ଯେକେହି ଏହାକୁ ଏକ ମିତବ୍ୟୟୀ ଉଦ୍ଭାବନ ବୋଲି କହିପାରିବେ । କିନ୍ତୁ ୬୫ ବର୍ଷ ବୟସ୍କ ନାରାୟଣ ଦେସାଇ ଏହାକୁ ସହଜରେ ନିଜ କଳାର ‘ମୃତ୍ୟୁ’ ଭାବେ ଅଭିହିତ କରିଥାନ୍ତି। ‘ଏହା’ ତାଙ୍କ ଶେହନାଇଗୁଡ଼ିକ ଡିଜାଇନ ଓ ଉପକରଣଗୁଡ଼ିକରେ ଏକ ସୃଜନଶୀଳ ପରିବର୍ତ୍ତନ। ବଜାର ବାସ୍ତବତା ଏବଂ ନିଜ କଳାର ଅସ୍ତିତ୍ୱ ପାଇଁ ଏକ ନିଶ୍ଚିତ ବିପଦର ମୁକାବିଲା କରିବା ଲାଗି ସେ ଏହା କରିବାକୁ ବାଧ୍ୟ ହୋଇଥିଲେ।

ଶେହନାଇ ଫୁଙ୍କରେ ବାଜୁଥିବା ଏକ ବାଦ୍ୟଯନ୍ତ୍ର, ଯାହାକି ବାହାଘର, ପର୍ବପର୍ବାଣୀ ଏବଂ ସ୍ଥାନୀୟ କାର୍ଯ୍ୟକ୍ରମରେ ବେଶ୍ ଲୋକପ୍ରିୟ।

ଦୁଇ ବର୍ଷ ପୂର୍ବରୁ, ଦେସାଇ ତିଆରି କରୁଥିବା ସବୁ ଶେହନାଇ ର ଅନ୍ତିମ ଅଗ୍ରଭାଗରେ ଏକ ପିତଳୀ (ପିତ୍ତଳ) ଘଣ୍ଟି ଲାଗୁଥିଲା। ପାରମ୍ପରିକ ହାତ ତିଆରି ଶେହନାଇରେ , ଏହି ଚଉଡ଼ା ଘଣ୍ଟି, ବା ଭଟୀ (ମରାଠୀରେ କୁହାଯାଏ) କାଠରେ ତିଆରି ଏହି ସଙ୍ଗୀତ ଉପକରଣରୁ ବାହାରୁଥିବା ସ୍ୱରର ଗୁଣବତ୍ତାକୁ ବଢ଼ାଇ ଦେଇଥାଏ। ୭୦ ଦଶକରେ ନାରାୟଣଙ୍କ ବେଉସା ସବୁଠୁ ଭଲ ଚାଲୁଥିଲା। ସେ ଘରେ ସବୁବେଳେ ଗୋଟିଏ ଡଜନରୁ ଅଧିକ ପିତ୍ତଳ ଘଣ୍ଟି ରଖୁଥିଲେ, ଯାହାକୁ ସେ କର୍ଣ୍ଣାଟକର ବେଲଗାଭୀ ଜିଲ୍ଲାରେ ଥିବା ଚିକୋଡ଼ି ସହରରୁ କିଣୁଥିଲେ।

ତେବେ ଗତ କିଛି ବର୍ଷ ହେବ ଦୁଇଟି କାରଣରୁ ପ୍ରାୟ ଅର୍ଦ୍ଧଶତାବ୍ଦୀ ଧରି ଚାଲି ଆସିଥିବା ନିଜର ଜ୍ଞାନକୌଶଳକୁ ବଦଳାଇବା ପାଇଁ ସେ ବାଧ୍ୟ ହୋଇଥିଲେ: ପ୍ରଥମତଃ ପିତ୍ତଳ ଘଣ୍ଟିର ବର୍ଦ୍ଧିତ ମୂଲ୍ୟ ଏବଂ ଦ୍ୱିତୀୟତଃ, ଗୋଟିଏ ଭଲ ଶେହନାଇ ତିଆରି କରିବା ପାଇଁ ଖର୍ଚ୍ଚ ହେଉଥିବା ଟଙ୍କା ପରିଶୋଧ କରିବା ଲାଗି ଗ୍ରାହକମାନେ କୁଣ୍ଠାବୋଧ କରିବା।

‘‘ଲୋକମାନେ ମୋତେ ୩୦୦-୫୦୦ ଟଙ୍କାରେ ଶେହନାଇ ବିକ୍ରି କରିବାକୁ କହିବା ଆରମ୍ଭ କଲେ’’, ସେ କୁହନ୍ତି। ଏହି ଦାବି ପୂରଣ କରିବା କଷ୍ଟକର ଥିଲା, କାରଣ କେବଳ ପିତ୍ତଳ ଘଣ୍ଟି କିଣିବା ପାଇଁ ପ୍ରାୟ ୫୦୦ ଟଙ୍କା ଲାଗୁଥିଲା, ସେ କୁହନ୍ତି। କେତେକ ସମ୍ଭାବ୍ୟ ଅର୍ଡର ହରାଇବା ପରେ ନାରାୟଣ ଶେଷରେ ଏକ ସମାଧାନ ପାଇଲେ, ‘‘ମୁଁ ଗାଁ ମେଳାରୁ ପ୍ଲାଷ୍ଟିକ ତୂରୀ କିଣିଲି, ସେଗୁଡ଼ିକର ଚଉଡ଼ା ଅଗ୍ରଭାଗ (ଯାହାକି ଚଉଡ଼ା ଘଣ୍ଟି ଭଳି ଦେଖାଯାଏ)କୁ କାଟି ଦେଲି ଏବଂ ସେଗୁଡ଼ିକୁ (ଘଣ୍ଟି ଭଳି ଆକୃତିର ପ୍ଲାଷ୍ଟିକ ଭାଗ) ଶେହନାଇରେ ପିତ୍ତଳ ଘଣ୍ଟି ସ୍ଥାନରେ ଲଗାଇଦେଲି।

‘‘ଏହା ସ୍ୱରକୁ ପ୍ରଭାବିତ କଲା ନାହିଁ, କିନ୍ତୁ ଏବେ ଲୋକମାନେ ତାହା (ଗୁଣବତ୍ତା) ହିଁ ଦାବି କରୁଥିଲେ,’’ ସେ କହିଥାନ୍ତି। ଅଧିକ ବୁଦ୍ଧିମାନ କ୍ରେତାଙ୍କ ପାଇଁ, ନିଜସ୍ୱ ଭଟୀ ପ୍ରଦାନ କରିବାର ବିକଳ୍ପ ଦେବା ଜାରି ରଖିଲେ। ପ୍ଲାଷ୍ଟିକ ବିକଳ୍ପ ପାଇଁ ତାଙ୍କୁ ମାତ୍ର ୧୦ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିଲା ଅନ୍ୟପଟେ ନିଜର କଳା ସହିତ ସାଲିସ କରିବାର ବୋଝ ତାଙ୍କ ବିବେକକୁ ବୋହିବାକୁ ପଡ଼ିଲା ନାହିଁ।

PHOTO • Sanket Jain
PHOTO • Sanket Jain

ନାରାୟଣ ପ୍ଲାଷ୍ଟିକ ତୂରୀ ଦେଖାଉଛନ୍ତି (ବାମ), ଯାହାକୁ ସେ ଏବେ ପିତ୍ତଳ ଘଣ୍ଟି (ଡାହାଣ)ର ବିକଳ୍ପ ଭାବେ ବ୍ୟବହାର କରୁଛନ୍ତି ଏବଂ ଏହା ଶେହନାଇର ଅଗ୍ରଭାଗରେ ଲାଗୁଛି

ତଥାପି, ସେ ଏହା ସ୍ୱୀକାର କରିଥାନ୍ତି ଯେ ଯଦି ସେ ଏହି ସମାଧାନ ବାହାର କରିନଥାନ୍ତେ, ତା’ହେଲେ ମାନକପୁର ଗାଁରେ ଶେହନାଇ ତିଆରି ଏକ କଳା ବିଲୁପ୍ତ ହୋଇଯାଇଥାନ୍ତା। ଏହି ଗ୍ରାମ ଉତ୍ତର କର୍ଣ୍ଣାଟକ, ଏବଂ ମହାରାଷ୍ଟ୍ର ସୀମାରେ ଅବସ୍ଥିତ। ୨୦୧୧ ଜନଗଣନା ଅନୁଯାୟୀ ଗାଁରେ ୮୩୪୬ ଜଣ ଲୋକ ରୁହନ୍ତି।

ତାଙ୍କର ହେତୁ ପାଇବା ଦିନଠାରୁ ବେଲଗାଭୀର ନିକଟବର୍ତ୍ତୀ ଗ୍ରାମ ଏବଂ ପଡ଼ୋଶୀ ମହାରାଷ୍ଟ୍ରର ବିଭିନ୍ନ ଗାଁରେ ବାହାଘର ଭଳି ପବିତ୍ର ସମାରୋହରେ ଓ କୁସ୍ତି ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମରେ ଶେହନାଇ ବାଦ କରାଯାଇଆସୁଛି ବୋଲି ସେ କୁହନ୍ତି। ‘‘ଆଜି ମଧ୍ୟ, ଆମକୁ କୁସ୍ତି ପ୍ରତିଯୋଗିତାରେ ଏହି ବାଦ୍ୟ ବଜାଇବାକୁ ନିମନ୍ତ୍ରଣ ମିଳୁଛି,’’ ସେ ଗର୍ବର ସହିତ କୁହନ୍ତି। ‘‘ଏହି ପରମ୍ପରା ବଦଳି ନାହିଁ। ଶେହନାଇ ବାଦକ ନଥିଲେ କୁସ୍ତି ପ୍ରତିଯୋଗିତା ଆରମ୍ଭ ହୋଇପାରିବ ନାହିଁ।’’

୬୦ ଦଶକର ଶେଷ ଭାଗ ଏବଂ ୭୦ ଦଶକର ଆଦ୍ୟ ଭାଗରେ ତାଙ୍କ ବାପା ତୁକାରାମ ଦୂରଦୂରାନ୍ତ ଅଞ୍ଚଳର କ୍ରେତାମାନଙ୍କଠାରୁ ମାସକୁ ୧୫ଟି ଶେହନାଇ ପାଇଁ ଅର୍ଡର ପାଉଥିଲେ। ୫୦ ବର୍ଷ ପରେ ଏବେ ନାରାୟଣଙ୍କୁ ମାସକୁ ଅତି ବେଶୀରେ ଦୁଇଟି ଅର୍ଡର ମିଳୁଛି। ‘‘ବଜାରରେ ଏବେ ଅଧା ଦରରେ ଶସ୍ତା ଜିନିଷ ମିଳିଯାଉଛି,’’ ସେ କୁହନ୍ତି।

ଶେହନାଇ ପ୍ରତି ଯୁବପିଢ଼ିଙ୍କ ଆଗ୍ରହ କମିବାରେ ଲାଗିଛି ଏବଂ ଏଥିପାଇଁ ଅର୍କେଷ୍ଟ୍ରା, ମ୍ୟୁଜିକ ବ୍ରାଣ୍ଡ୍ ଏବଂ ଇଲେକ୍ଟ୍ରୋନିକ ମ୍ୟୁଜିକକୁ ସେ ଦାୟୀ କରିଥାନ୍ତି। ଏସବୁ ଚାହିଦା ହ୍ରାସ କରୁଛି। ତାଙ୍କର ବଡ଼ ପରିବାର ଏବଂ ସମ୍ପର୍କୀମାନଙ୍କ ମଧ୍ୟରେ କେବଳ ତାଙ୍କର ୨୭ ବର୍ଷୀୟ ପୁତୁରା ଅର୍ଜୁନ ଜାଭିର ମାନକପୁରରେ ଶେହନାଇ ବଜାଉଛନ୍ତି। ତା’ଛଡ଼ା ମାନକପୁରରେ ନାରାୟଣ ହିଁ ଏକମାତ୍ର କାରିଗର ଯିଏକି ଉଭୟ ଶେହନାଇ ଏବଂ ବଂଶୀ ହାତରେ ତିଆରି କରିଥାନ୍ତି।

*****

ନାରାୟଣ କେବେ ସ୍କୁଲ୍‌ ଯାଇନାହାନ୍ତି। ତାଙ୍କ ବାପା ଓ ଜେଜେବାପା ଦତ୍ତୁବାଙ୍କ ସହିତ ଗାଁ ମେଳାକୁ ଯିବା ସମୟରେ ସେ ଶେହନାଇ ତିଆରି କରିବା ଶିଖିଥିଲେ। ସେତେବେଳେ ବେଲଗାଭୀ ଜିଲ୍ଲାରେ ଦତ୍ତୁବା ଥିଲେ ସବୁଠୁ ନିପୁଣ ଶେହନାଇ ବାଦକ। ମାତ୍ର ୧୨ ବର୍ଷ ବୟସରେ ନାରାୟଣ ନିଜ ପରିବାରର ଏହି ବେଉସାକୁ ଆସିଥିଲେ ବୋଲି କୁହନ୍ତି। ‘‘ସେମାନେ ଶେହନାଇ ବଜାଉଥିଲେ ଓ ମୁଁ ନାଚୁଥିଲି,’’ ସେ କହିଥାନ୍ତି। ‘‘ଛୋଟ ପିଲାମାନେ ସାଧାରଣତଃ ଏକ ବାଦ୍ୟଯନ୍ତ୍ରକୁ ଛୁଇଁ ଏହା କିପରି କାମ କରିଥାଏ ବୋଲି ପରଖିଥାଆନ୍ତି, ପିଲାଦିନେ ମୋ ଭିତରେ ମଧ୍ୟ ସେପରି ଅନୁସନ୍ଧିତ୍ସା ରହିଥିଲା,’’ ସେ କୁହନ୍ତି। ଏପରି ଭାବେ ସେ ନିଜେ ହିଁ ଶେହନାଇ ଓ ବଂଶୀ ବଜାଇବା ଆପେ ଆପେ ଶିଖିଥିଲେ। ‘‘ଯଦି ତୁମେ ଏସବୁ ବାଦ୍ୟଯନ୍ତ୍ର ବଜାଇବା ଶିଖିବ ନାହିଁ ତେବେ ସେଗୁଡ଼ିକୁ ତିଆରି କେମିତି କରିବ,’’ ସ୍ମିତହାସ୍ୟ ସହିତ ସେ ପଚାରିଥାନ୍ତି।

PHOTO • Sanket Jain

ଶେହନାଇ ତିଆରି କରିବା ଲାଗି ନାରାୟଣ ବ୍ୟବହାର କରୁଥିବା କେତେକ ଉପକରଣ ନାରାୟଣ ତିଆରି କରିଥିବା

PHOTO • Sanket Jain

ଜିଭାଲି (ନଳ)ରୁ ଠିକ୍‌ ଭାବେ ସ୍ୱର ବାହାରୁଛି କି ନାହିଁ ତାହା ସେ ଯାଞ୍ଚ କରୁଛନ୍ତି

ନାରାୟଣଙ୍କୁ ମାତ୍ର ୧୮ ବର୍ଷ ହୋଇଥିବା ବେଳେ ତାଙ୍କ ବାପା ନିଜର କାରିଗରୀ ଓ ଉତ୍ତରାଧିକାର ନିଜ ପୁଅ ହାତରେ ସମର୍ପି ଦେଇ ଆରପାରିକୁ ଚାଲିଯାଇଥିଲେ। ଏହାପରେ ନାରାୟଣ ନିଜର ଶ୍ୱଶୁର ସ୍ୱର୍ଗତ ଆନନ୍ଦ କେଙ୍ଗରଙ୍କ ବିଶେଷଜ୍ଞ ମାର୍ଗଦର୍ଶନରେ  ନିଜ ଦକ୍ଷତାକୁ ଆହୁରି ଶାଣିତ କରିଥିଲେ। ମାନକପୁର ଗ୍ରାମରେ ଆନନ୍ଦ ମଧ୍ୟ ଜଣେ ବିଶିଷ୍ଟ ଶେହନାଇ ଓ ବଂଶୀ ନିର୍ମାତା ଭାବେ ପରିଚିତ ଥିଲେ।

ନାରାୟଣଙ୍କ ପରିବାର ହୋଲାର ସମ୍ପ୍ରଦାୟର ପ୍ରତିନିଧିତ୍ୱ କରିଥାନ୍ତି। ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ ହୋଲାରମାନେ ପାରମ୍ପରିକ ଭାବେ ଶେହନାଇ ଏବଂ ଦାଫଦା (ଖଞ୍ଜଣି) କଳାକାର ଥିଲେ। ଦେସାଇ ପରିବାର ଭଳି ସେମାନଙ୍କ ମଧ୍ୟରୁ କିଛି ବାଦ୍ୟଯନ୍ତ୍ର ତିଆରି କରିଥାନ୍ତି। ଏହି କାରିଗରୀରେ ମୁଖ୍ୟତଃ ପୁରୁଷମାନଙ୍କ ଆଧିପତ୍ୟ ଦେଖିବାକୁ ମିଳିଥାଏ। ‘‘ଆରମ୍ଭରୁ ଆମ ଗାଁରେ କେବଳ ପୁରୁଷମାନେ ଶେହନାଇ ତିଆରି କରି ଆସୁଛନ୍ତି,’’ନାରାୟଣ କୁହନ୍ତି। ତାଙ୍କ ମା’ ସ୍ୱର୍ଗତ ତାରାବାଇ ଜଣେ କୃଷି ଶ୍ରମିକ। ପୁରୁଷମାନେ ବର୍ଷରେ ୬ ମାସ ପର୍ଯ୍ୟନ୍ତ ବାହାଘର ଓ କୁସ୍ତି ପ୍ରତିଯୋଗିତାରେ ଶେହନାଇ ବଜେଇବାକୁ ଯାଉଥିବା ବେଳେ ସେ ଏକାକୀ ସମ୍ପୂର୍ଣ୍ଣ ଘର ଚଳେଇବାର ଦାୟିତ୍ୱ ନେଉଥିଲେ।

ନାରାୟଣ ସ୍ମରଣ କରି କୁହନ୍ତି ଯେ ନିଜର ସ୍ୱର୍ଣ୍ଣିମ ଦିନରେ ସେ ପ୍ରତି ବର୍ଷ ପାଖାପାଖି ୫୦ଟି ଭିନ୍ନ ଭିନ୍ନ ଗାଁରେ ଆୟୋଜିତ ଯାତ୍ରାରେ ଭାଗ ନେବା ପାଇଁ ସାଇକେଲରେ ଯାଉଥିଲେ। ‘‘ମୁଁ ଦକ୍ଷିଣରେ ଗୋଆ ଏବଂ ବେଲଗାଭୀ (କର୍ଣ୍ଣାଟକରେ) ଏବଂ ସାଙ୍ଗଲୀ ଓ କୋହ୍ଲାପୁର (ମହାରାଷ୍ଟ୍ରରେ)ର ବିଭିନ୍ନ ଗାଁକୁ ଯାଉଥିଲି,’’ ସେ କୁହନ୍ତି।

ନିଜ ଶେହନାଇ ର ଚାହିଦା ହ୍ରାସ ପାଇବା ସତ୍ତ୍ୱେ ନାରାୟଣ ଏବେ ବି ନିଜ ଗୋଟିଏ ବଖୁରିକିଆ ଘରକୁ ଲାଗି ରହିଥିବା ୮ X ୮ ଫୁଟ କର୍ମଶାଳାରେ ଦୀର୍ଘ ସମୟ ବିତାଇଥାନ୍ତି, ଯାହାକି ଶାଗୁଆନ, ଖଇର, ଦେବଦାରୁ ଏବଂ ଅନ୍ୟପ୍ରକାର କାଠର ସୁଗନ୍ଧରେ ଘେରି ରହିଛି। ‘‘ମୁଁ ଏଠାରେ ବସିବାକୁ ଭଲ ପାଏ କାରଣ ଏଇଠି ମୋର ପିଲାଦିନ କଥା ମନେ ପଡ଼ିଥାଏ,’’ ସେ କୁହନ୍ତି। ଆଖୁ ଓ ଶାଲୁ (ଯଅ)ର ନଡ଼ାରେ ତିଆରି କାନ୍ଥରେ ଦୁର୍ଗା ଓ ହନୁମାନଙ୍କ ଦଶନ୍ଧି ପୁରୁଣା ଫଟୋ ଲାଗିଛି । ଏକ ଅମ୍ବର (ଡିମିରି) ଗଛ ତାଙ୍କ କର୍ମଶାଳା ମଝିରେ ରହିଛି ଯାହା ଛାତ ଉପର ଦେଇ ବାହାରେ ନିଜର ଶାଖାପ୍ରଶାଖା ମେଲାଇ ଦେଇଛି।

ଏହି ସ୍ଥାନରେ ସେ ଗତ ପାଞ୍ଚ ଦଶନ୍ଧି ଧରି ୩୦,୦୦୦ ହଜାର ଘଣ୍ଟା ଧରି ନିଜ ନିପୁଣ ହସ୍ତକଳାକୁ ଶାଣିତ କରିବା ସହିତ ୫୦୦୦ରୁ ଅଧିକ ଶେହନାଇ ତିଆରି କରିଛନ୍ତି। କ୍ୟାରିଅର ଆରମ୍ଭରେ ତାଙ୍କୁ ଶେହନାଇ ତିଆରି କରିବା ଲାଗି ଲାଗି ୬ ଘଣ୍ଟା ସମୟ ଲାଗୁଥିବା ବେଳେ ଏବେ ମାତ୍ର ୪ ଘଣ୍ଟା ଲାଗୁଛି । ତାଙ୍କ ମସ୍ତିଷ୍କ ଏବଂ ହାତ ତିଆରି ପ୍ରକ୍ରିୟାର ସବୁ ପର୍ଯ୍ୟାୟକୁ ଅତି ନିଖୁଣ ଭାବେ ମନେ ରଖି ଦେଇଛି। ‘‘ଶୋଇବା ଅବସ୍ଥାରେ ମୁଁ ଶେହନାଇ ତିଆରି କରିପାରିବି,’’ ଏହା କହି ସେ ନିଜର କଳାର ପ୍ରତ୍ୟକ୍ଷ ପ୍ରଦର୍ଶନ କରିଥାନ୍ତି ।

PHOTO • Sanket Jain

ସବୁତକ କଞ୍ଚାମାଲ ସଂଗ୍ରହ କରିବା ପରେ, ପ୍ରଥମ ପଦକ୍ଷେପ ହେଉଛି ଗୋଟିଏ ଆରି ସହାୟତାରେ ଏକ ଶାଗୁଆନ କାଠ ଖଣ୍ଡକୁ କାଟିବା

PHOTO • Sanket Jain
PHOTO • Sanket Jain

ବାମ : କାଠ ଖଣ୍ଡକୁ କାଟିବା ପରେ, ନାରାୟଣ ସେହି କାଠର ପୃଷ୍ଠକୁ ଚିକ୍କଣ ଆକାର ଦେଇଥାନ୍ତି ଏବଂ ଏହାକୁ କୋନ ଆକୃତିର ନଳି ଭଳି ତିଆରି କରିଥାନ୍ତି। ଡାହାଣ : ଆବଶ୍ୟକ ଚିକ୍କଣତା ପ୍ରାପ୍ତ କରିବା ଲାଗି ନାରାୟଣ କାଠକୁ ଆକାର ଦେବା ନିମନ୍ତେ ଏକ କାଚ ଖଣ୍ଡ ଉପଯୋଗ କରିଥାନ୍ତି

ପ୍ରଥମେ ଏକ ଆରି ସହାୟତାରେ ଏକ ଶାଗୁଆନ କାଠ ଖଣ୍ଡକୁ କାଟନ୍ତି। ପୂର୍ବରୁ ସେ ଉଚ୍ଚ ମାନର ଖଇର, ଚନ୍ଦନ ଏବଂ ଶିଶୁ ଗଛର କାଠ ଉପଯୋଗ କରୁଥିଲେ ଯାହାକି ଭଲ ସ୍ୱର ବାହାର କରୁଥିଲା। ମାନକପୁର ଏବଂ ନିକଟବର୍ତ୍ତୀ ଗ୍ରାମରେ ‘‘ତିନି ଦଶନ୍ଧି ପୂର୍ବରୁ, ଏସବୁ ଗଛ ବହୁସଂଖ୍ୟାରେ ମିଳୁଥିଲା। ବର୍ତ୍ତମାନ ଏସବୁ ଗଛ ବିରଳ ହୋଇଗଲାଣି,’’ ସେ କୁହନ୍ତି। ଗୋଟିଏ ଘନଫୁଟ ଖଇର କାଠରେ ଅତିକମରେ ପାଞ୍ଚଟି ଶେହନାଇ ତିଆରି ହୋଇପାରିବ । ୪୫ ମିନିଟ୍‌ ଧରି, ଏକ ରନ୍ଦା ଧରି ସେ କାଠ ପୃଷ୍ଠକୁ ଚିକ୍କଣ କରିଥାନ୍ତି। ‘‘ଏଠାରେ ଆପଣ କିଛି ଭୁଲ କଲେ, ଭଲ ସ୍ୱର ବାହାରିନଥାଏ,’’ ସେ ପ୍ରକାଶ କରିଥାନ୍ତି।

ତେବେ, ନାରାୟଣ କେବଳ ରନ୍ଦା ସାହାଯ୍ୟରେ ଆବଶ୍ୟକ ଚିକ୍କଣତା ପାଇନଥାନ୍ତି। ସେ କର୍ମଶାଳାର ଚାରି ଆଡ଼କୁ ଚାହିଁଥାନ୍ତି ଏବଂ ଏକ ଧଳା ବସ୍ତା ଟାଣି ଆଣନ୍ତି ଓ ସେଥିରୁ ଏକ କାଚ ବୋତଲ ବାହାର କରନ୍ତି। ସେ ଚଟାଣରେ ସେହି ବୋତଲକୁ କଚାଡ଼ି ଦିଅନ୍ତି, ଧ୍ୟାନର ସହକାରେ କାଚ ଖଣ୍ଡ ଉଠାଇଥାନ୍ତି ଏବଂ ପୁଣିଥରେ କାଠକୁ ଚିକ୍କଣ କରିବା ଆରମ୍ଭ କରନ୍ତି, ନିଜ ‘ଯୋଗାଡ଼’କୁ ନେଇ ସେ ହସନ୍ତି।

ପରବର୍ତ୍ତୀ ପଦକ୍ଷେପ ହେଉଛି, ଚିକ୍କଣ ହୋଇଥିବା କୋନ ଆକୃତିର କାଠ ଖଣ୍ଡରେ ଲୁହା ରଡର ବ୍ୟବହାର କରି କଣା କରିବା। ଏହି ଲୁହା ରଡ଼କୁ ମରାଠୀରେ ଗିରମିଟ୍‌ କୁହାଯାଏ। ନାରାୟଣ ଏକ ସ୍ମାର୍ଟଫୋନ ଆକୃତିର ଘର୍ଷଣ ପଥର ଉପରେ ସେହି ରଡକୁ ଧାରୁଆ କରିଥାନ୍ତି। ଏହି ପଥରକୁ ଇମରି କୁହାଯାଏ ଯାହାକୁ ସେ ତାଙ୍କ ଘରଠାରୁ ୧୦ କିଲୋମିଟର ଦୂର ମହାରାଷ୍ଟ୍ରର ଇଚଲକରଞ୍ଜିରୁ ୨୫୦ ଟଙ୍କାରେ କିଣି ଆଣିଛନ୍ତି। ସବୁକିଛି କିଣିବା ଖର୍ଚ୍ଚ ବହନ କରିବା କଷ୍ଟକର ହୋଇଥିବାରୁ ସେ ସବୁ ଧାତବ ଉପକରଣ ହାତରେ ତିଆରି କରିଥାନ୍ତି। କାଠ ଖଣ୍ଡର ଉଭୟ ପାର୍ଶ୍ୱକୁ ସେ ଧ୍ୟାନର ସହକାରେ ଗିରମିଟ ସାହାଯ୍ୟରେ କଣା କରିଥାନ୍ତି। ଏଠାରେ ସାମାନ୍ୟ ତ୍ରୁଟି ହେଲେ ତାଙ୍କ ଆଙ୍ଗୁଠି କଣା ହୋଇପାରେ, କିନ୍ତୁ ତାଙ୍କର କିଛି ଭୟ ନାହିଁ। ସେ କିଛି ସେକେଣ୍ଡ ପାଇଁ ସେହି କଣା ମଧ୍ୟ ଦେଇ ଦେଖିଥାନ୍ତି। କଣାକୁ ନେଇ ସନ୍ତୁଷ୍ଟ ହେଲେ ସେ ପରବର୍ତ୍ତୀ ଏବଂ ସବୁଠୁ କଷ୍ଟକର ପର୍ଯ୍ୟାୟକୁ ଗତି କରିଥାନ୍ତି ଏବଂ ତାହା ହେଉଛି ସ୍ୱର ସୃଷ୍ଟି କରୁଥିବା ସାତଟି କଣା ତିଆରି କରିବା ।

‘‘ଏପରିକି ଗୋଟିଏ ମିଲିମିଟର ତ୍ରୁଟି ଏକ ବିକୃତ ସ୍ୱର ସୃଷ୍ଟି କରିପାରେ,’’ ସେ କୁହନ୍ତି। ‘‘ଏହାକୁ ସଜାଡ଼ିବାର କୌଣସି ଉପାୟ ନାହିଁ’’, ବୋଲି ମଧ୍ୟ ସେ କୁହନ୍ତି। ଏହାକୁ ଏଡ଼ାଇବା ପାଇଁ, ସେ ବିଦ୍ୟୁତ ଚାଳିତ ତନ୍ତରେ ବ୍ୟବହାର କରାଯାଉଥିବା ପ୍ଲାଷ୍ଟିକ ପିର୍ଣ୍ଣରେ ରେଫରେନ୍ସ ଟୋନର କଣାକୁ ଚିହ୍ନିତ କରିଥାନ୍ତି। ତା’ପରେ ସେ ନିଜ ଚୁଲି ପାଖକୁ ଯାଆନ୍ତି ଏବଂ ତିନୋଟି ୧୭ ସେଣ୍ଟିମିଟର ଲମ୍ବ ଲୁହା ରଡ଼କୁ ସେକନ୍ତି। ‘‘ମୁଁ ଡ୍ରିଲିଂ ମେସିନ କିଣିପାରିବି ନାହିଁ। ତେଣୁ ମୁଁ ଏହି ପାରମ୍ପରିକ ପଦ୍ଧତି ବ୍ୟବହାର କରିଥାଏ।’’ ରଡ୍‌କୁ ନେଇ କାମ କରିବା ସହଜ କଥା ନୁହେଁ, ଏହି କାମ କରିବା ସମୟରେ ତାଙ୍କର ଫୋଟକା ହୋଇଯାଉଥିବା ବିଷୟରେ ଉଲ୍ଲେଖ କରି ସେ କୁହନ୍ତି। ‘‘ପୋଡ଼ିଯିବା ଓ କାଟି ହୋଇଯିବାରେ ଆମେ ଅଭ୍ୟସ୍ତ,’’ ସେ କୁହନ୍ତି। ଏହି ସମୟରେ ସେ ତିନୋଟି ରଡ଼କୁ ଗରମ କରିବା ଏବଂ ସ୍ୱର କଣାଗୁଡ଼ିକୁ ତିଆରି କରିବାରେ ବ୍ୟସ୍ତ ରହିଥାନ୍ତି।

ଏହି ପ୍ରକ୍ରିୟା ୫୦ ମିନିଟ୍‌ ଧରି ଚାଲିଥାଏ, ଏହି ସମୟରେ ସେ ବହୁ ପରିମାଣର ଧୂଆଁ ଆଘ୍ରାଣ କରି ନିଅନ୍ତି ଯାହାଫଳରେ ତାଙ୍କର ନିୟମିତ କାଶ ହୋଇଥାଏ। କିନ୍ତୁ ସେ ଗୋଟିଏ ସେକେଣ୍ଡ ସୁଦ୍ଧା ବିଶ୍ରାମ ନିଅନ୍ତି ନାହଁ । ‘‘ଏହାକୁ ଶୀଘ୍ର ଶୀଘ୍ର କରିବାକୁ ହେବ ନହେଲେ ରଡ୍‌ ଥଣ୍ଡା ହୋଇଯିବ ଏବଂ ଆଉ ଥରେ ଗରମ କଲେ ଆହୁରି ଅଧିକ ଧୂଆଁ ସଂସ୍ପର୍ଶରେ ଆସିବାକୁ ପଡ଼ିବ।’’

ଥରେ କଣା ଖୋଳିବା କାମ ଶେଷ ହେବା ପରେ ସେ ଶେହନାଇ କୁ ସଫା କରି ଦେଇଥାନ୍ତି। ‘‘ଏହି କାଠ ଜଳ ନିରୋଧୀ। ଥରେ ମୁଁ ଗୋଟିଏ ଶେହନାଇ ତିଆରି କରିସାରିବା ପରେ, ଏହା ଅତିକମ୍‌ରେ ୨୦ ବର୍ଷ ପର୍ଯ୍ୟନ୍ତ ଚାଲିଥାଏ,’’ ସେ ଗର୍ବର ସହିତ କୁହନ୍ତି।

PHOTO • Sanket Jain
PHOTO • Sanket Jain

ଡ୍ରିଲିଂ ମେସିନ କିଣିବାକୁ ସକ୍ଷମ ହୋଇନଥିବାରୁ ନାରାୟଣ କଣା ଖୋଳିବା ପାଇଁ ଲୁହା ରଡ଼ ବ୍ୟବହାର କରିଥାନ୍ତି। ଏଥିପାଇଁ ତାଙ୍କୁ ୫୦ ମିନିଟ୍‌ ସମୟ ଲାଗିଥାଏ ଏବଂ ଅତୀତରେ ଏହି କାରଣରୁ ତାଙ୍କ ଦେହରେ ଅନେକ ଥର ଯନ୍ତ୍ରଣାଦାୟକ ଫୋଟକା ହୋଇଯାଇଛି

PHOTO • Sanket Jain
PHOTO • Sanket Jain

କଣା କରିବା ସମୟରେ କୌଣସି ଭୁଲ ଯେପରି ନହେବ ତାହା ସୁନିଶ୍ଚିତ କରିବା ଲାଗି ବିଦ୍ୟୁତ ଚାଳିତ ତନ୍ତରେ ବ୍ୟବହାର କରାଯାଉଥିବା ଏକ ପିର୍ଣ୍ଣ ବ୍ୟବହାର କରି ରେଫରେନ୍ସ ମାର୍କ କରିଥାନ୍ତି। ‘ଗୋଟିଏ ମିଲିମିଟର ଭୁଲ ହେଲେ ବିକୃତ ସ୍ୱର ବାହାରି ପାରେ,’ ସେ କୁହନ୍ତି

ଏହାପରେ ସେ ଶେହନାଇର ଜିଭାଲି (ନଳ) ତିଆରି କରିବା ଆରମ୍ଭ କରିଥାନ୍ତି, ଏଥିପାଇଁ ସେ ଆଖୁ ପ୍ରଜାତିର ଏକ ପ୍ରକାର ବାରମାସୀ ବେତ ଉପଯୋଗ କରିଥାନ୍ତି, ଯାହାକୁ ମରାଠୀରେ ତଡ଼ାଚା ପାନ୍‌ କୁହାଯାଏ। ନଳକୁ ୨୦-୨୫ ଦିନ ପର୍ଯ୍ୟନ୍ତ ଶୁଖାଯାଏ ଏବଂ ଭଲ ବେତରୁ ୧୫ ସେଣ୍ଟିମିଟର ଲମ୍ବ ଖଣ୍ଡ କାଟି ନିଆଯାଇଥାଏ। ସେ ବେଲଗାଭୀର ଆଦି ଗ୍ରାମରୁ ୫୦ ଟଙ୍କା ଦେଇ ଗୋଟିଏ ଡଜନ କାଣ୍ଡ କିଣିଥାନ୍ତି। ‘‘ଶ୍ରେଷ୍ଠ ପାନ୍‌ (ନଳ) ପାଇବା ଏକ ସମସ୍ୟା,’’ ସେ କୁହନ୍ତି।

ସେ ଅତି ନିଖୁଣ ଭାବେ ଉକ୍ତ ନଳକୁ ଦୁଇ ଥର ଅଧା ଭାଙ୍ଗି ଚାରୋଟି ଖଣ୍ଡ କରିଥାନ୍ତି ଯାହାକୁ ସେ ୩୦ ମିନିଟ୍‌ ପର୍ଯ୍ୟନ୍ତ ପାଣିରେ ଭିଜେଇ ଦିଅନ୍ତି। ପ୍ରସ୍ତୁତ ହୋଇଯାଇଥିବା ଶେହନାଇରେ ଦୁଇଟି ଭାଗ ଥାଏ ଯାହାକି ପରସ୍ପର ବିରୋଧରେ ସ୍ପନ୍ଦନ କରି ଆବଶ୍ୟକ ଶବ୍ଦ ବାହାର କରିଥାନ୍ତି। ଏହା ପରେ, ସେ ଉଭୟର ଶେଷ ପାର୍ଶ୍ୱକୁ ଆବଶ୍ୟକତା ଅନୁସାରେ କାଟି ଦେଇଥାନ୍ତି ତା’ପରେ ସେ ଧଳା ସୂତା ଲାଗାଇ ଏହାକୁ ମ୍ୟାଣ୍ଡ୍ରେଲରେ ବାନ୍ଧି ଦେଇଥାନ୍ତି।

‘‘ ଜିଭାଲି ଲା ଆକାର ଦ୍ୟାଚା କାଥିନ ଆସ୍ତେ (ସେହି ନଳକୁ ଆକାର ଦେବା କଷ୍ଟକର),’’ ସେ କୁହନ୍ତି। ଏହି ନିଖୁଣ କାର୍ଯ୍ୟ କରିବା ସମୟରେ ନିଜ କପାଳରେ ସେ ପିନ୍ଧିଥିବା ସିନ୍ଦୂର ଝାଳରେ ଧୋଇଆସିଥାଏ। ଏହି ଧାରୁଆ ପାତ ତାଙ୍କର ତର୍ଜନୀ ଆଙ୍ଗୁଠିରେ ଏକାଧିକ କଟା ଦାଗ ହୋଇଯାଏ କିନ୍ତୁ ଏଥିରେ ତାଙ୍କର ଧ୍ୟାନ ଭଗ୍ନ ହୁଏ ନାହିଁ । ‘‘ଯଦି ମୁଁ ସବୁ କାଟି ହୋଇଯିବା ପ୍ରତି ଧ୍ୟାନ ଦେବି ତା’ହେଲେ ଶେହନାଇ କିଭଳି ତିଆରି କରିବି?’’ ସେ ହସିଥାନ୍ତି। ତାଙ୍କର ମନମୁତାବକ ନଳ ପ୍ରସ୍ତୁତ ହୋଇଯିବା ପରେ ନାରାୟଣ ଏବେ ଶେହନାଇରେ ପ୍ଲାଷ୍ଟିକ ଘଣ୍ଟି ଲଗାଇ ଚଉଡ଼ା ଅଗ୍ରଭାଗ ତିଆରି କରିଥାନ୍ତି। ପାରମ୍ପରିକ ଭାବେ ଏଥିରେ ପିତ୍ତଳ ଘଣ୍ଟି ଲଗାଯାଇଥାଏ।

ନାରାୟଣ ତିନୋଟି ଭିନ୍ନ ଭିନ୍ନ ଲମ୍ବ ଯଥା ୨୨, ୧୮ ଏବଂ ୯ ଇଞ୍ଚର ଶେହନାଇ ତିଆରି କରନ୍ତି ଯାହାକୁ ସେ ଯଥାକ୍ରମେ ୨୦୦୦ ଟଙ୍କା, ୧୫୦୦ ଟଙ୍କା ଏବଂ ୪୦୦ ଟଙ୍କାରେ ବିକ୍ରି କରିଥାନ୍ତି। ‘’୨୨ ଓ ୧୮ ଇଞ୍ଚ ଶେହନାଇ ପାଇଁ ଖୁବ୍‌ କମ୍‌ ଅର୍ଡର ମିଳିଥାଏ, ୧୦ ବର୍ଷ ପୂର୍ବରୁ ଶେଷ ଅର୍ଡର ମିଳିଥିଲା,’’ ସେ କୁହନ୍ତି।

PHOTO • Sanket Jain
PHOTO • Sanket Jain

ନାରାୟଣ ତଡ଼ାଚା ପାନ୍‌କୁ ଭିଜାଇଥାନ୍ତି ଯାହାଫଳରେ ଏହା ସହଜରେ ନଳ ଆକୃତି ନେଇପାରିବ। ଶେହନାଇରେ ନଳ ହେଉଛି ସବୁଠୁ ଗୁରୁତ୍ୱପୂର୍ଣ୍ଣ ଭାଗ, କାରଣ ଏହା ଆବଶ୍ୟକ ସ୍ୱର ଉତ୍ପନ୍ନ କରିଥାଏ

PHOTO • Sanket Jain
PHOTO • Sanket Jain

ବାମ: ନାରାୟଣ ଭାଙ୍ଗି ଦେଇଥିବା ବେତକୁ ପାତ ସହାୟତାରେ ନଳର ଆକୃତି ଦେବା ପାଇଁ କାଟୁଛନ୍ତି। ସେ ଯତ୍ନର ସହକାରେ ଧଳା ସୂତା ଲାଗାଇ ନଳକୁ ମ୍ୟାଣ୍ଡ୍ରେଲରେ ବାନ୍ଧି ଦେଇଥାନ୍ତି

ସେ ହାତରେ ତିଆରି କରୁଥିବା କାଠ ବଂଶୀର ଚାହିଦା ମଧ୍ୟ ଦିନକୁ ଦିନ କମି ଆସିଲାଣି। ‘‘କାଠଗୁଡ଼ିକ ଅଧିକ ଦାମୀ ବୋଲି କହି ଲୋକମାନେ ଏସବୁ କିଣୁନାହାନ୍ତି।’’ ତେଣୁ ତିନି ବର୍ଷ ହେବ, ସେ କଳା ଓ ନୀଳ ପିଭିପି (ପଲିଭିନାଇଲ କ୍ଲୋରାଇଡ) ପାଇପ ବ୍ୟବହାର କରି ବଂଶୀ ତିଆରି କରୁଛନ୍ତି। ପିଭିସି ବଂଶୀଗୁଡ଼ିକ ଗୋଟାକୁ ୫୦ ଟଙ୍କାରେ ବିକ୍ରି ହେଉଛି। ଅନ୍ୟପଟେ କାଠବଂଶୀଗୁଡ଼ିକ ୧୦୦ ଟଙ୍କାରୁ ଆରମ୍ଭ କରି ଅଧିକ ଦରରେ ବିକ୍ରି ହୋଇଥାଏ ଏବଂ କାଠାର ଗୁଣବତ୍ତା ଓ ଆକାର ଉପରେ ଦର ନିର୍ଭର କରିଥାଏ। ତେବେ ନିଜ କଳା ସହିତ ସାଲିସ୍‌ କରିବାକୁ ପଡ଼ୁଥିବାରୁ ନାରାୟଣଙ୍କ ମନରେ ସନ୍ତୋଷ ନାହିଁ। ‘‘କାଠ ବଂଶୀ ଏବଂ ପିଭିସି ବଂଶୀ ମଧ୍ୟରେ କୌଣସି ତୁଳନା କରାଯାଇପାରିବ ନାହିଁ,’’ ସେ କୁହନ୍ତି।

ହାତ ତିଆରି ଶେହନାଇ ରେ ଲାଗୁଥିବା କଠିନ ପରିଶ୍ରମ, ଚୁଲି ଧୂଆଁ ଯୋଗୁ ହେଉଥିବା କାଶ, ମେରୁଦଣ୍ଡ ମୋଡ଼ି ବସି ରହିବା କାରଣରୁ ହେଉଥିବା ପିଠି ଯନ୍ତ୍ରଣା ଏବଂ ଉଚିତ ପାରିଶ୍ରମିକ ମିଳୁନଥିବା କାରଣରୁ ଯୁବ ପିଢ଼ିମାନେ ଏହି ହସ୍ତକଳାକୁ ଗ୍ରହଣ କରିବା ଲାଗି ପ୍ରସ୍ତୁତ ହେଉନାହାନ୍ତି ବୋଲି ନାରାୟଣ କୁହନ୍ତି।

ଯଦି ଶେହନାଇ ତିଆରି କରିବା କଷ୍ଟକର କାମ ନୁହେଁ, ଏହାକୁ ବଜାଇବା ମଧ୍ୟ ସେତେ ସହଜ ନୁହେଁ। ୨୦୨୧ରେ ତାଙ୍କୁ କୋହ୍ଲାପୁର ଜୋତିବା ମନ୍ଦିରକୁ ଶେହନାଇ ବଜାଇବା ପାଇଁ ଡକାଯାଇଥିଲା। ‘‘ମୁଁ ଗୋଟିଏ ଘଣ୍ଟା ମଧ୍ୟରେ ଅଚେତ ହୋଇଗଲି ଏବଂ ମୋର ସାଲାଇନ ଲାଗିଲା,’’ ସେ କୁହନ୍ତି। ଏହି ଘଟଣା ପରେ, ସେ ଶେହନାଇ ବଜାଇବା ଛାଡ଼ିଦେଲେ। ‘‘ଏହା ସହଜ ନୁହେଁ। ଆପଣ ଶେହନାଇ ବାଦକର ମୁହଁକୁ ଦେଖନ୍ତୁ, ସେ କିପରି ପ୍ରତ୍ୟେକ ଥର ବଜାଇବା ପରେ ଶ୍ୱାସ ଧରିବା ପାଇଁ ସଂଘର୍ଷ କରିଥାନ୍ତି। ତା’ପରେ ଏହା କେତେ କଷ୍ଟକର ଆପଣ ଜାଣିପାରିବେ।‘‘

କିନ୍ତୁ ଶେହନାଇ ତିଆରି ଛାଡ଼ିବା ପାଇଁ ତାଙ୍କର କୌଣସି ଯୋଜନା ନାହିଁ । ‘‘କେଲେତ ସୁଖ ଆହେ (ଏହି କଳା ମୋତେ ଖୁସି ଦେଉଛି),’’ ସେ କୁହନ୍ତି।

PHOTO • Sanket Jain
PHOTO • Sanket Jain

ବାମ : ଅଧିକ ଦାମ୍‌ କାରଣରୁ କାଠ ବଂଶୀର ଚାହିଦା କମିଯିବା ଫଳରେ ନାରାୟଣ ତିନି ବର୍ଷ ପୂର୍ବରୁ ଏସବୁ କଳା ଓ ନୀଳ ପିଭିସି (ପଲିଭିନାଇଲ କ୍ଲୋରାଇଡ୍‌)ରେ ବଂଶୀ ତିଆରି କରିବା ଆରମ୍ଭ କରିଛନ୍ତି। ଡାହାଣ : ବଳକା କାଠ ଭାଗକୁ ସେ କାଟି ଦେଉଛନ୍ତି, ଶେହନାଇ ତିଆରି କରିବା ସମୟର ଦେଖା ଦେଉଥିବା କୌଣସି ତ୍ରୁଟିକୁ ସମାଧାନ କରିବାରେ ସହାୟତା ପାଇଁ ଏହାକୁ ସେ ବାକି ରଖିଥାନ୍ତି

PHOTO • Sanket Jain
PHOTO • Sanket Jain

ବାମ : ନାରାୟଣ ୫୦୦୦ରୁ ଅଧିକ ଶେହନାଇ ତିଆରି କରିଛନ୍ତି। ଗତ ପାଞ୍ଚ ଦଶନ୍ଧି ଧରି ସେ ଏଥିପାଇଁ ୩୦,୦୦୦ ଘଣ୍ଟା ଉପଯୋଗ କରିଛନ୍ତି। ଡାହାଣ : ଅର୍ଜୁନ ଜାଭିର ତାଙ୍କର ପରଲୋକଗତ ଜେଜେବାପା ମାରୁତି ଦେଶାଇଙ୍କ ଫଟୋ ଧରିଛନ୍ତି, ଯାହାଙ୍କୁ ଏକଦା ମାନକପୁରରେ ଶ୍ରେଷ୍ଠ ଶେହନାଇ ବାଦକ ଭାବେ ବିବେଚନା କରାଯାଉଥିଲା

*****

ଦୀର୍ଘଦିନ ହେବ ନାରାୟଣ ଜାଣି ସାରିଲେଣି ଯେ ସେ ଶେହନାଇ ଏବଂ ବଂଶୀ ତିଆରି କରି ନିଜର ପେଟ ପୋଷିପାରିବେ ନାହିଁ। ଏହି କାରଣରୁ ତିନି ଦଶନ୍ଧି ପୂର୍ବରୁ ସେ ରଙ୍ଗୀନ ପିନହ୍ୱିଲ ତିଆରି କରି ଅତିରିକ୍ତ ଆୟ ପାଇଁ ଚେଷ୍ଟା କରୁଛନ୍ତି। ‘‘ଗ୍ରାମୀଣ ମେଳାରେ, ଏବେ ବି ରଙ୍ଗୀନ ପିନହ୍ୱିଲର ଚାହିଦା ରହିଛି କାରଣ ଖେଳିବା ପାଇଁ ସମସ୍ତେ ସ୍ମାର୍ଟଫୋନ କିଣିପାରିବେ ନାହିଁ।’’ ୧୦ଟଙ୍କାରେ ମିଳୁଥିବା ଏହି କାଗଜ ଖେଳନା ଲୋକଙ୍କ ଜୀବନରେ ଖୁସି ଆଣିଥାଏ ଏବଂ ନାରାୟଣଙ୍କ ପରିବାର ପାଇଁ ଅତି ଆବଶ୍ୟକ ରୋଜଗାର ଦେଇଥାଏ।

ପିନହ୍ୱିଲ ବ୍ୟତୀତ, ସହଜରେ ଓ ଶୀଘ୍ର ତିଆରି ହୋଇପାରୁଥିବା ହସ୍ତଶିଳ୍ପ ଭାବେ ଛୋଟ ଘୁରୁଥିବା ଏବଂ ଟାଣି ହେଉଥିବା ଖେଳନା ତିଆରି କରିଥାନ୍ତି। ତାଙ୍କର ପ୍ରଦର୍ଶନୀ ସୂଚୀରେ ୨୦ ପ୍ରକାରର ରଙ୍ଗୀନ ଆରିଗାମୀ ପକ୍ଷୀ ସାମିଲ ରହିଛି, ଏଥିମଧ୍ୟରୁ ପ୍ରତ୍ୟେକଟି ୧୦-୨୦ ଟଙ୍କାରେ ବିକ୍ରି ହୋଇଥାଏ। ‘‘ମୁଁ କେବେ କଳା ବିଦ୍ୟାଳୟକୁ ଯାଇନାହିଁ। କିନ୍ତୁ, ଥରେ ମୋ ହାତକୁ କାଗଜ ଆସିଲେ, କିଛି ଗୋଟେ ତିଆରି ନକରିବା ପର୍ଯ୍ୟନ୍ତ ଅଟକି ନଥାଏ,’’ ସେ କୁହନ୍ତି।

କୋଭିଡ-୧୯ ମହାମାରୀ ଏବଂ ଏହାଫଳରେ ଗାଁ ମେଳା ଓ ସାର୍ବଜନୀନ ସମାବେଶ ଉପରେ କଟକଣା ଏହି ବ୍ୟବସାୟକୁ ସଙ୍କଟରେ ପକାଇ ଦେଇଛି। ‘‘ମୁଁ ଦୁଇ ବର୍ଷ ପର୍ଯ୍ୟନ୍ତ ଗୋଟିଏ ବି ପିନହ୍ୱିଲ୍‌ ବିକ୍ରି କରିପାରିନଥିଲି,’’ ସେ କୁହନ୍ତି। ମାର୍ଚ୍ଚ ୨୦୨୨ରେ ମାନକପୁରରେ ମହାଶିବରାତ୍ରୀ ଯାତ୍ରା ସହିତ କାମ ପୁଣିଥରେ ଆରମ୍ଭ ହୋଇଥିଲା। ତେବେ ହୃଦଘାତ ପଡ଼ିବା ପରେ ଖରାପ ସ୍ୱାସ୍ଥ୍ୟ କାରଣରୁ ତାଙ୍କ ପାଇଁ ଦୂରସ୍ଥାନକୁ ଯାତ୍ରା କରିବା କଷ୍ଟକର ହୋଇଯାଇଛି, ଏବେ ସେ ନିଜ ପିନହ୍ୱିଲକୁ ବିକ୍ରି କରିବା ପାଇଁ ଏଜେଣ୍ଟମାନଙ୍କ ଉପରେ ନିର୍ଭର କରୁଛନ୍ତି। ସେ କୁହନ୍ତି, ‘‘ବିକ୍ରି ହେଉଥିବା ପ୍ରତ୍ୟେକ ପିନହ୍ୱିଲ ପାଇଁ ମାତେ ଏଜେଣ୍ଟମାନଙ୍କୁ କମିଶନ ଆକାରରେ ତିନି ଟଙ୍କା ଦେବାକୁ ପଡ଼ୁଛି।’’ ‘‘ମୁଁ ଏଥିରେ ସନ୍ତୁଷ୍ଟ ନୁହେଁ, କିନ୍ତୁ ଏଥିରୁ କିଛି ଆୟ ହୋଇଯାଉଛି,’’ ନାରାୟଣ କୁହନ୍ତି, ମାସକୁ ସେ ଅତି କଷ୍ଟରେ ୫୦୦୦ ଟଙ୍କା ରୋଜଗାର କରିଥାନ୍ତି।

PHOTO • Sanket Jain
PHOTO • Sanket Jain

ବାମ: ନାରାୟଣଙ୍କ ପତ୍ନୀ ସୁଶୀଲା ଏକ ଇଟା ଭାଟିରେ କାମ କରନ୍ତି ଏବଂ ପିନହ୍ୱିଲ, ଶେହନାଇ ଏବଂ ବଂଶୀ ତିଆରି କରିବାରେ ତାଙ୍କୁ ସାହାଯ୍ୟ କରିଥାନ୍ତି। ଡାହାଣ: ନାରାୟଣ କିଛି ଅଧିକ ରୋଜଗାର କରିବା ପାଇଁ ତିନି ଦଶନ୍ଧି ପୂର୍ବରୁ ରଙ୍ଗୀନ ପିନହ୍ୱିଲ ତିଆରି କରିବା ଆରମ୍ଭ କରିଥିଲେ

PHOTO • Sanket Jain
PHOTO • Sanket Jain

କାଠ ରେଫରେନ୍ସ ସ୍କେଲ ବ୍ୟବହାର କରି ନାରାୟଣ ଏକ ସ୍ୱର କଣା (ବାମ) ତିଆରି କରୁଛନ୍ତି ଏବଂ ତା’ପରେ ଏଥିରୁ ଭଲ ଭାବେ ସ୍ୱର ବାହାରୁଛକି ନାହିଁ ଯାଞ୍ଚ କରୁଛନ୍ତି (ଡାହାଣ)

ତାଙ୍କ ପତ୍ନୀ ସୁଶୀଲା (୪୫ ପାଖାପାଖି ବୟସ ହେବ) ଏକ ଇଟା ଭାଟିରେ କାମ କରନ୍ତି ଏବଂ ପିନହ୍ୱିଲ ତିଆରି କରିବାରେ ତାଙ୍କୁ ସାହାଯ୍ୟ କରିଥାନ୍ତି। ବେଳେବେଳେ, ବହୁ ଦଶନ୍ଧି ଧରି ପୁରୁଷଙ୍କ ଆଧିପତ୍ୟ ରହିଥିବା ଏହି ହସ୍ତକଳା କ୍ଷେତ୍ରରେ ପ୍ରବେଶ କରି ସେ ତାଙ୍କ ସ୍ୱାମୀଙ୍କୁ ଶେହନାଇ ଓ ବଂଶୀ ତିଆରି କରିବାରେ ମଧ୍ୟ ସହଯୋଗ କରିଥାନ୍ତି। ‘‘ସୁଶୀଲା ମୋତେ ସହଯୋଗ କରିନଥିଲେ, ଏହି ପେସା କିଛି ବର୍ଷ ପୂର୍ବରୁ ମରିଯାଇଥାନ୍ତା,’’ ନାରାୟଣ କୁହନ୍ତି। ‘‘ସେ ପରିବାର ଚଳେଇଥାନ୍ତି।’’

‘‘ମୋ ପାଖରେ ସେତେଟା କୌଶଳ ନାହିଁ। ମୁଁ ଗୋଟିଏ ଜାଗାରେ ବସି ରହି ସବୁ ଜିନିଷ ତିଆରି କରିଥାଏ,’’ ନାରାୟଣ ଧୀର ଭାବେ କୁହନ୍ତି। ‘‘ ଆମିହ ଗେଲୋ ମାହଞ୍ଜେ ଗେଲି କଲା (ମୋ ସହିତ ଏହି କଳା ମରିଯିବ),’’ ଶେହନାଇ ବଜାଉଥିବା ତାଙ୍କ ବାପା ଓ ଜେଜେବାପାଙ୍କ ଫଟୋ ଧରି ସେ କୁହନ୍ତି।

ଏହି କାହାଣୀ ସାଙ୍କେତ ଜୈନଙ୍କ ଦ୍ୱାରା ଗ୍ରାମୀଣ କାରିଗରଙ୍କ ଉପରେ ପ୍ରସ୍ତୁତ ଏକ ଅଧ୍ୟାୟର ଅଂଶବିଶେଷ ଏବଂ ଏଥିପାଇଁ ମୃଣାଳିନୀ ମୁଖାର୍ଜୀ ଫାଉଣ୍ଡେସନ ପକ୍ଷରୁ ସହାୟତା ଯୋଗାଇ ଦିଆଯାଇଛି।

ଅନୁବାଦ: ଓଡ଼ିଶାଲାଇଭ୍‍

Sanket Jain

Sanket Jain is a journalist based in Kolhapur, Maharashtra. He is a 2022 PARI Senior Fellow and a 2019 PARI Fellow.

Other stories by Sanket Jain
Editor : Sangeeta Menon

Sangeeta Menon is a Mumbai-based writer, editor and communications consultant.

Other stories by Sangeeta Menon
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE