ିଛି। ବର୍ତ୍ତମାନ ଭାରତରୁ ବିଲୁପ୍ତ ହୋଇଯାଇଥିବା ଏସୀୟ ଚିତା (ଏସିନୋନିକ୍ସ ଜୁବାଟସ୍‌ ଭେନାଟିକସ୍‌) ସ୍ଥାନରେ ଆଫ୍ରିକୀୟ ଚିତା (ଏସିନୋନିକ୍ସ ଜୁବାଟସ୍‌)ଙ୍କୁ ଆଣିବା ଲାଗି ହୋଇଥିବା ଯୋଜନାକୁ ୨୦୧୩ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏକ ଆଦେଶରେ ‘ଖାରଜ’ କରି ଦିଆଯାଇଥିଲା।

କିନ୍ତୁ ଜାନୁଆରୀ ୨୦୨୦ରେ ଜାତୀୟ ବ୍ୟାଘ୍ର ସଂରକ୍ଷଣ ପ୍ରାଧିକରଣ (ଏନଟିସିଏ) ଦ୍ୱାରା ଦାଖଲ କରାଯାଇଥିବା ଏକ ଆବେଦନକୁ ବିଚାର କରି ସର୍ବୋଚ୍ଚ ନ୍ୟାୟାଳୟ ରାୟ ଦେଇଥିଲେ ଯେ, ପରୀକ୍ଷାମୂଳକ ଭିତ୍ତିରେ ଚିତାଗୁଡ଼ିକୁ ଅଣାଯାଇପାରିବ। ଏଥିରେ ମଧ୍ୟ କୁହାଯାଇଥିଲା ଯେ, କେବଳ ଏନଟିସିଏ ଏହାର ବ୍ୟବହାରିକତା ସମ୍ପର୍କରେ ନିଷ୍ପତ୍ତି ନେଇପାରିବ ନାହିଁ ବରଂ ଏକ ବିଶେଷଜ୍ଞ ସମିତିଠାରୁ ପରାମର୍ଶ ନିଆଯିବା ଆବଶ୍ୟକ।

PHOTO • Photo courtesy: Project Cheetah Annual Report 2022-2023
PHOTO • Photo courtesy: Project Cheetah Annual Report 2022-2023

ଚିତାଗୁଡ଼ିକୁ ଏକ ସ୍ୱତନ୍ତ୍ର ଚାର୍ଟର୍ଡ ବିମାନରେ ଅଣାଯାଇଥିଲା ଏବଂ ବାୟୁସେନା ହେଲିକପ୍ଟରରେ କୁନୋକୁ ସ୍ଥାନାନ୍ତରିତ କରାଯାଇଥିଲା

ପ୍ରାୟ ୧୦ ଜଣ ସଦସ୍ୟଙ୍କୁ ନେଇ ଉଚ୍ଚସ୍ତରୀୟ ପ୍ରକଳ୍ପ ଚିତା ପରିଚାଳନା କମିଟି ଗଠନ କରାଯାଇଥିଲା। କିନ୍ତୁ ସେଥିରେ ସଦସ୍ୟ ଥିବା ବୈଜ୍ଞାନିକ ଟୋର୍ଡିଫ କୁହନ୍ତି, ‘‘ମୋତେ କେବେ ବି ବୈଠକକୁ ଡକାଯାଇନଥିଲା।’’ ପରୀ ପକ୍ଷରୁ ଚିତା ପ୍ରକଳ୍ପରେ ସାମିଲ ଥିବା ଅନେକ ବିଶେଷଜ୍ଞଙ୍କ ସହ ଯୋଗାଯୋଗ କରାଯାଇଥିଲା, ଯେଉଁମାନେ କହିଥିଲେ ଯେ ସେମାନଙ୍କ ପରାମର୍ଶକୁ ନିୟମିତ ଭାବେ ଅଣଦେଖା କରାଯାଇଥିଲା ଏବଂ ‘‘ଶୀର୍ଷ ପଦବୀରେ ଥିବା ଲୋକମାନେ କିଛି ଜାଣନ୍ତି ନାହିଁ, କିନ୍ତୁ ସେମାନେ ଆମକୁ ସ୍ୱାଧୀନ ଭାବେ କାମ କରିବାକୁ ଦେବେ ନାହିଁ।’’ ତେବେ ଯାହା ସ୍ପଷ୍ଟ ଥିଲା ତାହା ହେଉଛି ସର୍ବୋଚ୍ଚ ପଦବୀରେ ଥିବା କେହି ଜଣେ ବ୍ୟକ୍ତି ପ୍ରକଳ୍ପର ସଫଳତା ଚାହୁଁଛନ୍ତି ଏବଂ ଯେକୌଣସି ‘ନକାରାତ୍ମକ’ ଖବରକୁ ସେ ନାପସନ୍ଦ କରନ୍ତି।

ସର୍ବୋଚ୍ଚ ନ୍ୟାୟାଳୟଙ୍କ ରାୟ ମାର୍ଗ ପ୍ରଶସ୍ତ କରିବା ପରେ, ଚିତା ପ୍ରକଳ୍ପ ସମ୍ପୂର୍ଣ୍ଣ ସକ୍ରିୟତାର ସହିତ ଆଗକୁ ବଢ଼ିଲା। ସେପ୍ଟେମ୍ବର ୨୦୨୨ରେ ପ୍ରଧାନମନ୍ତ୍ରୀ ଏହାକୁ ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ଏକ ବିଜୟ ବୋଲି ଦାବି କଲେ ଏବଂ ଆମଦାନୀ କରାଯାଇଥିବା ଚିତାଙ୍କୁ ପ୍ରଥମ ପର୍ଯ୍ୟାୟରେ ଛାଡ଼ିବା ସହିତ କୁନୋଠାରେ ନିଜର ୭୨ତମ ଜନ୍ମଦିନ ପାଳନ କଲେ।

ବନ୍ୟପ୍ରାଣୀ ସଂରକ୍ଷଣ ପାଇଁ ପ୍ରଧାନମନ୍ତ୍ରୀଙ୍କ ଏହି ଆଗ୍ରହର ବିପରୀତ ଆଭିମୁଖ୍ୟ ୨୦୦୦ ଦଶକରେ ଦେଖିବାକୁ ମିଳିଥିଲା ଯେତେବେଳେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲେ । ‘ଗୁଜରାଟର ଗର୍ବ’ କୁହାଯାଉଥିବା ସିଂହମାନଙ୍କୁ ସେତେବେଳେ ସେ ରାଜ୍ୟ ଛାଡ଼ିବାକୁ ଅନୁମତି ଦେଇନଥିବା ଅଭିଯୋଗ ହୋଇଥିଲା। ଆଇୟୁସିଏନ୍‌ (ପ୍ରକୃତିର ସଂରକ୍ଷଣ ପାଇଁ ଅନ୍ତର୍ଜାତୀୟ ସଂଘ)ର ଆପଦଗ୍ରସ୍ତ ବନ୍ୟପ୍ରାଣୀଙ୍କ ଲାଲ ତାଲିକାରେ ଏସୀୟ ସିଂହମାନଙ୍କ ସଂରକ୍ଷଣ ପାଇଁ ସର୍ବୋଚ୍ଚ ନ୍ୟାୟାଳୟ ଆଦେଶ ଦେବା ସତ୍ତ୍ୱେ ଏପରି ହୋଇଥିଲା।

ଦୁଇ ଦଶନ୍ଧି ପରେ, ସିଂହଙ୍କ ପାଇଁ ଆଉ ଗୋଟିଏ ଦ୍ୱିତୀୟ ବାସସ୍ଥଳୀ ଏକ ଗୁରୁତ୍ୱପୂର୍ଣ୍ଣ ସଂରକ୍ଷଣ ଆବଶ୍ୟକତା ହୋଇ ରହିଛି - ଆମ ପାଖରେ ଏସୀୟ ସିଂ (ପାନ୍ଥେରା ଲିଓସ୍ପ ପର୍ସିକା)ର ଏକମାତ୍ର ବାସସ୍ଥଳୀ ରହିଛି ଏବଂ ସେଗୁଡ଼ିକୁ ଗୋଟିଏ ସ୍ଥାନ ଗୁଜରାଟର ସୌରାଷ୍ଟ୍ର ଉପଦ୍ୱୀପରେ ରହୁଛନ୍ତି । ସିଂହମାନଙ୍କୁ ହିଁ କୁନୋ ଅଣାଯିବାର ଥିଲା। ଏହା ଏପରି ଏକ ସଂରକ୍ଷଣ ଲକ୍ଷ୍ୟ ଯାହାର ବୈଜ୍ଞାନିକ ଆଧାର ରହିଛି, ରାଜନୈତିକ ନୁହେଁ ।

ଚିତାଙ୍କୁ ଆଣିବା ଲାଗି ଏତେ ବ୍ୟଗ୍ରତା ଥିଲା ଯେ ଭାରତ ଦ୍ୱିତୀୟ ପର୍ଯ୍ୟାୟରେ ନାମିବ୍ୟାରୁ ଚିତା ଆଣିବା ଲାଗି ଏହି ଦେଶକୁ ସନ୍ତୁଷ୍ଟ କରିବା ନିମନ୍ତେ ହାତୀ ଦାନ୍ତ ବିକ୍ରି ବିରୋଧରେ ନିଜର କଠୋର ଆଭିମୁଖ୍ୟକୁ କୋହଳ କରି ଦେଇଥିଲା। ଆମର ବନ୍ୟପ୍ରାଣୀ (ସୁରକ୍ଷା) ଆଇନ ୧୯୭୨ ର ଧାରା ୪୯ବିରେ ହାତୀ ଦାନ୍ତର କୌଣସି ପ୍ରକାର ବ୍ୟବସାୟ, ଏପରିକି ଆମଦାନୀକୁ ନିଷିଦ୍ଧ କରାଯାଇଛି। ନାମିବ୍ୟା ହାତୀ ଦାନ୍ତର ଏକ ପ୍ରମୁଖ ରପ୍ତାନିକାରୀ ହୋଇଥିବାରୁ ୨୦୨୨ରେ ଅନୁଷ୍ଠିତ ବିଲୁପ୍ତପ୍ରାୟ ବନ୍ୟପ୍ରାଣୀ ଓ ଉଦ୍ଭିଦ ପ୍ରଜାତିଗୁଡ଼ିକ ଅନ୍ତର୍ଜାତୀୟ ବ୍ୟବସାୟ ସମ୍ମିଳନୀ (ସିଟିଜ୍‌)ର ପାନାମା ବୈଠକରେ ଭାରତ ହାତୀ ଦାନ୍ତର ବ୍ୟବସାୟିକ ବିକ୍ରି ବିରୋଧରେ ଭୋଟ୍‌ ଦେବାରୁ ବିରତ ରହିଥିଲା । ଏହା ଏକ ସ୍ପଷ୍ଟ ପ୍ରତିଦାନ ମାମଲା।

PHOTO • Photo courtesy: Project Cheetah Annual Report 2022-2023

୧୭ ସେପ୍ଟେମ୍ବର ୨୦୨୨ରେ ନିଜ ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୁନୋରେ ପ୍ରଥମ ପର୍ଯ୍ୟାୟ ଚିତାମାନଙ୍କୁ ଛାଡ଼ିଥିଲେ

ଅନ୍ତିମ ଆଦିବାସୀମାନେ ବାହାରିଯିବା ପରେ, ଏବେ ଜାତୀୟ ଉଦ୍ୟାନର ୭୪୮ ବର୍ଗ କିଲୋମିଟର କ୍ଷେତ୍ର ସ୍ୱତନ୍ତ୍ର ଭାବେ ଚିତାମାନଙ୍କର ହୋଇସାରିଛି। କିନ୍ତୁ ଆମର ଜାତୀୟ ସଂରକ୍ଷଣ ଲକ୍ଷ୍ୟ ଚିତା ପାଇଁ ନୁହେଁ ବରଂ, ଅତି ବିଲୁପ୍ତପ୍ରାୟ ଗଙ୍ଗା ଡଲଫିନ, ଗୋଡ଼ାବଣ (ଦ ଗ୍ରେଟ୍‌ ଇଣ୍ଡିଆନ ବଷ୍ଟାର୍ଡ), ସାମୁଦ୍ରିକ କଇଁଚ୍ଛ, ଏସୀୟ ସିଂହ, ତିବ୍ବତୀୟ ମୃଗ ଏବଂ ଅନ୍ୟ ଦେଶୀ ପ୍ରଜାତିଗୁଡ଼ିକ ଲାଗି ହେବା ଉଚିତ

ଅନ୍ୟପଟେ ବାଗ୍‌ଚାରେ, ମଙ୍ଗିଲାଲ କୁହନ୍ତି ଚିତାବାଘଙ୍କ କଥା ସେ ଏବେ ଚିନ୍ତା କରୁନାହାନ୍ତି - ନିଜ ଛଅ ଜଣିଆ ପରିବାର ପାଇଁ ଖାଦ୍ୟ ଓ ଜାଳେଣି ସଂଗ୍ରହକୁ ନେଇ ସେ ଚିନ୍ତିତ । ‘‘ଆମେ କେବଳ ଚାଷ ଉପରେ ନିର୍ଭର କରି ଚଳି ପାରିବୁ ନାହିଁ। ଏହା ସମ୍ଭବ ନୁହେଁ,’’ ସେ ଦୃଢ଼ ଭାବେ କହିଥାନ୍ତି। ସେଠି କୁନୋ ଭିତରେ ସେମାନଙ୍କ ଘରେ ସେମାନେ ବାଜରା, ଯଅ, ମକା, ଡାଲି ଓ ପନିପରିବା ଚାଷ କରୁଥିଲେ। ‘‘ଏହି ଜମି ଧାନ ପାଇଁ ଭଲ, କିନ୍ତୁ ଜମିକୁ ପ୍ରସ୍ତୁତ କରିବା ଖର୍ଚ୍ଚସାପେକ୍ଷ ଏବଂ ଆମ ପାଖରେ ଟଙ୍କା ନାହିଁ।’’

ସିରିନିବାସ କୁହନ୍ତି ସେ କାମ ପାଇଁ ଜୟପୁର ଚାଲିଯିବେ। ‘‘ଏଠି ଆମ ପାଇଁ କିଛି କାମ ନାହିଁ ଏବଂ ଜଙ୍ଗଲ ବନ୍ଦ ହୋଇଯାଇଥିବାରୁ ଏବେ ରୋଜଗାର ବି ବନ୍ଦ ହୋଇଯାଇଛି,’’ ତିନି ପିଲାଙ୍କ ବାପା ସିରିନିବାସ କୁହନ୍ତି ଯାହାଙ୍କର ସବୁଠୁ ସାନ ପିଲାକୁ ମାତ୍ର ଆଠ ମାସ।

ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ (ଏମଓଇଏଫସିସି) ଦ୍ୱାରା ନଭେମ୍ବର ୨୦୨୧ରେ ଜାରି କରାଯାଇଥିବା ଭାରତରେ ଚିତା ପାଳନ ପାଇଁ କାର୍ଯ୍ୟ ଯୋଜନାରେ ସ୍ଥାନୀୟ ଲୋକଙ୍କ ପାଇଁ ନିଯୁକ୍ତି ବିଷୟରେ ଉଲ୍ଲେଖ ରହିଥିଲା। କିନ୍ତୁ ଚିତାଙ୍କ ଯତ୍ନ ଏବଂ ପର୍ଯ୍ୟଟନ ସହ ଜଡ଼ିତ ଶତାଧିକ ରୋଜଗାର ସୁଯୋଗ ରହିଥିଲେ ସୁଦ୍ଧା ଜଣେ ହେଲେ ସ୍ଥାନୀୟ ଲୋକ ଏହାଦ୍ୱାରା ଲାଭବାନ ହୋଇନାହାନ୍ତି।

*****

ପ୍ରଥମେ ସିଂହ ଓ ଏବେ ଚିତାମାନେ ଉଭୟ ରାଜ୍ୟ ଓ ଜାତୀୟ ରାଜନୀତିରେ ଏବଂ ଭାବମୂର୍ତ୍ତି ସଜାଡ଼ିବାକୁ ଚାହୁଁଥିବା ରାଜନେତାଙ୍କ ପାଇଁ ପ୍ରମୁଖ ଭୂମିକା ନିର୍ବାହ କରୁଛନ୍ତି। ସଂରକ୍ଷଣ ପ୍ରୟାସ କେବଳ ଭୂଆଁ ବୁଲାଇବାକୁ ଉଦ୍ଦିଷ୍ଟ।

ଚିତା କାର୍ଯ୍ୟ ଯୋଜନା ଏକ ୪୪ ପୃଷ୍ଠା ବିଶିଷ୍ଟ ଦସ୍ତାବିଜ ଯାହାକି ଦେଶର ସମ୍ପୂର୍ଣ୍ଣ ବନ୍ୟପ୍ରାଣୀ ସଂରକ୍ଷଣ ଲକ୍ଷ୍ୟକୁ ଚିତାଙ୍କ ଉପରେ କେନ୍ଦ୍ରିତ କରିଥାଏ । ଚିତାଗୁଡ଼ିକ ‘ଘାସ ଭୂମିକୁ ପୁନର୍ଜୀବିତ କରିବା… କୃଷ୍ଣସାର ମୃଗଙ୍କୁ ବଞ୍ଚାଇବା… ଜଙ୍ଗଲକୁ ମାନବମୁକ୍ତ କରିବା….’ ପରିବେଶ-ପର୍ଯ୍ୟଟନ ଏବଂ ଏପରିକି ଆମର ବିଶ୍ୱସ୍ତରୀୟ ଭାବମୂର୍ତ୍ତିକୁ ସଜାଡ଼ିବାରେ ସହାୟକ ହେବେ - ‘ଚିତା ସଂରକ୍ଷଣ ପାଇଁ ବିଶ୍ୱସ୍ତରୀୟ ପ୍ରୟାସରେ ଭାରତର ଯୋଗଦାନ ଦେଉଥିବା ବିବେଚନା କରାଯିବ’।

ଏହି ପ୍ରକଳ୍ପ ପାଇଁ ପ୍ରାୟ ୧୯୫ କୋଟି ଟଙ୍କାର ଏନଟିସିଏ ବଜେଟ୍‌ (୨୦୨୧), ଏମଓଇଏଫସିସି ଏବଂ ରାଷ୍ଟ୍ରୟାତ୍ତ ଉଦ୍ୟୋଗ ଇଣ୍ଡିଆନ୍‌ ଅଏଲର କର୍ପୋରେଟ୍‌ ସାମାଜିକ ଦାୟିତ୍ୱବୋଧ (ସିଏସଆର)ରୁ ଅର୍ଥ ଆସିଛି। ଅନ୍ୟ କୌଣସି ବନ୍ୟପ୍ରାଣୀ କିମ୍ବା ପକ୍ଷୀଙ୍କ ପାଇଁ ଦିଲ୍ଲୀରୁ ଏତେ ଟଙ୍କା, ମାନବସମ୍ବଳ କିମ୍ବା ପରିଚାଳନା ସୁବିଧା ମିଳି ନାହିଁ ।

ବିଡ଼ମ୍ବନାର ବିଷୟ ହେଉଛି କେନ୍ଦ୍ର ସରକାରଙ୍କ ଏପରି ଗଭୀର ଧ୍ୟାନ ଚିତା ପ୍ରକଳ୍ପକୁ ବିପଦରେ ପକାଇ ଦେଇଛି। ‘‘ରାଜ୍ୟ ସରକାରଙ୍କ ଉପରେ ଭରସା କରିବା ପରିବର୍ତ୍ତେ, ଭାରତ ସରକାରଙ୍କ ଅଧିକାରୀମାନେ ପ୍ରକଳ୍ପକୁ ଦିଲ୍ଲୀରୁ ନିୟନ୍ତ୍ରଣ କରିବାର ବିକଳ୍ପ ଚୟନ କଲେ। ଏହି କାରଣରୁ ଅନେକ ସମସ୍ୟାର ସମାଧାନ ହୋଇପାରି ନାହିଁ,’’ ବୋଲି ଜେ.ଏସ. ଚୌହାନ କୁହନ୍ତି ।

ଚିତା ବାଘମାନେ ଆସିବା ସମୟରେ ଶ୍ରୀ ଚୌହାନ ମଧ୍ୟପ୍ରଦେଶର ମୁଖ୍ୟ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ଥିଲେ। ‘‘ମୁଁ ସେମାନଙ୍କୁ ଅନୁରୋଧ କଲି ଯେ ଆମ ପାଖରେ କେଏନପିରେ ୨୦ରୁ ଅଧିକ ଚିତାଙ୍କ ପାଇଁ ଯଥେଷ୍ଟ ସ୍ଥାନାଭାବ ରହିଛି ଏବଂ ଆମକୁ କିଛି ବନ୍ୟପ୍ରାଣୀଙ୍କୁ ଚିତା କାର୍ଯ୍ୟଯୋଜନାରେ ଚିହ୍ନଟ କରାଯାଇଥିବା ବିକଳ୍ପ ସ୍ଥାନକୁ ପଠାଇବା ପାଇଁ ଅନୁମତି ମିଳୁ।’’ ଚୌହାନ ମୁକନ୍ଦରା ହିଲ୍ସ ବ୍ୟାଘ୍ର ଅଭୟାରଣ୍ୟ (ପଡ଼ୋଶୀ ରାଜସ୍ଥାନରେ) ବିଷୟରେ ଉଲ୍ଲେଖ କରୁଛନ୍ତି ଯେଉଁଠି ୭୫୯ ବର୍ଗ କିଲୋମିଟର ଜଙ୍ଗଲ ରହିଛି ।

PHOTO • Photo courtesy: Project Cheetah Annual Report 2022-2023
PHOTO • Photo courtesy: Adrian Tordiffe

ଶତାଧିକ ବର୍ଗ କିଲୋମିଟର ଜାତୀୟ ଉଦ୍ୟାନ କେବଳ ଆଫ୍ରିକୀୟ ଚିତାଙ୍କ ପାଇଁ ଉଦ୍ଦିଷ୍ଟ। ରେଡିଓ କଲାର୍‌ ଚିତାବାଘଙ୍କ ଗତିବିଧିକୁ ନିରୀକ୍ଷଣ କରିବାରେ ସହାୟକ ହେଉଛି

ଜଣେ ବରିଷ୍ଠ ଭାରତୀୟ ଜଙ୍ଗଲ ସେବା ଅଧିକାରୀ ଚୌହାନ କୁହନ୍ତି ‘‘ଏହି ପ୍ରଜାତିଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଉପଯୁକ୍ତ ନିଷ୍ପତ୍ତି ଗ୍ରହଣ କରିବାକୁ’’ ସେ ଏନଟିସିଏର ସଦସ୍ୟ ସଚିବ ଏସପି ଯାଦବଙ୍କୁ ଅନୁରୋଧ କରି ଏକାଧିକ ପତ୍ର ଲେଖିଥିଲେ, କିନ୍ତୁ କୌଣସି ଉତ୍ତର ମିଳିଲା ନାହିଁ । ଜୁଲାଇ ୨୦୨୩ରେ ତାଙ୍କୁ ଏହି ପଦବୀରୁ ଅବ୍ୟାହତି ଦିଆଗଲା ଏବଂ ଏହାର କିଛି ମାସ ପରେ ସେ ଅବସର ନେଇଗଲେ।

ତୃଣମୂଳସ୍ତରରେ ଚିତାଙ୍କୁ ପରିଚାଳନା କରୁଥିବା ଲୋକମାନଙ୍କୁ ନିର୍ଦ୍ଦିଷ୍ଟ ଭାବେ କୁହାଗଲା ଯେ ଉପହାର ପ୍ରାଣୀଙ୍କୁ ସେତେବେଳେ ବିରୋଧୀ କଂଗ୍ରେସଙ୍କ ଦ୍ୱାରା ଶାସିତ ଏକ ରାଜ୍ୟ (ରାଜସ୍ଥାନ)କୁ ପଠାଇବା ସମ୍ଭବ ନଥିଲା। ‘‘ଅତିକମରେ ନିର୍ବାଚନ (ନଭେମ୍ବର ଓ ଡିସେମ୍ବର ୨୦୨୩ରେ ଅନୁଷ୍ଠିତ) ପର୍ଯ୍ୟନ୍ତ ନୁହେଁ।’’

ଚିତାଙ୍କ କଲ୍ୟାଣ ଆଉ ପ୍ରାଥମିକତା ନୁହେଁ।

‘‘ଏହା ଏକ ସାଧାରଣ ସଂରକ୍ଷଣ ପ୍ରକଳ୍ପ ଥିଲା ବୋଲି ବିଶ୍ୱାସ କରିବା ଆମର ପିଲାଳିଆମି ଥିଲା,’’ ଦଣ୍ଡିତ ଟୋର୍ଡିଫ୍‌ କୁହନ୍ତି, ସେ ଅନୁଭବ କରିଥା’ନ୍ତି ଯେ ବର୍ତ୍ତମାନ ଏହି ପ୍ରକଳ୍ପଠାରୁ ନିଜକୁ ଦୂରେଇ ନେବାର ଆବଶ୍ୟକତା ରହିଛି। ‘‘ଆମେ ଏହାର ରାଜନୈତିକ ପ୍ରଭାବ ବିଷୟରେ ଆଶା କରିନଥିଲୁ।’’ ସେ କୁହନ୍ତି ଯେ, ପୂର୍ବରୁ ଅନେକଗୁଡ଼ିଏ ଚିତାଙ୍କୁ ସ୍ଥାନାନ୍ତରିତ କରିଛନ୍ତି, କିନ୍ତୁ ସେସବୁ ସଂରକ୍ଷଣ ଆଧାରିତ ଥିଲା, ଯେଉଁଥିରେ ଏଭଳି ଗହନ ରାଜନୈତିକ ବିଶ୍ୱାସଘାତକତା ନଥିଲା।

ଡିସେମ୍ବର ମାସରେ ମଧ୍ୟପ୍ରଦେଶରେ ଭାରତୀୟ ଜନତା ପାର୍ଟୀ କ୍ଷମତାକୁ ଆସିବା ପରେ, ସରକାରଙ୍କ ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଗଲା ଯେ ମଧ୍ୟପ୍ରଦେଶର ଗାନ୍ଧୀ ସାଗର ବନ୍ୟପ୍ରାଣୀ ଅଭୟାରଣ୍ୟ (ବାଘ ଅଭୟାରଣ୍ୟ ନୁହେଁ) କୁ ଚିତାଙ୍କ ପରବର୍ତ୍ତୀ ସ୍ଥାନାନ୍ତରଣ ପାଇଁ ପ୍ରସ୍ତୁତ କରାଯିବ।

କିନ୍ତୁ ତୃତୀୟ ପର୍ଯ୍ୟାୟରେ ଚିତାଙ୍କୁ କେଉଁଠାରୁ ଅଣାଯିବ ତାହା ସ୍ପଷ୍ଟ ହୋଇପାରି ନାହିଁ କାରଣ ଭାରତକୁ କାହିଁକି ଚିତାଗୁଡ଼ିକୁ ମରିବା ପାଇଁ ପଠାଯାଉଛି ବୋଲି ସ୍ଥାନୀୟ ବନ୍ୟପ୍ରାଣୀ ସଂରକ୍ଷକମାନେ ପ୍ରଶ୍ନ କରିବା ଆରମ୍ଭ କରିବା ପରେ ଦକ୍ଷିଣ ଆଫ୍ରିକା ଆଉ ଅଧିକ ପ୍ରାଣୀମାନଙ୍କୁ ପଠାଇବାକୁ ଆଗ୍ରହୀ ନାହିଁ । ‘‘କେନିୟାରୁ ଚିତା ଆଣିବା ଲାଗି ଅନୁରୋଧ କରାଯିବ ବୋଲି କେହି କେହି କହୁଛନ୍ତି, କିନ୍ତୁ କେନିୟାରେ ଚିତାଙ୍କ ସଂଖ୍ୟା କମୁଛି,’’ ନାମ ଗୋପନ ରଖିବା ସର୍ତ୍ତରେ ଜଣେ ବିଶେଷଜ୍ଞ କହିଛନ୍ତି।

*****

‘‘ ଜଙ୍ଗଲ୍‌ ମେଁ ମଙ୍ଗଲ ହୋ ଗୟା (ଜଙ୍ଗଲରେ ଉତ୍ସବର ଆଲୋକ ଦେଖିବାକୁ ମିଳୁଛି),’’ ମଙ୍ଗୀଲାଲ ପରିହାସ କରି କୁହନ୍ତି।

ସଫାରୀ ପାର୍କରେ ଜଙ୍ଗଲୀ ଚିତାଙ୍କ ଆବଶ୍ୟକତା ନାହିଁ, ଖୁଆଡ଼ରେ ଥିବା ଚିତାଙ୍କୁ ନେଇ ମଧ୍ୟ ଆଗକୁ ବଢ଼ି ହେବ।

ଚିତାମାନଙ୍କୁ ଭାରତ ସରକାର ସମ୍ପୂର୍ଣ୍ଣ ଗୁରୁତ୍ୱ ଦେଉଛନ୍ତି - ପ୍ରାଣୀ ଚିକିତ୍ସକଙ୍କ ଏକ ଦଳ, ଗୋଟିଏ ନୂଆ ଡାକ୍ତରଖାନା, ୫୦ରୁ ଅଧିକ ଟ୍ରାକର, ୧୫ କ୍ୟାମ୍ପର ଭ୍ୟାନ୍‌ ଡ୍ରାଇଭର, ୧୦୦ ବନ୍ୟ ସୁରକ୍ଷା କର୍ମଚାରୀ, ୱେର୍ଲେସ୍‌ ଅପରେଟର, ଇନ୍‌ଫ୍ରା-ରେଡ୍‌ କ୍ୟାମେରା ଅପରେଟର ଏବଂ ଗୁରୁତ୍ୱପୂର୍ଣ୍ଣ ଅତିଥିଙ୍କ ପାଇଁ ଏକାଧିକ ହେଲିପ୍ୟାଡ୍‌ ମଧ୍ୟ। ତାହା ପୁଣି ମୁଖ୍ୟ ବା କୋର୍‌ ଏରିଆରେ। ବଫର୍‌ ଜୋନ୍‌ରେ ସ୍ୱତନ୍ତ୍ର ସୁରକ୍ଷାକର୍ମୀ ଓ ରେଞ୍ଜର୍ସ ମଧ୍ୟ ନିୟୋଜିତ ଅଛନ୍ତି ।

ରେଡିଓ କଲାର୍‌ ଲାଗିଥିବା ଓ ଗତିବିଧି ଉପରେ ନିରୀକ୍ଷଣ କରାଯାଉଥିବା ଚିତାଗୁଡ଼ିକ ଏବେ ‘ଜଙ୍ଗଲରେ’ ନାହାନ୍ତି ତେଣୁ ମନୁଷ୍ୟଙ୍କ ସହ ସେମାନଙ୍କ ସମ୍ପର୍କ ବର୍ତ୍ତମାନ ସୁଦ୍ଧା ହୋଇପାରିନାହିଁ। ଚିତାଗୁଡ଼ିକ ଏଠାକୁ ଆସିବାକୁ ନେଇ କୌଣସି ସ୍ଥାନୀୟ ଲୋକ ଖୁସି ହୋଇନଥିଲେ। କାରଣ ସେମାନଙ୍କ ଆସିବାର କିଛି ସପ୍ତାହ ପୂର୍ବରୁ ସଶସ୍ତ୍ର ସୁରକ୍ଷାକର୍ମୀ ହାତରେ ରାଇଫଲ୍‌ ଧରି ଏବଂ ସନ୍ଧାନୀ ଆଲ୍‌ସେଶିଆନ୍‌ କୁକୁରଙ୍କ ସହିତ କେଏନପି ସୀମାକୁ ଲାଗିଥିବା ସେମାନଙ୍କ ଗାଁରେ ପରିକ୍ରମା କରିଥିଲେ। ସୁରକ୍ଷାକର୍ମୀଙ୍କ ବର୍ଦ୍ଦି ଓ କୁକୁରଙ୍କ ଦାନ୍ତର ଭୟ ଦେଖାଇ - ଗାଁ ଲୋକଙ୍କୁ ଚେତାବନୀ ଦିଆଗଲା ଯେ ଯଦି ସେମାନେ ଚିତାଙ୍କ ସହ ଲାଗିବେ ତା’ହେଲେ ସନ୍ଧାନୀ କୁକୁର ସେମାନଙ୍କ ଗନ୍ଧ ଶୁଙ୍ଘି ସେମାନଙ୍କୁ ଖୋଜି ନେବେ ଏବଂ ମାରିବା ପାଇଁ କୁକୁରଙ୍କୁ ଛାଡ଼ି ଦିଆଯିବ ।

PHOTO • Priti David
PHOTO • Priti David

ଚିତାଙ୍କୁ ଆଣିବା ପାଇଁ ଅନେକ ଜାତୀୟ ଉଦ୍ୟାନ ମଧ୍ୟରୁ କୁନୋକୁ ଚୟନ କରାଯାଇଥିଲା କାରଣ ଏଥିରେ ଚିତାଲ୍‌ (ଆକ୍ସିସ୍‌ ଆକ୍ସିସ୍‌) ଭଳି ପର୍ଯ୍ୟାପ୍ତ ଶିକାର ରହିଛି (ଡାହାଣ)

ଭାରତରେ ଚିତା ପାଳନ, ବାର୍ଷିକ ରିପୋର୍ଟ ୨୦୨୩ରେ କୁହାଯାଇଛି, ‘‘ଯଥେଷ୍ଟ ଶିକାର ଆଧାର’’ ଥିବା କାରଣରୁ କୁନୋକୂ ଚୟନ କରାଯାଇଥିଲା। କିନ୍ତୁ ହୁଏତ’ ଏହି ତଥ୍ୟ ଭୁଲ ଅଥବା ସରକାର କୌଣସି ବିପଦ ମୁଣ୍ଡାଇବାକୁ ଚାହୁଁନାହାନ୍ତି। ମଧ୍ୟପ୍ରଦେଶର ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ) ଅସୀମ ଶ୍ରୀବାସ୍ତବ ଏହି ରିପୋର୍ଟର୍‌କୁ କହିଥିଲେ, ‘‘ଆମକୁ କେଏନପିରେ ଶିକାର ଆଧାର ପ୍ରସ୍ତୁତ କରିବାର ଆବଶ୍ୟକତା ରହିଛି।’’ ସେ ଜୁଲାଇ ୨୦୨୩ରେ ଦାୟିତ୍ୱ ଗ୍ରହଣ କରିଥିଲେ। ସେ କୁହନ୍ତି, କଲରା ପତରିଆ ବାଘଙ୍କ ସଂଖ୍ୟା ପ୍ରାୟ ୧୦୦କୁ ବୃଦ୍ଧି ପାଇଛି, ଯାହାଦ୍ୱାରା ଖାଦ୍ୟ ଉପରେ ଚାପ ପଡ଼ୁଛି।

‘‘ଆମେ ଚିତ୍ତଲ (ଚିତିରା ହରିଣ) ପ୍ରଜନନ ପାଇଁ ୧୦୦ ହେକ୍ଟର ଖୁଆଡ଼ ନିର୍ମାଣ କରୁଛୁ କାରଣ ଶିକାର ଯୋଗାଣ ଗୁରୁତ୍ୱପୂର୍ଣ୍ଣ,’’ ଶ୍ରୀବାସ୍ତବ କୁହନ୍ତି। ଜଣେ ଭାରତୀୟ ବନ ସେବା ଅଧିକାରୀ ଭାବେ ସେ ପେଞ୍ଚ୍‌, କାହ୍ନା ଓ ବାନ୍ଧବଗଡ଼ ବ୍ୟାଘ୍ର ଅଭୟାରଣ୍ୟ ପରିଚାଳନା କରିବାରେ ଦୁଇ ଦଶନ୍ଧିରୁ ଅଧିକ ସମୟ ବିତାଇଛନ୍ତି।

ଚିତାଙ୍କ ପାଇଁ ପାଣ୍ଠି କୌଣସି ସମସ୍ୟା ନୁହେଁ - ନିକଟରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି, ‘‘ପ୍ରଥମ ପର୍ଯ୍ୟାୟ ଚିତା ପାଳନ ପାଇଁ ପାଞ୍ଚ ବର୍ଷ ଲାଗି ୩୯ କୋଟି (୫ ନିୟୁତ ଆମେରିକୀୟ ଡଲାର) ବଜେଟ୍‌ ବ୍ୟବସ୍ଥା କରାଯାଇଛି।’’

ବନ୍ୟପ୍ରାଣୀ ସଂରକ୍ଷକ ବିଜ୍ଞାନୀ ଡକ୍ଟର ରବି ଚେଲମ୍‌ ଏହାକୁ ‘‘ବହୁ ପ୍ରଚାରିତ ଏବଂ ସବୁଠୁ ମହଙ୍ଗା ସଂରକ୍ଷଣ ପ୍ରକଳ୍ପ ମଧ୍ୟରୁ ଅନ୍ୟତମ’’ ବୋଲି ଭାବେ ବର୍ଣ୍ଣନା କରିଥାନ୍ତି । ସେ କୁହନ୍ତି, ଚିତାମାନଙ୍କୁ ଅନୁକୂଳ ଶିକାର ଯୋଗାଇ ଦେବା ଏକ ବିପଜ୍ଜନକ ଉଦାହରଣ ସୃଷ୍ଟି କରୁଛି। ‘‘ଯଦି ଏହା ସଂରକ୍ଷଣ ସହ ଜଡ଼ିତ ତା’ହେଲେ ଅନୁକୂଳ ଶିକାର ଯୋଗାଇ ଦେଇ ଆମେ ଅଜ୍ଞାତ ପରିଣାମ ସହିତ ପ୍ରାକୃତିକ ପ୍ରକ୍ରିୟାକୁ ନଷ୍ଟ କରୁଛୁ । ଆମେ ଏସବୁ ଚିତାଙ୍କ ସହିତ ବନ୍ୟପ୍ରାଣୀଙ୍କ ଭଳି ବ୍ୟବହାର କରିବା ଉଚିତ,’’ ବନ୍ୟପ୍ରାଣୀ ବିଜ୍ଞାନୀ କୁହନ୍ତି। ସେ ସିଂହଙ୍କୁ ନେଇ ଅଧ୍ୟୟନ କରିଛନ୍ତି ଏବଂ ଏବେ ଚିତା ପ୍ରକଳ୍ପକୁ ଅତି ପାଖରୁ ନିରୀକ୍ଷଣ କରୁଛନ୍ତି ।

ଦୀର୍ଘ ସମୟ ପର୍ଯ୍ୟନ୍ତ ସେମାନଙ୍କୁ ବନ୍ଦୀ କରି ଏବଂ ଶିକାର ପ୍ରାଣୀମାନଙ୍କୁ ଅପେକ୍ଷାକୃତ ଛୋଟ ଖୁଆଡ଼ରେ ଛାଡ଼ି, ଆମେ ପ୍ରକୃତରେ ଚିତାଗୁଡ଼ିକର ଫିଟନେସ୍‌କୁ ଦୀର୍ଘ ଅବଧିରେ ନଷ୍ଟ କରି ଦେଉଛୁ, ଚେଲ୍ଲମ କୁହନ୍ତି। ୨୦୨୨ରେ ସେ ଚେତାଇ ଦେଇଥିଲେ : ‘‘ଏହା ଏକ ବହୁପ୍ରଚାରିତ ଏବଂ ମହଙ୍ଗା ସଫାରୀ ପାର୍କ ବ୍ୟତୀତ ଆଉ କିଛି ହୋଇପାରିବ ନାହିଁ।’’ ତାଙ୍କ କଥା ସତ ହେଉଛି : ୧୭ ଡିସେମ୍ବର ୨୦୨୩ରେ ପାଞ୍ଚ ଦିନିଆ ଉତ୍ସବ ସହିତ ଚିତା ସଫାରୀ ଆରମ୍ଭ ହୋଇଥିଲା ଏବଂ ଆରମ୍ଭରୁ ଦୈନିକ ପ୍ରାୟ ୧୦୦ରୁ ୧୫୦ ଲୋକ ଏହାକୁ ଉପଯୋଗ କରୁଛନ୍ତି । କୁନୋରେ ଜିପ୍‌ ସଫାରୀ ପାଇଁ ସେମାନେ ୩,୦୦୦ରୁ ୯,୦୦୦ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି ।

PHOTO • Photo courtesy: Adrian Tordiffe

୧୯୯୯ରେ ସିଂହଙ୍କ ପାଇଁ ରାସ୍ତା ତିଆରି କରିବା ଲାଗି କୁନୋରୁ ମୂଳ ଆଦିବାସୀମାନଙ୍କୁ ବାହାର କରି ଦିଆଯାଇଥିଲା କାରଣ ଏସୀୟ ସିଂହମାନେ ବିଲୁପ୍ତପ୍ରାୟ ପ୍ରାଣୀ ଭାବେ ଆଇୟୁସିଏନ୍‌ ଲାଲ୍‌ ତାଲିକାରେ ସାମିଲ ରହିଛନ୍ତି

ହୋଟେଲ୍‌ ଓ ସଫାରୀ ପରିଚାଳକମାନେ ଆଗକୁ ଆସୁଛନ୍ତି - ଚିତା ସଫାରୀ ସହିତ ‘ଇକୋ ରିଜୋର୍ଟ’ରେ ଗୋଟିଏ ରାତି ରହିବାକୁ ଦୁଇ ଜଣ ଲୋକଙ୍କ ପାଇଁ ୧୦,୦୦୦ରୁ ୧୮,୦୦୦ ଟଙ୍କା ମଧ୍ୟରେ ଖର୍ଚ୍ଚ ହେଉଛି।

ସେପଟେ ବାଗ୍‌ଚାରେ ଟଙ୍କା ଅଭାବ ଓ ଭବିଷ୍ୟତ ଅନିଶ୍ଚିତ ହୋଇ ରହିଛି । ବଲ୍ଲୁ କୁହନ୍ତି, ‘‘ଚିତା ଆସିବାରୁ ଆମର କିଛି ଲାଭ ହେଲା ନାହିଁ। ଯଦି ସେମାନେ ଆମକୁ ସମ୍ପୂର୍ଣ୍ଣ ୧୫ ଲକ୍ଷ ଟଙ୍କା ଦେଇଥା’ନ୍ତେ ତା’ହେଲେ ଆମ ଆମ ଜମିରେ ଜଳସେଚନ ବ୍ୟବସ୍ଥା କରିବା ସହିତ ସେଗୁଡ଼ିକୁ ସମତଳ କରିପାରିଥା’ନ୍ତୁ ଏବଂ ନିଜ ଘର ତିଆରି କରିପାରିଥାନ୍ତୁ।’’ ମଙ୍ଗିଲାଲ୍‌ ଚିନ୍ତିତ ହୋଇ କୁହନ୍ତି, ‘‘ଆମେ କିଛି କାମ କରୁନାହୁଁ, ଖାଇବୁ କେମିତି?’’

ସହରିୟାଙ୍କ ଦୈନିକ ଜୀବନର ଅନ୍ୟ ଦିଗ ଉପରେ ମଧ୍ୟ ପ୍ରଭାବ ପଡ଼ିଛି । ଦୀପୀ ନିଜର ପୁରୁଣା ସ୍କୁଲରେ  ଅଷ୍ଟମ ଶ୍ରେଣୀର ଛାତ୍ର ଥିଲେ, ନୂଆ ବସତିକୁ ଆସିବା ପରେ ତାଙ୍କର ସ୍କୁଲ୍‌ ଯିବା ବନ୍ଦ ହୋଇଯାଇଛି। ସେ କୁହନ୍ତି, ‘‘ଆଖପାଖରେ କେଉଁଠି ସ୍କୁଲ ନାହିଁ।‘’ ନିକଟବର୍ତ୍ତୀ ବିଦ୍ୟାଳୟ ବହୁତ ଦୂରରେ ଅଛି। ଛୋଟ ପିଲାମାନେ ଭାଗ୍ୟବାନ - ଜଣେ ଶିକ୍ଷକ ସବୁଦିନ ସେମାନଙ୍କୁ ଖୋଲା ଆକାଶ ତଳେ ପଢ଼ାଇବାକୁ ଆସୁଛନ୍ତି - କୌଣସି ସ୍କୁଲ୍‌ ଘର ନାହିଁ। ‘‘କିନ୍ତୁ ସେମାନେ ସମସ୍ତେ ଚାଲିଯିବେ,’’ ମଙ୍ଗୀଲାଲ ମୋ ଚକିତ ହେବା ଉପରେ ସ୍ମିତ ହସି କୁହନ୍ତି। ସେ ମୋତେ ମନେ ପକାଇ ଦେଇଥିଲେ ଯେ ଜାନୁଆରୀ ଆରମ୍ଭରେ ଛୁଟି ଅଛି ଏବଂ ଶିକ୍ଷକ ଆଜି ଆସି ନାହାନ୍ତି ।

ନିବାସୀଙ୍କ ପିଇବା ପାଣି ବ୍ୟବସ୍ଥା ପାଇଁ ନଳକୂଅ ଖୋଳା ଯାଇଛି ଏବଂ ଚାରି ଆଡ଼େ ବଡ଼ ବଡ଼ ପାଣି ଟ୍ୟାଙ୍କର ରଖାଯାଇଛି। ଶୌଚାଳୟ ନଥିବାରୁ ମହିଳାଙ୍କୁ ବିଶେଷ ଅସୁବିଧା ହେଉଛି। ‘‘ଆମକୁ କୁହନ୍ତୁ, ଆମେ (ମହିଳା)ମାନେ କ’ଣ କରିବୁ?’’, ଓମ୍‌ବତୀ କୁହନ୍ତି। ‘‘ଗୋଟିଏ ହେଲେ ଶୌଚାଳୟ ନାହିଁ । ଜମିକୁ ସମ୍ପୂର୍ଣ୍ଣ ସଫା କରି ଦିଆଯାଇଛି, ଗୋଟିଏ ହେଲେ ଗଛ ନାହିଁ ଯାହାପଛରେ ମହିଳାମାନେ ଲୁଚି ପାରିବେ। ‘‘ଆମେ ଖୋଲାରେ କିମ୍ବା ଛିଡ଼ା ହୋଇଥିବା ଫସଲ ଭିତରକୁ ଯାଇପାରିବୁ ନାହିଁ।’’

PHOTO • Priti David
PHOTO • Priti David

ଚିତା କାର୍ଯ୍ୟ ଯୋଜନାରେ କୁହାଯାଇଥିଲା ଯେ ପର୍ଯ୍ୟଟନରୁ ହେଉଥିବା ୪୦ ପ୍ରତିଶତ ଆୟ ସ୍ଥାନୀୟ ବିକାଶରେ ବିନିଯୋଗ ହେବା ଉଚିତ, କିନ୍ତୁ ବିସ୍ଥାପିତ ଲୋକମାନେ ବର୍ତ୍ତମାନ ସୁଦ୍ଧା କ୍ଷତିପୂରଣ ପାଇନଥିବା ସେମାନେ କୁହନ୍ତି

ଏହି ୩୫ ବର୍ଷୀୟା ମହିଳା ଜଣଙ୍କ ପାଞ୍ଚ ପିଲାଙ୍କ ମା’। ବର୍ତ୍ତମାନ ସେ ରହୁଥିବା ଘାସ ଏବଂ ଜରି ପାଲ ତମ୍ବୁ ବ୍ୟତୀତ ତାଙ୍କର ଆହୁରି ଅନେକ ସମସ୍ୟା ରହିଛି ଯାହା ବିଷୟରେ ସେ କୁହନ୍ତି: ‘‘ଜାଳେଣି କାଠ ଆଣିବାକୁ ଆମକୁ ବହୁଦୂର ପର୍ଯ୍ୟନ୍ତ ଯିବାକୁ ହେଉଛି । ଜଙ୍ଗଲ ଏବେ ବହୁତ ଦୂର। ଆମେ କିପରି (ଭବିଷ୍ୟତରେ) ଚଳିବୁ?’’ ଅନ୍ୟମାନେ କୁହନ୍ତି ସେମାନେ ଆସିବା ବେଳେ ସାଙ୍ଗରେ ଆଣିଥିବା ଅଳ୍ପ କିଛି କାଠ ଏବଂ ନିଜ ଜମିରୁ ଉପାଡ଼ି ଆଣିଥିବା ମୂଳ ସାହାଯ୍ୟରେ ଚଳାଇ ନେଉଛନ୍ତି, କିନ୍ତୁ ଏସବୁ ଶୀଘ୍ର ସରିଯିବ।

ଏନଟିଏଫପିର ବିପୁଳ କ୍ଷତି କୁନୋ ଚାରିପାଖରେ ଅନୁଭୂତ ହେଉଛି କାରଣ ଚିତା ପ୍ରକଳ୍ପ କାରଣରୁ ନୂଆ ଖୁଆଡ଼ ସୃଷ୍ଟି ହୋଇଛି । ପରବର୍ତ୍ତୀ କାହାଣୀରେ ଆହୁରି ଅଧିକ ତଥ୍ୟ ରହିଛି ।

ଚିତା କାର୍ଯ୍ୟ ଯୋଜନାରେ କୁହାଯାଇଥିଲା ଯେ ପର୍ଯ୍ୟଟନରୁ ହେଉଥିବା ରାଜସ୍ୱର ୪୦ ପ୍ରତିଶତ ଭାଗ ‘‘ଆଖପାଖର ଜନ ସମୁଦାୟ, ‘ବିସ୍ଥାପିତ ଲୋକଙ୍କ ପାଇଁ ଚିତା ସଂରକ୍ଷଣ ଫାଉଣ୍ଡେସନ୍‌’, ପ୍ରତ୍ୟେକ ଗାଁରେ ଚିତା ଉପରେ ନଜର ରଖୁଥିବା ଲୋକଙ୍କୁ ଆର୍ଥିକ ପ୍ରୋତ୍ସାହନ, ଆଖପାଖ ଗାଁରେ ସଡ଼କ, ପରିମଳ, ବିଦ୍ୟାଳୟ ଏବଂ ଅନ୍ୟାନ୍ୟ ସୁବିଧା ବାବଦରେ ଖର୍ଚ୍ଚ କରାଯିବା ଉଚିତ୍‌।’’ ୧୮ ମାସ ପରେ ଏସବୁ କେବଳ କାଗଜପତ୍ରରେ ସୀମିତ ରହିଯାଇଛି ।

‘‘ଆମେ ଆଉ କେତେ ଦିନ ଏପରି ରହିବୁ?’’ ଓମ୍‌ବତୀ ଆଦିବାସୀ ପଚାରନ୍ତି।

ଆର୍ଡିଆନ୍‌ ଟୋର୍ଡିଫଙ୍କ ଦ୍ୱାରା ପ୍ରସ୍ତୁତ ପ୍ରଚ୍ଛଦ ଫଟୋ

ଅନୁବାଦ : ଓଡ଼ିଶାଲାଇଭ୍‍

Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David

P. Sainath is Founder Editor, People's Archive of Rural India. He has been a rural reporter for decades and is the author of 'Everybody Loves a Good Drought' and 'The Last Heroes: Foot Soldiers of Indian Freedom'.

Other stories by P. Sainath
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE