‘‘ଆମେ ହିଁ ପଶମୀନା ଶାଲକୁ କୋମଳ କରି ଚିକ୍କଣ କରିଥାଉ।’’

ଶ୍ରୀନଗରରେ ଅବଦୁଲ ମଜୀଦ୍‌ ଲୋନଙ୍କ ଘର ଅଡ଼ୁଆ ସୂତାରେ ଅନାବନା ଦେଖାଯାଉଛି। ଚଟାଣରେ ବସି, ହାତରେ ଗୋଟିଏ ୱାଚ (ଏକ ଧାରୁଆ ଲୁହା ଉପରକରଣ) ଧରି ସେ କୁଶଳତା ପୂର୍ବକ ବିଛାଡ଼ି ହୋଇ ପଡ଼ିଥିବା ସୂତାକୁ ଭିଣୁଛନ୍ତି ଏବଂ ନୂଆକରି ବୁଣା ହୋଇଥିବା ପଶମିନା ଶାଲ୍‌ରୁ ଲିଣ୍ଟ୍‌ ବାହାର କରୁଛନ୍ତି। ସେ କୁହନ୍ତି, ‘‘ଆମ ଭଳି ଏକ କଳା ଅଛି ବୋଲି ଖୁବ୍‌ କମ୍‌ ଲୋକ ଜାଣନ୍ତି।’’

ଏହି ୪୨ ବର୍ଷ ବୟସ୍କ ଶିଳ୍ପୀ ଶ୍ରୀନଗର ଜିଲ୍ଲାର ନୱା କଦଲ ୱାର୍ଡରେ ରୁହନ୍ତି। ସେ ଅଧିକ ଦାମ୍‌ର ଏକ ପଶ୍‌ମୀନା ଶାଲ୍‌ରୁ ହାତରେ ପୁର୍ଜ (ଲିଣ୍ଟ ବା ସୂତା) ବାହାର କରିବା ଲାଗି ୱଚ୍‌ ଉପଯୋଗ କରିଥାନ୍ତି। ଏହି କାମକୁ ପୁରଜଗାରୀ କୁହାଯାଏ ଏବଂ କେବଳ ଶ୍ରୀନଗରରେ ଏପରି ୨୦୦ରୁ ଅଧିକ ଶିଳ୍ପୀ କାମ କରୁଛନ୍ତି। ଅବଦୁଲ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି ପୁରଜଗାର ଶିଳ୍ପୀ ଭାବେ କାମ କରି ଆସୁଛନ୍ତି। ଆଠ ଘଣ୍ଟା କାମ କରିବା ତାଙ୍କୁ ପ୍ରାୟ ୨୦୦ ଟଙ୍କା ମିଳିଥାଏ।

ବୁଣା ହୋଇଥିବା, ରଙ୍ଗ ଦିଆଯାଇଥିବା ଏବଂ ଏମ୍ବ୍ରୋଡୋରୀ ହୋଇଥିବା ସବୁ ପ୍ରକାରର ପଶମିନା ଶାଲ୍‌ ପାଇଁ ହାତରେ ପୁରଜଗାରୀ କାମ ହୁଏ। ଏହି କପଡ଼ାର କୋମଳ ପ୍ରକୃତି ଯୋଗୁଁ କୌଣସି ମେସିନ୍‌ କାମ କାରୀଗରମାନଙ୍କ କୁଶଳୀ ହାତ କାମ ସହିତ ତୁଳନୀୟ ହୋଇପାରେ ନାହିଁ।

ପୁରଜଗାରୀ ପାଇଁ ଏକ ୱଚ୍‌ ଜରୁରି। ନିଜ ଆଗରେ କାଠ ତନ୍ତରେ ଭିଡ଼ା ହୋଇ ବନ୍ଧା ହୋଇଥିବା ଏକ ଶାଲକୁ ଧ୍ୟାନର ସହକାରୀ ଦେଖିବା ସହିତ ଅବଦୁଲ କୁହନ୍ତି, ‘‘ଆମର ସମ୍ପୂର୍ଣ୍ଣ ରୋଜଗାର ଏକ ୱଚ ଏବଂ ଏହାର ଗୁଣବତ୍ତା ଉପରେ ନିର୍ଭର କରିଥାଏ।’’ ‘‘ବିନା ୱଚରେ ପଶମିନା ଶାଲ୍‌କୁ ନିଖୁଣ ରୂପ ଦେବା ଆମ ପାଇଁ କଷ୍ଟକର।’’

PHOTO • Muzamil Bhat

ଅବଦୁଲ ମଜିଦ୍‌ ଲୋକ ଏକ ପଶମିନା ଶାଲ୍‌ରେ କାମ କରୁଛନ୍ତି ଯାହାକି ତାଙ୍କ ସାମ୍ନାରେ ଥୁଆ ହୋଇଥିବା କାଠ ତନ୍ତରେ ଭିଡ଼ା ହୋଇ ବନ୍ଧା ହୋଇଛି

PHOTO • Muzamil Bhat

ଏକ ଲୁହା ୱଚ ସହାୟତାରେ ଅବଦୁଲ ଏକ ଶାଲ୍‌ରୁ ଲିଣ୍ଟ ବାହାର କରୁଛନ୍ତି

ସମ୍ପ୍ରତି, ଶ୍ରୀନଗରର ପୁରଜଗାର ମାନେ କମାରମାନଙ୍କୁ ଖୋଜି ପାଉନାହାନ୍ତି ଯେଉଁମାନେ ସେମାନଙ୍କ ଲାଗି ୱଚ୍‌ ତିଆରି କରି ଦେବେ କିମ୍ବା ସେଗୁଡ଼ିକୁ ଭଲ ଭାବେ ଧାରୁଆ କରି ପାରିବେ। ‘‘ଏମିତି ସମୟ ଆସିବ ପୁରଜଗାରୀ କାରିଗରୀ ୱଚ୍ ଅଭାବରୁ ଲୁପ୍ତ ହୋଇଯିବ’’। ଅବଦୁଲ ଚିନ୍ତା ବ୍ୟକ୍ତ କରି କୁହନ୍ତି, ‘‘ମୋ ପାଖରେ ଥିବା ଶେଷ ଉପକରଣଟିକୁ ମୁଁ ଏବେ ବ୍ୟବହାର କରୁଛି। ଏହାର ଧାରୁଆ ଅଂଶ ଚାଲିଯିବା ପରେ, ମୁଁ ବେକାର ହୋଇଯିବି।’’

ଅବଦୁଲଙ୍କ ଘରଠାରୁ ୨୦ ମିନିଟ୍‌ ଦୂର ଚାଲି ଚାଲି ଗଲେ କମାର ଅଲୀ ମହମ୍ମଦ ଅହଙ୍ଗରଙ୍କ ଦୋକାନ ରହିଛି। ଶ୍ରୀନଗର ଜିଲ୍ଲାର ଅଲି କଦଲ ଇଲାକାରେ ପ୍ରାୟ ୧ ଡଜନ କମାରଙ୍କ ଦୋକାନ ରହିଛି ଏବଂ ଅଲିଙ୍କ ଦୋକାନ ସବୁଠୁ ପୁରୁଣା ଦୋକାନଗୁଡ଼ିକ ମଧ୍ୟରୁ ଅନ୍ୟତମ। ଅଲିଙ୍କ ସମେତ କେହି ଜଣେ ହେଲେ କମାର ୱଚ୍‌ଟିଏ ତିଆରି କରିବାକୁ ରାଜି ହେଉନାହାନ୍ତି। ସେମାନେ କୁହନ୍ତି ଯେ ଏଥିପାଇଁ ଲାଗୁଥିବା ଶ୍ରମ ଏବଂ ସମୟ ତୁଳନାରେ ଯଥେଷ୍ଟ ପାରିଶ୍ରମିକ ମିଳିନଥାଏ।

‘‘ୱଚ ତିଆରି କରିବା ଲାଗି ଅଧିକ କୌଶଳ ଆବଶ୍ୟକ ହୋଇଥାଏ। ଗୋଟିଏ ୱଚକୁ ଏପରି ଧାରୁଆ ଏବଂ ନିଖୁଣ ଭାବେ ତିଆରି କରାଯିବା ଜରୁରି ଯାହାଫଳରେ ଏହା ପଶମିନା ଶାଲ୍‌ରେ ଥିବା ସବୁଠୁ ଛୋଟ ଏବଂ ଗୁଡ଼େଇ ହୋଇ ରହିଥିବା ସୂତାକୁ ବାହାର କରିପାରିବ।’’ ଗୋଟିଏ କଟା ଉପକରଣକୁ ହାତୁଡ଼ିରେ ପିଟି ଆକାର ଦେବା ସମୟରେ ୫୦ ବର୍ଷ ବୟସ୍କ ଅଲୀ କୁହନ୍ତି, ‘‘ମୁଁ ନିଶ୍ଚିତ ଯେ ଯଦି ମୁଁ ଏକ ୱଚ ତିଆରି କରିବା ଲାଗି ଚେଷ୍ଟା ମଧ୍ୟ କରିବି, ତଥାପି ମୁଁ ସେଥିରେ ସଫଳ ହୋଇପାରିବି ନାହିଁ।’’ ସେ ଦୃଢ଼ ବିଶ୍ୱାସ ପ୍ରକଟ କରି କୁହନ୍ତି, ‘‘କେବଳ ନୁର ହିଁ ୱଚ୍‌ ତିଆରି କରିବାରେ ସିଦ୍ଧହସ୍ତ ଥିଲେ।’’

୧୫ ବର୍ଷ ତଳେ ନୁର ମହମ୍ମଦଙ୍କ ପରଲୋକ ଘଟିଥିଲା। ଜଣେ କୁଶଳୀ ୱଚ୍‌ ନିର୍ମାତା ଭାବେ ସାରା ଶ୍ରୀନଗରରେ ତାଙ୍କର ପ୍ରସିଦ୍ଧି ରହିଥିଲା। ଶ୍ରୀନଗର ସହର ମଧ୍ୟବର୍ତ୍ତୀ ଆଖପାଖ ଅଞ୍ଚଳରେ ପ୍ରଚଳିତ ଅଧିକାଂଶ ୱଚ ତାଙ୍କ ଦ୍ୱାରା ନିର୍ମିତ। ହେଲେ ପୁରଜଗାରମାନେ ଏଥିପାଇଁ ଚିନ୍ତିତ ହୋଇପଡ଼ିଛନ୍ତି ଯେ, ‘‘ନୁର କେବଳ ତାଙ୍କ ପୁଅକୁ ୱଚ ତିଆରି କରିବା ଶିଖାଇଥିଲେ। କିନ୍ତୁ ତାଙ୍କ ପୁଅ ଏହାକୁ ତିଆରି କରିବା ଲାଗି ଆଗ୍ରହ ପ୍ରକାଶ କରନ୍ତି ନାହିଁ। ସେ ଏକ ଘରୋଇ ବ୍ୟାଙ୍କରେ ଚାକିରି କରୁଛନ୍ତି ଯେଉଁଠାରେ ତାଙ୍କୁ ଏହା ଠାରୁ ଭଲ ପାରିଶ୍ରମିକ ମିଳିଥାଏ,’’ ଯୁବ ପୁରଜଗାର ଫିରୋଜ ଅହମ୍ମଦ କୁହନ୍ତି, ଯିଏକି ମିର୍ଜାନପୁରାରେ ଥିବା ଏକ କର୍ମଶାଳାରେ କରିଥାନ୍ତି।

କର୍ମଶାଳାରେ ଅନ୍ୟ ୧୨ ଜଣ ପୁରଜଗାରଙ୍କ ସହିତ କାମ କରୁଥିବା ୩୦ ବର୍ଷ ବୟସ୍କ ଫିରୋଜ ଏପରି ଏକ ୱଚ୍‌ ବ୍ୟବହାର କରୁଛନ୍ତି ଯାହାକୁ ବିଗତ ଦୁଇ ବର୍ଷ ହେବ ସେ ଠିକ୍‌ ଭାବେ ଧାର କରିନାହାନ୍ତି। ‘‘ ପୁରଜଗାରୀରେ କୌଣସି ଲାଭ ନାହିଁ,’’ ସେ କୁହନ୍ତି। ‘‘ଦଶ ବର୍ଷରେ ଯେତିକି ରୋଜଗାର ହେଉଥିଲା ମୁଁ ଆଜି ସେତିକି ରୋଜଗାର କରୁଛି।’’

PHOTO • Muzamil Bhat

‘ମୁଁ ନିଶ୍ଚିତ ଯେ ଯଦି ମୁଁ ଏକ ୱଚ ତିଆରି କରିବା ଲାଗି ଚେଷ୍ଟା ମଧ୍ୟ କରିବି, ତଥାପି ମୁଁ ସେଥିରେ ସଫଳ ହୋଇପାରିବି ନାହିଁ’

PHOTO • Muzamil Bhat
PHOTO • Muzamil Bhat

ମିର୍ଜାନପୁରାରେ ଥିବା ଏକ କର୍ମଶାଳାରେ କାମ କରୁଥିବା ଜଣେ ପୁରଜଗାର ଫିରୋଜ ଅହମ୍ମଦ କାମ କରିବା ଲାଗି ବ୍ୟବହାର କରୁଥିବା ୱଚକୁ ଗତ ଦୁଇ ବର୍ଷ ହେଲା ଧାର କରିନାହାନ୍ତି

‘‘ଜଣେ ପୁରଜଗାର ଭାବେ କାମ କରିବାର ୪୦ ବର୍ଷ ମଧ୍ୟରେ, ମୁଁ ଏହି ବେଉସା ପାଇଁ ଏତେ କଷ୍ଟକର ସମୟ କେବେ ଦେଖିନାହିଁ,’’ ନାଜିର ଅହମ୍ମଦ ଭଟ କୁହନ୍ତି। ‘’କୋଡ଼ିଏ ବର୍ଷ ପୂର୍ବରୁ, ମୋତେ ଗୋଟିଏ ଶାଲ୍‌କୁ ୩୦ ଟଙ୍କା ମିଳୁଥିଲା। ସମାନ କାମ ପାଇଁ ମୁଁ ଏବେ ୫୦ ଟଙ୍କା ରୋଜଗାର କରୁଛି।’’ ନାଜିରଙ୍କ କାରିଗରୀ ବୃତ୍ତିରେ ବାର୍ଷିକ ଗୋଟିଏ ଟଙ୍କାର ବେତନ ବୃଦ୍ଧି ହେଉଛି।

ଶ୍ରୀନଗର ସ୍ଥିତ ହସ୍ତଶିଳ୍ପ ଓ ହସ୍ତତନ୍ତ ବିଭାଗର ଅଧିକାରୀମାନେ ପରୀକୁ ଦେଇଥିବା ଏକ ରିପୋର୍ଟ ଅନୁଯାୟୀ, ପୁରଜଗାର ମାନଙ୍କ ସମସ୍ୟା କାରଣରୁ ବିଗତ ଦଶନ୍ଧିରେ କାଶ୍ମିରୀ ଶାଲ୍‌ ରପ୍ତାନି ବିଶେଷ ଭାବେ ହ୍ରାସ ପାଇଛି। ୨୦୧୨-୧୩ରେ ରପ୍ତାନି ପରିମାଣ ୬୨୦ କୋଟି ଟଙ୍କା ଥିବା ବେଳେ ୨୦୨୧-୨୨ରେ ଏହା ୧୬୫.୯୮ କୋଟି ଟଙ୍କାକୁ ହ୍ରାସ ପାଇଛି।

ଦୁଇ ମାସ ଧରି ନିୟମିତ ବ୍ୟବହାର କରିବା ପରେ ୱଚକୁ ଧାରୁଆ କରିବାର ଆବଶ୍ୟକତା ରହିଛି। କାମ କମ୍‌ ଥିବା ସମୟରେ, ଖୁବ୍‌ କମ୍‌ ସଂଖ୍ୟକ କମାର ଏହି କୌଶଳ ଶିଖିବା ପାଇଁ ଆଗ୍ରହ ପ୍ରକାଶ କରିଥାନ୍ତି।

‘‘ୱଚକୁ କେମିତି ତିଆରି ଏବଂ ଧାର କରିବାକୁ ହେବ ତାହା ପ୍ରକୃତରେ ପୁରଜଗାର ମାନେ ଜାଣନ୍ତି ନାହିଁ, ନାଜିର କୁହନ୍ତି। ତାଙ୍କ ପରିବାରର ତିନି ପଢ଼ି ଧରି ଏବେ ସୁଦ୍ଧା ପୁରଜଗାରୀ କାମ କରି ଆସୁଛନ୍ତି। ଚେପଟା ଆକାର ଏବଂ ଧାରୁଆ ଦାଢ଼ ଥିବା ଫାଇଲ ଭଳି ଉପକରଣ ବ୍ୟବହାର କରି କିଛି ପୁରଜଗାର ମାନେ ୱଚକୁ ଧାର କରିବା କରିବା ଲାଗି ଚେଷ୍ଟା କରିଛନ୍ତି। କିନ୍ତୁ ଏଥିରୁ ସନ୍ତୋଷ ଜନକ ପରିଣାମ ମିଳନଥିବା, ନାଜିର କୁହନ୍ତି।

‘‘ଆମେ ଯେମିତି ହେଉ ଚଳାଇ ନେଉଛୁ,’’ ସେ କୁହନ୍ତି।

PHOTO • Muzamil Bhat

‘ଏକ ସାଦା ଶାଲ୍‌ରୁ ପୁର୍ଜ-ଅଡ଼ୁଆ ସୂତା ଓ ଲିଣ୍ଟ୍‌ ବାହାର କରିବା ସମୟରେ ନାଜିର ଅହମ୍ମଦ ଭଟ କୁହନ୍ତି, ‘ଆମକୁ କମ୍‌ ମଜୁରି ମିଳୁଛି, ଉପକରଣ ଅଭାବ ଦେଖା ଦେଇଛି ଏବଂ ଆମ କାମକୁ କୌଣସି ମାନ୍ୟତା ମିଳୁନାହିଁ

PHOTO • Muzamil Bhat
PHOTO • Muzamil Bhat

ବାମ: ନାଜିର ଏକ ଫାଇଲ ବ୍ୟବହାର କରି ନିଜ ୱଚକୁ ଧାରୁଆ କରୁଛନ୍ତି, ଯାହାକି ଏକ ଅଧୁରା କାମ। ଡାହାଣ: ନିଖୁଣ ପଶମିନା ଶାଲରୁ ଅଡ଼ୁଆ ସୂତା ବାହାର କରିବା ଲାଗି ତାଙ୍କ ୱଚ୍‌ ଏବେ ଠିକ୍‌ ଭାବେ ଧାରୁଆ ହୋଇଛି କି ନାହିଁ ତାହା ସେ ଯାଞ୍ଚ କରୁଛନ୍ତି

କର୍ମଶାଳାରେ ନାଜିରଙ୍କ ପାଖରେ ବସିଥିବା ଆଶିକ୍‌ ଅହମ୍ମଦ କୁହନ୍ତି, ‘‘ଏହି ୱଚ୍‌ ଧାର ହୋଇଛି କି ନାହିଁ ଦେଖ।’’ ସେ ନିଜ ହାତରେ ଧରିଥିବା ୱଚର ଦାନ୍ତ ଆଡ଼କୁ ଇସାରା କରି କହୁଛନ୍ତି: ‘‘ମୁଁ ଦିନକୁ ୨-୩ଟି ଶାଲ୍‌ ଉପରେ କାମ କରିପାରିବି। ଏଥିରେ ଦିନକୁ ମୁଁ ଅତିବେଶୀରେ ୨୦୦ ଟଙ୍କା ରୋଜଗାର କରିପାରିବି।’’ ଖରାପ ୱଚରେ କାମ କଲେ ଗୋଟିଏ ଶାଲ୍‌ ସଫା କରିବାକୁ ଅଧିକ ସମୟ ଲାଗିଥାଏ। ଆଶିକ୍‌ କୁହନ୍ତି, ଏକ ଧାରୁଆ ଉପକରଣ ତାଙ୍କର ଗତି ଓ ସଠିକତାକୁ ବଢ଼ାଇ ଦେଇଥାଏ, ଅଧିକ ରୋଜଗାର – ଅର୍ଥାତ୍‌ ଦିନକୁ ପ୍ରାୟ ୫୦୦ ଟଙ୍କା ପାଇବାରେ ସାହାଯ୍ୟ କରିଥାଏ।

୪୦ x ୮୦ ଇଞ୍ଚ ଆକାରର ଏକ ସାଦା ପଶମିନା ଶାଲ ପାଇଁ ପୁରଜଗାର ମାନେ ଗୋଟାକୁ ୫୦ ଟଙ୍କା ଲେଖାଏଁ ରୋଜଗାର କରିଥାନ୍ତି। ଏମ୍ବ୍ରୋଡୋରୀ ହୋଇଥିବା ଶାଲକୁ ସ୍ଥାନୀୟ ଅଞ୍ଚଳରେ ‘କନି’ କୁହାଯାଏ ଏବଂ ଏଥିରୁ ସେମାନଙ୍କୁ ୨୦୦ ଟଙ୍କା ପାରିଶ୍ରମିକ ମିଳେ।

ଏସବୁ ସମସ୍ୟା ସମାଧାନ କରିବା ଲାଗି ଏକ ପ୍ରୟାସ ସ୍ୱରୂପ ସରକାର ନିଜ ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗ ଅଧୀନରେ ପୁରଜଗାର ମାନଙ୍କୁ ପଞ୍ଜୀକରଣ କରିବା ଲାଗି ଏକ ଯୋଜନା ଆରମ୍ଭ କରିଥିଲେ। ଚଳିତ ବର୍ଷ ମାର୍ଚ୍ଚ-ଏପ୍ରିଲ ପାଇଁ ନିର୍ଦ୍ଧାରିତ ଏହି ଯୋଜନାରେ, ‘‘ପଞ୍ଜୀକରଣ ଫଳରେ ପୁରଜଗାର ମାନଙ୍କୁ ଆର୍ଥିକ ସହାୟତା ପାଇବାରେ ବିଶେଷ ସହାୟତା କରିବ,’’ ବିଭାଗର ନିର୍ଦ୍ଦେଶକ ମେହମୁଦ ଅହମ୍ମଦ ଶାହ କୁହନ୍ତି।

ପଞ୍ଜୀକରଣ ଦ୍ୱାରା ଭଲ ଦିନ ଆସିବ ବୋଲି ପ୍ରତିଶ୍ରୁତି ମିଳିଥିବା ବେଳେ ବର୍ତ୍ତମାନ ଆଗକୁ ବଢ଼ିବା ଲାଗି ପୁରଜଗାର ମାନେ ସଂଘର୍ଷ କରୁଛନ୍ତି।

PHOTO • Muzamil Bhat
PHOTO • Muzamil Bhat

ବାମ: ଏକ ୱଚ ସହିତ ଲାଗିଥିବା ପୁର୍ଜକୁ ବାହାର କରିବା ଲାଗି ଏକ ପଶମିନା ଶାଲ ଉପରେ ଶୁଖିଲା କଲରା ଚୋପାରେ ଘଷୁଛନ୍ତି ଜଣେ ପୁରଜଗାର। ଡାହାଣ : ଦିନ ସାରା କାମ କରି ବାହାର କରିଥିବା ପୁର୍ଜକୁ ଦେଖାଉଛନ୍ତି ପୁରଜଗାର ଆଶିକ

PHOTO • Muzamil Bhat
PHOTO • Muzamil Bhat

ବାମ: ଖୁର୍ସିଦ ଅହମ୍ମଦ ଭଟ ଏକ କନି ଶାଲ୍‌ ଉପରେ କାମ କରୁଛନ୍ତି। ଡାହାଣ : ଯଦି ୪୦ x ୮୦ ଇଞ୍ଚ ଠାରୁ ଶାଲ୍‌ ର ଆକାର ବଡ଼ ହୋଇଥାଏ, ତା’ହେଲେ ଗୋଟିଏ ତନ୍ତରେ ଏହା ଉପରେ ଦୁଇ ଜଣ ପୁରଜଗାର କାମ କରିଥାନ୍ତି

ନିଜର ଏହି କାରିଗରୀରୁ ସେମାନେ ସ୍ଥିର ଆୟ କରିବାରେ ସକ୍ଷମ ହୋଇପାରିବେ ନାହିଁ ବୋଲି ଅନେକ ଯୁବ ପୁରଜଗାରମାନେ ଆଶଙ୍କା ବ୍ୟକ୍ତ କରିଥାନ୍ତି। ଫିରୋଜ କୁହନ୍ତି, ‘‘ଯଦି କେବେ କିଛି ସୁଯୋଗ ମିଳେ ତା’ହେଲେ ମୁଁ ଅନ୍ୟ କୌଣସି ବେଉସା ଗ୍ରହଣ କରିନେବି’’। ତାଙ୍କର ଜଣେ ସହକର୍ମୀ କୁହନ୍ତି, ‘‘ମୁଁ ୪୫ ବର୍ଷ ବୟସରେ ବାହା ହେଉଛି ବୋଲି ଆପଣ ବିଶ୍ୱାସ କରିବେ କି? କମ୍‌ ରୋଜଗାର କରୁଥିବାରୁ କେହି ହେଲେ ପୁରଜଗାର ଙ୍କୁ ବାହା ହେବାକୁ ରାଜି ହେଉନାହାନ୍ତି। କିଛି ଅଲଗା କାମ କରିବା ଏହା ଠାରୁ ଭଲ।’’

ଏହି ଅବସରରେ ତୁରନ୍ତ ହସ୍ତକ୍ଷେପ କରି ଫୟଜ ଅହମ୍ମଦ ଶଲା (୬୨) କୁହନ୍ତି, ‘‘ଏହା ସେତେ ସହଜ ନୁହେଁ।’’ ସେ ଆଗ୍ରହର ସହିତ ଦୁଇ ଯୁବ ପୁରଜଗାର ଙ୍କ କଥା ଶୁଣି ଆସୁଥିଲେ। ୧୨ ବର୍ଷ ବୟସରୁ ଏହି କାମ କରିଆସୁଥିବା ଫୟଜ ପୁରୁଣା ଦିନର ଆନନ୍ଦଦାୟକ ସ୍ମୃତିକୁ ମନେ ପକାଇ ପୁରଜଗାରୀ ବିଷୟରେ କୁହନ୍ତି। ‘‘ମୋ ବାପା ହବିବ-ଉଲ୍ଲା ଶଲାଙ୍କଠାରୁ ମୁଁ ଏହି କୌଶଳ ଶିକ୍ଷା ଲାଭ କରିଥିଲି। ଏପରିକି ଶ୍ରୀନଗର ସହର ମଧ୍ୟଭାଗରେ ଥିବା ଅଧିକାଂଶ ପୁରଜଗାର ମାନେ ମୋ ବାପାଙ୍କ ଠାରୁ ହିଁ ଏହି କୌଶଳ ଶିକ୍ଷାଲାଭ କରିଛନ୍ତି।’’

ଭବିଷ୍ୟତ ଅନିଶ୍ଚିତ ହୋଇଥିଲେ ସୁଦ୍ଧା, ପୁରଜଗାରୀ ଛାଡ଼ିବାକୁ ଫୟଜ କୁଣ୍ଠାବୋଧ କରିଥାନ୍ତି- ‘‘ଅନ୍ୟ ବେଉସା ସମ୍ପର୍କରେ ମୋର କମ୍‌ ଜ୍ଞାନ ରହିଛି’’, ସେ ଏପରି ବିଚାରକୁ ଖାରଜ କରି କୁହନ୍ତି। ସମୟ ପରିକ୍ଷୀତ ଏକ ପଦକ୍ଷେପ ସହିତ, ସେ ଏକ ନିଖୁଣ ପଶମିନା ଶାଲରୁ ଲିଣ୍ଟ ବାହାର କରିବା ସମୟରେ ସ୍ମିତ ହସି କୁହନ୍ତି, ‘‘ମୁଁ କେବଳ ପୁରଜଗାରୀ ହିଁ ଜାଣିଛି।’’

ଅନୁବାଦ : ଓଡ଼ିଶାଲାଇଭ୍‍

Muzamil Bhat

Muzamil Bhat is a Srinagar-based freelance photojournalist and filmmaker.

Other stories by Muzamil Bhat
Editor : Dipanjali Singh

Dipanjali Singh is an Assistant Editor at the People's Archive of Rural India. She also researches and curates documents for the PARI Library.

Other stories by Dipanjali Singh
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE