“ସେମାନଙ୍କୁ ଜାଳିଦିଅ!”

ମାର୍ଚ୍ଚ ୩୧, ୨୦୨୩ ରାତିରେ ଏଭଳି କିଛି ଧମକପୂର୍ଣ୍ଣ ଶବ୍ଦ ଶୁଣିଥିବା ବିଷୟରେ ମନେ ପକାଇଥାନ୍ତି ମୋହନ ବାହାଦୂର ବୁଦ୍ଧ, ଯେତେବେଳେ ୧୧୩ ବର୍ଷ ପୁରୁଣା ମଦ୍ରାସା ଅଜିଜିୟାକୁ ନିଆଁ ଲଗାଇ ଦିଆଯାଇଥିଲା।

“କିଛି ଲୋକ ହୋହଲ୍ଲା କରୁଥିବା ଏବଂ ପାଠାଗାରର ମୁଖ୍ୟ ଗେଟ୍ ଭାଙ୍ଗୁଥିବାର ଶବ୍ଦ ମୁଁ ଶୁଣିପାରିଲି। ମୁଁ ଯେତେବେଳେ ବାହାରକୁ ଆସିଲି, ସେମାନେ ପାଠାଗାର ଭିତରକୁ ପ୍ରବେଶ କରି ସାରିଥିଲେ ଏବଂ ଏହାକୁ ଭଙ୍ଗାରୁଜା କରୁଥିଲେ,’’ ୨୫ ବର୍ଷ ବୟସ୍କ ଏହି ସୁରକ୍ଷାକର୍ମୀ କୁହନ୍ତି।

ସେ ଆହୁରି କୁହନ୍ତି, “ଭିଡ଼ ପାଖରେ ଭାଲା (ବର୍ଚ୍ଛା), ତଲୱାର (ଖଣ୍ଡା) ଥିଲା ଏବଂ ସେମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଆକାରରେ ଇଟାପଥର ଥିଲା। ୱ ଲୋଗ୍ ଚିଲ୍ଲା ରହେ ଥେ , ‘ ଜଲା ଦୋ , ମାର୍ ଦୋ (ସେମାନେ ଚିଲ୍ଲାଉଥିଲେ, ‘ସେମାନଙ୍କୁ ମାରି ଦିଅ, ପୋଡ଼ିଦିଅ’)।”

‘ଗୋଟିଏ ଆଲମାରୀରେ ଦର୍ଶନ, ଶବ୍ଦପ୍ରୟୋଗ ଏବଂ ଚିକିତ୍ସା ସହ ଜଡ଼ିତ ପୁସ୍ତକ ସମେତ ୨୫୦ କଲମୀ (ହସ୍ତଲିଖିତ) ପୁସ୍ତକ ରହିଥିଲା’

ବୁଦ୍ଧ ନେପାଳରୁ ଆସିଥିବା ଜଣେ ପ୍ରବାସୀ। ବିହାରଶରିଫରେ ଥିବା ମଦ୍ରାସା ଅଜିଜିୟାରେ ଗତ ଦେଢ଼ ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି। “ମୁଁ ଯେତେବେଳେ ସେମାନଙ୍କୁ ରହିଯିବାକୁ ଅନୁରୋଧ କଲି, ସେମାନେ ମୋତେ ଆକ୍ରମଣ ଆରମ୍ଭ କରିଦେଲେ। ସେମାନେ ମୋତେ ମୁଥ ମାରି କହିଲେ, “ ସାଲା ନେପାଲୀ , ଭାଗୋ ୟହାଁ ସେ , ନହିଁ ତୋ ମାର୍ ଦେଙ୍ଗେ (ତୁ ଶ... ନେପାଳୀ ପଳା ଏଠୁ ନହେଲେ ଆମେ ତୋତେ ମାରିଦେବୁ)

ସେ ୩୧ ମାର୍ଚ୍ଚ, ୨୦୨୩ର ଘଟଣା ବିଷୟରେ ଉଲ୍ଲେଖ କରୁଛନ୍ତି, ଯେତେବେଳେ ସହରରେ ରାମନବମୀ ଶୋଭାଯାତ୍ରା ସମୟରେ ସାମ୍ପ୍ରଦାୟିକ ଦଙ୍ଗାକାରୀମାନେ ମଦ୍ରାସା (ଇସଲାମୀୟ ଅଧ୍ୟୟନ ବିଦ୍ୟାଳୟ ଏବଂ ପାଠାଗାର)ରେ ନିଆଁ ଲଗାଇ ଦେଇଥିଲେ।

“ପାଠାଗାରରେ କିଛି ସୁରକ୍ଷିତ ନାହିଁ,’’ ବୁଦ୍ଧ କୁହନ୍ତି। “ସେମାନଙ୍କର ଆଉ ସୁରକ୍ଷାକର୍ମୀ ଦରକାର ନାହିଁ। ଏବେ ମୁଁ ବେରୋଜଗାର ହୋଇଯାଇଛି।”

କେବଳ ମଦ୍ରାସା ଅଜିଜିୟା ନୁହେଁ, ବିହାର ନାଳନ୍ଦା ଜିଲ୍ଲାର ମୁଖ୍ୟାଳୟ ବିହାରଶରିଫ ସହରରେ ଥିବା ଅନ୍ୟାନ୍ୟ ଧର୍ମପୀଠକୁ ସାମ୍ପ୍ରଦାୟିକ ଦଙ୍ଗାକାରୀମାନେ ଆକ୍ରମଣ କରିବାର ଗୋଟିଏ ସପ୍ତାହ ପରେ ଏପ୍ରିଲ ୨୦୨୩ର ପ୍ରଥମ ସପ୍ତାହରେ ପରୀ ଏହି ମଦ୍ରସାକୁ ଯାଇଥିଲା। ପ୍ରାରମ୍ଭରେ ପ୍ରଶାସନ ପକ୍ଷରୁ ଅପରାଧିକ କାର୍ଯ୍ୟାନୁଷ୍ଠାନ ସଂହିତା (ସିଆରପିସି) ୧୯୭୩ ଅନୁଯାୟୀ ସହର ସାରା ୧୪୪ ଧାରା ଜାରି କରାଯାଇଥିଲା ଏବଂ ଇଣ୍ଟରନେଟ୍ ବନ୍ଦ କରି ଦିଆଯାଇଥିଲା, କିନ୍ତୁ ଗୋଟିଏ ସପ୍ତାହ ପରେ ଉଭୟକୁ ହଟାଇ ଦିଆଯାଇଥିଲା।

ଆମେ ସେଠାକୁ ଯାଇଥିବା ସମୟରେ ଜଣେ ପୂର୍ବତନ ଛାତ୍ର ସୟଦ ଜମାଲ ହସନ ଏପଟସେପଟ ହେଉଥାନ୍ତି। ସେ କୁହନ୍ତି, “ପାଠାଗାରରେ ଅନେକ ପୁସ୍ତକ ଥିଲା, କିନ୍ତୁ ମୁଁ ସେଥିମଧ୍ୟରୁ ସବୁ ପଢ଼ିପାରିନଥିଲି।” ସେ ଉକ୍ତ ବିଦ୍ୟାଳୟରେ ୧୯୭୦ ମସିହାରେ ଜଣେ ତୃତୀୟ ଶ୍ରେଣୀ ଛାତ୍ର ଭାବେ ନାମ ଲେଖାଇଥିଲେ ଏବଂ ଆଲିମ (ସ୍ନାତକ) ପର୍ଯ୍ୟନ୍ତ ପଢ଼ିଥିଲେ।

“ଆଉ କିଛି ଅଛି କି ନାହିଁ ତାହା ଦେଖିବା ପାଇଁ ମୁଁ ଆସିଛି,” ହସନ କୁହନ୍ତି।

PHOTO • Umesh Kumar Ray
PHOTO • Umesh Kumar Ray

ବାମ : ପାଠାଗାରର ସୁରକ୍ଷାକର୍ମୀ ମୋହନ ବାହାଦୂର ବୁଦ୍ଧ କୁହନ୍ତି ଯେ, ଭିଡ଼ ପାଖରେ ଭାଲା (ବର୍ଚ୍ଛା), ତଲୱାର (ଖଣ୍ଡା) ଥିଲା ଏବଂ ସେମାନଙ୍କ ପାଖରେ ଅସ୍ତ୍ରଶସ୍ତ୍ର ଆକାରରେ ଇଟାପଥର ଥିଲା। ଡାହାଣ : ଆକ୍ରମଣ ପରେ ପାଠାଗାରର ଏକ ଫଟୋ

ଏହି ୭୦ ବର୍ଷ ବୟସ୍କ ବ୍ୟକ୍ତି ଜଣଙ୍କ ଚାରି ଆଡ଼କୁ ଦେଖିବା ସମୟରେ, ତାଙ୍କ ଆଖି ଆଗରେ ଏହା ସ୍ପଷ୍ଟ ହୋଇଯାଉଛି ଯେ ଯେଉଁ ହଲ୍‌ରେ ସେ ତାଙ୍କର ଯୁବାବସ୍ଥାରେ ଅଧ୍ୟୟନ କରିଥିଲେ, ଆଜି ତାହା ସମ୍ପୂର୍ଣ୍ଣ ଭାବେ ପୋଡ଼ି ନଷ୍ଟ ହୋଇଯାଇଛି । ଚାରି ଆଡ଼େ କଳା କାଗଜ ଏବଂ ଜଳି ଯାଇଥିବା କିମ୍ବା ଅଧା ଜଳିଥିବା ପୁସ୍ତକର ଅଙ୍ଗାର ପଡ଼ିରହିଛି । ବିଦ୍ୟାଳୟ ଚାଲିଥିବା ସମୟରେ ବିଦ୍ୟାର୍ଥୀ ଓ ଶିକ୍ଷକମାନେ ଯେଉଁଠି ପଢ଼ନ୍ତି ଓ ଗବେଷଣା କରିଥାନ୍ତି ସେହି ସ୍ଥାନରେ ପାଠାଗାରର କାନ୍ଥ  ଧୂଆଁରେ କଳା ପଡ଼ିଯିବା ସହିତ ଫାଟି ଯାଇଛି । ପୋଡ଼ା ପୁସ୍ତକର ଗନ୍ଧ ଏବେ ବି ପବନରେ ଉଡ଼ୁଛି। ବହି ଥିବା କାଠ ଆଲମାରୀ ପୋଡ଼ି ପାଉଁଶ ହୋଇଛି ।

୧୧୩ ବର୍ଷ ପୁରୁଣା ମଦ୍ରାସା ଅଜିଜିୟାରେ ପ୍ରାୟ ୪,୫୦୦ ପୁସ୍ତକ ଥିଲା, ଏଥିମଧ୍ୟରୁ ୩୦୦ଟି ଇସଲାମ ଧର୍ମର ପବିତ୍ର ପୁସ୍ତକ ସମ୍ପୂର୍ଣ୍ଣ କୋରାନ୍ ଓ ହଦିଥ୍‌ର ହସ୍ତଲିଖିତ ପୁସ୍ତକ ରହିଥିଲା। ବିଦ୍ୟାଳୟର ଅଧ୍ୟକ୍ଷ, ମହମ୍ମଦ ଶାକିର କାସମୀ କୁହନ୍ତି, “ଗୋଟିଏ ଆଲମାରୀରେ ଦର୍ଶନ, ଶବ୍ଦପ୍ରୟୋଗ ଏବଂ ଚିକିତ୍ସା ସହ ଜଡ଼ିତ ପୁସ୍ତକ ସମେତ ୨୫୦ କଲମୀ (ହସ୍ତଲିଖିତ) ପୁସ୍ତକ ରହିଥିଲା। ଏହାଛଡ଼ା, ୧୯୧୦ ମସିହାରୁ ସେଠାରେ ପାଠ ପଢ଼ୁଥିବା ଛାତ୍ରଛାତ୍ରୀଙ୍କ ନାମଲେଖା ରେଜିଷ୍ଟର, ମାର୍କଶିଟ୍‌, ସାର୍ଟିଫିକେଟ ଆଦି ରହିଥିଲା।”

ସେହି ଦୁଃଖଦ ଦିନ ବିଷୟରେ ମନେ ପକାଇ, କାସମୀ କୁହନ୍ତି, ‘‘ମୁଁ ସିଟି ପାଲେସ ହୋଟେଲ ନିକଟରେ ପହଞ୍ଚିବା ପରେ, ସହରର ଅବସ୍ଥା ଅତ୍ୟନ୍ତ ଗମ୍ଭୀର ଥିବା ଦେଖିବାକୁ ପାଇଥିଲି। ସବୁଆଡ଼େ କେବଳ ଧୂଆଁ ଥିଲା। ରାଜନୈତିକ ପରିସ୍ଥିତି ସେପରି ନଥିଲା ଯାହାଦ୍ୱାରା ଆମେ ସହର ଭିତରକୁ ପ୍ରବେଶ କରିପାରିଥାନ୍ତୁ।’’

ପରଦିନ ସକାଳେ ଯାଇ ଅଧ୍ୟକ୍ଷ ମଦ୍ରାସା ଭିତରକୁ ପ୍ରବେଶ କରିବା ଲାଗି ସକ୍ଷମ ହୋଇଥିଲେ। ସାରା ସହରର ୩ ଲକ୍ଷ ଲୋକଙ୍କ ପାଇଁ ଆଦୌ ବିଦ୍ୟୁତ ନଥିଲା। ‘‘ମୁଁ ଭୋର ଚାରିଟା ସମୟରେ ଏକାକୀ ଆସିଥିଲି। ମୋବାଇଲ ଟର୍ଚ୍ଚ ମାରି ପାଠାଗାର ଅବସ୍ଥା ଦେଖିବା ପରେ ମୁଁ ସ୍ତବ୍ଧ ହୋଇଯାଇଥିଲି। ନିଜକୁ ସମ୍ଭାଳିବା ପାଇଁ ମୋ ପାଖରେ ସାହସ ସୁଦ୍ଧା ନଥିଲା।’’

*****

PHOTO • Umesh Kumar Ray
PHOTO • Umesh Kumar Ray

ବାମ : ମଦ୍ରାସା ଅଜିଜିୟାର ଅଧ୍ୟକ୍ଷ ମହମ୍ମଦ ଶାକିର କାସମୀ ତାଙ୍କ ପରିବାରରେ ପ୍ରଥମ ପିଢ଼ିର ଶିକ୍ଷକ। ଏପ୍ରିଲ ପହିଲାରେ ସେ ଯେତେବେଳେ ପାଠାଗାରକୁ ଯାଇଥିଲେ, ସେଠାକାର ପରିସ୍ଥିତି ଦେଖି ସ୍ତବ୍ଧ ହୋଇଯାଇଥିଲେ। ଡାହାଣ : ପାଠାଗାରରେ ପୋଡ଼ିଯାଇଥିବା ପୁସ୍ତକଗୁଡ଼ିକର ଅବଶେଷ

ମଦ୍ରାସା ଅଜିଜିୟାର ପ୍ରବେଶ ପଥରେ ୬ରୁ ଅଧିକ ଉଠାଦୋକାନୀ ବସି ମାଛ ବିକ୍ରି କରୁଛନ୍ତି। ସେହି ଅଞ୍ଚଳରେ ଗ୍ରାହକଙ୍କ ଭିଡ଼ ଜମିଛି ଏବଂ ଦୋକାନୀଙ୍କ ମୋଲ ଭାଓ (ମୂଲଚାଲ) ସ୍ୱର ଶୁଣାଯାଉଛି । ରାସ୍ତାରେ ଗାଡ଼ିଗୁଡ଼ିକୁ ଯାଉଛି, ସବୁ କିଛି ସ୍ୱାଭାବିକ ଲାଗୁଛି ।

‘‘ମଦ୍ରାସାର ପଶ୍ଚିମ ପାର୍ଶ୍ୱରେ ଏକ ମନ୍ଦିର ଏବଂ ପୂର୍ବ ପାର୍ଶ୍ୱରେ ଏକ ମସଜିଦ୍‌ ଅଛି । ଅଧ୍ୟକ୍ଷ କାଶମି କୁହନ୍ତି ଯେ, ‘‘ଏହା ଗଙ୍ଗା - ଜମୁନା ତେହଜିବ୍‌ (ସାଂସ୍କୃତିକ ସମନ୍ୱୟ)ର ଏକ ବେହତରିନ ଅଲାମତ୍‌ (ଶ୍ରେଷ୍ଠ ପ୍ରତୀକ)।’’

‘‘ଆମ ଆଜାନ୍‌ (ପ୍ରାର୍ଥନା)ରେ ତାଙ୍କର କୌଣସି ସମସ୍ୟା ହୁଏ ନାହିଁ କିମ୍ବା ସେମାନଙ୍କ ଭଜନକୁ ନେଇ ଆମର କେବେ କିଛି ଅଭିଯୋଗ ନଥାଏ। ଦଙ୍ଗାକାରୀମାନେ ଆମ ତେହଜୀବ୍‌ (ସଂସ୍କୃତି)କୁ ବିଗାଡ଼ିଦେବେ ବୋଲି ମୁଁ କେବେ କଳ୍ପନା କରିନଥିଲି। ଆମେ ଅତି ଦୁଃଖିତ ଅନୁଭବ କରୁଛୁ।’’

ବିଦ୍ୟାଳୟର ଅନ୍ୟମାନେ କୁହନ୍ତି ଯେ, ପରଦିନ ମଧ୍ୟ ଦଙ୍ଗାକାରୀମାନେ ପେଟ୍ରୋଲ ବୋମା ଫିଙ୍ଗି ଅନ୍ୟ କୋଠରୀଗୁଡ଼ିକୁ କ୍ଷତିଗ୍ରସ୍ତ କରିବାକୁ ଚେଷ୍ଟା କରିଥିଲେ । ଗୋଟିଏ ଡଜନରୁ ଅଧିକ ଦୋକାନ ଏବଂ ଗୋଦାମ ଧ୍ୱଂସ କରି ଦିଆଯାଇଥିଲା ଏବଂ ଲୁଟି ନିଆଯାଇଥିଲା। ସେହି ଅଞ୍ଚଳ ଏବଂ ଆଖପାଖ କ୍ଷେତ୍ରର ଲୋକମାନେ କ୍ଷୟକ୍ଷତି ହୋଇଥିବା ନେଇ ଦାୟର କରାଯାଇଥିବା ଏକାଧିକ ପ୍ରାଥମିକ ସୂଚନା ରିପୋର୍ଟ (ଏଫଆଇଆର) ଏହି ରିପୋର୍ଟରକୁ ଦେଖାଇଥିଲେ ।

ବିହାରଶରିଫରେ ସାମ୍ପ୍ରଦାୟିକ ଦଙ୍ଗା ନୂଆ ନୁହେଁ । ୧୯୮୧ ମସିହାରେ, ଏକ ବଡ଼ ଧରଣର ସାମ୍ପ୍ରଦାୟିକ ଦଙ୍ଗା ଘଟିଥିଲା କିନ୍ତୁ ସ୍ଥାନୀୟ ଲୋକମାନେ କୁହନ୍ତି, ସେତେବେଳେ ସୁଦ୍ଧା, ପାଠାଗାର ଏବଂ ମଦ୍ରାସା ଉପରକୁ ଆକ୍ରମଣ କରାଯାଇନଥିଲା।

*****

PHOTO • Shreya Katyayini
PHOTO • Shreya Katyayini

ବାମ : ୧୮୯୬ ମସିହାରେ ବିବି ସୋଘ୍ରାଙ୍କ ଦ୍ୱାରା ପାଟନାଠାରେ ମଦ୍ରାସା ଅଜିଜିୟା ପ୍ରତିଷ୍ଠା କରାଯାଇଥିଲା ଏବଂ ୧୯୧୦ ମସିହାରେ ଏହାକୁ ବିହାରଶରିଫକୁ ସ୍ଥାନାନ୍ତର କରାଯାଇଥିଲା। ଡାହାଣ : ମଦ୍ରାସା ଅଜିଜିୟାରେ ଛାତ୍ରଛାତ୍ରୀଙ୍କ ଦ୍ୱାରା ଆୟୋଜିତ ଏକ ସାଂସ୍କୃତିକ କାର୍ଯ୍ୟକ୍ରମର ପୁରୁଣା ଫଟୋ ପରୀ ଟିମ୍‌କୁ ଦେଖାଉଛନ୍ତି ଅଧ୍ୟକ୍ଷ କାସମୀ

୧୮୯୬ ମସିହାରେ ବିବି ସୋଘ୍ରାଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିବା ମଦ୍ରାସା ଅଜିଜିୟାରେ ମୋଟ୍‌ ୫୦୦ ପୁଅ ଏବଂ ଝିଅ ନାମ ଲେଖାଇଥିଲେ। ଏଠାରେ ନାମ ଲେଖାଉଥିବା ବିଦ୍ୟାର୍ଥୀ ବିହାର ରାଜ୍ୟ ବୋର୍ଡ ସହ ସମାନ୍ତରାଳ ଏକ ସ୍ନାତକୋତ୍ତର ଡିଗ୍ରୀ ପର୍ଯ୍ୟନ୍ତ ପାଠ ପଢ଼ିପାରିବେ ।

ସ୍ଥାନୀୟ ଅଞ୍ଚଳର ଜଣେ ଜମିଦାର ଅବଦୁଲ ଅଜିଜ୍‌ଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ବିବି ସୋଘ୍ରା ଏହି ମଦ୍ରାସା ପ୍ରତିଷ୍ଠା କରିଥିଲେ । ‘‘ସେ ମଧ୍ୟ ବିବି ସୋଘ୍ରା ୱକଫ ଇଷ୍ଟେଟ୍‌ ପ୍ରତିଷ୍ଠା କରିଥିଲେ ଏବଂ ଏଥିରୁ ହେଉଥିବା ଆୟକୁ ସାମାଜିକ କାର୍ଯ୍ୟ ଯଥା – ଶିକ୍ଷାଦାନ ପାଇଁ ମଦ୍ରାସା ପରିଚାଳନା, ଏକ କ୍ଲିନିକ ଚାଳନା, ମସଜିଦ୍ ରକ୍ଷଣାବେକ୍ଷଣ, ପେନସନ, ଖାଦ୍ୟ ବିତରଣ ଏବଂ ଆହୁରି ଅନ୍ୟ ବଦାନ୍ୟ କାମରେ ବିନିଯୋଗ କରାଯାଉଥିଲା,’’ ହେରିଟେଜ୍‌ ଟାଇମ୍ସର ପ୍ରତିଷ୍ଠାତା ଉମର ଅଶ୍ରଫ କୁହନ୍ତି।

ଏହି ମଦ୍ରାସା ମିଳିତ ଜାତିସଂଘ ଜନସଂଖ୍ୟା ପାଣ୍ଠି (ୟୁଏନଏଫପିଏ), ବିହାର ମଦ୍ରାସା ବୋର୍ଡ ଏବଂ ବିହାର ଶିକ୍ଷା ବିଭାଗ ଦ୍ୱାରା ୨୦୧୯ରେ ଆରମ୍ଭ କରାଯାଇଥିବା ଏକ କିଶୋର ଶିକ୍ଷା କାର୍ଯ୍ୟକ୍ରମ ପ୍ରକଳ୍ପ ‘ତାଲିମ – ଇ – ନୌବଲିଘାନ-ର ଏକ ଅଂଶବିଶେଷ ଥିଲା।

ବିବି ସୋଘ୍ରା ୱକଫ ଇଷ୍ଟେଟ୍‌ର ପ୍ରଶାସକ ମଖ୍‌ତାରୁଲ ହକ୍‌ କୁହନ୍ତି, ‘‘ବୋଧହୁଏ ଏହି କ୍ଷତ ( ମଦ୍ରାସା ଓ ପାଠାଗାର ଜାଳିଦେବା) ଅଳ୍ପ ପରିମାଣରେ ଭରଣା ହୋଇଯିବ, କିନ୍ତୁ ଆମକୁ ସବୁଦିନ ପାଇଁ ଯନ୍ତ୍ରଣା ଦେଇ ଚାଲିଥିବ।’’

ଅନୁବାଦ: ଓଡ଼ିଶାଲାଇଭ୍‍

Video : Shreya Katyayini

Shreya Katyayini is a filmmaker and Senior Video Editor at the People's Archive of Rural India. She also illustrates for PARI.

Other stories by Shreya Katyayini
Text : Umesh Kumar Ray

Umesh Kumar Ray is a freelance journalist based in Bihar

Other stories by Umesh Kumar Ray
Editor : Priti David

Priti David is the Executive Editor of PARI. She writes on forests, Adivasis and livelihoods. Priti also leads the Education section of PARI and works with schools and colleges to bring rural issues into the classroom and curriculum.

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE