ରାମା ଆଦେଲ୍ଲୁଗାଣ୍ଡେୱାଡ ସବୁବେଳେ ଚିନ୍ତିତ ଓ ବିବ୍ରତ ରହୁଛନ୍ତି, ଏବଂ ସେ ଜାଣନ୍ତି କ’ଣ ପାଇଁ। ଯଦିଓ କୋଭିଡ୍ -୧୯ ର ଭୟଙ୍କର ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଇଛି, ତଥାପି ସେ ଏହାର ସ୍ମୃତିଗୁଡ଼ିକୁ ଲିଭାଇ ପାରିବେ ନାହିଁ। ସେ କୁହନ୍ତି, "ଶବଦାହ କିଛି ସମୟ ପାଇଁ ଚଳ ଚଞ୍ଚଳ ନଥିଲା"। “କିନ୍ତୁ ଯଦି ତୃତୀୟ ଲହର ଆସେ ତେବେ କ’ଣ ହେବ? ମୁଁ ପୁନର୍ବାର ସେହି ଭୟଙ୍କର ପରିସ୍ଥିତିର ସମ୍ମୁଖୀନ ହେବା କଥା ଚିନ୍ତା କରିପାରିବି ନାହିଁ।”

ମହାରାଷ୍ଟ୍ରର ଓସମାନାବାଦ ସହରର କପିଲଧରଶ୍ମଶାନ ଭୂମିରେ ୬୦ ବର୍ଷୀୟ ରାମା ଜଣେ ଶବଦାହ କର୍ମଚାରୀ ଭାବରେ ନିୟୋଜିତ ହୋଇଛନ୍ତି। ସେ ତାଙ୍କ ପରିବାର ସହିତ ଶ୍ମଶାନ ପରିସରରେ ରୁହନ୍ତି: ତାଙ୍କର ୭୮ ବର୍ଷୀୟା ମା ଆଦିଲବାଇ; ୪୦ ବର୍ଷୀୟା ପତ୍ନୀ ଲକ୍ଷ୍ମୀ; ଏବଂ ସେମାନଙ୍କର ଚାରି ଝିଅ ୧୮ ବର୍ଷର ରାଧିକା, ୧୨ ବର୍ଷର ମନୀଷା, ଏବଂ ୧୦ ବର୍ଷର ସତ୍ୟଶିଲା, ଏବଂ ୩ ବର୍ଷର ସାରିକା। ରାଧିକାଙ୍କ ୨୨ ବର୍ଷୀୟ ସ୍ୱାମୀ ଗଣେଶ ମଧ୍ୟ ସେମାନଙ୍କ ସହିତ ରୁହନ୍ତି।

ରାମା ଶ୍ମଶାନ ପରିଚାଳନା ଦାୟିତ୍ୱରେ ଅଛନ୍ତି। "ମୁଁ ମୃତ ଶରୀର ପାଇଁ ଚିତା ସ୍ଥାପନ କରିଥାଏ, ମୃତ ଶରୀର ଜଳିଯିବା ପରେ ପାଉଁଶ ସଫା କରିଥାଏ ଏବଂ ଏହିପରି ଅନେକଥର। ” ଗଣେଶ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରନ୍ତି। ରାମା କୁହନ୍ତି, “ଏଥିପାଇଁ ଆମେ[ଓସମାନାବାଦ] ପୌରପାଳିକା ପରିଷଦରୁ ମାସକୁ ୫୦୦୦ ଟଙ୍କା ପାଇଥାଉ।” ଏହି ରାଶି, ଯାହା ଉଭୟଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟ ପାଇଁ ମିଳିଥାଏ, ତାହା ହେଉଛି ପରିବାରର ଆୟର ଏକମାତ୍ର ଉତ୍ସ।

ଓସମାନାବାଦ ସହରଠାରୁ ୨୦୦ କିଲୋମିଟରରୁ ଅଧିକ ଦୂର - ନନ୍ଦେଡର ମୂଳ ଅଧିବାସୀ - ରାମା ଏବଂ ତାଙ୍କ ପରିବାର ପ୍ରାୟ ୧୨ ବର୍ଷ ପୂର୍ବେ ଏଠାକୁ ଆସିଥିଲେ। ସେମାନେ ମସାନଯୋଗୀ ସମ୍ପ୍ରଦାୟର, ଯାହାକି ମହାରାଷ୍ଟ୍ରର ଏକ ଯାଯାବର ଜନଜାତି ଭାବରେ ବର୍ଗୀକୃତ। ମସାନଯୋଗୀମାନେ ପାରମ୍ପରିକ ଭାବରେ ଶବଦାହକାରୀ ଏବଂ ଭିକ୍ଷୁକ ଅଟନ୍ତି। ଗାଣ୍ଡେୱାଡଙ୍କ ପରି କେତେକ ପରିବାର ଶ୍ମଶାନ ଏବଂ ସମାଧିସ୍ଥଳମାନଙ୍କରେ ରୁହନ୍ତି।

PHOTO • Parth M. N.
PHOTO • Parth M. N.

ଗଣେଶ (ନୀଳ ଏବଂ ଧଳା ଟି-ସାର୍ଟରେ) ଶବଦାହ ପରେ ପାଉଁଶ ସଂଗ୍ରହ କରନ୍ତି ଶବଦାହ କାର୍ଯ୍ୟରେ ସେ ତାଙ୍କ ଶ୍ୱଶୁର ରା ମା ଗାଣ୍ଡେୱାଡଙ୍କୁ ସାହାଯ୍ୟ କରନ୍ତି

ରାମା କହିଛନ୍ତି ଯେ ସେ “ସାରା ଜୀବନ” ଶବଦାହର କାର୍ଯ୍ୟ କରିଛନ୍ତି। କିନ୍ତୁ କୋଭିଡ -୧୯ ଆରମ୍ଭ ପୂର୍ବରୁ ସେ କେବେ ବି ଏତେ ସଂଖ୍ୟକ ମୃତ ଶରୀରକୁ ଏକାଠି ଦେଖି ନଥିଲେ। ସେ କୁହନ୍ତି, “ବିଶେଷ କରି ଦ୍ୱିତୀୟ ଲହର [ମାର୍ଚ୍ଚ-ମଇ ୨୦୨୧] ସମୟରେ", "ମୁଁ ଏହା ପୂର୍ବରୁ ଏପରି କିଛି ଦେଖି ନଥିଲି"। ରୋଗୀଙ୍କ ମୃତଦେହ ଦିନସାରା ଜଳୁଥିଲା। ଆମେ ସେହି ଧୂଆଁକୁ ଦିନସାରା ନିଶ୍ୱାସରେ ନେଇଥିଲୁ। ମୁଁ ଆଶ୍ଚର୍ଯ୍ୟ ହେଉଛି ଯେ କୋଭିଡରେ ଆମ ମଧ୍ୟରୁ କେହି ବି କିପରି ମରି ନାହାନ୍ତି।”

ଅନେକ ଦିନ ଧରି ଏହି ମହାମାରୀ ପରିବାରକୁ ଅଣନିଃଶ୍ୱାସୀ କରିଦେଇଥିଲା। ଶ୍ମଶାନର ଫାଟକରେ ଅବସ୍ଥିତ ସେମାନଙ୍କର ଟିଣ ଘର, ଚିତା ଜଳାଯାଉଥିବା ସ୍ଥାନଠାରୁ ୧୦୦-୧୫୦ ମିଟର ଦୂରରେ ଥିଲା। ଘରର ଆର ପଟେ ଏକ କାଠ ଗଦା କରାଯାଇଛି ଏବଂ ତାଙ୍କ ଘରଠାରୁ ପ୍ରାୟ ଏକ ଡଜନ ପାହାଚ ପରେ ଚିତାଗୁଡ଼ିକ ଧାଡ଼ି କରି ରଖାଯାଇଛି। ଜଳୁଥିବା ଶରୀରର ଧୂଆଁଯୁକ୍ତ ଦୁର୍ଗନ୍ଧ ପବନ ଉପରକୁ ଉଠି କୁଡ଼ିଆ ଆଡ଼କୁ ବ୍ୟାପି ଯାଇଥାଏ।

ଯେତେବେଳେ କୋଭିଡ କାରଣରୁ ମୃତ୍ୟୁ ହାର ବହୁତ ଅଧିକ ଥିଲା, ସେତେବେଳେ ଗାଣ୍ଡେୱାଡଙ୍କ ଘର ସବୁବେଳେ ଧୂଆଁମୟ ହୋଇ ରହୁଥିଲା । ଦିନକୁ ଦୁଇଥର - ଅପରାହ୍ନ ଏବଂ ବିଳମ୍ବିତ ସନ୍ଧ୍ୟାରେ ଶବଦାହ ପାଇଁ ଓସମାନାବାଦ ସିଭିଲ ହସ୍ପିଟାଲରୁ ଶବ ପଠାଯାଉଥିଲା। ପ୍ରତ୍ୟେକ ସେଟ୍ ଶ୍ମଶାନରେ ପହଞ୍ଚିବା ପୂର୍ବରୁ ରାମା ଏବଂ ଗଣେଶ ଚିତାଗୁଡ଼ିକ ପ୍ରସ୍ତୁତ କରୁଥିଲେ।

ଗଣେଶ କୁହନ୍ତି,"ଏହି ମାସଗୁଡ଼ିକରେ, ଶ୍ମଶାନରେ ପ୍ରତ୍ୟେକ ଦିନ ୧୫ରୁ ୨୦ଟି ଶବ ଦାହ କରାଯାଉଥିଲା। ଏକ ଦିନ ଆମେ ୨୯ଟି ଶବ ଦାହ କରିଥିଲୁ। ସେ ଆହୁରି କୁହନ୍ତି, "ପ୍ରଥମ ଲହର [ଏପ୍ରିଲରୁ ଜୁଲାଇ୨୦୨୦ ପ୍ରାରମ୍ଭ ପର୍ଯ୍ୟନ୍ତ] ସମୟରେ ଆମେ ଦିନକୁ ୫ରୁ ୬ ଟି ଶବ ଗ୍ରହଣ କରୁଥିଲୁ, ଏବଂ ସେହି ସମୟରେ ଏହା ବହୁତ ଅଧିକ ବୋଲି ଆମେ ଭାବୁଥିଲୁ। ଆମେ ଆଉ ଏତେ ସଂଖ୍ୟକ ଶବସତ୍କାର କରିପାରିବୁ ନାହିଁ। ଏହା ଚାପ କାରକ ଓ କ୍ଳାନ୍ତିଦାୟକ।"

PHOTO • Parth M. N.
PHOTO • Parth M. N.

ବାମ: ଶ୍ମଶାନରେ ଗାଣ୍ଡେୱାଡଙ୍କର ଘର ଆଗରେ କାଠ ଗଦା କରାଯାଇଛି। ଡାହାଣ: ରାମା ଗାଣ୍ଡେୱାଡ ଓ ସାରିକା, ତାଙ୍କର ତିନି ବର୍ଷର ଝିଅ

ପ୍ରାୟ ପ୍ରତ୍ୟେକ ଦିନ, ସେମାନେ ବନ୍ଧୁଜନମାନଙ୍କର ବିକଳ କ୍ରନ୍ଦନ ଶୁଣି ଉଠି ପଡୁଥିଲେ ଏବଂ  ଆଖିରେ ଯନ୍ତ୍ରଣା ସହିତ ଶୋଇବାକୁ ଯାଉଥିଲେ। ଏବଂ କୋଭିଡ ସଂକ୍ରମଣ କମିବା ପରେ ଯଦିଓ ସେମାନେ ଭଲରେ ନିଃଶ୍ୱାସ ପ୍ରଶ୍ୱାସ ନେଇପାରୁଥିଲେ, ତାଙ୍କ ଘରକୁ ଆଚ୍ଛାଦିତ କରି ରଖିଥିବା ଦୁର୍ଗନ୍ଧଯୁକ୍ତ ଧୂଆଁକୁ ଏବେବି ଭୁଲି ପାରିନାହାନ୍ତି।

ଓସାମାନାବାଦ ଜିଲ୍ଲାରେ ଅକ୍ଟୋବର ୧୪ ତାରିଖ ସୁଦ୍ଧା ପାଖାପାଖି ୩୯୦ ଜଣ ସକ୍ରିୟ କୋଭିଡ ସଂକ୍ରମିତ ଅଛନ୍ତି। ମାର୍ଚ୍ଚ ୨୦୨୦ ସୁଦ୍ଧା ୬୭,୦୦୦ରୁ ଅଧିକ ବ୍ୟକ୍ତି କୋଭିଡ ସଂକ୍ରମିତ ଓ ୨୦୦୦ରୁ ଅଧିକ ବ୍ୟକ୍ତି କୋଭିଡରେ ମୃତ୍ୟୁବରଣ କରିଥିବାର ରିପୋର୍ଟ କରାଯାଇଛି।

ଶବଦାହ ସମୟରେ ବ୍ୟାକୁଳ ଆତ୍ମୀୟମାନଙ୍କର କ୍ରନ୍ଦନ ଏବେବି ରାମାଙ୍କୁ ବିବ୍ରତ କରୁଛି। କିନ୍ତୁ ସେ କୁହନ୍ତି ସେମାନେ ଅନେକ ସମୟରେ ଶ୍ମଶାନରେ ଭିଡ଼ କରନ୍ତି ଓ କୋଭିଡ କଟକଣାଗୁଡ଼ିକୁ ସଂପୂର୍ଣ୍ଣରୂପେ ଅଣଦେଖା କରନ୍ତି। ସେ ଆହୁରି କୁହନ୍ତି,"ସେମାନଙ୍କ ସହ କାର୍ଯ୍ୟ କରିବା ସମୟରେ ତୁମକୁ ସମ୍ବେଦନଶୀଳ ହେବାକୁ ପଡ଼ିବ।" ସେମାନଙ୍କୁ ସୁରକ୍ଷିତ ଦୂରତାରେ ରଖି ତୁମକୁ ତୁମର କାମ କରିବାକୁ ପଡ଼ିବ। ବେଳେବେଳେ ଲୋକମାନେ ବୁଝନ୍ତି, ବେଳେବେଳେ ସେମାନେ ଉଗ୍ର ହୋଇଯାଆନ୍ତି।"

କିନ୍ତୁ ଏହା ରାମାଙ୍କର ନିଜର ପରିବାରକୁ ଗଭୀର ଭାବରେ ପ୍ରଭାବିତ କରିଥିଲା-ବିଶେଷକରି ଦ୍ୱିତୀୟ ଲହର ସମୟରେ। ଯେତେବେଳେ ପ୍ରତ୍ୟେକଥର ଆମ୍ବୁଲାନ୍ସ ତୀଖ ରାସ୍ତା ଉପରକୁ ଚଢୁଥିଲା, ଶ୍ମଶାନକୁ ଯାଇଥିବା ପାହାଡିଆ ରାସ୍ତା, ତାଙ୍କର ତିନି ବର୍ଷର ଝିଅ ସାରିକା "ଧୂଆଁ, ଧୂଆଁ" ବୋଲି ଚିତ୍କାର କରୁଥିଲା। ଘରର କବାଟ ଓ ଝରକାଗୁଡ଼ିକ ବନ୍ଦଥିଲେ ମଧ୍ୟ ଘର ଭିତରେ ଧୂଆଁ ପଶିଯିବାକୁ ସୂଚାଇ ଗଣେଶ କୁହନ୍ତି,"ଏପରିକି ମୃତଶରୀରଗୁଡ଼ିକ ଆମ୍ବୁଲାନ୍ସରୁ କଢ଼ାଯିବା ପୂର୍ବରୁ ସେ ନିଜର ଆଖି ମକଚିବା ଆରମ୍ଭ କରିଦେଉଥିଲା।" ‘‘ଦ୍ୱିତୀୟ ଲହରର ପ୍ରଭାବ ହ୍ରାସ ପାଇବା ପରେ ଆମେମାନେ ଟିକିଏ ଆଶ୍ୱସ୍ତ ହେଲୁ। ତେଣୁ ସେ ଏବେ ଆଉ ଏହା କରୁନାହିଁ। କିନ୍ତୁ ଏହିପରି ବଢ଼ିବା ତା ଉପରେ ଦୀର୍ଘକାଳୀନ ପ୍ରଭାବ ପକାଇପାରେ। ଏକ ତୃତୀୟ ଲହରର ଆଶଙ୍କା ଆମକୁ ଡରାଉଛି।"

PHOTO • Parth M. N.
PHOTO • Parth M. N.
PHOTO • Parth M. N.

ବାମରୁ ଡାହାଣ: ନିଜ ଘର ବାହାରେ ଥିବା ଏକ ଗଛ ଛାଇରେ ବସିଛନ୍ତି ରାମା, ତାଙ୍କର ମା’ ଆଦିଲବାଇ ଏବଂ ଝିଅ ରାଧିକା (ଗଣେଶଙ୍କର ସ୍ତ୍ରୀ)

ପ୍ରତ୍ୟେକ ଦିନ ସକାଳେ ରାମା ଓ ତାଙ୍କର ପରିବାର ଜିଲ୍ଲା ପ୍ରଶାସନ ଦ୍ୱାରା ଫୋନରେ ଉପଲବ୍ଧ କରାଯାଇଥିବା କୋଭିଡ-୧୯ ସଂକ୍ରମିତଙ୍କ ସଂଖ୍ୟା ଦେଖନ୍ତି। ରାମା କୁହନ୍ତି, "ପ୍ରତ୍ୟେକ ଦିନ, ଉଠିବା ପରେ, ସଂଖ୍ୟାଗୁଡିକୁ ଯାଞ୍ଚ କରୁ ଏବଂ ତା’ପରେ ଶାନ୍ତିରେ ନିଃଶ୍ୱାସ ନେଉ। ଏହା ଏବେ ଆଉ ବିବ୍ରତ କରୁନାହିଁ।" "କିନ୍ତୁ ଯଦି ତୃତୀୟ ଲହର ଆସେ, କିମ୍ବା ଯଦି ସଂକ୍ରମିତଙ୍କ (କୋଭିଡ)ସଂଖ୍ୟା ବୃଦ୍ଧି ପାଏ, ତେବେ ଆମେମାନେ ହେବୁ ପ୍ରଥମ ବ୍ୟକ୍ତି ଯେଉଁମାନେ ଏହା ଜାଣିପାରିବେ’’।

ଯଦିଓ ଏହି ପରିବାର ମହାମାରୀର ପ୍ରକୋପରୁ ଏପର୍ଯ୍ୟନ୍ତ ବର୍ତ୍ତିଯାଇଛନ୍ତି, ରାମାଙ୍କର ମାଆ ଏହାର ଦୀର୍ଘକାଳିନ ପ୍ରଭାବ ବିଷୟରେ କୁହନ୍ତି। ଆଦିଲବାଇ କୁହନ୍ତି,"କୌଣସି ନା କୌଣସି ସମୟରେ ଆମେ ସମସ୍ତେ ଅସୁସ୍ଥ ହୋଇ ପଡିଥିଲୁ"। "ଆମେମାନେ ଏବେବି କାଶୁଛୁ, ଯଦିଓ ଏତେ ସଂଖ୍ୟକ ମୃତ ଶରୀର ଆଉ ଆସୁନାହିଁ। ପ୍ରବଳ ମୁଣ୍ଡବିନ୍ଧା ହେଉଛି ଓ ମୁଣ୍ଡ ଘୂରେଇ ଦେଉଛି। ଆମେ ସବୁବେଳେ ମୁଣ୍ଡ ବୁଲେଇଲା ପରି ଅନୁଭବ କରୁଛୁ। ମୁଁ ଭାବି ପାରୁନାହିଁ ଯେ ସବୁବେଳେ ମୃତ୍ୟୁ ଭୟ ମଧ୍ୟରେ ରହି ଆମେ ଆଉ ଏକ କୋଭିଡ ଆକ୍ରମଣକୁ ପ୍ରତିହତ କରିପାରିବୁ। "

ସେମାନେ ଯେଉଁଠାରେ ରହୁଛନ୍ତି ସେଠାରେ ରହିବା ବ୍ୟତିତ ସେମାନଙ୍କ ପାଖରେ ଆଉ କୌଣସି ବିକଳ୍ପ ନାହିଁ। ରାମା ପଚାରନ୍ତି "ଆମେ କୁଆଡେ ଯିବୁ?" ଘର ଭଡ଼ାରେ ନେବା ପାଇଁ ଆମ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ। ଏବଂ ମୁଁ ମୋ ଜୀବନରେ ଏହି କାର୍ଯ୍ୟ ବ୍ୟତୀତ ଅନ୍ୟ କୌଣସି କାର୍ଯ୍ୟ କରିନାହିଁ।

ଏହି ପରିବାର ଯଅ ଓ ବାଜରା ଚାଷ କରନ୍ତି- କେବଳ ସେମାନଙ୍କର ଆବଶ୍ୟକତା ପୂରଣ କରିବା ପାଇଁ ଯଥେଷ୍ଟ - ଶ୍ମଶାନ ନିକଟରେ ପୌରପାଳିକାର ଥିବା ଅଧ ଏକର ଜମିରେ। ଆଦିଲବାଇ କୁହନ୍ତି, "ଦାହ ସଂସ୍କାର କାର୍ଯ୍ୟରୁ [୫୦୦୦ ଟଙ୍କା] କେବଳ ଆମ ହାତକୁ ନଗଦ ଅର୍ଥ ଆସିଥାଏ। ଆମେ ଏହା ବିନା ବଞ୍ଚିପାରିବୁ ନାହିଁ।"

ଅନ୍ୟ କୌଣସି ରୋଜଗାର ବିନା ପରିବାରଟି ନିଜର ଆବଶ୍ୟକତାକୁ ନିଜେ ପୂରଣ କରିଥାଏ ଏପରିକି ଏହି ସମୟରେ ଦରକାର ହେଉଥିବା ମୌଳିକ ଆବଶ୍ୟକତାଗୁଡ଼ିକୁ ମଧ୍ୟ। ଆମ ପାଖରେ କୌଣସି ସୁରକ୍ଷା ଉପକରଣ ନାହିଁ। ଆମ ପାଖରେ ସାନିଟାଇଜର ନାହିଁ। ଆଦିଲବାଇ କୁହନ୍ତି,"ଆମେ ଖାଲି ହାତରେ ସମସ୍ତ କାର୍ଯ୍ୟ କରିଥାଉ"। କିନ୍ତୁ ଅନ୍ୟମାନଙ୍କ ଅପେକ୍ଷା ସେ ନିଜର ନାତିନାତୁଣୀମାନଙ୍କ ପାଇଁ ଅଧିକ ଚିନ୍ତିତ। ସେ କୁହନ୍ତି,"ସେମାନେ ବଡ଼ ହୋଇ ଏକ ଶ୍ମଶାନରେ କାମ କରନ୍ତୁ ବୋଲି ମୁଁ ଚାହେଁ ନାହିଁ"।

ଏହି କାହାଣୀଟି ପୁଲିତଜର ଦ୍ୱାରା ସାମ୍ବାଦିକମାନଙ୍କୁ ସ୍ୱାଧିନ ସାମ୍ବାଦିକତା ପାଇଁ ଦିଆଯାଉଥିବା ଅନୁଦାନ ସହାୟତାରେ ପ୍ରକାଶିତ ଏକ ସିରିଜର ଅଂଶ।

ଅନୁବାଦ : ଓଡ଼ିଶାଲାଇଭ୍‍

Parth M. N.

Parth M.N. is a 2017 PARI Fellow and an independent journalist reporting for various news websites. He loves cricket and travelling.

Other stories by Parth M. N.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE