କଥାବାର୍ତ୍ତା କଲାବେଳେ ତାଙ୍କ କପାଳରେ ଭାଙ୍ଗ ପଡ଼ି ଯାଉଛି, ତାଙ୍କର ମଳିନ ରୋଗିଣା ମୁହଁରେ କପାଳର ସେହି ରେଖାଗୁଡ଼ିକ ସ୍ପଷ୍ଟ ଦେଖାଯାଉଛି। ନିଶ୍ୱାସପ୍ରଶ୍ୱାସ ନେବା ପାଇଁ ସେ ସଂଘର୍ଷ କରୁଛନ୍ତି। ଶହେ ମିଟର ଚାଲିକି ଯିବା ପରେ ତାଙ୍କ ଅଣ୍ଟା ନଇଁ ଯାଉଛି। ପୁଣି ଥରେ ନିଶ୍ୱାସପ୍ରଶ୍ୱାସ ସଂଗ୍ରହ କରିବାକୁ ସେ ବଳ ସାଉଁଟୁଛନ୍ତି। ସେତିକିବେଳେ ଦଲକାଏ ପବନ ତାଙ୍କ ପାଚିଲା ବାଳଗୁଡ଼ିକୁ ଉଡ଼ାଇ ଖସ୍ ଖସ୍ ଶବ୍ଦ କରି ବହିଗଲା।

ଇନ୍ଦ୍ରାବତୀ ଯାଦବଙ୍କୁ ମାତ୍ର ୩୧ ବର୍ଷ ବୟସ ବୋଲି ଶୁଣିଲେ ଜମା ବିଶ୍ୱାସ ହେଉନି।

ମହାରାଷ୍ଟ୍ରର ନାଗପୁର ସହର ଉପକଣ୍ଠରେ ଅବସ୍ଥିତ ଏକ ବସ୍ତିର ବାସିନ୍ଦା ଇନ୍ଦ୍ରାବତୀ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରି ଡିଜିଜ୍ (ସିଓପିଡି) ରେ ପୀଡିତ, ଏହା ଏକ ସାଂଘାତିକ ଅସୁସ୍ଥତା ଯାହା ଯୋଗୁଁ ଫୁସଫୁସକୁ ପବନ ଯିବା ଆସିବାରେ ବାଧା ସୃଷ୍ଟି ହୋଇଥାଏ, ଶ୍ୱାସକ୍ରିୟାରେ ଅସୁବିଧା ହୁଏ ଏବଂ ଅଧିକାଂଶ ସମୟରେ ଲଗାତାର କାଶ ହୁଏ ଯାହା ଶେଷରେ ଫୁସଫୁସକୁ ନଷ୍ଟ କରିପାରେ। ପ୍ରାୟତଃ ଏହାକୁ ‘ଧୂମପାନକାରୀମାନଙ୍କ ରୋଗ’ କୁହାଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ଡବ୍ଲୁଏଚଓ)ର ତଥ୍ୟ ଅନୁଯାୟୀ, ସ୍ୱଳ୍ପ ଏବଂ ମଧ୍ୟମ ଆୟ ବିଶିଷ୍ଟ ଦେଶଗୁଡ଼ିକରେ ସିଓପିଡି ରୋଗରେ ପୀଡ଼ିତ ପ୍ରାୟ ୩୦ ରୁ ୪୦ ପ୍ରତିଶତ ରୋଗୀଙ୍କର ଧୂମପାନ ଇତିହାସ ରହିଥାଏ।

ଇନ୍ଦ୍ରାବତୀ କେବେ ବି ସିଗାରେଟ୍ ଛୁଇଁ ନାହାଁନ୍ତି, କିନ୍ତୁ ତାଙ୍କ ବାମ ଫୁସଫୁସ ଗୁରୁତର ଭାବରେ କ୍ଷତିଗ୍ରସ୍ତ ହୋଇ ସାରିଲାଣି। ଡବ୍ଲୁଏଚଓ କହିଛି ଯେ କାଠ କିମ୍ବା କୋଇଲା ଜଳା ଯାଉଥିବା ଚୁଲିରେ ରାନ୍ଧିବା ଦ୍ୱାରା ଘରର ବାୟୁ ପ୍ରଦୂଷିତ ହୋଇଥାଏ।

ଇନ୍ଦ୍ରାବତୀ କେବେ ବି ନିର୍ମଳ ରନ୍ଧନ ଇନ୍ଧନ ବ୍ୟବହାର କରି ପାରି ନାହାଁନ୍ତି। “ଖାଦ୍ୟ ରାନ୍ଧିବା କିମ୍ବା ପାଣି ଗରମ କରିବା ପାଇଁ ଆମେ ସବୁବେଳେ ଖୋଲା ଚୁଲିରେ କାଠ କିମ୍ବା କୋଇଲା ବ୍ୟବହାର କରିଥାଉ,”  ଇନ୍ଦ୍ରାବତୀ କୁହନ୍ତି।  “ଖୋଲା ଚୁଲିରେ ଖାଦ୍ୟ ରାନ୍ଧିବା ଯୋଗୁଁ ମୋର ଫୁସଫୁସ କାମ କରୁ ନାହିଁ,” ବୋଲି ଡାକ୍ତର ତାଙ୍କୁ ଏହା କହିଛନ୍ତି।  କାଠ ଚୁଲୀର ଧୂଆଁରୁ ହେଉଥିବା ପ୍ରଦୂଷଣ ତାଙ୍କ ଫୁସଫୁସକୁ ଖରାପ କରିଦେଇଛି।

ବାୟୁ ପ୍ରଦୂଷଣ ହେତୁ ପ୍ରତିବର୍ଷ ପ୍ରାୟ ଛଅ ଲକ୍ଷ ଭାରତୀୟ ଅକାଳରେ ମୃତ୍ୟୁ ବରଣ କରନ୍ତି, ୨୦୧୯ ଲାନସେଟ୍ ଅଧ୍ୟୟନରୁ ଆକଳନ କରାଯାଇଛି ଏବଂ ଘରର ବାୟୁ ପ୍ରଦୂଷଣ ପରିବେଶର ବାୟୁ ଗୁଣବତ୍ତାକୁ ପ୍ରଭାବିତ କରିବାରେ ଏକ ପ୍ରମୁଖ କାରକ ଅଟେ।

PHOTO • Parth M.N.

ଇନ୍ଦ୍ରାବତୀ ଯାଦବଙ୍କୁ କେବେ ନିର୍ମଳ ରନ୍ଧନ ଇନ୍ଧନ ମିଳିପାରି ନାହିଁ। ସେ କ୍ରୋନିକ୍ ଅବଷ୍ଟ୍ରକ୍ଟିଭ୍ ପଲମୋନାରି ଡିଜିଜ୍ (ସିଓପିଡି) ରେ ପୀଡ଼ିତ, ଏହା ଏକ ସାଂଘାତିକ ଅସୁସ୍ଥତା ଯାହା ଯୋଗୁଁ ଫୁସଫୁସକୁ ପବନ ଯିବା ଆସିବାରେ ବାଧା ସୃଷ୍ଟି ହୋଇଥାଏ, ଶ୍ୱାସକ୍ରିୟାରେ ଅସୁବିଧା ହୁଏ ଏବଂ ଅଧିକାଂଶ ସମୟରେ ଲଗାତାର କାଶ ହୁଏ ଯାହା ଶେଷରେ ଫୁସଫୁସକୁ ନଷ୍ଟ କରିପାରେ

ଚିଖାଲି ବସ୍ତିର ପାଙ୍ଗୁଲ ମୋହଲ୍ଲାସ୍ଥିତ ଗୋଟିଏ କୋଠରୀ ବିଶିଷ୍ଟ ଏକ କୁଡ଼ିଆ ବାହାରେ ପ୍ଲାଷ୍ଟିକ୍ ଚେୟାରଟିରେ ବସି କ୍ଳାନ୍ତ ଅବସ୍ଥାରେ ଇନ୍ଦ୍ରାବତୀ ତାଙ୍କ ସ୍ୱାସ୍ଥ୍ୟ ବିଷୟରେ କହିଛନ୍ତି।

ଯଦି ସେ ଭଲ ହେବାକୁ ଚାହିଁବେ ତାହେଲେ ତାଙ୍କୁ ଅସ୍ତ୍ରୋପଚାର କରିବା ଦରକାର ହେବ, କିନ୍ତୁ ଏହା ବିପଦପୂର୍ଣ୍ଣ ଅଟେ। ତାଙ୍କ ସ୍ୱାମୀ ପ୍ରାୟତଃ ନିଶାସକ୍ତ ଅବସ୍ଥାରେ ଥାଆନ୍ତି ଏବଂ ପ୍ରତି ୧୦-୧୫ ଦିନରେ ଥରେ ଘରକୁ ଆସନ୍ତି।

ଇନ୍ଦ୍ରାବତୀ ତାଙ୍କ ପୁଅଝିଅ କାର୍ତ୍ତିକ(୧୩) ଏବଂ ଅନୁ (୧୨)  ପାଇଁ ବହୁତ ଚିନ୍ତିତ। ଦୀର୍ଘ ନିଶ୍ୱାସ ମାରି ସେ କହନ୍ତି, “ମୋ ସ୍ୱାମୀ ବାହାରେ ଥିବାବେଳେ କ’ଣ କରନ୍ତି, କୋଉଠି ଖାଆନ୍ତି କି କୋଉଠି ଶୁଅନ୍ତି ମୁଁ କିଛି ବି ଜାଣିନି।”

“ମୋର ପିଲାମାନେ ସ୍କୁଲ ଯାଆନ୍ତି କି ନାହିଁ ଦେଖିବାକୁ ମୋର ଶକ୍ତି ନାହିଁ। ଆମେ ଅସ୍ତ୍ରୋପଚାର ଟାଳି ଦେଇଛୁ କାରଣ ଯଦି ମୋର କିଛି ହୋଇଯାଏ, ତାହେଲେ ମୋ ପିଲାମାନେ ଗୋଟେ ପ୍ରକାର ଅନାଥ ହୋଇଯିବେ।”

ଇନ୍ଦ୍ରାବତୀ ଆଗରୁ ବୁଲି ବୁଲି ଅଳିଆଗଦାଗୁଡ଼ିକରୁ ପୁନଃବ୍ୟବହାରଯୋଗ୍ୟ କିମ୍ବା ପୁନଃଚକ୍ରଣଯୋଗ୍ୟ ଜିନିଷ ସଂଗ୍ରହ କରୁଥିଲେ। ସେହି ପୁନରୁଦ୍ଧାର କରିଥିବା ଜିନିଷଗୁଡ଼ିକ ବିକି ମାସକୁ ପ୍ରାୟ ୨୫୦୦ ଟଙ୍କା ରୋଜଗାର କରିପାରୁଥିଲେ। ପ୍ରାୟ ଏକ ବର୍ଷ ତଳେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଅତ୍ୟଧିକ ଖରାପ ହୋଇଗଲା। ତେଣୁ ସେ ଆଉ ସେହି ସ୍ୱଳ୍ପ ଉପାର୍ଜନ ବି କରିବାକୁ ସକ୍ଷମ ହୋଇପାରିଲେ ନାହିଁ।

ସେ କୁହନ୍ତି, "ମୁଁ କେବେ ବି ଗ୍ୟାସ୍ ସିଲିଣ୍ଡର ଭରି ପାରିବିନି। ଘରେ ବ୍ୟବହାର ହେଉଥିବା ଲିକ୍ୱିଫାଏଡ୍ ପେଟ୍ରୋଲିୟମ ଗ୍ୟାସ୍ (ଏଲପିଜି) ସିଲିଣ୍ଡରର ପ୍ରତ୍ୟେକ ରିଫିଲର ଦାମ୍ ୧୦୦୦ ଟଙ୍କାରୁ ଅଧିକ। ମୋର ରୋଜଗାରର ଅଧା ଯଦି ମୁଁ ରନ୍ଧନ ଗ୍ୟାସରେ ଖର୍ଚ୍ଚ କରିବି, ତାହେଲେ ମୁଁ ଘର କେମିତି ଚଳେଇବି?”

PHOTO • Parth M.N.
PHOTO • Parth M.N.

ବାମ: ନାଗପୁର ସହରର ଚିଖାଲି ବସ୍ତିରେ ଇନ୍ଦ୍ରାବତୀ ତାଙ୍କ ଘର ବାହାରେ ବସିଛନ୍ତି। ଡାହାଣ: କାଠଚୁଲୀର ପ୍ରଦୂଷଣ ତାଙ୍କ ଫୁସଫୁସକୁ ଖରାପ କରିଦେଇଛି

ଇଣ୍ଟରନ୍ୟାସନାଲ୍ ଏନର୍ଜି ଏଜେନ୍ସି ଦ୍ୱାରା ୨୦୨୧ର ଏକ ରିପୋର୍ଟ ଅନୁଯାୟୀ, ବିକାଶଶୀଳ ଏସୀୟ ଦେଶଗୁଡ଼ିକରେ ବିଶ୍ୱ ଜନସଂଖ୍ୟାର ୬୦% ଲୋକ ବାସ କରନ୍ତି ଯେଉଁମାନେ ଅର୍ଥନୈତିକ କାରଣରୁ ନିର୍ମଳ ରନ୍ଧନ ଇନ୍ଧନ ପାଇପାରୁ ନାହାଁନ୍ତି।

ଅନ୍ୟ ଅର୍ଥରେ କହିଲେ, ଏସିଆର ୧.୫ ବିଲିୟନ ଲୋକ ଚୁଲୀରେ କାଠ, କୋଇଲା, ଗୋବର ଘସି ଇତ୍ୟାଦି ଜଳିବା ଦ୍ୱାରା ଯେଉଁ ଧୂଆଁ ବାହାରେ ତା ଦ୍ୱାରା ଘରୋଇ ବାୟୁରେ ଉଚ୍ଚ ସ୍ତରର ବିଷାକ୍ତ ପ୍ରଦୂଷକ ସଂସ୍ପର୍ଶରେ ଆସିଥାନ୍ତି, ଯେଉଁଥିପାଇଁ ସେମାନଙ୍କୁ ସିଓପିଡି, ଫୁସଫୁସ କର୍କଟ, ଯକ୍ଷ୍ମା ଏବଂ ଅନ୍ୟାନ୍ୟ ଶ୍ୱାସକ୍ରିୟା ଜନିତ ରୋଗ ହେବାର ଆଶଙ୍କା ଅଧିକ ଥାଏ।

*****

କେନ୍ଦ୍ରୀୟ ଭାରତର ନାଗପୁର ସହର ଉପକଣ୍ଠରେ ଥିବା ଚିଖାଲି ବସ୍ତି ଏହି ଅବିରତ ଦୁଃଖଦ ଘଟଣାର ମାତ୍ର ଏକ ଛୋଟ ଉଦାହରଣ। ଏଠାରେ ପ୍ରାୟ ପ୍ରତ୍ୟେକ ମହିଳାଙ୍କ ଆଖିରେ ପାଣି ଜମି ରହୁଛି, ସେମାନଙ୍କୁ ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହେଉଛି ଏବଂ କାଶ ଲାଗି ରହୁଛି।

ଚାଳ, ଖପର୍, ଟିଣ, ସିମେଣ୍ଟ ଆଦିରେ ତିଆରି ଛୋଟ ବଡ଼ ପ୍ରାୟ ସବୁ ଘରେ ଇଟାର ଗୋଟିଏ ଥାକ ରହିଛି ଯାହାକୁ ଓଲଟା C ଆକାରରେ ସଜାଇ ଚୁଲୀ ଭାବରେ ବ୍ୟବହାର କରାଯାଉଛି। ଘର ଅଗଣା କିମ୍ୱା ଘର ପାଖ ଖୋଲା ସ୍ଥାନରେ ଛୋଟ ଛୋଟ କାଠ ଖଣ୍ଡ କିମ୍ୱା କୁଟା ରଖାଯାଇଛି।

ସବୁଠାରୁ କଷ୍ଟକର କାମ ହେଉଛି ଚୁଲୀକୁ ଜଳାଇ ରଖିବା। ଖାଲି ଦିଆସିଲି ଏବଂ କିରୋସିନିରେ କାମ ଚଳିବ ନାହିଁ। ପ୍ରାୟ ଗୋଟିଏ ମିନିଟ୍ କିମ୍ୱା ତା’ଠୁ ଅଧିକ ସମୟ ବଳ ପ୍ରୟୋଗ କରି ଫୁଙ୍କ ନଳୀରେ ଚୁଲୀ ଫୁଙ୍କିବାକୁ ପଡ଼ିବ। ସେଥିପାଇଁ ଆପଣଙ୍କ ଫୁସଫୁସ ସୁସ୍ଥ ରହିବା ଜରୁରୀ। ନହେଲେ ଆପଣ ଏହି କାମ କରିପାରିବେ ନାହିଁ।

ଇନ୍ଦ୍ରାବତୀ ଆଉ ନିଜ ଚୁଲିରେ ନିଆଁ ଲଗାଇ ପାରୁ ନାହାଁନ୍ତି। ସେ ଜୋର୍ ଦେଇ ଫୁଙ୍କନଳୀରେ ଚୁଲୀ ଫୁଙ୍କି ପାରୁ ନହାଁନ୍ତି। ସେ ସରକାରଙ୍କ ସାଧାରଣ ବଣ୍ଟନ ବ୍ୟବସ୍ଥା ମାଧ୍ୟମରେ ମାଗଣା ଖାଦ୍ୟ ପାଉଛନ୍ତି ଯାହା ୮୦୦ ନିୟୁତରୁ ଅଧିକ ଗରିବ ଭାରତୀୟଙ୍କୁ ପ୍ରଦାନ କରାଯାଉଛି । ତେବେ ବେଳେବେଳେ ଖାଦ୍ୟ ରାନ୍ଧିବା ପାଇଁ ଚୁଲୀ ଲଗାଇବାକୁ ଇନ୍ଦ୍ରାବତୀ ପଡ଼ୋଶୀଙ୍କଠାରୁ ସାହାଯ୍ୟ ମାଗୁଛନ୍ତି। “ବେଳେବେଳେ ମୋ ଭାଇମାନେ ସେମାନଙ୍କ ଘରେ ଖାଦ୍ୟ ରାନ୍ଧି ମୋ ପାଇଁ ଆଣି ଦେଉଛନ୍ତି,” କୁହନ୍ତି ଇନ୍ଦ୍ରାବତୀ।

PHOTO • Parth M.N.

ଇନ୍ଦ୍ରାବତୀ ଆଉ ନିଜ ଚୁଲିରେ ନିଆଁ ଲଗାଇ ପାରୁ ନାହାଁନ୍ତି। ବେଳେବେଳେ ଖାଦ୍ୟ ରାନ୍ଧିବା ପାଇଁ ଚୁଲୀ ଲଗାଇବାକୁ ଇନ୍ଦ୍ରାବତୀ ପଡ଼ୋଶୀଙ୍କଠାରୁ ସାହାଯ୍ୟ ମାଗୁଛନ୍ତି। 'ବେଳେବେଳେ ମୋ ଭାଇମାନେ ସେମାନଙ୍କ ଘରେ ଖାଦ୍ୟ ରାନ୍ଧି ମୋ ପାଇଁ ଆଣି ଦେଉଛନ୍ତି,' କୁହନ୍ତି ଇନ୍ଦ୍ରାବତୀ

ଏସିଆର ୧.୫ ବିଲିୟନ ଲୋକ ଚୁଲୀରେ କାଠ, କୋଇଲା, ଗୋବର ଘସି ଇତ୍ୟାଦି ଜଳିବା ଦ୍ୱାରା ଯେଉଁ ଧୂଆଁ ବାହାରେ ତା ଦ୍ୱାରା ଘରୋଇ ବାୟୁରେ ଉଚ୍ଚ ସ୍ତରର ବିଷାକ୍ତ ପ୍ରଦୂଷକ ସଂସ୍ପର୍ଶରେ ଆସିଥାନ୍ତି, ଯେଉଁଥିପାଇଁ ସେମାନଙ୍କୁ ସିଓପିଡି, ଫୁସଫୁସ କର୍କଟ, ଯକ୍ଷ୍ମା ଏବଂ ଅନ୍ୟାନ୍ୟ ଶ୍ୱାସକ୍ରିୟା ଜନିତ ରୋଗ ହେବାର ଆଶଙ୍କା ଅଧିକ ଥାଏ

ଏହି ଅବସ୍ଥାରେ ଚୁଲି ଜଳାଇବା ପ୍ରକ୍ରିୟା ସିଓପିଡି ଏବଂ ଅନ୍ୟାନ୍ୟ ଶ୍ୱାସକ୍ରିୟା ଜନିତ ରୋଗର ପ୍ରମୁଖ କାରଣ ସାଜିଥାଏ ବୋଲି ନାଗପୁରରେ କାର୍ଯ୍ୟରତ ପଲମୋନୋଲୋଜିଷ୍ଟ ଡକ୍ଟର ସମୀର ଆର୍ବତ୍ କୁହନ୍ତି। ସେ କୁହନ୍ତି, “ନଳୀରେ ଥରେ ବଳପୂର୍ବକ ଫୁଙ୍କିବା ପରେ, ପୁଣି ଥରେ ଫୁଙ୍କିବା ପାଇଁ ଯେଉଁ ବଳ ଦରକାର ହୁଏ ସେଥିପାଇଁ ଅନିଚ୍ଛାକୃତ ଭାବରେ ଶ୍ୱାସ ଭିତରକୁ ନେବା ଦରକାର ପଡ଼େ। ସେହି ସମୟରେ ନଳୀର ଅନ୍ୟ ପଟରେ ଥିବା ଅଳିଆଗୁଣ୍ଡ ଏବଂ କାର୍ବନ୍ ନାକ ଏବଂ ପାଟିବାଟେ ଆମ ଶରୀରରେ ପ୍ରବେଶ କରିଥାଏ। ”

୨୦୦୪ ରେ, ଡବ୍ଲୁଏଚ୍ଓ ପୂର୍ବାନୁମାନ କରିଥିଲା ଯେ 2030 ସୁଦ୍ଧା ସିଓପିଡି ସର୍ବଭାରତୀୟ ସ୍ତରରେ ମୃତ୍ୟୁର ତୃତୀୟ ପ୍ରମୁଖ କାରଣ ହେବ। ଏହି ରୋଗ ୨୦୧୯ ରେ ହିଁ ନିର୍ଦ୍ଧାରିତ ଲକ୍ଷ୍ୟସ୍ଥଳରେ ପହଞ୍ଚିଗଲା।

“ବାୟୁ ପ୍ରଦୂଷଣ ହେଉଛି ଏକ ମହାମାରୀ ଯାହା ଆମ ଜୀବନରେ ପୂର୍ବରୁ ରହିଛି। ଗତ ଦଶ ବର୍ଷ ମଧ୍ୟରେ, ଆମେ ଦେଖିଥିବା ସିଓପିଡି ରୋଗୀମାନଙ୍କ ମଧ୍ୟରୁ ଅର୍ଦ୍ଧେକ ଧୂମପାନ କରନ୍ତି ନାହିଁ,” ଡକ୍ଟର ଆର୍ବତ୍ କୁହନ୍ତି। “ଏହା ପ୍ରାୟତଃ ସହର ତଥା ଆଖପାଖରେ ଥିବା ବସ୍ତିରେ ଘର ଭିତରର ପ୍ରଦୂଷଣ ହେତୁ ହୋଇଥାଏ, ଯେଉଁଠାରେ ଯଥେଷ୍ଟ ପରିମାଣର ବାୟୁ ଚଳାଚଳ ବିନା ଘର ଭିତରେ ରୋଷେଇ ପାଇଁ କାଠ ଚୁଲୀର ବ୍ୟବହାର କରାଯାଏ। ମହିଳାମାନେ ଏହା ଦ୍ୱାରା ଅତ୍ୟଧିକ ପ୍ରଭାବିତ ହୁଅନ୍ତି କାରଣ ସେମାନେ ହିଁ ପରିବାର ପାଇଁ ରୋଷେଇ କରନ୍ତି।”

ଭଲ ଭାବରେ କଥା କହି ପାରୁ ନ ଥିବା ୬୫ବର୍ଷୀୟା ଶକୁନ୍ତଳା ଲୋନ୍ଧେ କୁହନ୍ତି ଯେ ସେ ଦିନକୁ ଦୁଇରୁ ତିନି ଘଣ୍ଟା ଚୁଲିରୁ ବାହାରୁଥିବା ଧୂଆଁ ଭିତରେ ବିତାଉଛନ୍ତି। ସେ କହନ୍ତି, “ମୋ ପାଇଁ ଏବଂ ମୋ ନାତି ପାଇଁ ଦିନକୁ ଦୁଇ ଥର ଖାଦ୍ୟ ରାନ୍ଧିବାକୁ ପଡ଼େ। ଗାଧୋଇବା ପାଇଁ ବି ମୋତେ ପାଣି ଗରମ କରିବାକୁ ପଡ଼େ। ଆମର ଗ୍ୟାସ କନେକସନ୍ ନାହିଁ।”

ଦୀର୍ଘ ଦିନର ଅସୁସ୍ଥତା ପରେ ୧୫ ବର୍ଷ ତଳେ ଲୋନ୍ଧେଙ୍କ ପୁଅର ମୃତ୍ୟୁ ହୋଇଥିଲା। ତା ପରେ ପରେ ବୋହୂ କିଛି ଦିନ ପରେ ଘରୁ ବାହାରି ଚାଲିଗଲା। ଆଉ ଫେରିଲା ନାହିଁ।

ଲୋନ୍ଧେଙ୍କ ନାତି ସୁମିତ, ୧୮ ବର୍ଷ, ଡ୍ରମ୍ ଧୋଇବା କାମ କରି ସପ୍ତାହକୁ ୧୮୦୦ ଟଙ୍କା ରୋଜଗାର କରେ। କିନ୍ତୁ  ଜେଜେମାକୁ ଟଙ୍କାଟିଏ ହେଲେ ଦିଏନି। ଲୋନ୍ଧେ କୁହନ୍ତି, “ଯେତେବେଳେ ମୋର ଟଙ୍କା ଦରକାର ହୁଏ, ମୁଁ ରାସ୍ତାରେ ଭିକ ମାଗେ। ତେଣୁ ଗ୍ୟାସ କନେକସନ୍ ନେବାର କୌଣସି ସମ୍ଭାବନା ନାହିଁ।”

PHOTO • Parth M.N.

ଫଟୋ ଶକୁନ୍ତଳା ଲୋନ୍ଧେ, ୬୫, ଭଲ ଭାବରେ କଥା କହି ପାରୁ ନାହାଁନ୍ତି। ସେ ଦିନକୁ ଦୁଇରୁ ତିନି ଘଣ୍ଟା ଚୁଲିରୁ ବାହାରୁଥିବା ଧୂଆଁ ଭିତରେ କଟାଉଛନ୍ତି

ସାହାଯ୍ୟକାରୀ ପଡ଼ୋଶୀମାନେ ତାଙ୍କ ପାଇଁ ପାଖ ଗାଁରୁ କିଛି କଟା କାଠ ଆଣି ଦିଅନ୍ତି। ସେଥିପାଇଁ ସେମାନଙ୍କୁ କାଠବିଡ଼ା ମୁଣ୍ଡରେ ଲଦି ପ୍ରତିଦିନ ଏକ ଘଣ୍ଟାରୁ ଅଧିକ ସମୟ ଚାଲିବାକୁ ପଡ଼େ।

ପ୍ରତ୍ୟେକ ଥର ଚୁଲି ଲଗାଇବାବେଳେ ଲୋନ୍ଧେଙ୍କର ମୁଣ୍ଡ ବୁଲାଏ ଏବଂ ନିଦ ଲାଗେ। କିନ୍ତୁ ଏଥିପାଇଁ ସେ କେବେ ଚିକିତ୍ସା ଦରକାର କରି ନାହାଁନ୍ତି।  ସେ କୁହନ୍ତି, "ମୁଁ ଡାକ୍ତରଙ୍କ ପାଖକୁ ଯାଇ ଟିକେ ଭଲ ଲାଗିବାକୁ ବଟିକା ଆଣି ଖାଇଦିଏ।”

ଅଗଷ୍ଟ ୨୦୨୨ ରେ, ୱାରିଅର୍ ମମସ୍ ନାମକ ସାରା ଭାରତରେ ଶ୍ୱାସକ୍ରିୟାରେ ବିଶୁଦ୍ଧ ବାୟୁ ଗ୍ରହଣ କରିବା ପାଇଁ ପିଲାମାନଙ୍କ ଅଧିକାର ଉଦ୍ଦେଶ୍ୟରେ ସଂଗ୍ରାମ କରୁଥିବା ମା'ମାନଙ୍କର ଏକ ସମୂହ, ନାଗପୁରରେ ଅବସ୍ଥିତ ଏକ ଅଣ-ଲାଭକାରୀ ସଂସ୍ଥା ସେଣ୍ଟର୍ ଫର୍ ସଷ୍ଟେନେବଲ୍ ଡେଭେଲପମେଣ୍ଟ, ଏବଂ ନାଗପୁର ମ୍ୟୁନିସିପାଲିଟି କର୍ପୋରେସନର ମିଳିତ ଆନୁକୂଲ୍ୟରେ ଚିଖାଲିରେ ଏକ ସର୍ଭେ ଏବଂ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା। ସେମାନେ ଫୁସଫୁସ ସ୍ୱାସ୍ଥ୍ୟର ଏକ ପରିମାପକ ପିକ୍ ଏକ୍ସପିରେଟୋରୀ ଫ୍ଲୋ ରେଟ୍ସ (ପିଇଏଫଆର୍) ପରୀକ୍ଷା କରିଥିଲେ।

୩୫୦ କିମ୍ବା ଅଧିକ ସ୍କୋର୍ ଥିଲେ ଫୁସଫୁସ ସୁସ୍ଥ ଅଛି ବୋଲି କୁହାଯାଇ ପାରିବ। ଚିଖାଲିରେ, ସ୍କ୍ରିନିଂ କରାଯାଇଥିବା ୪୧ ଜଣ ମହିଳାଙ୍କ ମଧ୍ୟରୁ ୩୪ ଜଣଙ୍କର ସ୍କୋର୍ ୩୫୦ ରୁ କମ୍ ଥିଲା। ୧୧ ଜଣଙ୍କର ୨୦୦ରୁ କମ୍ ସ୍କୋର ଥିଲା, ଫୁସଫୁସ ଦୁର୍ବଳର ସୂଚକ।

ଲୋନ୍ଧେଙ୍କ ସ୍କୋର୍ ଥିଲା ୧୫୦ ଯାହାକି ସଠିକ୍ ପରିମାପକର ଅଧାରୁ ମଧ୍ୟ କମ୍ ଥିଲା।

ନାଗପୁର ସହରର ବସ୍ତିରେ ଥିବା ୧୫୦୦ ପରିବାରକୁ ନେଇ ହୋଇଥିବା ଏହି ସର୍ଭେରୁ ଜଣାପଡ଼ିଛି ଯେ ସେମାନଙ୍କ ମଧ୍ୟରୁ ୪୩ ପ୍ରତିଶତ ପରିବାର କାଠଚୁଲି ବ୍ୟବହାର କରୁଛନ୍ତି। ଅନେକ ଘରେ ପିଲାମାନଙ୍କୁ ସୁରକ୍ଷା ଦେବା ପାଇଁ ଖୋଲା ସ୍ଥାନରେ ରାନ୍ଧନ୍ତି। ଚୁଲିରୁ ବାୟୁ ପ୍ରଦୂଷଣ, ସମଗ୍ର ବସ୍ତିକୁ ପ୍ରଭାବିତ କରେ କାରଣ କୁଡ଼ିଆଗୁଡ଼ିକ ପାଖାପାଖି ରହିଛି।

PHOTO • Parth M.N.
PHOTO • Parth M.N.

ପ୍ରତ୍ୟେକ ଥର ଚୁଲି ଲଗାଇବାବେଳେ ଲୋନ୍ଧେଙ୍କର ମୁଣ୍ଡ ବୁଲାଏ ଏବଂ ନିଦ ଲାଗେ। କିନ୍ତୁ ଏଥିପାଇଁ ସେ କେବେ ଚିକିତ୍ସା ଦରକାର କରି ନାହାଁନ୍ତି। ସେ କୁହନ୍ତି, 'ମୁଁ ଡାକ୍ତରଙ୍କ ପାଖକୁ ଯାଇ ଟିକେ ଭଲ ଲାଗିବାକୁ ବଟିକା ଆଣି ଖାଇଦିଏ।' ଡାହାଣ: ଚୁଲି ପାଇଁ କାଠ ଏଠାରେ ଗାଁର ଦୋକାନରେ ବିକ୍ରି ହୁଏ

ଗରିବ ଭାରତୀୟଙ୍କ ପାଖରେ ନିର୍ମଳ ରନ୍ଧନ ଇନ୍ଧନ ପହଞ୍ଚି ପାରୁ ନ ଥିବାରୁ ସୃଷ୍ଟି ହୋଇଥିବା ପରିବେଶ ତଥା ଜନସ୍ୱାସ୍ଥ୍ୟଗତ ସମସ୍ୟାର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମେ ୨୦୧୬ ରେ ପ୍ରଧାନମନ୍ତ୍ରୀ ଉଜ୍ଜଳା ଯୋଜନା (ପିଏମୟୁୱାଇ) ଆରମ୍ଭ କରିଥିଲେ, ଯାହା ଅଧୀନରେ ଗରିବ ପରିବାରଗୁଡ଼ିକୁ ଏଲପିଜି ସିଲିଣ୍ଡର ସଂଯୋଗ ଯୋଗାଇ ଦିଆଯାଇଥିଲା। । ପ୍ରକଳ୍ପ ୱେବସାଇଟ୍ ଅନୁଯାୟୀ ଏହି ଯୋଜନାଟି ୮ କୋଟି ପରିବାରକୁ ସ୍ୱଚ୍ଛ ରନ୍ଧନ ଇନ୍ଧନ ଯୋଗାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା, ଯାହା ସେପ୍ଟେମ୍ବର ୨୦୧୯ ରେ ହାସଲ କରାଯାଇଛି।

ତେବେ, ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣ -୫ (୨୦୧୯-୨୧) ରୁ ଜଣାପଡ଼ିଛି ଯେ ଭାରତରେ ୪୧% ରୁ ଅଧିକ ଲୋକେ ନିର୍ମଳ ରନ୍ଧନ ଇନ୍ଧନରୁ ବଞ୍ଚିତ ଅଛନ୍ତି।

ଏହା ସହିତ ଯେଉଁମାନଙ୍କ ପାଖରେ ଏହା ଉପଲବ୍ଧ ଅଛି, ସେମାନେ ଏଲପିଜିକୁ ସେମାନଙ୍କର ଇନ୍ଧନର ପ୍ରାଥମିକ ପସନ୍ଦ ଭାବରେ ବ୍ୟବହାର କରି ନ ପାରନ୍ତି। ମହାରାଷ୍ଟ୍ରରେ ରିଫିଲ୍ କରିବାକୁ ଏକ ୧୪.୨ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୧୧୦୦ ଟଙ୍କାରୁ ୧,୧୨୦ ଟଙ୍କା ଭିତରେ ପଡ଼ୁଛି ଏବଂ ଏହା ବ୍ୟାପକ ଭାବରେ ଜଣାଯାଇଛି ଯେ ୯୩.୪ ନିୟୁତ ପିଏମୟୁୱାଇ ହିତାଧିକାରୀଙ୍କ ମଧ୍ୟରୁ କେବଳ ଅଳ୍ପ ପ୍ରତିଶତ ଲୋକେ ନିୟମିତ ରିଫିଲ୍ କରିବାକୁ ସକ୍ଷମ ଅଟନ୍ତି।

ସରକାରୀ ଯୋଜନା ଅନ୍ତର୍ଗତ ଚିଖାଲିରେ ଏଲପିଜି ସଂଯୋଗ ପାଇଥିବା ୫୫ ବର୍ଷୀୟା ପାର୍ବତୀ କାକଡେ ଏହାର କାରଣ ବର୍ଣ୍ଣନା କରିଛନ୍ତି। ସେ କୁହନ୍ତି, “ଯଦି ମୁଁ ଚୁଲୀ ବ୍ୟବହାର କରିବା ପୂରାପୂରି ବନ୍ଦ କରେ, ତେବେ ମୋତେ ପ୍ରତି ମାସରେ ଗ୍ୟାସ୍ ସିଲିଣ୍ଡର୍ ରିଫିଲ୍ କରିବା ଦରକାର ହେବ। ମୁଁ ତାହା କରିପାରିବି ନାହିଁ। ତେଣୁ ଯେତେବେଳେ ଅତିଥିମାନେ ଥାଆନ୍ତି କିମ୍ବା ଯେତେବେଳେ ପ୍ରବଳ ବର୍ଷା ହୁଏ କେବଳ ସେତେବେଳେ ହିଁ ଏହାକୁ ବ୍ୟବହାର କରି ମୁଁ ଗୋଟିଏ ସିଲିଣ୍ଡରରେ ଛଅ ମାସ ଯାଏଁ କାମ ଚଳାଏ।”

ବର୍ଷାଦିନେ, କାଠ ଓଦା ହୋଇଗଲେ ଭଲ ଜଳେନି। ଚୁଲୀ ଜଳାଇ ରଖିବା ପାଇଁ ବହୁତ ବଳ ପ୍ରୟୋଗ କରି ଫୁଙ୍କ ନଳୀରେ ଫୁଙ୍କିବାକୁ ପଡ଼େ। ନିଆଁ ଲାଗିବାକୁ ବହୁତ ସମୟ ଲାଗେ। ଧୂଆଁରେ ତାଙ୍କ ନାତି ନାତୁଣିମାନଙ୍କର ଆଖି ପୋଡ଼େ। ସେମାନେ କାନ୍ଦି ପକାନ୍ତି। ଶ୍ୱାସକ୍ରିୟାରେ ସମସ୍ୟା ହୁଏ ବୋଲି ମଧ୍ୟ କାକଡ଼େ ଜାଣିଛନ୍ତି। କିନ୍ତୁ ସେ ଅସହାୟ!

PHOTO • Parth M.N.

୫୫ ବର୍ଷୀୟା, ପାର୍ବତୀ କାକଡେ, ସରକାରୀ ଯୋଜନା ଅନ୍ତର୍ଗତ ଏଲପିଜି ସଂଯୋଗ ପାଇଛନ୍ତି। ସେ କୁହନ୍ତି, 'ଯେତେବେଳେ ଅତିଥିମାନେ ଥାଆନ୍ତି କିମ୍ବା ଯେତେବେଳେ ପ୍ରବଳ ବର୍ଷା ହୁଏ କେବଳ ସେତେବେଳେ ହିଁ ଏହାକୁ ବ୍ୟବହାର କରି ମୁଁ ଗୋଟିଏ ସିଲିଣ୍ଡରରେ ଛଅ ମାସ ଯାଏଁ କାମ ଚଳାଏ'

କାକଡ଼େ କୁହନ୍ତି, “ମୁଁ ଏ ବିଷୟରେ କିଛି କରିପାରିବି ନାହିଁ। ଆମେ ବହୁ କଷ୍ଟରେ ଆମ ଆବଶ୍ୟକତା ପୂରଣ କରିପାରୁ। ”

କାକଡ଼େଙ୍କ ଜ୍ୱାଇଁ, ବଳିରାମ, ୩୫, ପରିବାରର ଏକମାତ୍ର ରୋଜଗାରକାରୀ ସଦସ୍ୟ। ଅଳିଆ ଗୋଟାଇ ସେ ମାସକୁ ୨୫୦୦ ଟଙ୍କା ରୋଜଗାର କରନ୍ତି। ପରିବାର ଲୋକେ ଜାଳେଣି କାଠକୁ ସେମାନଙ୍କର ପ୍ରାଥମିକ ରନ୍ଧନ ଇନ୍ଧନ ଭାବରେ ବ୍ୟବହାର ଜାରି ରଖିଛନ୍ତି ଏବଂ ଆସ୍ତମା, ଦୁର୍ବଳ ଫୁସଫୁସ, ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ଏବଂ ଶ୍ୱାସକ୍ରିୟା ଜନିତ ସଂକ୍ରମଣରେ ପୀଡ଼ିତ ହେବାର ଭୟରେ ଦିନ କାଟୁଛନ୍ତି।

ଡକ୍ଟର ଆର୍ବତ୍ କୁହନ୍ତି, “ଯେକୌଣସି ଦୁଃସାଧ୍ୟ ଫୁସଫୁସ ରୋଗ ମାଂସପେଶୀକୁ ନଷ୍ଟ କରିଦିଏ ଏବଂ ଜୀବନରେ ଅକାଳ ବୃଦ୍ଧାବସ୍ଥା ଆଣିଥାଏ।" ନିଶ୍ୱାସ ନେବାରେ ଅସୁବିଧା ହେତୁ ....ରୋଗୀମାନେ ସଂକୁଚିତ ହେବାକୁ ଲାଗନ୍ତି ... ସେମାନେ ଘର ଭିତରେ ରହିବାକୁ ପସନ୍ଦ କରନ୍ତି ଏବଂ ଏହା ଦ୍ୱାରା ଆତ୍ମବିଶ୍ୱାସ କମିଯାଏ ଏବଂ ଉଦାସୀନତା ମଧ୍ୟ ଦେଖାଦିଏ।"

ଆର୍ବତଙ୍କ ମନ୍ତବ୍ୟ ଇନ୍ଦ୍ରାବତୀଙ୍କୁ ପୂରାପୂରି ଠିକ୍ ଭାବରେ ବର୍ଣ୍ଣନା କରେ।

ସେ ଭଲ ଭାବରେ କଥା କହି ପାରନ୍ତି ନାହିଁ ଏବଂ ଯେତେବେଳେ ସେ କଥାବାର୍ତ୍ତା କରନ୍ତି ସେତେବେଳେ ଆଖିରେ ଆଖି ମିଶାଇ ପାରନ୍ତି ନାହିଁ। ତାଙ୍କ ଭାଇମାନେ ନିଜ ନିଜ ସ୍ତ୍ରୀଙ୍କୁ ନେଇ ରାଜ୍ୟ ବାହାରେ ଏକ ବିବାହ ଉତ୍ସବରେ ଯୋଗଦେବାକୁ ଯାଇଛନ୍ତି। ସେ ଘରେ ରହିବାକୁ ଠିକ୍ କରିଛନ୍ତି ଯାହା ଦ୍ୱାରା ଅନ୍ୟମାନେ ତାଙ୍କ ଯତ୍ନ ନେବାରେ ବ୍ୟସ୍ତ ରହିବେ ନାହିଁ। “ଏହା କେହି ପାଟି ଖୋଲି କହି ନାହାଁନ୍ତି, କିନ୍ତୁ ମୋ ଭଳି ଗୋଟେ ଲୋକ ପାଇଁ କାହିଁକି ଟିକେଟ୍‌ରେ ଟଙ୍କା ନଷ୍ଟ କରିବେ?” ସେ ଏକ ଯନ୍ତ୍ରଣାଦାୟକ ହସ ହସି କହନ୍ତି, “ମୁଁ ଏବେ ଅଲୋଡ଼ା ହୋଇଗଲିଣି।”

ପାର୍ଥ  ଏମ୍ . ଏନ୍, ଠାକୁର ପରିବାର ଫାଉଣ୍ଡେସନ ପକ୍ଷରୁ ଏକ ସ୍ୱତନ୍ତ୍ର ସାମ୍ବାଦିକତା ଅନୁଦାନ ମାଧ୍ୟମରେ ଜନସ୍ୱାସ୍ଥ୍ୟ ଏବଂ ନାଗରିକ ସ୍ୱାଧୀନତା ଉପରେ ଖବର ସଂଗ୍ରହ କରୁଛନ୍ତି। ଠାକୁର ପରିବାର ଫାଉଣ୍ଡେସନ ଏହି ରିପୋର୍ଟର ବିଷୟବସ୍ତୁ ଉପରେ କୌଣସି ସମ୍ପାଦକୀୟ ନିୟନ୍ତ୍ରଣ ଲାଗୁ କରିନାହାଁନ୍ତି।

ଅନୁବାଦ : ଓଡ଼ିଶାଲାଇଭ୍‍

Parth M.N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M.N.
Editor : Kavitha Iyer

Kavitha Iyer has been a journalist for 20 years. She is the author of ‘Landscapes Of Loss: The Story Of An Indian Drought’ (HarperCollins, 2021).

Other stories by Kavitha Iyer
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE