‘‘ ସେଠାରେ କୌଣସି ଛୁଟି ବିକଳ୍ପ, ବିରତି କିମ୍ବା କାର୍ଯ୍ୟନିର୍ଘଣ୍ଟ ନିର୍ଦ୍ଧାରିତ ନାହିଁ’’

ଶେକ୍‌ ସଲାଉଦ୍ଦିନ୍ ହାଇଦ୍ରାବାଦସ୍ଥିତ ଏକ ଏଗ୍ରିଗେଟେଡ୍ କ୍ୟାବ୍ କଂପାନିରେ ଡ୍ରାଇଭର ଅଛନ୍ତି। ୩୭ ବର୍ଷୀୟ ଶେକ୍‌ ଜଣେ ସ୍ନାତକ କିନ୍ତୁ ସେ କଂପାନି ସହିତ କରିଥିବା ଚୁକ୍ତିନାମାକୁ କେବେ ହେଲେ ପଢ଼ିନଥିବା କଥା କହନ୍ତି ଯେଉଁ କଂପାନିର ନାମ ପ୍ରକାଶ କରିବାକୁ ସେ ଅନିଚ୍ଛୁକ। ‘‘ଏହା ବହୁତ ଅଧିକ ଆଇନଗତ ସର୍ତ୍ତରେ ପରିପୂର୍ଣ୍ଣ।’’ ଚୁକ୍ତିନାମା କେବଳ ସେହି ଆପ୍‌ରେ ରହିଛି ଯାହାକୁ ସେ ଡାଉନଲୋଡ୍ କରିଛନ୍ତି; କିନ୍ତୁ ତାଙ୍କ ନିକଟରେ ତାର କୌଣସି ପ୍ରିଣ୍ଟ ହୋଇଥିବା କପି ନାହିଁ।

ଡେଲିଭରି ଏଜେଣ୍ଟ ରମେଶ ଦାସ (ନାମ ପରିବର୍ତ୍ତିତ) କହନ୍ତି, ‘‘କୌଣସି ଚୁକ୍ତିନାମା ସ୍ୱାକ୍ଷରିତ ହୋଇନଥିଲା।’’ ପଶ୍ଚିମବଙ୍ଗ ପଶ୍ଚିମ ମେଦିନୀପୁର ଜିଲ୍ଲା ବାହା ରୁନାର ନିଜ ଗାଁରୁ କୋଲକାତାକୁ ପ୍ରବାସୀ ଭାବେ ଆସିଥିବା ରମେଶ ସେଠାରେ ପହଞ୍ଚିବା ପରେ କୌଣସି ଆଇନଗତ ଗ୍ୟାରେଣ୍ଟି ଅପେକ୍ଷା ଯଥାଶୀଘ୍ର ଏକ ଚାକିରି ପାଇବାକୁ ଚାହୁଁଥିଲେ। ସେ ଦର୍ଶାଇଲେ, ‘‘କୌଣସି କାଗଜପତ୍ର କାମ ନ ଥିଲା। ଆମର ଆଇଡି [ପରିଚୟପତ୍ର] ଆପ୍‌ରେ ଅନ୍ତର୍ଭୁକ୍ତ କରାଯାଇଛି, ଯାହାକି ଏକମାତ୍ର ପରିଚୟ। ଆମେ ବିକ୍ରେତାଙ୍କ ମାଧ୍ୟମରେ [ତୃତୀୟ ପକ୍ଷ ମାଧ୍ୟମରେ ବାହାରୁ ଅଣାଯାଇଥିବା] ନିଯୁକ୍ତି ପାଇଛୁ।’’

ରମେଶ ପାର୍ସଲ ପିଛା କମିଶନ ଭାବେ ପ୍ରାୟ ୧୨ରୁ୧୪ ଟଙ୍କା ଆୟ କରନ୍ତି ଏବଂ ଯଦି ସେ ଦିନକୁ ୪୦ରୁ୪୫ଟି ପାର୍ସଲ ପହଞ୍ଚାନ୍ତି ତେବେ ପ୍ରାୟ ୬୦୦ ଟଙ୍କା ରୋଜଗାର କରିପାରନ୍ତି। ସେ ଆହୁରି କହିଲେ, ‘‘ତେଲ ପାଇଁ ଟଙ୍କା ମିଳେ ନାହିଁ, ବୀମା ନାହିଁ, ସ୍ୱାସ୍ଥ୍ୟ ସୁବିଧା ନାହିଁ, ଅନ୍ୟ କୌଣସି ଭତ୍ତା ନାହିଁ।’’

PHOTO • Amrutha Kosuru
PHOTO • Smita Khator

ବାମ: ଶେକ୍‌ ସଲାଉଦ୍ଦିନ୍ ହାଇଦ୍ରାବାଦସ୍ଥିତ ଏକ ଏଗ୍ରିଗେଟେଡ୍ କ୍ୟାବ୍ କଂପାନିରେ ଡ୍ରାଇଭର ଅଛନ୍ତି। ସେ କହନ୍ତି, ସେ ଗାଡ଼ି ଚଳାଇବା ଏଥିପାଇଁ ଶିଖିଲେ କାରଣ ଏହି ଦକ୍ଷତା ଶିଖିବା ତାଙ୍କ ପାଇଁ ସବୁଠାରୁ ସହଜ ଥିଲା। ଡାହାଣ: ବର୍ଷାଦିନରେ ପାର୍ସଲ ପହଞ୍ଚାଇବା ସବୁଠାରୁ କଷ୍ଟକର

ତିନି ବର୍ଷ ତଳେ ବିଳାସପୁରସ୍ଥିତ ନିଜ ଘରୁ ରାୟପୁରକୁ ଆସିବା ପରେ ସାଗର କୁମାର ସ୍ଥାୟୀ ଜୀବନଧାରଣ ପାଇଁ ଦୁଇଟି ଜୀବିକା ଆପଣାଇଛନ୍ତି। ୨୪ ବର୍ଷୀୟ ସାଗର ସକାଳ ୧୦ଟାରୁ ସଂଧ୍ୟା ୬ଟା ଯାଏଁ ଛତିଶଗଡ଼ର ରାଜଧାନୀରେ ଏକ ଅଫିସ୍‌ରେ ସିକ୍ୟୁରିଟି ଗାର୍ଡ ଭାବେ କାମ କରନ୍ତି, ଏବଂ ତା’ ପରେ ମଧ୍ୟରାତ୍ରି ୧୨ଟା ଯାଏଁ ବିଭିନ୍ନ ସ୍ଥାନରେ ନିଜର ବାଇକ୍‌ରେ ସ୍ୱିଗି ଅର୍ଡର ପହଞ୍ଚାଇଥାନ୍ତି।

ବେଙ୍ଗାଲୁରୁର ଏକ ପ୍ରସିଦ୍ଧ ଭୋଜନାଳୟ ବାହାରେ ସ୍ୱିଗି ଡେଲିଭରି ଏଜେଣ୍ଟମାନଙ୍କର ଏକ ଲମ୍ବା ଲାଇନ୍ ପ୍ରତୀକ୍ଷାରତ, ସେମାନଙ୍କର ସ୍ମାର୍ଟଫୋନକୁ ସେମାନେ ପାପୁଲି ମଧ୍ୟରେ ଧରିଛନ୍ତି। ସୁନ୍ଦର ବାହାଦୂର ବିଷ୍ଟ ଆଗାମୀ ଅର୍ଡର ସହିତ ନିଜର ଫୋନ୍ ବିପ୍ କରିବାକୁ ଅପେକ୍ଷା କରିଛନ୍ତି। ଅଷ୍ଟମ ଶ୍ରେଣୀରୁ ପାଠ ଛାଡିଥିବା ସୁନ୍ଦର ସେହି ଭାଷାରେ ନିର୍ଦ୍ଦେଶଗୁଡିକ ସହିତ ସଂଘର୍ଷ କରୁଛନ୍ତି ଯାହାକୁ ସେ ଏବେ ଏବେ ଶିଖୁଛନ୍ତି।

‘‘ମୁଁ ଏହାକୁ ଇଂରାଜୀ ଭାଷାରେ ପଢେ, ମୁଁ ବାସ୍ କାମ ଚଳାଇନିଏ। ପଢିବାକୁ ବେଶୀ କିଛି ନାହିଁ… ପ୍ରଥମ ମହଲା, ୧ଏ ଫ୍ଲାଟ୍…’’ ସେ ପଢିଲେ। ଏବଂ ତାଙ୍କ ନିକଟରେ କୌଣସି ଚୁକ୍ତିନାମା ନାହିଁ ଓ ‘କାର୍ଯ୍ୟାଳୟ’ ଭାବେ ଦର୍ଶାଇବା ଲାଗି କୌଣସି ସ୍ଥାନ ନାହିଁ।’’ ‘‘ଛୁଟି, ଅସୁସ୍ଥତା ପାଇଁ ଛୁଟି, ସବୁ ଉପଲବ୍ଧ ନାହିଁ।’’

୨୦୨୨ରେ ପ୍ରକାଶିତ ହୋଇଥିବା ନୀତି ଆୟୋଗର ଏକ ରିପୋର୍ଟ ଅନୁସାରେ ଶେକ୍, ରମେଶ, ସାଗର ଏବଂ ସୁନ୍ଦର ସାରା ଦେଶରେ ମହାନଗର ଏବଂ ଛୋଟ ସହରରେ ପରିବ୍ୟାପ୍ତ ଭାରତର ଆନୁମାନିକ ୭.୭ ନିୟୁତ ମୁକ୍ତବୃତ୍ତି ଶ୍ରମିକଙ୍କ ମଧ୍ୟରେ ଅନ୍ୟତମ।

PHOTO • Purusottam Thakur
PHOTO • Priti David

ବାମ: ସାଗର କୁମାର ଅଧିକ ରୋଜଗାର କରିବା ଲାଗି ବିଳାସପୁରସ୍ଥିତ ନିଜ ଘର ଛାଡି ରାୟପୁର ଆସିଲେ। ଡାହାଣ: ବେଙ୍ଗାଲୁରରେ ସୁନ୍ଦର ବାହାଦୂର ବିଷ୍ଟ ଆପ୍ କିଭଳି କାମ କରିଥାଏ ଏବଂ ତାଙ୍କୁ କିଭଳି ପରବର୍ତ୍ତୀ ଡେଲିଭରି ଲାଗି ଅର୍ଡର ମିଳିଥାଏ ତାହା ଦେଖାଉଛନ୍ତି

ସେମାନଙ୍କ ମଧ୍ୟରେ ସେହି ଶ୍ରମିକ ସାମିଲ ଯେଉଁମାନେ କ୍ୟାବ୍‌ ଚଳାନ୍ତି, ଖାଦ୍ୟ ଓ ପାର୍ସଲ୍‌ ପହଞ୍ଚାନ୍ତି ଏବଂ ଏପରିକି ଘରେ ପାର୍ଲରର ସୁବିଧା ପ୍ରଦାନ କରିଥାଆନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଯୁବଗୋଷ୍ଠୀ ଅଛନ୍ତି ଯେଉଁମାନଙ୍କର ଫୋନ୍‌ ସେମାନଙ୍କର କାର୍ଯ୍ୟସ୍ଥଳୀ ପାଲଟିଯାଇଛି, କାର୍ଯ୍ୟର ସବିଶେଷ ବଟ୍‌ ଜେନେରେଟେଡ୍‌ ହୋଇଥାଏ ଏବଂ ଚାକିରି ନିରାପତ୍ତା ଜଣେ ଦିନ ମଜୁରିଆ ଭଳି ଅନିଶ୍ଚିତ। ବିଗତ କିଛି ମାସ ମଧ୍ୟରେ, ଅତିକମ୍‌ରେ ଏହିପରି ଦୁଇ ଜଣ ନିଯୁକ୍ତିଦାତା ବ୍ୟୟ କମ୍‌ କରିବା ଦର୍ଶାଇ ହଜାର ହଜାର ଶ୍ରମିକଙ୍କୁ ଛଟେଇ କରିଛନ୍ତି।

ପିରିୟଡିକ୍‌ ଲେବର ଫୋର୍ସ ସର୍ଭେ (ଜୁଲାଇ-ସେପ୍ଟେମ୍ବର ୨୦୨୨) ଅନୁସାରେ ୧୫ରୁ୨୯ ବର୍ଷ ବୟସ ବର୍ଗର ଶ୍ରମିକଙ୍କ ମଧ୍ୟରେ ବେକାରି ହାର ୧୮.୫ ପ୍ରତିଶତ ହୋଇଥିବା ବେଳେ, ଆଇନଗତ ଓ ଚୁକ୍ତିଭିକ୍ତିକ ବ୍ୟବଧାନ ସତ୍ୱେ କୌଣସି ବି ଚାକିରି ପାଇବା ଲାଗି ବ୍ୟଗ୍ରତା ରହିଛି। ସହରରେ ଅନ୍ୟ ଦିନ ମଜୁରିଆଙ୍କ ତୁଳନାରେ ମୁକ୍ତବୃତ୍ତି-କାମ ଅଧିକ ହେବାର ବହୁ କାରଣ ରହିଛି।

ସାଗର ଦର୍ଶାଇଲେ, ‘‘ମୁଁ ଜଣେ କୁଲି ଭାବେ ଏବଂ ଲୁଗା ଓ ବ୍ୟାଗ୍ ଦୋକାନରେ କାମ କରିଛି। ସ୍ୱିଗି [ପହଞ୍ଚାଇବା] ପାଇଁ ମୋତେ ଏକ ବାଇକ୍ ଓ ଫୋନ୍‌ ର ଆବଶ୍ୟକତା ରହିଛି। ମୋତେ ଭାରୀ ଜିନିଷ ଉଠାଇବାକୁ ପଡୁନାହିଁ କିମ୍ବା ଏଭଳି କିଛି କାମ କରିବାକୁ ପଡୁନାହିଁ ଯାହାକି ମୋ ଶରୀର ଲାଗି ଅତି କଷ୍ଟକର’’। ରାୟପୁରରେ ସନ୍ଧ୍ୟା ୬ଟା ପରେ ଖାଦ୍ୟ ଏବଂ ଅନ୍ୟାନ୍ୟ ଜିନିଷ ପହଞ୍ଚାଇ ସେ ଦିନକୁ ୩୦୦-୪୦୦ ଟଙ୍କା ରୋଜଗାର କରିଥାନ୍ତି, ପର୍ବପର୍ବାଣୀ ସମୟରେ ତାହା ଦିନକୁ ୫୦୦ ଯାଏ ବି ହୋଇଯାଏ। ତାଙ୍କର ପରିଚୟପତ୍ର ୨୦୩୯ ଯାଏ ବୈଧ କିନ୍ତୁ ସେଥିରେ ତାଙ୍କର ବ୍ଲଡ୍ ଗ୍ରୁପ୍ ଏବଂ ଜରୁରୀକାଳୀନ ଯୋଗାଯୋଗ ନମ୍ବର ନାହିଁ; ସେ କହନ୍ତି ଏହି ସବୁ ବିବରଣୀକୁ ଅପଡେଟ୍ କରିବା ଲାଗି ତାଙ୍କ ପାଖରେ ସମୟ ନଥିଲା।

କିନ୍ତୁ ଅନ୍ୟମାନଙ୍କ ବିପରୀତରେ ଏକ ସୁରକ୍ଷା ଏଜେନ୍ସିରେ ସାଗରଙ୍କର ଦିନର ଚାକିରି ତାଙ୍କୁ  ୧୧୦୦୦ ଟଙ୍କାର ମାସିକ ରୋଜଗାର ସହିତ ସ୍ୱାସ୍ଥ୍ୟ ବୀମା ଏବଂ ଏକ ପ୍ରୋଭିଡେଣ୍ଟ ଫଣ୍ଡ ପ୍ରଦାନ କରିଥାଏ। ଏହି ସ୍ଥିରତା ଏବଂ ଡେଲିଭରିରୁ ହେଉଥିବା ଅତିରିକ୍ତ ଆୟ ଯୋଗୁଁ ସେ ତାଙ୍କର ସଞ୍ଚୟ କରିପାରିଛନ୍ତି। ‘‘ଗୋଟିଏ ରୋଜଗାରରେ ମୁଁ ସଞ୍ଚୟ କରିପାରୁନଥିଲି, ମୋ ପରିବାର ଲୋକଙ୍କ ନିକଟକୁ ଟଙ୍କା ପଠାଇ ପାରୁନଥିଲି ଏବଂ କରୋନା ସମୟରେ କରିଥିବା ଋଣ ଶୁଝିପାରୁନଥିଲି। ଏବେ ମୁଁ ଅତି କମ୍‌ରେ କିଛି ସଞ୍ଚୟ କରିପାରିବି।’’

PHOTO • Purusottam Thakur

ସାଗର କହନ୍ତି, ‘ଆମର ଆର୍ଥିକ ଅବସ୍ଥା ଯୋଗୁଁ ମୁଁ ଦଶମ ଶ୍ରେଣୀ ପରେ [ବିଳାସପୁରରେ] ପାଠ ଛାଡିବାକୁ ବାଧ୍ୟ ହେଲି। ମୁଁ ସହରକୁ[ରାୟପୁର] ଯିବା ଏବଂ କାମ କରିବାକୁ ନିଷ୍ପତ୍ତି ନେଲି’

ବିଳାସପୁରରେ ସାଗରଙ୍କ ବାପା ସାଇରାମ ସହରରେ ଏକ ପରିବା ଦୋକାନ ଚଳାନ୍ତି ଏବଂ ତାଙ୍କ ମା’ ସୁନୀତା ତାଙ୍କର ସାନ ଭାଇ- ୬ ବର୍ଷୀୟ ଭବେଶ ଏବଂ ବର୍ଷକର ଚରଣଙ୍କର ଯତ୍ନ ନିଅନ୍ତି। ଏହି ପରିବାର ଛତିଶଗଡ଼ରେ ଏକ ଦଳିତ ସଂପ୍ରଦାୟର ଅନ୍ତର୍ଭୁକ୍ତ। ସେ କହନ୍ତି, ‘ଆମର ଆର୍ଥିକ ଅବସ୍ଥା ଯୋଗୁଁ ମୁଁ ଦଶମ ଶ୍ରେଣୀ ପରେ ପାଠ ଛାଡ଼ିବାକୁ ବାଧ୍ୟ ହେଲି। ମୁଁ ସହରକୁ ଯିବାକୁ ଏବଂ କାମ କରିବାକୁ ନିଷ୍ପତ୍ତି ନେଲି।’’

ହାଇଦ୍ରାବାଦରେ ଆପ୍ ଆଧାରିତ କ୍ୟାବ୍ ଡ୍ରାଇଭର ଶେକ୍ କହନ୍ତି ସେ ଡ୍ରାଇଭିଂ ଏଥିପାଇଁ ଶିଖିଲେ କାରଣ ଏହି ଦକ୍ଷତା ଶିଖିବା ତାଙ୍କ ଲାଗି ସବୁଠୁ ସହଜ ଥିଲା। ତିନିଟି ଛୋଟ ଝିଅଙ୍କର ବାପା କହନ୍ତି ଯେ ସେ ତାଙ୍କର ସମୟକୁ ସଂଘର କାର୍ଯ୍ୟ ଏବଂ ଡ୍ରାଇଭିଂ ମଧ୍ୟରେ ବାଣ୍ଟିଥାନ୍ତି। ସେ ରାତିରେ ଗାଡ଼ି ଚଳାନ୍ତି କାରଣ ସେ କହନ୍ତି ଯେ ‘‘ସେତେବେଳେ କମ୍‌ ଟ୍ରାଫିକ୍ ଥାଏ ଏବଂ ଟିକେ ଅଧିକ ଟଙ୍କା ରୋଜଗାର ହୋଇଥାଏ।’’ ଶେକ୍ ମାସିକ ୧୫ରୁ ୧୮ ହଜାର ଟଙ୍କା ରୋଜଗାର କରିଥାନ୍ତି।

କୋଲକାତାକୁ ପ୍ରବାସୀ ହୋଇ ଆସିଥିବା ରମେଶ ମଧ୍ୟ ଆପ୍ ଆଧାରିତ ଡେଲିଭରି ବ୍ୟବସାୟ ସହ ଜଡିତ ହେବାକୁ ବାଧ୍ୟ ହେଲେ କାରଣ ଏହା ରୋଜଗାର ଆରମ୍ଭ କରିବାର ସବୁଠୁ ଶୀଘ୍ର ଉପାୟ ଥିଲା। ସେ ଦଶମ ଶ୍ରେଣୀରେ ପଢୁଥିଲେ ଯେତେବେଳେ ତାଙ୍କ ବାପାଙ୍କ ମୃତ୍ୟୁ ପରେ ତାଙ୍କୁ ପରିବାର ଚଳାଇବାରେ ସହାୟତା କରିବା ଲାଗି ସ୍କୁଲ ଛାଡ଼ିବାକୁ ପଡ଼ିଲା। ବିଗତ ୧୦ ବର୍ଷ ସଂପର୍କରେ ମନେ ପକାଇ ସେ କହିଲେ, ‘‘ମୋ’ ମା’ଙ୍କୁ ସାହାଯ୍ୟ କରିବା ଲାଗି ମୋତେ ରୋଜଗାର ଆରମ୍ଭ କରିବାକୁ ଥିଲା। ମୋ ଭାଇ ଅତି ସାନ ଥିଲା। ମୁଁ ବିଭିନ୍ନ କାମ କଲି- ଦୋକାନଗୁଡ଼ିକରେ କାମ କଲି।’’

କୋଲକାତାର ଯାଦବପୁରରେ ପାର୍ସଲ ପହଞ୍ଚାଇବା ଲାଗି ନିଜର ଗସ୍ତ ସମୟରେ ସେ କହନ୍ତି ଯେ ଏକ ଟ୍ରାଫିକ୍ ସିଗନାଲରେ ଅଟକିବା ତାଙ୍କ ମୁଣ୍ଡରେ ଚିନ୍ତା ସୃଷ୍ଟି କରିଥାଏ। ସେ କହନ୍ତି, ‘‘ମୁଁ ସବୁବେଳେ ତରତରରେ ଥାଏ। ମୁଁ ଏତିକି ଗତିରେ ସାଇକେଲ ଚଳାଏ… ସବୁକିଛି ଠିକ୍ ସମୟରେ କରିବା ଲାଗି ଅନେକ ଚିନ୍ତା ରହେ। ବର୍ଷାଦିନ ଆମ ପାଇଁ  ସବୁଠୁ ଖରାପ ସମୟ। ଆମେ ଆମର ଲକ୍ଷ୍ୟ ପୂରଣ କରିବା ଲାଗି ବିଶ୍ରାମ, ଖାଦ୍ୟ, ସ୍ୱାସ୍ଥ୍ୟ ସବୁକିଛିକୁ ତ୍ୟାଗ କରିଥାଉ।’’ ବଡ଼ ବ୍ୟାଗରେ ପାର୍ସଲ ନେଇଯିବା ଯୋଗୁଁ ପିଠିରେ ଯନ୍ତ୍ରଣା ହୋଇଥାଏ। ସେ ଆହୁରି ଯୋଗ କଲେ, ‘‘ଆମେ ସମସ୍ତେ ବହୁତ ଓଜନର ଜିନିଷପତ୍ର ପରିବହନ କରିଥାଉ। ସବୁ ଡେଲିଭରି କରୁଥିବା ଲୋକଙ୍କର ପିଠିରେ ଯନ୍ତ୍ରଣା ହୋଇଥାଏ। କିନ୍ତୁ ଆମ ପାଖରେ କୌଣସି ସ୍ୱାସ୍ଥ୍ୟ ସୁବିଧା (କଭରେଜ) ନାହିଁ।’’

PHOTO • Anirban Dey
PHOTO • Priti David

ସୁନ୍ଦର(ଡାହାଣ)ଙ୍କ ଭଳି କିଛି ଡେଲିଭରି ଏଜେଣ୍ଟଙ୍କୁ ଛୋଟ ପାର୍ସଲ ନେବାକୁ ହୋଇଥାଏ, କିନ୍ତୁ ରମେଶ (ବାମ)ଙ୍କ ଭଳି ଅନ୍ୟ କିଛି ଜଣ ବଡ଼ ପାର୍ସଲ ନେଇଥାନ୍ତି ଯାହାଦ୍ୱାରା ସେଗୁଡ଼ିକୁ ନେଉଥିବା ଲୋକଙ୍କର ପିଠିରେ ଯନ୍ତ୍ରଣା ହୋଇଥାଏ

କାମରେ ସାମିଲ ହେବା ଲାଗି ସୁନ୍ଦର ୪ ମାସ ତଳେ ଏକ ସ୍କୁଟର କିଣିଥିଲେ ଯେପରିକି ତାଙ୍କୁ ବେଙ୍ଗାଲୁରୁ ଆଖପାଖରେ ବୁଲିବାକୁ ସାହାଯ୍ୟ ମିଳିପାରିବ। ସେ କହନ୍ତି ସପ୍ତାହକୁ ସେ ୫୦୦୦-୭୦୦୦ ମଧ୍ୟରେ ରୋଜଗାର କରିପାରିବେ, ସେଥିମଧ୍ୟରୁ ତାଙ୍କର ବ୍ୟୟ ସ୍କୁଟରର ଇଏମଆଇ, ପେଟ୍ରୋଲ, ତାଙ୍କର ଘରଭଡ଼ା ଏବଂ ଘରର ଖର୍ଚ୍ଚ ମିଶି ପ୍ରାୟ ୪୦୦୦ ଟଙ୍କା ଯାଇଥାଏ।

ଆଠଜଣ ଭାଇଭଉଣୀଙ୍କ ମଧ୍ୟରୁ ସବା ସାନ ସୁନ୍ଦର ତାଙ୍କର ଚାଷୀ ଏବଂ ଦିନ ମଜୁରିଆ ପରିବାରର ଏକମାତ୍ର ବ୍ୟକ୍ତି ଯିଏକି କାମ ଖୋଜିବା ଲାଗି ନେପାଳରେ ଥିବା ଘରୁ ହଜାର ହଜାର କିଲୋମିଟର ଦୂରତା ଅତିକ୍ରମ କରିଛନ୍ତି। ସେ କହନ୍ତି, ‘‘ମୁଁ ଯେଉଁ ଜମି କିଣିଛି ସେ ବାବଦରେ ପୈଠ କରିବାକୁ ମୋ’ ଉପରେ ଏକ ଋଣ ରହିଛି ଏବଂ ସେହି ଋଣ ଶୁଝିବା ଯାଏ ଏହି କାମ କରିବାକୁ ମୁଁ ଯୋଜନା କରୁଛି।’’

*****

‘‘ମ୍ୟାଡାମ୍, ଆପଣ ଗାଡ଼ି ଚାଳନା ଜାଣନ୍ତି କି?’’

ଏହା ଏକ ଏମିତି ପ୍ରଶ୍ନ ଯାହାକି ଶବନମବାନୁ ଶେହଦାଲି ଶେଖଙ୍କୁ ପ୍ରାୟ ସମୟରେ ପଚରା ଯାଇଥାଏ। ଅହମ୍ମଦାବାଦରେ ୨୬ ବର୍ଷୀୟା ମହିଳା କ୍ୟାବ୍ ଡ୍ରାଇଭର ଶବନମବାନୁ ୪ ବର୍ଷରୁ ଅଧିକ ସମୟ ହେଲା ଗାଡ଼ି ଚଳାଉଛନ୍ତି ଏବଂ ଏବେ ଯୌନ ଉଦ୍ଦୀପନାମୂଳକ ଟିପ୍ପଣୀକୁ ଖାରଜ କରିଦିଅନ୍ତି।

PHOTO • Umesh Solanki
PHOTO • Umesh Solanki

ଶବନମବାନୁ ଶେହଦାଲି ଶେଖ ଅହମ୍ମଦାବାଦରେ ଏକ ଆପ୍ ଭିତ୍ତିକ କ୍ୟାବ୍ କଂପାନିରେ କାମ କରନ୍ତି। ଜଣେ ଏକାକୀ ଅଭିଭାବକ ଭାବେ ସେ ଖୁସି ଯେ ତାଙ୍କର ରୋଜଗାର ତାଙ୍କର ଝିଅକୁ ସ୍କୁଲ ପଠାଉଛି

ତାଙ୍କ ପତିଙ୍କର ଦୁଃଖଦ ମୃତ୍ୟୁ ପରେ ସେ ଏହି କାମ ଆରମ୍ଭ କଲେ। ସେହିସବୁ ଦିନକୁ ମନେ ପକାଇ ସେ କହିଲେ, ‘‘ମୁଁ କେବେହେଲେ ନିଜେ ସଡ଼କ ଅତିକ୍ରମ କରିନଥିଲି।’’ ଶବନମବାନୁ ଏକ ସିମୁଲେଟରରେ ଏବଂ ପରେ ରାସ୍ତାରେ ତାଲିମ ନେଲେ ଏବଂ ୨୦୧୮ରେ ଗୋଟିଏ ସନ୍ତାନର ମା’ ଶବନମବାନୁ ଏକ କାର୍ ଭଡାରେ ନେଲେ ଏବଂ ଆପ୍ ଭିତ୍ତିକ କାର୍ ସେବାରେ ଯୋଗ ଦେଲେ।

ସେ ହସି କରି କହିଲେ, ‘‘ଏବେ ମୁଁ ରାଜପଥରେ ଗାଡ଼ି ଚଳାଉଛି।’’

ବେକାରୀର ତଥ୍ୟ ଦର୍ଶାଇଥାଏ ଯେ ମହିଳାମାନଙ୍କ କ୍ଷେତ୍ରରେ ଚାକିରି ହରାଇବାର ହାର ୨୪.୭ ପ୍ରତିଶତ ଯାହା ପୁରୁଷଙ୍କଠାରୁ ଅଧିକ। ଶବନମବାନୁ ବ୍ୟତିକ୍ରମମାନଙ୍କ ମଧ୍ୟରେ ଅନ୍ୟତମ ଏବଂ ନିଜ ରୋଜଗାରରେ ନିଜର ଝିଅକୁ ଶିକ୍ଷିତ କରୁଥିବା ଯୋଗୁଁ ସେ ଗର୍ବିତ।

ଲିଙ୍ଗ ନବୀନତା [ତାଙ୍କର ଯାତ୍ରୀମାନଙ୍କ] ପାଇଁ ପ୍ରଭାବଶୂନ୍ୟ ହୋଇଯାଇଥିବା ବେଳେ ୨୬ ବର୍ଷୀୟାଙ୍କର ଅଧିକ ଚାପଯୁକ୍ତ ସମସ୍ୟା ରହିଛି: ‘‘ରାସ୍ତାରେ ଶୌଚାଳୟଗୁଡ଼ିକ ଦୂରରେ ଥାଏ। ପେଟ୍ରୋଲପମ୍ପଗୁଡ଼ିକ ତାକୁ ବନ୍ଦ ରଖିଥାନ୍ତି। ମୋତେ ଚାବି ମାଗିବାକୁ ଲାଜ ଲାଗିଥାଏ କାରଣ ସେଠାରେ କେବଳ ପୁରୁଷ ଥାଆନ୍ତି।’’ ଭାରତରେ ମୁକ୍ତବୃତ୍ତି ଅର୍ଥନୀତିରେ ମହିଳା ଶ୍ରମିକ ଶୀର୍ଷକ ଏକ  ‘ଅନୁସନ୍ଧାନମୂଳକ ସର୍ବେକ୍ଷଣ’ ସୂଚାଇଥାଏ ଯେ ଶୌଚାଳୟର ଅଭାବ ସହ ମହିଳା ଶ୍ରମିକମାନେ କାର୍ଯ୍ୟସ୍ଥଳୀରେ ଦରମା ପାଇବାରେ ଅନ୍ତର ଏବଂ କମ୍ ସୁରକ୍ଷା ଓ ନିରାପତ୍ତାର ସାମ୍ନା କରିଥାନ୍ତି।

PHOTO • Umesh Solanki

‘ରାସ୍ତାରେ ଶୌଚାଳୟଗୁଡ଼ିକ ଦୂରରେ ଥାଏ’, ତେଣୁ ଯଦି ତାଙ୍କୁ ଏକ ଶୌଚାଳୟ ଖୋଜିବାକୁ ପଡ଼େ ତାହେଲେ ଶବନମବାନୁ ନିକଟବର୍ତ୍ତୀ ବିଶ୍ରାମସ୍ଥଳୀଗୁଡ଼ିକ ସଂପର୍କରେ ଗୁଗଲରୁ ଖୋଜିଥାନ୍ତି ଏବଂ ସେଗୁଡ଼ିକ ନିକଟରେ ପହଞ୍ଚିବା ଲାଗି ଅତିରିକ୍ତ ୨କିମ୍ବା ୩ କିମି ଗାଡ଼ି ଚଳାଇଥାନ୍ତି

ଯେତେବେଳେ ଚାପ ବହୁତ ଅଧିକ ଥାଏ, ଶବନମବାନୁ ନିକଟବର୍ତ୍ତୀ ବିଶ୍ରାମସ୍ଥଳୀଗୁଡିକ ସଂପର୍କରେ ଗୁଗଲରୁ ଖୋଜିଥାନ୍ତି ଏବଂ ସେଗୁଡ଼ିକ ନିକଟରେ ପହଞ୍ଚିବା ଲାଗି ଅତିରିକ୍ତ ୨ କିମ୍ବା ୩ କିମି ଗାଡ଼ି ଚଳାଇଥାନ୍ତି। ସେ ଯୋଗ କଲେ, ‘‘କମ୍ ପାଣି ପିଇବା ଛଡା ଅନ୍ୟ କୌଣସି ବିକଳ୍ପ ନାହିଁ। କିନ୍ତୁ ଯେତେବେଳେ ମୁଁ ତାହା କରେ, ଏହି ଗରମରେ ମୋର ମୁଣ୍ଡ ବୁଲାଏ। ମୋତେ ସବୁଆଡ଼ ଅନ୍ଧାରୁଆ ହୋଇଯିବା ଭଳି ଲାଗେ। ମୁଁ ମୋ କାର୍‌କୁ ରାସ୍ତା କଡ଼ରେ କିଛି ସମୟ ଲାଗି ପାର୍କ କରେ ଏବଂ ଅପେକ୍ଷା କରେ।’’

କୋଲକାତାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ସମୟରେ ରମେଶ ଦାସ ମଧ୍ୟ ଏହି ସମସ୍ୟାର ସାମ୍ନା କରିଥାନ୍ତି। ସେ ଚିନ୍ତିତ ହୋଇ କହିଲେ, ‘‘ପ୍ରତିଦିନର ଲକ୍ଷ୍ୟ ପୂରଣ କରିବାର ବ୍ୟଗ୍ରତା ମଧ୍ୟରେ ଏଗୁଡ଼ିକ [ଶୌଚାଳୟ ବିରତି] ଅଣ ପ୍ରାଥମିକତା ପାଲଟିଯାଏ।’’  ତେଲଙ୍ଗାନା ମୁକ୍ତବୃତ୍ତି ଏବଂ ପ୍ଲାଟଫର୍ମ ଶ୍ରମିକ ସଂଘ(ଟିଜିପିଡବ୍ଲ୍ୟୁୟୁ)ର ପ୍ରତିଷ୍ଠାତା ଏବଂ ସଭାପତି ଶେକ୍ କୁହନ୍ତି, ‘‘ଧରି ନିଅନ୍ତୁ ଜଣେ ଡ୍ରାଇଭରଙ୍କୁ ଶୌଚାଳୟର ବ୍ୟବହାର କରିବାର ଆବଶ୍ୟକତା ଅଛି ଏବଂ ସମାନ ସମୟରେ ସେ ଏକ ଯାତ୍ରା ଲାଗି ଅନୁରୋଧ ପାଆନ୍ତି ସେତେବେଳେ ଏଥିଲାଗି ମନା କରିବା ପୂର୍ବରୁ ତାଙ୍କୁ ଅନେକ ଥର ଚିନ୍ତା କରିବାକୁ ହୋଇଥାଏ।’’

କୌଣସି ଅର୍ଡର/ରାଇଡ୍ ପାଇଁ ମନା କରିବା ଯୋଗୁ ଆପ୍ ରେ ଆପଣ ଡାଉନଗ୍ରେଡ୍ ହୋଇଯାଇଥାନ୍ତି ଏବଂ ଆପଣଙ୍କୁ ଦଣ୍ଡିତ କରାଯାଇଥାଏ, ହଟାଇ ଦିଆଯାଏ କିମ୍ବା ଏଡ଼ାଇ ଦିଆଯାଏ। ଏବଂ କେବଳ ଏକ ଅଖ୍ୟାତ ସଂସ୍ଥାରେ ଆପଣଙ୍କୁ କାମ କରିବା ଲାଗି ସୁଯୋଗ ମିଳିପାରେ ଏବଂ ସର୍ବଶ୍ରେଷ୍ଠ ଲାଗି ଆଶା କରିପାରନ୍ତି।

ଏସଡିଜି୮ ପାଇଁ ଭାରତର ରୋଡମ୍ୟାପ୍ ଶୀର୍ଷକ ଏକ ରିପୋର୍ଟରେ ନୀତି ଆୟୋଗ ଦର୍ଶାଇଛନ୍ତି ଯେ, ‘‘ଭାରତର ପ୍ରାୟ ୯୨ ପ୍ରତିଶତ କାର୍ଯ୍ୟ ବଳ ଅନୌପଚାରିକ କ୍ଷେତ୍ରରେ କାର୍ଯ୍ୟରତ…ସେମାନେ ଆବଶ୍ୟକୀୟ ସାମାଜିକ ନିରାପତ୍ତା ପାଆନ୍ତି ନାହିଁ…’’ ଜାତିସଂଘର ସତତ ବିକାଶ ଲକ୍ଷ୍ୟ-୮ ଅନ୍ୟ ପ୍ରସଙ୍ଗ ସହିତ ‘‘ଶ୍ରମିକ ଅଧିକାରର ସୁରକ୍ଷା ଏବଂ ଏକ ନିରାପଦ ଓ ସୁରକ୍ଷିତ କାର୍ଯ୍ୟ ବାତାବରଣକୁ ପ୍ରୋତ୍ସାହନ ଦେବା’’ ଉପରେ କେନ୍ଦ୍ରିତ।

PHOTO • Amrutha Kosuru

ଶେକ୍ ସଲାଉଦ୍ଦିନ୍ ତେଲଙ୍ଗାନା ମୁକ୍ତବୃତ୍ତି ଏବଂ ପ୍ଲାଟଫର୍ମ ଶ୍ରମିକ ସଂଘ (ଟିଜିପିଡବ୍ଲ୍ୟୁୟୁ)ର ପ୍ରତିଷ୍ଠାତା ଏବଂ ସଭାପତି

ସଂସଦ ୨୦୨୦ରେ ସାମାଜିକ ନିରାପତ୍ତା ସମ୍ବନ୍ଧିତ ସଂହିତା ପାରିତ କଲା ଏବଂ ମୁକ୍ତବୃତ୍ତି ଓ ପ୍ଲାଟଫର୍ମ ଶ୍ରମିକମାନଙ୍କ ପାଇଁ ସାମାଜିକ ନିରାପତ୍ତା ଯୋଜନା ପ୍ରଣୟନ କରିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଲା-୨୦୨୯-୩୦ ମଧ୍ୟରେ ଏମାନଙ୍କର ସଂଖ୍ୟା ତିନିଗୁଣା ହୋଇ ୨୩.୫ ନିୟୁତ ହେବାର ଆଶା ରହିଛି।

*****

ଏହି କାହାଣୀ ଲାଗି କହିଥିବା ଅନେକ କାର୍ଯ୍ୟକର୍ତ୍ତା ‘ମାଲିକ’ଙ୍କ ନିକଟରୁ ମୁକ୍ତ ହେବାର ଭାବନା ବ୍ୟକ୍ତ କରିଛନ୍ତି। ପରୀ ସହ କଥା ହେବାର ପ୍ରଥମ ମିନିଟରେ ସୁନ୍ଦର ଆମକୁ କହିଲେ ଯେ ଏଥିପାଇଁ ସେ ଏହି ଚାକିରିକୁ ତାଙ୍କର ନିୟମିତ ଲୁଗା ବିକ୍ରେତା ଚାକିରି ଅପେକ୍ଷା ଅଧିକ ପସନ୍ଦ କରିଥାନ୍ତି ଯାହାକୁ ସେ ବେଙ୍ଗାଲୁରୁରେ ପୂର୍ବରୁ କରୁଥିଲେ। ‘‘ମୁଁ ନିଜର ମାଲିକ। ମୁଁ ମୋ ସମୟରେ କାମ କରିପାରିବି ଏବଂ ଯଦି ମୁଁ ଏହିକ୍ଷଣି ଏହାକୁ ଛାଡ଼ିବାକୁ ଚାହିଁବି ଛାଡ଼ିପାରିବି’’। କିନ୍ତୁ ସେ ଏହା ମଧ୍ୟ ସ୍ପଷ୍ଟ ଅଛନ୍ତି ଯେ ଥରେ ଋଣ ଶୁଝିଗଲେ, ,ସେ କିଛି ଅଧିକ ସ୍ଥିର ଏବଂ କମ୍ ବ୍ୟସ୍ତବହୁଳ କାମ ଖୋଜିବେ।

ଶମ୍ଭୁନାଥ ତ୍ରିପୁରାର ବାସିନ୍ଦା ଏବଂ ତାଙ୍କ ନିକଟରେ କହିବା ଲାଗି ଅଧିକ ସମୟ ନାହିଁ- ସେ ପୁନେରେ ଏକ ଅତି ବ୍ୟସ୍ତ ଏବଂ ଲୋକପ୍ରିୟ ରେସ୍ତୋରାଁ ବାହାରେ ଅପେକ୍ଷା କରିଛନ୍ତି ଏବଂ ଜମାଟୋ ଓ ସ୍ୱିଗି ଏଜେଣ୍ଟମାନଙ୍କର ଏକ ଧାଡ଼ି ସେମାନଙ୍କର ବାଇକରେ ଖାଦ୍ୟ ପାର୍ସଲ ନେବାକୁ ଅପେକ୍ଷା କରିଛନ୍ତି। ସେ ବିଗତ ୪ ବର୍ଷ ହେଲା ପୁନେରେ ଅଛନ୍ତି ଏବଂ ଅନର୍ଗଳ ଭାବେ ମରାଠୀ କହିପାରନ୍ତି।

ସୁନ୍ଦରଙ୍କ ଭଳି ସେ ମଧ୍ୟ ଏହି କାମକୁ ଏକ ମଲ୍‌ର ଚାକିରି ଅପେକ୍ଷା ଭଲ ପାଆନ୍ତି ଯେଉଁଥିରୁ ସେ ୧୭୦୦୦ ଟଙ୍କା ପାଉଥିଲେ। ଶମ୍ଭୁନାଥ କହିଲେ, ‘‘ଏହି କାମ ଭଲ। ଆମେ ଏକ ଫ୍ଲାଟ୍ ଭଡ଼ା ନେଇଛୁ ଏବଂ ଆମେମାନେ[ତାଙ୍କର ସାଙ୍ଗମାନେ] ଏକାଠି ରହୁଛୁ। ମୁଁ ଦିନକୁ ପ୍ରାୟ ୧୦୦୦ ଟଙ୍କା ରୋଜଗାର କରୁଛି।’’

PHOTO • Riya Behl
PHOTO • Riya Behl

ରୁପାଲି କୋଲି ଏକ ଆପ୍ ଆଧାରିତ କଂପାନିକୁ ଏଡ଼ାଇ ଯାଇଛନ୍ତି କାରଣ ତାଙ୍କ ରୋଜଗାରର ଏକ ଅନୁଚିତ ଅଂଶ ତାଙ୍କଠାରୁ ଛିନ୍ନ କରି ନିଆଯାଇଥିବା କଥା ସେ ମନେ କରୁଛନ୍ତି। ଜଣେ ମୁକ୍ତବୃତ୍ତି ବିଉଟିସିଆନ୍ ଭାବେ ତାଙ୍କର କାମ ମାଧ୍ୟମରେ ସେ ତାଙ୍କର ପିତାମାତା, ପତି ଏବଂ ଶ୍ୱଶୁର ଘର ଲୋକଙ୍କୁ ସାହାଯ୍ୟ କରୁଛନ୍ତି

କୋଭିଡ୍-୧୯ର ଲକଡାଉନ୍ ଅବଧିରେ ରୁପାଲି କୋଲି ଜଣେ ବିଉଟିସିଆନ୍ ଭାବେ ତାଙ୍କର ଦକ୍ଷତାକୁ ମୁକ୍ତବୃତ୍ତି ଭାବେ ଗ୍ରହଣ କଲେ। ‘‘ମୁଁ ଯେଉଁ ପାର୍ଲରରେ କାମ କରୁଥିଲି ସେଠାରେ ଆମ ଦରମାକୁ ଅଧା କରିଦିଆଗଲା। ତେଣୁ ମୁଁ ମୁକ୍ତବୃତ୍ତି ଭାବେ ଏହା କରିବାକୁ ନିଷ୍ପତ୍ତି ନେଲି।’’ ସେ ଏକ ଆପ୍ ଆଧାରିତ ଚାକିରିରେ ଯୋଗ ଦେବା ସଂପର୍କରେ ବିଚାର କଲେ, ହେଲେ ତା’ ବିରୋଧରେ ନିଷ୍ପତ୍ତି ନେଲେ। ‘‘ଯଦି ମୁଁ କଠିନ ପରିଶ୍ରମ କରେ, ଉତ୍ପାଦ [ପ୍ରସାଧନ ସାମଗ୍ରୀ] ଆଣେ ଏବଂ ଯାତ୍ରା ଲାଗି ଟଙ୍କା ଖର୍ଚ୍ଚ କରେ, ତା’ ହେଲେ ମୁଁ କ’ଣ ପାଇଁ କାହାକୁ ୪୦ ପ୍ରତିଶତ ଦେବି? ମୁଁ ମୋର ୧୦୦ ପ୍ରତିଶତ ଦେଇ ପ୍ରତିବଦଳରେ ୬୦ ପ୍ରତିଶତ ପାଇବାକୁ ଚାହେଁନାହିଁ।’’

୩୨ ବର୍ଷୀୟା ରୁପାଲି ମୁମ୍ବାଇର ମଧ ଦ୍ୱୀପରେ ଅନ୍ଧେରି ତାଲୁକାରେ ଏକ ମତ୍ସ୍ୟଜୀବୀ ପରିବାରରୁ ଆସିଛନ୍ତି। ଜଣେ ମୁକ୍ତବୃତ୍ତି ବିଉଟିସିଆନ୍ ଭାବେ ତାଙ୍କର କାମ ମାଧ୍ୟମରେ ସେ ତାଙ୍କର  ପିତାମାତା, ପତି ଏବଂ ଶ୍ୱଶୁର ଘର ଲୋକଙ୍କୁ ସହାୟତା କରନ୍ତି। ସେ କହନ୍ତି, ‘‘ଏହିଭଳି ଭାବେ ମୁଁ ମୋର ନିଜ ଘର ଏବଂ ବିବାହ ଲାଗି ପୈଠ କରିଛି।’’ ତାଙ୍କର ପରିବାର ମହାରାଷ୍ଟ୍ରରେ ସ୍ୱତନ୍ତ୍ର ପଛୁଆ ବର୍ଗ (ଏସବିସି)ଭାବେ ସୂଚୀବଦ୍ଧ କୋଲି ସଂପ୍ରଦାୟର ଅନ୍ତର୍ଭୁକ୍ତ।

ରୁପାଲି ପ୍ରାୟ ୮ କିଲୋଗ୍ରାମ ଓଜନର ଏକ ଟ୍ରଲି ବ୍ୟାଗ ଧରି ଏବଂ ୩ କିଲୋର ଏକ ବ୍ୟାଗକୁ ପିଠିରେ ପକାଇ ସହର ସାରା ବୁଲନ୍ତି। ଆପଏଣ୍ଟମେଣ୍ଟ ମଧ୍ୟରେ ସେ ସମୟ ବାହାର କରି ତାଙ୍କର ଘରୋଇ କାମ କରନ୍ତି, ତାଙ୍କ ପରିବାର ପାଇଁ ୩ ଥର ରୋଷେଇ କରନ୍ତି ଏବଂ ତଥାପି କହନ୍ତି ଯେ, ‘‘ଆପନା ମନ୍ କା ମାଲିକ ହୋନେ କା[ଜଣେ ନିଜ ମନର ମାଲିକ ହେବା ଦରକାର଼]।’’

ଏହି ଆଲେଖ୍ୟ ପାଇଁ ହାଇଦ୍ରାବାଦରୁ ଅମୃତା କୋସୁରୁ ; ରାୟପୁରର ପୁରୁଷୋତ୍ତମ ଠାକୁର ; ଅହମ୍ମଦାବାଦରୁ ଉମେଶ ସୋଲଙ୍କି ; କୋଲକାତାରୁ ସ୍ମିତା ଖାଟୋର ; ବେଙ୍ଗାଲୁରୁରୁ ପ୍ରୀତି ଡେଭିଡ୍ ; ପୁନେରୁ ମେଧା କାଲେ ; ମୁମ୍ବାଇରୁ ରିୟା ବେହେଲ ରିପୋର୍ଟ କରିଛନ୍ତି; ମେଧା କାଲେ, ପ୍ରତିଷ୍ଠା ପାଣ୍ଡ୍ୟା, ଜୋସୁଆ ବୋଧିନେତ୍ର, ସଂବିତି ଆୟାର, ରିୟା ବେହେଲ ଏବଂ ପ୍ରୀତି ଡେଭିଡ୍ ସଂପାଦନାରେ ସହାୟତା କରିଛନ୍ତି

କଭର : ପ୍ରୀତି ଡେଭିଡ୍

ଅନୁବାଦ : ଓଡ଼ିଶାଲାଇଭ୍‍

Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE