“ମୋ ପରିବାର ଏପରି ଗୋଟିଏ ଘର ଖୋଜି ବାହାରକଲା ଯେଉଁଥିରେ ଏକ ସ୍ୱତନ୍ତ୍ର ପ୍ରବେଶଦ୍ୱାରଯୁକ୍ତ ଏକ ସ୍ୱାଧୀନ ବଖରା ଥିଲା, ଯାହାଫଳରେ ମୁଁ ଅନ୍ୟମାନଙ୍କଠାରୁ  ନିଜକୁ ସହଜରେ ପୃଥକ୍‌ କରି ରଖିବା ସମ୍ଭବ ହୋଇପାରିବ,’’ ବୋଲି ଏସ୍.ଏନ୍ ଗୋପାଳା ଦେବୀ କହନ୍ତି। ତାହା ହେଉଛି ୨୦୨୦ର ମେ ମାସର କଥା, ଯେତେବେଳେ କିଛି ପରିବାର ମିଶି ନିଷ୍ପତ୍ତି ନେଲେ ଯେ ସେମାନେ ନିଜ ନିଜ ପରିବାରର ଅନ୍ୟ ସଦସ୍ୟମାନଙ୍କୁ ବଞ୍ଚାଇବା ପାଇଁ ଏପ୍ରକାରର ପଦକ୍ଷେପ ନେବେ – ଏହାସହିତ ଅତ୍ୟନ୍ତ ବିପଦପୂର୍ଣ୍ଣ ତାଙ୍କର ବୃତ୍ତି ସହ ଯୋଡ଼ି ହୋଇ ରହିଥିବା ପରିବାରର ଅନ୍ୟ ସଦସ୍ୟମାନଙ୍କ ଭାର ଲାଘବ କରିବା।

ପଚାଶ ବର୍ଷୀୟ ଗୋପାଳା ଦେବୀ ଜଣେ ନର୍ସ ଅଟନ୍ତି । ଜଣେ ଉଚ୍ଚ ପ୍ରଶିକ୍ଷିତ ପେସାଦାର ଯାହା ପାଖରେ ୨୯ ବର୍ଷର ଅନୁଭବ ରହିଛି , ଯିଏ ଚେନ୍ନାଇର ରାଜୀବ ଗାନ୍ଧି ସରକାରୀ ଜେନେରାଲ୍‌ ହସ୍‌ପିଟାଲ୍‌ର କୋଭିଡ୍‌ ୱାର୍ଡରେ କରୋନା ଭୂତାଣୁ ମହାମାରୀ ସମୟରେ ଦୀର୍ଘ ସମୟ କାମରେ ଅତିବାହିତ କରିଛନ୍ତି । ସେ ସୀମିତ ସମୟ ପାଇଁ ସେହି ସହର ନିକଟବର୍ତ୍ତୀ ଅଞ୍ଚଳ ପୁଲିୟାନ୍ଥୋପ୍‌ରେ ଥିବା ଏକ ସ୍ୱତନ୍ତ୍ର କୋଭିଡ୍‌ କେୟାର୍‌ କେନ୍ଦ୍ରର ଦାୟିତ୍ୱରେ ମଧ୍ୟ ରହିଥିଲେ ।

ବର୍ତ୍ତମାନ, ଯେତେବେଳେକି ଲକ୍‌ଡାଉନ୍ ବିଭିନ୍ନ ପର୍ଯ୍ୟାୟରେ ଉଠାଯିବା ସହିତ ବିଭିନ୍ନ ପ୍ରକାରର ଗତିବିଧିଗୁଡିକ ଧୀରେ ଧୀରେ ସାଧାରଣ ହେବାରେ ଲାଗିଛି, ତଥାପି, ଗୋପାଳା ଦେବୀ ଯେତେବେଳେ କୋଭିଡ୍‌ -୧୯ ୱାର୍ଡରୁ କାମ କରି ଫେରନ୍ତି, ସେତେବେଳେ ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡିଥାଏ । ‘‘ମୋ ପାଇଁ ଏବେ ମଧ୍ୟ ଲକ୍‌ଡାଉନ୍‌ ଜାରି ରହିଛି,” ବୋଲି ସେ ହସିହସି କୁହନ୍ତି । “ନର୍ସମାନଙ୍କ ପାଇଁ ଏହା ସମାପ୍ତ ହେବାକୁ ବହୁତ ସମୟ ଲାଗିବ।

ଯେପରି ଅନେକ ନର୍ସ ଏହି ସମ୍ବାଦଦାତାଙ୍କୁ କହିଲେ ; ଆମ ପାଇଁ ଲକ୍‌ଡାଉନ୍‌ ଓ କାମ ସବୁବେଳେ ରହିଥିବ’

“ଗତ ସେପ୍ଟେମ୍ବରରେ ମୋର ଝିଅର ବାହାଘର ଥିଲା, ଆଉ ମୁଁ ପୂର୍ବଦିନଠାରୁ ହିଁ ଛୁଟିରେ ରହିଥିଲି,” ବୋଲି ଗୋପାଳାଦେବୀ କୁହନ୍ତି । “ମୋର ସ୍ୱାମୀ ଉଦୟକୁମାର ବିବାହ କାର୍ଯ୍ୟର ସମ୍ପୂର୍ଣ୍ଣ ଦାୟିତ୍ୱ ନିଜେ ତୁଲାଇଥିଲେ’’ । କୁମାର ଚେନ୍ନାଇର ଅନ୍ୟ ଏକ ଡାକ୍ତରଖାନା, ଶଙ୍କର ନେତ୍ରାଳୟରେ ଆକାଉଣ୍ଟସ ବିଭାଗରେ କାମ କରନ୍ତି । ଆଉ ସେ କୁହନ୍ତି, “ସେ (କୁମାର) ମୋର ବୃତ୍ତିର ଆବଶ୍ୟକତାକୁ ବୁଝନ୍ତି ।’’

ସେଇ ଡାକ୍ତରଖାନାରେ ନିଜ କାମ ପାଇଁ ପୁରସ୍କୃତ ହୋଇଥିବା ୩୯ ବର୍ଷ ବୟସ୍କ ଥମିଝ ସେଲ୍‌ଭି – କୌଣସି ଛୁଟି ନନେଇ - କୋଭିଡ୍‌ ୱାର୍ଡରେ କାମ କରନ୍ତି । “କ୍ୱାରେଣ୍ଟାଇନ୍‌ରେ ରହୁଥିବା ଦିନଗୁଡିକ ବ୍ୟତୀତ, ମୁଁ ଅନ୍ୟ କୌଣସି ଦିନ ଛୁଟିରେ ରହିନି । ଏପରିକି ମୁଁ ମୋର ଛୁଟିଦିନଗୁଡିକରେ ମଧ୍ୟ କାମ କରୁଥିଲି କାରଣ ମୁଁ ଏହି ସମସ୍ୟାର ଗମ୍ଭୀରତାକୁ ବେଶ୍‌ ଭଲଭାବେ ବୁଝିପାରିଛି,” ବୋଲି ସେ କୁହନ୍ତି ।

“ମୋର ଛୋଟପୁଅ ସାଇନ୍‌ ଓଲିଭର୍‌କୁ ଏକଲା ଛାଡି ବହୁଦିନ ପର୍ଯ୍ୟନ୍ତ ତା’ଠାରୁ ଦୂରରେ ରହିବା ଅତ୍ୟନ୍ତ ଦୁଃଖଦାୟକ । ବେଳେବେଳେ ମୁଁ ନିଜକୁ ଦୋଷୀ ମନେକରେ, ହେଲେ, ପୁଣି ଏହି ଭାବନା ମନରେ ଆସେ ଯେ ଏହି ମହାମାରୀ ସମୟରେ ଆମେ ସବୁବେଳେ କାମ କରିବା ପାଇଁ ତତ୍ପରତା ଦେଖାଇବା ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ । ଯେତେବେଳେ ମୁଁ ଜାଣିବାକୁ ପାଏ ଯେ ଆମର ରୋଗୀମାନେ ସେମାନଙ୍କ ପରିବାର ପାଖକୁ ଫେରୁଛନ୍ତି ସେତେବେଳେ ଯେଉଁ ଖୁସି  ମିଳେ ତାହା ଆମର ସମସ୍ତ ଦୁଃଖକଷ୍ଟକୁ ଭୁଲିଯିବାର କାରଣ ପାଲଟିଯାଏ । ହେଲେ, ମୋର ସ୍ୱାମୀ ଆମର ୧୪, –ବର୍ଷୀୟ ପୁଅର ଯତ୍ନ ଖୁବ୍‌ ଭଲଭାବେ ନିଅନ୍ତି ଓ ଯଦି ସେ ମୋର ଭୂମିକା କ’ଣ, ତାହା ବୁଝୁନଥାନ୍ତେ, ତାହାହେଲେ ଏସବୁ କେବେ ସମ୍ଭବ ହୁଅନ୍ତା ନାହିଁ।

PHOTO • M. Palani Kumar

ଗୋପାଳାଦେବୀ , ଯିଏ ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାରେ କାମ କରିଛନ୍ତି , କୁହନ୍ତି ଯେ କୋଭିଡ୍‌ ୧୯ ଯୋଗୁ ଏପରି ପରିସ୍ଥିତି ସୃଷ୍ଟି ହୋଇଛି , ଯାହା ପୂର୍ବରୁ କେବେ ଦେଖାଯାଇନଥିଲା।

ହେଲେ, ସମସ୍ତେ ଏପରି ସହାନୁଭୂତିଶୀଳ ନୁହନ୍ତି, ଅନେକ ନର୍ସଙ୍କୁ କାମ ପରେ ନିଜ ଆବାସିକ କୋଠାକୁ ଫେରିବା ପରେ ବହୁତ ଅସୁବିଧାର ସାମନା କରିବାକୁ ପଡୁଥିଲା ।

“ପ୍ରତ୍ୟେକଥର ମୁଁ ଯେତେବେଳେ କ୍ୱାରେଣ୍ଟାଇନ୍‌ରୁ ଘରକୁ ଫେରେ, ମୁଁ ଦେଖେ ଯେ ଯେଉଁ ରାସ୍ତାରେ ମୁଁ ଚାଲିଚାଲି ଆସିଥାଏ, ଲୋକମାନେ ସେହି ରାସ୍ତାରେ ହଳଦୀ ଓ ନିମ ପାଣି ପକାଉଥିଲେ। ମୁଁ ସେମାନଙ୍କର ଏହି ଭୟକୁ ବୁଝିପାରୁଥିଲି, ହେଲେ, କିନ୍ତୁ ଏହା କଷ୍ଟଦାୟକ,” ବୋଲି ନିଶା (ଛଦ୍ନନାମ) କୁହନ୍ତି ।

ନିଶା ଚେନ୍ନାଇର ଏକ ସରକାରୀ ଡାକ୍ତରଖାନାରେ ସ୍ତ୍ରୀ ରୋଗ ସଂସ୍ଥାନରେ ଷ୍ଟାଫ୍‌ ନର୍ସ ଅଛନ୍ତି ।  ତାଙ୍କୁ କରୋନା ଭୂତାଣୁ ପଜିଟିଭ୍‌ ଗର୍ଭବତୀ ରୋଗୀଙ୍କ ଦେଖାଶୁଣା କାମ କରିବାକୁ ପଡୁଥିଲା । “ଏହା ଅତ୍ୟନ୍ତ ଚାପକାରକ ଥିଲା, ଯେହେତୁ ଆମକୁ ଉଭୟ ମା’ ଓ ଶିଶୁର ସୁରକ୍ଷା ଉପରେ ଧ୍ୟାନ କେନ୍ଦ୍ରିତ କରିବାକୁ ପଡୁଥିଲା। “କିଛିଦିନ ପୂର୍ବେ ନିଶା ନିଜେ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ତିନିମାସ ପୂର୍ବେ, ତାଙ୍କ ସ୍ୱାମୀଙ୍କୁ କୋଭିଡ୍‌- ୧୯ ହୋଇଥିଲା ଓ ସେ ସୁସ୍ଥ ହୋଇଯାଇଥିଲେ ।" ଆମ ଡାକ୍ତରଖାନାରେ ଗତ ଆଠ ମାସରେ ଅତିକମ୍‌ରେ ୬୦ ଜଣ ନର୍ସ କରୋନା ଭୂତାଣୁ ଦ୍ୱାରା ସଂକ୍ରମିତ ହୋଇଛନ୍ତି,” ବୋଲି ନିଶା କୁହନ୍ତି ।

“ଭୂତାଣୁ ତୁଳନାରେ ହୀନମନ୍ୟତା ସହ୍ୟ କରିବା ଅଧିକ କଷ୍ଟକର ଥିଲା,” ବୋଲି ମଧ୍ୟ ସେ କୁହନ୍ତି ।

ନିଶାଙ୍କ ପାଞ୍ଚ-ସଦସ୍ୟ ବିଶିଷ୍ଟ ପରିବାର -ତାଙ୍କ ସ୍ୱାମୀ, ଦୁଇ ସନ୍ତାନ ଓ ଶାଶୁଙ୍କୁ ଚେନ୍ନାଇରେ ଗୋଟିଏ ବସତିରୁ ଅନ୍ୟ ଏକ ବସତିକୁ ସ୍ଥାନାନ୍ତରିତ ହେବାକୁ ପଡିଥିଲା । ସେମାନଙ୍କ ପଡୋଶୀମାନଙ୍କର ଭୟ ଓ ଶତ୍ରୁତା କାରଣରୁ ସେମାନେ ଏପରି କରିବାକୁ ବାଧ୍ୟ ହୋଇଥିଲେ ।

ଆଉ, ପ୍ରତ୍ୟେକଥର କୋଭିଡ୍‌- ୧୯ ୱାର୍ଡରେ କାମ କରିବା ପରେ ତାଙ୍କୁ କ୍ୱାରେଣ୍ଟାଇନ୍‌ରେ ରହିବାକୁ ପଡୁଥିଲା । ନିଶା, ଯିଏ ସେତେବେଳେ ନିଜ ଶିଶୁକୁ ସ୍ତନପାନ କରାଉଥିଲେ, ଅନେକ ଦିନ ଧରି ତାଙ୍କ ଏକବର୍ଷର ଶିଶୁଠାରୁ ଦୂରେଇ ରହିବାକୁ ପଡୁଥିଲା । “ଯେତେବେଳେ କୋଭିଡ୍‌ - ୧୯ ରୋଗୀମାନେ ସନ୍ତାନ ପ୍ରସବ କରୁଥିଲେ ମୁଁ ସେମାନଙ୍କ ସହାୟତା କରୁଥିଲି, ସେତେବେଳେ ମୋର ଶାଶୁ ମୋର ପିଲାର ଯତ୍ନ ନେଉଥିଲେ ।’’ ‘‘ଏହା ଅଦ୍ଭୁତ ମନେ ହେଉଥିଲା ଓ ଏବେ ମଧ୍ୟ ହେଉଛି’’।

ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ମେଡିକାଲ୍‌ ରିସର୍ଚ୍ଚ ( ଆଇ . ସି . ଏମ୍‌ . ଆର୍‌ ) ନିର୍ଦ୍ଦେଶାବଳି ମୁତାବକ ସ୍ତନ୍ୟପାନ କରାଉଥିବା ମା’ ଓ ଯେଉଁମାନେ ଅନ୍ୟାନ୍ୟ ଜଟିଳ ରୋଗରେ ଆକ୍ରାନ୍ତ, ସେମାନଙ୍କୁ କୋଭିଡ୍‌-ୱାର୍ଡରେ କାମ କରିବା ପାଇଁ ବାରଣ କରାଯାଇଛି । ହେଲେ, ରାଜ୍ୟରେ ନର୍ସମାନଙ୍କର ଘୋର ଅଭାବ ଥିବାରୁ ନିଶାଙ୍କ ପରି ନର୍ସମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ରାସ୍ତା ନାହିଁ । ଦକ୍ଷିଣ ତାମିଲନାଡୁର ଭିରୁଧୁନଗର ଜିଲ୍ଲାର ମୂଳ ନିବାସୀ ନିଶା କୁହନ୍ତି ଯେ ଚେନ୍ନାଇରେ ତାଙ୍କର କୌଣସି ସମ୍ପର୍କୀୟ ନାହାନ୍ତି, ଯାହା ପାଖକୁ ସେ ଯାଇପାରିବେ । “ମୁଁ ତ ଏହା କହିବି ଯେ ଏହା ମୋ ଜୀବନର ସବୁଠାରୁ କଠିନ ସମୟ ଅଟେ।’’

PHOTO • M. Palani Kumar
PHOTO • M. Palani Kumar

କୋଭିଡ୍‌ ୱାର୍ଡରେ କାମ କରୁଥିବା ଥାମିଝ ସେଲ୍‌ଭିଙ୍କ ଭଳି ଦଳିତ ଶ୍ରେଣୀ ଅନ୍ତର୍ଭୁକ୍ତ ନର୍ସମାନଙ୍କ ପାଇଁ ଏହି ହୀନମନ୍ୟତା ଦୁଇଗୁଣ ଅଧିକ ଅଟେ । ଡାହାଣ ; ‘ ହେଲେ  ମୋର ସ୍ୱାମୀ ( ୟୁ , ଅମ୍ବୁ ) ମୋର ପୁଅର ଦେଖାଶୁଣା କରିନଥିଲେ , ମୋର ଭୂମିକା କ ’ଣ , ତାହା ବୁଝିନଥିଲେ . ଏହା ସମ୍ଭବ ହୋଇପାରିନଥାନ୍ତା ।

ନୂଆକରି ନର୍ସ ଭାବେ କାମ ଆରମ୍ଭ କରିଥିବା ୨୧ବର୍ଷୀୟ ସାଇଲା ମଧ୍ୟ ଏଥିରେ ସମହତ ଅଛନ୍ତି । ଅକ୍ଟୋବର ୨୦୨୦ ରେ ସେ ଚେନ୍ନାଇ ସ୍ଥିତ ଏକ କୋଭିଡ୍‌-୧୯ କେୟାର୍‌ ସେଣ୍ଟରରେ ଜଣେ ଅସ୍ଥାୟୀ ନର୍ସ ଭାବେ ଦୁଇମାସ ପାଇଁ ଏକ ଚୁକ୍ତିଭିତ୍ତିକ କାମ ଆରମ୍ଭ କରିଛନ୍ତି । ତାଙ୍କର କାମ ହେଉଛି ସଂକ୍ରମିତ ଜୋନ୍‌ରେ ଦ୍ୱାର ଦ୍ୱାର ବୁଲି ସ୍ୱାବ୍‌ ଟେଷ୍ଟ କରିବା ଓ ମାସ୍କ ପିନ୍ଧିବା ଓ ଅନ୍ୟ ସୁରକ୍ଷାଗତ ଅଭ୍ୟାସ ଆପଣାଇବା ସମ୍ବନ୍ଧରେ ସାଧାରଣ ସଚେତନତା  ସୃଷ୍ଟି କରିବା ।

“ ଅନେକ ସ୍ଥାନରେ ଲୋକମାନେ ସେମାନଙ୍କର ପରୀକ୍ଷଣ ପାଇଁ ମନା କରନ୍ତି ଓ ଆମ ସହିତ ଯୁକ୍ତିତର୍କ କରନ୍ତି,” ବୋଲି ସାଇଲା କୁହନ୍ତି । ଏହା ବ୍ୟତୀତ ସର୍ବଦା ବିଦ୍ୟମାନ ସେହି କଳଙ୍କଗୁଡିକ ମଧ୍ୟ ଥିଲା । “ମୁଁ ଗୋଟିଏ ଘରକୁ ପରୀକ୍ଷଣ ସକାଶେ ଯାଇଥିଲି, ଯେଉଁଠି ପହଞ୍ଚିବା ପରେ ଆମକୁ ଜଣାପଡିଲା ଯେ ସ୍ୱାବ୍‌ ଟେଷ୍ଟ କିଟ୍‌ର ଏକ ନୂଆ ପ୍ୟାକେଟ୍‌ କାଟି ଖୋଲିବାକୁ ଆମ ପାଖରେ କଇଞ୍ଚି ନାହିଁ । ଆମେ ସେଠାରେ ଥିବା ଲୋକମାନଙ୍କୁ ଗୋଟିଏ କଇଁଚି ପାଇଁ କହିଲୁ ଓ ସେମାନେ ଆମକୁ ଏପରି ଗୋଟିଏ ଦେଲେ ଯାହା ପ୍ରକୃତରେ ଅଚଳ ଅଟେ । ଏଥିରେ ପ୍ୟାକ୍‌କୁ କାଟି ଖୋଲିବା ଅତ୍ୟନ୍ତ କଷ୍ଟକର ଥିଲା । ଆମ କାମ ସରିବାପରେ ଆମେ ସେମାନଙ୍କୁ କଇଁଚି ଫେରାଇଲୁ । ହେଲେ, ସେମାନେ ଏହାକୁ ଫେରସ୍ତ ନେଲେନି ଓ ତାହା ଫିଙ୍ଗିଦେବାକୁ କହିଲେ ।’’

ଏହାସହିତ, ଚେନ୍ନାଇର ଉଷ୍ମ ଓ ଆର୍ଦ୍ର ଜଳବାୟୁରେ ୭-୮ ଘଣ୍ଟା ପର୍ଯ୍ୟନ୍ତ ପିପିଇ ସୁଟ୍‌ ପିନ୍ଧି ରହିବା ଅର୍ଥ ଗମ୍ଭୀର ଅସୁବିଧା ଭୋଗିବା । ଏହାବାଦ୍‌, ସେ ଏହା ମଧ୍ୟ କୁହନ୍ତି ଯେ “ଆମକୁ ଖାଦ୍ୟ ବା ପାଣି ବିନା କାମ କରିବାକୁ ପଡୁଥିବାବେଳେ ଆମେ ଲୋକମାନଙ୍କ ଘରେ ଥିବା ରେଷ୍ଟରୁମ୍‌ ମଧ୍ୟ ବ୍ୟବହାର କରିପାରୁନଥିଲୁ ।’’

ତଥାପି, ସେ ସେହି କାମ ମନଦେଇ କରୁଥିଲେ । “ମୋ ବାପାଙ୍କର ସ୍ୱପ୍ନ ଥିଲା ଯେ ମୁଁ ଜଣେ ଡାକ୍ତର ହୁଏ । ଏଣୁ ମୁଁ ଯେତେବେଳେ ପ୍ରଥମଥର ପାଇଁ ନର୍ସ ୟୁନିଫର୍ମ ଓ ପିପିଇ କିଟ୍‌ ପିନ୍ଧିଲି, ମୁଁ ଜାଣିଥିଲି ଯେ ଏତେସବୁ ଅସୁବିଧା ସତ୍ତ୍ୱେ ମୁଁ ତାଙ୍କର ସ୍ୱପ୍ନ ବହୁଦୂର ପର୍ଯ୍ୟନ୍ତ ସାକାର କରିବାରେ ସମର୍ଥ ହୋଇପାରିଛି,” ବୋଲି ସେ କୁହନ୍ତି । ସାଇଲାଙ୍କ ବାପା ନିଜ ହାତରେ ସଫେଇ କାମ କରୁଥିବା ଜଣେ ମେହେନ୍ତର ଥିଲେ ଯାହାର ଏକ ସେପ୍ଟିକ୍‌ ଟାଙ୍କି ସଫା କରିବାବେଳେ ମୃତ୍ୟୁ ହୋଇଥିଲା ।

ବିପଦ ଓ ହୀନମନ୍ୟତାକୁ ବାଦ୍‌ ଦେଲେ, ନର୍ସମାନଙ୍କୁ ଭିନ୍ନ କିଛି କାରଣ ପାଇଁ ମଧ୍ୟ ସଂଘର୍ଷ କରିବାକୁ ପଡୁଛି । ଅସ୍ୱାସ୍ଥ୍ୟକର ପରିସ୍ଥିତିରେ କାମ ଓ ଅତି ଅଳ୍ପ ବେତନ। ଜଣେ ନବାଗତାଭାବେ ସାଇଲା ସେହି ଦୁଇମାସରେ ମାସ ପ୍ରତି ୧୪୦୦୦ଟଙ୍କା ହିସାବରେ ଉପାର୍ଜନ କଲେ । ନିଶା, ୧୦ ବର୍ଷ ଧରି ନର୍ସ ଭାବେ କାମ କରିବାପରେ, ଯାହାମଧ୍ୟରେ ସରକାରୀ ସଂସ୍ଥାଗୁଡିକରେ ଛଅ ଥର ଚୁକ୍ତିଭିତ୍ତିକ କର୍ମଚାରୀ ଭାବେ କାମ କରିଛନ୍ତ, ୧୫,୦୦୦ ଟଙ୍କା ଘରକୁ ନିଅନ୍ତି । ତିନି ଦଶନ୍ଧି ଧରି କାର୍ଯ୍ୟ କରିବାପରେ ମଧ୍ୟ ଗୋପାଳାଦେବୀଙ୍କର ମୋଟାମୋଟି ବେତନ ମାତ୍ର ୪୫,୦୦୦ – ଯାହା କୌଣସି ବ୍ୟାଙ୍କରେ କାର୍ଯ୍ୟ କରୁଥିବା ଏଣ୍ଟ୍ରି-ଲେବଲ୍‌ କ୍ଲର୍କଙ୍କ ତୁଳନାରେ କିଛି ଅଧିକ ନୁହେଁ ।

ତାମିଲନାଡୁର ବିଭିନ୍ନ ସରକାରୀ ଓ ଘରୋଇ ଡାକ୍ତରଖାନାରେ କାର୍ଯ୍ୟରତ ନର୍ସମାନଙ୍କର ମୋଟ ସଂଖ୍ୟା ଉପଲବ୍ଧ ନଥିବାବେଳେ ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତାମାନଙ୍କ ଅନୁସାରେ ଏହି ସଂଖ୍ୟା ୩୦, ୦୦୦ ରୁ ୮୦, ୦୦୦ ମଧ୍ୟରେ ଅଟେ । ନର୍ସମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ଅସୁବିଧାକୁ ସ୍ୱୀକାର କରିବା ସହିତ ତାମିଲନାଡୁ ପାଇଁ ଇଣ୍ଡିଆନ୍‌ ମେଡିକାଲ୍‌ କାଉନସିଲ୍‌ର ସଭାପତି ଡ. ସି.ଏନ୍‌.ରାଜା କୁହନ୍ତି ଯେ ଆଇ.ଏମ୍‌.ସି ସେମାନଙ୍କ ପାଇଁ କାଉନସେଲିଂର ବ୍ୟବସ୍ଥା କରିବାକୁ ଚେଷ୍ଟା କରିଥିଲା । “ବିଶେଷକରି ସେମାନଙ୍କ ପାଇଁ ଯେଉଁମାନେ ଆଇ.ସି.ୟୁ କେୟାର୍‌ରେ କାମ କରୁଛନ୍ତି । ସେମାନଙ୍କ ଜୀବନ ପ୍ରତି ବିପଦ ରହିଥିବା ଜାଣିବା ସତ୍ତ୍ୱେ ସେମାନେ ସେମାନଙ୍କର ଦାୟିତ୍ୱ ନିର୍ବାହ କରିବା ପାଇଁ ଆଗେଇ ଆସୁଛନ୍ତି ଓ ମୁଁ ଭାବୁଛି ଆମେ ସେମାନଙ୍କର ଉଚିତ ଯତ୍ନ ନେବା ଉଚିତ’’।

ନର୍ସମାନଙ୍କର ଉତ୍ତମ ଯତ୍ନ ନିଆଯାଉଛି ବୋଲି ସେମାନେ ମନେ କରୁନାହାନ୍ତି ।

PHOTO • M. Palani Kumar
PHOTO • M. Palani Kumar

ନର୍ସମାନଙ୍କ ପାଇଁ ଲକ୍‌ଡାଉନ୍‌ ସରିବାକୁ ଆହୁରି ବହୁତ ଦିନ ବାକି ଅଛି ବୋଲି ଗୋପାଳଦେବୀ , ଯିଏ ଚେନ୍ନାଇ ସ୍ଥିତ ଏକ ଡାକ୍ତରଖାନାର କୋଭିଡ୍‌ ୱାର୍ଡରେ ଅନେକ ସମୟ ବିତାଇଛନ୍ତି , କୁହନ୍ତି ।

“ରାଜ୍ୟରେ ପ୍ରାୟ ୧୫,୦୦୦ ରୁ ଅଧିକ ଅସ୍ଥାୟୀ ନର୍ସ ଅଛନ୍ତି,’’ ବୋଲି କେ.ଶକ୍ତିବେଲ୍‌, କଲ୍ଲାକୁରିଚି ଜିଲ୍ଲାର ଜଣେ ପୁରୁଷ ନର୍ସ ତଥା ତାମିଲନାଡୁ ସରକାରୀ ନର୍ସ ସଂଗଠନର ସଭାପତି କୁହନ୍ତି । “ଆମର ଏକ ପ୍ରମୁଖ ଦାବି ହେଉଛି ଉପଯୁକ୍ତ ବେତନ ପ୍ରଦାନ । ଇଣ୍ଟିଆନ୍‌ ନର୍ସିଂ କାଉନ୍‌ସିଲ୍‌ର ମାନକ ଅନୁସାରେ ନା କୌଣସି ପଦବୀ ପୂରଣ କରାଯାଉଛି ନା ପଦୋନ୍ନତି ଦିଆଯାଉଛି ।’’

“ଅସ୍ଥାୟୀ ନର୍ସମାନଙ୍କ ସଂଖ୍ୟା ୧୮,୦୦୦ରୁ ଅଧିକ ହୋଇଥିବା ବେଳେ କେବଳ ୪,୫୦୦ଜଣଙ୍କୁ ସ୍ଥାୟୀ କରାଯାଇଛି,” ବୋଲି ସ୍ୱାସ୍ଥ୍ୟକର୍ମୀ ସଂଘ, ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କର ଏକ ସମନ୍ୱୟକାରୀ ସଂସ୍ଥାର  ସାଧାରଣ ସଚିବ ଡ. ଏ.ଆର୍‌.ଶାନ୍ତି କହିଛନ୍ତି । “ଅବଶିଷ୍ଟ ନର୍ସମାନେ ଘରକୁ ୧୪,୦୦୦ଟଙ୍କା ନିଅନ୍ତି, ଯେତେବେଳେକି ସେମାନଙ୍କୁ ସ୍ଥାୟୀ କର୍ମଚାରୀଙ୍କ ତୁଳନାରେ ଅଧିକ ନହେଲେ ମଧ୍ୟ, ସେମାନଙ୍କ ସମାନ କାମ କରିବାକୁ ପଡ଼ିଥାଏ । ସେମାନେ ସ୍ଥାୟୀ ନର୍ସମାନଙ୍କ ଭଳି ସହଜରେ ଛୁଟି ନେଇପାରିବେ ନାହିଁ । ଏପରିକି, ଯଦି ସେମାନେ କୌଣସି ଜରୁରୀ ଉଦ୍ଦେଶ୍ୟ ପୂରଣ ପାଇଁ ଛୁଟି ନିଅନ୍ତି, ତାହାହେଲେ ମଧ୍ୟ ସେମାନଙ୍କୁ ବେତନଜନିତ କ୍ଷତି ସହିବାକୁ ପଡିଥାଏ’’।

ଆଉ, ସେହି ପରିସ୍ଥିତି ଭଲଦିନଗୁଡିକର ଅଟେ ।

ଉଭୟ ସରକାରୀ ଓ ଘରୋଇ ଡାକ୍ତରଖାନାରେ କାମ କରିଥିବା ଅନୁଭବି ଗୋପାଳାଦେବୀ କୁହନ୍ତି ଯେ ଆଜିକୁ ପ୍ରାୟ ବର୍ଷେ ହେବ କୋଭିଡ୍‌ – ୧୯ ଏପରି ସ୍ଥିତି ସୃଷ୍ଟି କରିଛି ଯାହା ପୂର୍ବରୁ କେବେ ମଧ୍ୟ ଦେଖାଯାଇଥିଲା । “ଭାରତର ପ୍ରଥମ ଏଚ୍‌ଆଇଭି କେସ୍‌ (୧୯୮୬)ରେ ଚେନ୍ନାଇସ୍ଥିତ ମାଡ୍ରାସ୍‌ ମେଡିକାଲ୍‌ କଲେଜ୍‌ (ରାଜୀବ ଗାନ୍ଧୀ ହସ୍‌ପିଟାଲ୍‌ ସହିତ ସମ୍ବନ୍ଧିତ)ରେ ଜଣାପଡିଥିଲା,’’ ବୋଲି ସେ ମନେପକାନ୍ତି । ‘‘ହେଲେ, ଏଚ୍‌ଆଇଭି ରୋଗୀମାନଙ୍କର ଉପଚାର କରିବାବେଳେ, ଆମେ ଏହିପରି ଆତଙ୍କିତ ହେଉନଥିଲୁ । ଆମକୁ ଆମ ଶରୀରକୁ ସମ୍ପୂର୍ଣ୍ଣଭାବେ ଆବୃତ୍ତ କରି ରଖିବା କେବେ ମଧ୍ୟ ଆବଶ୍ୟକ ହୋଇନଥିଲା । କୋଭିଡ୍‌ – ୧୯ ବିଷୟରେ ପୂର୍ବାନୁମାନ କରିବା ଏକ ଦୁରୂହ ବ୍ୟାପାର ଓ ଏହାର ମୁକାବିଲା ପାଇଁ ଅସୀମ ସାହାସ ଆବଶ୍ୟକ’’।

ମହାମାରୀ ସହିତ ସଂଘର୍ଷ କରାଯିବା ଯୋଗୁ ଜୀବନ ସମ୍ପୂର୍ଣ୍ଣ ଭାବେ ଓଲଟି ଯାଇଛି, ବୋଲି ମଧ୍ୟ ସେ କୁହନ୍ତି । “ ଯେତେବେଳେ ଲକ୍‌ଡାଉନ୍‌ କାରଣରୁ ସମଗ୍ର ବିଶ୍ୱ ଗତିହୀନ ହୋଇପଡିଥିଲା, ସେତେବେଳେ ଆମମାନେ କୋଭିଡ୍‌-୧୯ ୱାର୍ଡଗୁଡିକରେ ପୂର୍ବ ତୁଳନାରେ ଅଧିକ ବ୍ୟସ୍ତ ଥିଲୁ । ତୁମେ ଯେପରି ଅଛ ସେପରି ସେହି ୱାର୍ଡଗୁଡିକ ଭିତରକୁ ପ୍ରବେଶ କରିବା ସମ୍ଭବ ହେଉନଥିଲା। ଯଦି ମୋର ଡ୍ୟୁଟି ପୂର୍ବାହ୍ନ ୭ ଟାରେ ଆରମ୍ଭ ହେବାକୁ ଅଛି, ତାହାହେଲେ ମୋତେ ପୂର୍ବାହ୍ନ ୬ଟାରୁ ପ୍ରସ୍ତୁତି ଆରମ୍ଭ କରିବାକୁ ହୁଏ । ପିପିଇ ସୁଟ୍‌ ପରିଧାନ କରିବା ଓ ଏହା ସୁନିଶ୍ଚିତ କରିବା ଯେ ମୁଁ ୱାର୍ଡରୁ ବାହାରକୁ ନଆସିବା ପର୍ଯ୍ୟନ୍ତ ମୋତେ ଭୋକ ଅନୁଭବ ନହେବା – ଆପଣ ଦେଖନ୍ତୁ, ମୁଁ ପିପିଇ ସୁଟ୍‌ରେ ଥିବା ପର୍ଯ୍ୟନ୍ତ ପାଣି ପିଇପାରିବି ନାହିଁ କିମ୍ବା କିଛି ଖାଇପାରିବିନି ମଧ୍ୟ – କାମ ସେଠାରୁ ହିଁ ଆରମ୍ଭ ହୋଇଯାଏ’’।

“ଏହା ଏପରି ହୋଇଥାଏ” ବୋଲି ନିଶା କୁହନ୍ତି । “ଆପଣ କୋଭିଡ୍‌ ୱାର୍ଡରେ ସାତଦିନ କାମ କରିବେ ଓ ତା’ପରେ ସାତଦିନ ସଂଗରୋଧରେ ରହିବେ । ଆମ ୱାର୍ଡରେ ଥିବା ପାଖାପାଖି ୬୦ -୭୦ ନର୍ସ ଜଣଙ୍କ ପରେ ଜଣେ ପାଳି ହେଇ ଆସି କାମ କରନ୍ତି। ରୋଗୀମାନଙ୍କ ସଂଖ୍ୟା ଆଧାରରେ, ଏକାସଙ୍ଗରେ ୩ ରୁ ୬ ନର୍ସ ଗୋଟିଏ ସପ୍ତାହ ପାଇଁ କାମ କରନ୍ତି । [ଯାହାର ଅର୍ଥ ହେଉଛି ଏହି ସମୟରେ ୩ ରୁ ୬ ନର୍ସ କ୍ୱାରେଣ୍ଟାଇନ୍‌ରେ ରୁହନ୍ତି] । ମୋଟାମୋଟି ଦେଖିଲେ, ଆମମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କୁ ୫୦ ଦିନରେ ଥରେ କୋଭିଡ୍‌ ଡ୍ୟୁଟି ପକାଯାଉଥିଲା ।

ଏହାର ଅର୍ଥ ଏହା ଯେ ଜଣେ ନର୍ସଙ୍କ କ୍ୟାଲେଣ୍ଡରରେ ପ୍ରତ୍ୟେକ ସାତଦିନରେ ଦୁଇ ସପ୍ତାହ କୋଭିଡ୍‌ – 19 ବିରୋଧରେ ଚାଲିଥିବା ଲଢେଇର ସବୁଠାରୁ ବିପଦପୂର୍ଣ୍ଣ ଭାଗରେ ବିତିଥାଏ । ଅଭାବ ଓ ଜରୁରୀ ପରିସ୍ଥିତି ବୋଝର ଭାର ବହୁଗୁଣିତ କରିପାରିବ । କୋଭିଡ୍‌ ଡ୍ୟୁଟିରେ ଥିବା ନର୍ସମାନଙ୍କୁ ସରକାରଙ୍କ ଦ୍ୱାରା କ୍ୱାରେଣ୍ଟାଇନ୍‌ରେ ରହିବା ସୁବିଧା ଯୋଗାଯାଏ ।

PHOTO • Courtesy: K. Sakthivel
PHOTO • Courtesy: K. Sakthivel

ଜାନୁଆରୀ ୨୦୨୧ ର ଶେଷଭାଗରେ କଲ୍ଲାକୁରୁଚି ଡାକ୍ତରଖାନା ( ବାମ ) ଓ କାଞ୍ଚିପୁରମ୍‌ ଡାକ୍ତରଖାନା ( ଡାହାଣ ) ରେ ନର୍ସମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି ; ସେମାନଙ୍କ ଦାବି ମଧ୍ୟରେ ଅଧିକ ବେତନ ପ୍ରଦାନ ମଧ୍ୟ ରହିଛି

ସାଧାରଣତଃ ଏକ ୱାର୍କ ସିଫ୍ଟ ଛଅ ଘଣ୍ଟା ଅବଧି ବିଶିଷ୍ଟ ହୋଇଥାଏ, ହେଲେ ଅଧିକାଂଶ ନର୍ସଙ୍କୁ ଏହାର ଦୁଇଗୁଣରୁ ଅଧିକ ସମୟ କାମ କରିବାକୁ ପଡେ । “ରାତିର ସିଫ୍ଟ,” ନିଶା କୁହନ୍ତି ଯେ “୧୨  ଘଣ୍ଟା ଅବଧି ବିଶିଷ୍ଟ ହେବା ଅନିବାର୍ଯ୍ୟ – ରାତି ୭ରୁ ପୂର୍ବାହ୍ନ ୭ଟା ପର୍ଯ୍ୟନ୍ତ । କିନ୍ତୁ, ଅନ୍ୟ ସିଫ୍ଟଗୁଡିକରେ ମଧ୍ୟ ଆମର କାମ ଠିକ୍‌ ଛଅ ଘଣ୍ଟାରେ ବନ୍ଦ ହୁଏନି, ଯେକୌଣସି ସିଫ୍ଟର ଅବଧି ଏକ ବା ଦୁଇ ଘଣ୍ଟା ଅଧିକ ଟାଣି ହୋଇଯାଏ ।

ତ୍ରୁଟିପୂର୍ଣ୍ଣ ପ୍ରଣାଳୀରେ ଭର୍ତ୍ତି କରାଯିବା ଯୋଗୁ ସମସ୍ତଙ୍କ ବୋଝ ବଢୁଛି ।

ଯେପରି ଡ. ଶାନ୍ତି ଜଣାଇଛନ୍ତି: ନୂଆ ନର୍ସ ନିଯୁକ୍ତ କରିବା ପରିବର୍ତ୍ତେ ନୂଆ [କୋଭିଡ୍‌] କେନ୍ଦ୍ରଗୁଡିକ ଅନ୍ୟ ଡାକ୍ତରଖାନାରୁ ସେମାନଙ୍କୁ ଆଣୁଛନ୍ତି । ଯେଉଁ ପରିସ୍ଥିତିରେ ଆପଣ ବହୁଳଭାବେ ଆପୋଷ ସମାଧାନର ପନ୍ଥା ଆପଣାଇବାକୁ ବାଧ୍ୟ ହେବେ । ଯଦି ଗୋଟିଏ ସିଫ୍ଟ ପାଇଁ ଛଅ ଜଣ ନର୍ସଙ୍କ ଆବଶ୍ୟକତା ରହିଛି, ସେ ସ୍ଥାନରେ ଅନେକ ଡାକ୍ତରଖାନା କେବଳ ଦୁଇଜଣଙ୍କ ଦ୍ୱାରା କାମ ଚଳାଇନେବାକୁ ବାଧ୍ୟ ହେଉଛନ୍ତି । ଆହୁରିମଧ୍ୟ, ଚେନ୍ନାଇ ବ୍ୟତୀତ, ଅନ୍ୟ କୌଣସି ଜିଲ୍ଲାରେ କୋଭିଡ୍‌ – ଆଇସିୟୁରେ ଜଣେ ରୋଗୀ ପାଇଁ ଜଣେ ନର୍ସର ବାଧ୍ୟତାମୂଳକ ନିୟମର ଅନୁପାଳନ କରନ୍ତି ନାହିଁ । ଆପଣ ଟେଷ୍ଟରେ କିମ୍ବା ଶଯ୍ୟା ପାଇବାରେ ବିଳମ୍ବ ହେବାର ଯେଉଁସବୁ ଅଭିଯୋଗ ଶୁଣନ୍ତି, ତାହା ବିଶେଷଭାବେ ଏହି କାରଣରୁ ହୋଇଥାଏ ।

ଜୁନ୍‌ ୨୦୨୦ ରେ, ରାଜ୍ୟ ସରକାର ଚାରିଟି ଜିଲ୍ଲା – ଚେନ୍ନାଇ, ଚେଙ୍ଗାଲପଟ୍ଟୁ, କାଞ୍ଚିପୁରମ୍‌ ଓ ଥିରୁଭଲ୍ଲୁର – ପାଇଁ ୨୦୦୦ନର୍ସଙ୍କୁ ନିଯୁକ୍ତି ଦେଇଛନ୍ତି, ବିଶେଷକରି କୋଭିଡ୍‌ ଡ୍ୟୁଟି ପାଇଁ, ମାସିକ ୧୪,୦୦୦ବେତନରେ । ଯେକୌଣସି ଦୃଷ୍ଟିରୁ ଦେଖିଲେ ମଧ୍ୟ ଏହି ସଂଖ୍ୟା ପର୍ଯ୍ୟାପ୍ତ ନୁହେଁ ବୋଲି ଡ, ଶାନ୍ତି କୁହନ୍ତି ।

ଜାନୁଆରୀ ୨୯ରେ ସମଗ୍ର ରାଜ୍ୟର ନର୍ସମାନେ ଏକ ଦିନବ୍ୟାପୀ ବିରୋଧ ପ୍ରଦର୍ଶନ କରିଥିଲେ । ସେମାନେ କରିଥିବା ଦାବିଗୁଡିକ ଅନ୍ତର୍ଗତ ରହିଛି କେନ୍ଦ୍ର ସରକାରଙ୍କ ଅଧୀନରେ କାମ କରୁଥିବା ନର୍ସଙ୍କ ବେତନ ସମାନ ବେତନ ପ୍ରଦାନ କରିବା; ସଙ୍କଟ ସମୟରେ କୋଭିଡ୍‌ ୱାର୍ଡରେ କାମ କରୁଥିବା ନର୍ସମାନଙ୍କ ପାଇଁ ବୋନସ୍‌; ଆଉ ଡ୍ୟୁଟିରେ ଥିବାବେଳେ ଯେଉଁମାନଙ୍କର ମୃତ୍ୟୁ ହୋଇଯାଉଛି, ସେମାନଙ୍କ ପରିବାରକୁ ଅନୁକମ୍ପାମୂଳକ ରାଶି ପ୍ରଦାନ ।

ସ୍ୱାସ୍ଥ୍ୟ କାର୍ଯ୍ୟକର୍ତ୍ତାମାନେ ଅନ୍ୟ ୱାର୍ଡରେ କାମ କରୁଥିବା ନର୍ସମାନଙ୍କ ପାଇଁ ମଧ୍ୟ ସମଭାବେ ଚିନ୍ତା କରନ୍ତି । “ବିପଦର ସ୍ତର ଭିନ୍ନ ଭିନ୍ନ ହୋଇପାରେ, ହେଲେ ଯେଉଁମାନେ ଅଣ-କୋଭିଡ୍‌ ୱାର୍ଡରେ କାମ କରୁଛନ୍ତି, ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ରହିଛି । ମୋର ବିଶ୍ୱାସ ଯେ କୋଭିଡ୍‌ ଡ୍ୟୁଟି ଅନ୍ତର୍ଗତ ଯେଉଁ ନର୍ସମାନେ କାମ କରୁଛନ୍ତି, ସେମାନଙ୍କର ସ୍ଥିତି ଅପେକ୍ଷାକୃତ ଭଲ ଅଟେ, କାରଣ ସେମାନେ ପିପିଇ ସୁଟ୍‌ ଓ ଏନ୍‌-୯୫ ମାସ୍କ ପାଉଛନ୍ତି – ସେମାନେ ସେଗୁଡିକ ପାଇଁ ଦାବି ମଧ୍ୟ କରିପାରିବେ, ଏହା ସେମାନଙ୍କର ଅଧିକାର । ହେଲେ, ଅନ୍ୟମାନେ ନିଶ୍ଚିତଭାବେ ସେପରି କରିପାରିବେ ନାହିଁ, ବୋଲି ଡ. ଶାନ୍ତି କୁହନ୍ତି ।

ଅନେକ, ୫୫ ବର୍ଷୀୟ ଆନ୍ଥୋନିୟାମ୍ମାଲ୍‌ ଅମ୍ରିଥାସେଲ୍‌ଭିଙ୍କ ଉଦାହରଣ ଦିଅନ୍ତି, ଯିଏ କୋଭିଡ୍‌ ରୋଗୀଙ୍କ ପାଇଁ ବହିଃ ରୋଗୀ ସେବା ଉପଲବ୍ଧ  ଥିବା ରାମନାଥପୁରମ ଜିଲ୍ଲାର ମଣ୍ଡପମ୍‌ କ୍ୟାମ୍ପରେ ନର୍ସିଂ ସୁପରିଣ୍ଟେଣ୍ଡେଣ୍ଟ ଭାବେ କାମ କରୁଥିଲେ । ଅକ୍ଟୋବର ୧୦ରେ ହୃଦ୍‌ରୋଗୀ ଅମ୍ରିତାସେଲ୍‌ଭିଙ୍କର କୋଭିଡ୍‌- ୧୯ ଯୋଗୁ ମୃତ୍ୟୁ ହୋଇଥିଲା । “ଏପରିକି ଯେତେବେଳେ ତାଙ୍କ ଦେହ ଅଳ୍ପ ଖରାପ ଥିଲା, ସେ ତାଙ୍କ କାମ ଜାରି ରଖିଥିଲେ,” ବୋଲି ତାଙ୍କର ସ୍ୱାମୀ ଏ. ଜ୍ଞାନରାଜ କୁହନ୍ତି । ‘‘ସେ ଏହା ସାଧାରଣ ଜ୍ୱର ବୋଲି ଭାବୁଥିଲେ, ହେଲେ ସେ କୋଭିଡ୍‌- ୧୯ ପଜିଟିଭ୍‌ ଚିହ୍ନଟ ହେଲେ – ଆଉ ତା’ପରେ ସବୁ ଶେଷ ହୋଇଗଲା ।’’ ଅମ୍ରିତାସେଲ୍‌ଭିଙ୍କୁ ଗୋଟିଏ ବର୍ଷ ପୂର୍ବେ ମଦୁରାଇ ଜେନେରାଲ୍‌ ହସ୍‌ପିଟାଲ୍‌ରୁ ମଣ୍ଡପମ୍‌ କ୍ୟାମ୍ପକୁ ସ୍ଥାନାନ୍ତରିତ କରାଯାଇଥିଲା ।

PHOTO • Courtesy: Thamizh Selvi
PHOTO • Courtesy: Thamizh Selvi

ଥମିଝ୍‌ ସେଲ୍‌ଭି ପିପିଇ ସୁଟ୍‌ରେ ( ବାମ ) ଓ କୌଣସି ଛୁଟି ନନେଇ ଉତ୍ସର୍ଗୀକୃତ ଭାବେ ସେବା କରିବା ପାଇଁ ଅଗଷ୍ଟ ୧୫ , ୨୦୨୦ ରେ ଏକ ସରକାରୀ ଡାକ୍ତରଖାନାରେ କୋଭିଡ୍‌ ଯୋଦ୍ଧା ପୁରସ୍କାର ଗ୍ରହଣ କରିବାବେଳେ ( ଡାହାଣ )

ଆଉ, କେବେ ମଧ୍ୟ ହୀନମନ୍ୟତା ପିଛା ଛାଡୁନି – ଯାହା, ଯେଉଁ ନର୍ସମାନେ ଦଳିତ ଅଟନ୍ତି, ସେମାନଙ୍କ ପାଇଁ ଦ୍ୱୈତ ବୋଝ ଅଟେ ।

ପୁରସ୍କାର ପ୍ରାପ୍ତ ଥମିଝ୍‌ ସେଲ୍‌ଭି (ସବୁଠୁ ଉପରେ ଥିବା ପ୍ରଚ୍ଛଦ ଫଟୋ)ଙ୍କ ପାଇଁ ଏହା କିଛି ନୂଆଁ ନୁହେଁ । ସେ ଦଳିତ ପରିବାରର ଅଟନ୍ତି ତଥା ରାଣୀପେଟ୍‌ (ପୂର୍ବରୁ ଭେଲୋର୍‌ ଥିଲା) ଜିଲ୍ଲାର ୱାଲାଜାହପେଟ୍‌ ତାଲୁକ ର ଲାଲାପେଟ୍‌ ଗ୍ରାମର ମୂଳ ନିବାସୀ ଅଟନ୍ତି । ତାଙ୍କ ପରିବାର ସବୁବେଳେ ଭେଦଭାବର ଶିକାର ହୋଇଆସିଛି ।

ଆଉ, ବର୍ତ୍ତମାନ କଳଙ୍କର ଆଉ ଏକ ସ୍ତର ଯୋଡ଼ି ହୋଇଗଲା –କୋଭିଡ୍ – ୧୯ ସହିତ ଲଢେଇ କରୁଥିବା ଏକ ନର୍ସ ହୋଇଥିବାରୁ। “ଗୋଟିଏ ବ୍ୟାଗ୍‌ ଧରି କ୍ୱାରେଣ୍ଟାଇନ୍‌ରୁ ଫେରିବାବେଳେ’’, ଥମିଝ୍‌ ସେଲ୍‌ଭି କୁହନ୍ତି ଯେ,"ମୁଁ ଆମ ଗଳିରାସ୍ତାରେ ପାଦ ଦେବା କ୍ଷଣି, ଏପରିକି ପରିଚିତ ମୁହଁଗୁଡିକ ମଧ୍ୟ ମତେ ଦେଖି କବାଟ ବନ୍ଦ କରିଦିଅନ୍ତି । ମୋତେ ଖରାପ ଲାଗେ, ହେଲେ ମୁଁ ମଧ୍ୟ ବୁଝିବାକୁ ଚେଷ୍ଟାକରେ, ସେମାନେ ମଧ୍ୟ ନିଜ ସୁରକ୍ଷା ବିଷୟରେ ଚିନ୍ତା କରିବା ସ୍ୱାଭାବିକ ଅଟେ ।’’

ପ୍ରସିଦ୍ଧ ତାମିଲ କବୟିତ୍ରୀ ଓ ଥମିଝ୍‌ ସେଲ୍‌ଭିଙ୍କ ଭଉଣୀ, ସୁକିର୍ଥାରାଣୀ, ତାଙ୍କର ତିନି ଭଉଣୀ କାହିଁକି ନର୍ସିଂକୁ ସେମାନଙ୍କର କ୍ୟାରିୟର୍‌ ଭାବେ ବାଛିଲେ, ସେ ବିଷୟରେ ଜଣାଇବାକୁ ଯାଇ କୁହନ୍ତି ଯେ : “ଏହା କେବଳ ଆମର କଥା ନୁହେଁ, ଦଳିତ ପରିବାରଗୁଡିକରୁ ଅନେକ ଲୋକ ନର୍ସ ହେବାର ବିକଳ୍ପ ଚୟନ କରିଥାନ୍ତି । ମୋର ବଡ ଭଉଣୀ ଯେତେବେଳେ ନର୍ସ ହେଲେ, ଯେଉଁ ଲୋକମାନେ ଦିନେ ଆମ ଘରକୁ ଆସିବାକୁ ସଙ୍କୋଚ କରୁଥିଲେ, ସେମାନେ ସହାୟତା ମାଗିବାକୁ ଆମ ଘରକୁ ଆସିବାକୁ ଲାଗିଲେ । ଉର୍‌ର ଅନେକ ଲୋକ ଚେରୀରେ ଅବସ୍ଥିତ ଆମ ଘରକୁ ନିର୍ଦ୍ଦେଶିତ କରି କହୁଥିଲେ ଯେ ସେମାନେ ମଧ୍ୟ ସେମାନଙ୍କ ପିଲାମାନଙ୍କୁ ସେପରି ଶିକ୍ଷିତ କରିବାକୁ ଚାହୁଁଛନ୍ତି, ଯେପରି ମୋର ବାପା ସନ୍‌ମୁଗମ୍‌ କରିଥିଲେ । [ପାରମ୍ପରିକ ଭାବେ, ତାମିଲନାଡୁରେ ଗ୍ରାମଗୁଡିକ ଦୁଇ ଭାଗରେ ବିଭକ୍ତ ହୋଇଥାଏ, ଉର୍‌ –ଯେଉଁଠାରେ ଉଚ୍ଚ ଜାତିର ଲୋକମାନେ ବସବାସ କରନ୍ତି ଓ ଚେରିସ୍‌ – ଯେଉଁଠାରେ ଦଳିତମାନେ ରୁହନ୍ତି । ମୁଁ ନିଜେ ଜଣେ ବିଦ୍ୟାଳୟ ଶିକ୍ଷୟିତ୍ରୀ ଓ ମୋର ଅନ୍ୟଜଣେ ଭାଇ ମଧ୍ୟ ଶିକ୍ଷକ ଅଟନ୍ତି । ମୋର ଭଉଣୀମାନେ ନର୍ସ ଅଟନ୍ତି।

“କେବଳ ଗୋଟିଏ ଭାଇ, ଯିଏ ଇଞ୍ଜିନିୟର୍‌ ଅଛନ୍ତି, ତାଙ୍କୁ ବାଦ୍‌ଦେଲେ, ବାକି ଆମେ ସମସ୍ତେ ଏହି ସମାଜକୁ ଠିକ୍‌ କରିବା ଦାୟିତ୍ୱ ନିର୍ବାହ କରୁଛୁ । ଆମର ପୃଷ୍ଠଭୂମି ଦୃଷ୍ଟିରୁ ବିଚାର କଲେ ଏହା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ । ଯେତେବେଳେ ମୋର ବଡ ଭଉଣୀ ନର୍ସମାନଙ୍କର ସେହି ୟୁନିଫର୍ମ ପିନ୍ଧିଲେ, ଏହା ତାଙ୍କର ଶୋଭା ଓ ସମ୍ମାନ ବୃଦ୍ଧି କଲା । ହେଲେ, ସେମାନେ ଯେଉଁସବୁ କାରଣରୁ ନର୍ସ ହେବାକୁ ପସନ୍ଦ କଲେ, ଏହା ହେଉଛି ସେମଧ୍ୟରୁ କେବଳ ଗୋଟିଏ କାରଣ । ପ୍ରକୃତ କଥା ଏହା ଯେ, ଆମେ ମଧ୍ୟ ଡ. ବାବାସାହେବ ଆମ୍ବେଦକରଙ୍କ ଭଳି ସମ୍ପୂର୍ଣ୍ଣ ସମାଜର ସେବା କରିବାକୁ ଚାହୁଁଛୁ’’।

ଏପରିକି ୱାର୍ଡରେ ତାଙ୍କର ପାଳି ସରିବା ବେଳେ ଯେତେବେଳେ ଥମିଝ୍‌ ସେଲ୍‌ଭିଙ୍କର କୋଭିଡ୍‌-୧୯ ଟେଷ୍ଟ ହେଲା, ସେତେବେଳେ କିଛି ସମୟ ପାଇଁ ଉତ୍କଣ୍ଠା ବୃଦ୍ଧି ପାଇଥିଲା। “ସେ କାଳେ ତାଙ୍କର ଡ୍ୟୁଟି ଜାରି ରଖିପାରିବେ ନାହିଁ ବୋଲି ଭାବି ମୁଁ ଅଧିକ ଚିନ୍ତିତ ହୋଇ ପଡିଥିଲି’’ ବୋଲି ସୁକିର୍ଥାରାଣୀ ହସି କୁହନ୍ତି । ସେ ଯାହା ହେଉ, ଆମେ ପ୍ରଥମ କେତେ ଥର ଏନେଇ ଚିନ୍ତିତ ରହିଲୁ, ବର୍ତ୍ତମାନ କିନ୍ତୁ ଏସବୁ ଆମ ପାଇଁ ସାଧାରଣ ହୋଇଗଲାଣି ।’’

“କୋଭିଡ୍‌ ଡ୍ୟୁଟିରେ ପାଦ ରଖିବା ନିଆଁ ଭିତରେ ପାଦ ରଖିବା ଭଳି, ଏଥିରେ ରହିଥିବା ବିପଦକୁ ଜାଣିବା ସତ୍ତ୍ୱେ,” ବୋଲି ଗୋପାଳାଦେବୀ କୁହନ୍ତି । “ହେଲେ, ଆମେ ଯେତେବେଳେ ନର୍ସ କାମ କରିବାକୁ ନିଷ୍ପତି ଗ୍ରହଣ କରିଥିଲୁ, ସେତେବେଳେ ଯାହାକରିବାକୁ ନିଷ୍ପତ୍ତି ନେଇଥିଲୁ, ସେତେବେଳେ ଆମେ ଯାହା ବିକଳ୍ପ ବାଛିଥିଲୁ, ସେଥିରେ ଏହା ସ୍ୱାଭାବିକ ଅଟେ । ଏହା  ସମାଜ ସେବା କରିବାର ଆମର ପ୍ରଣାଳୀ ।

କବିତା ମୁରଲିଧରନ ଠାକୁର ପରିବାର ଫାଉଣ୍ଡେସନ୍‌ ଜରିଆରେ ପ୍ରାପ୍ତ ଏକ ସ୍ୱାଧୀନ ସାମ୍ବାଦିକତା ଅନୁଦାନ ମାଧ୍ୟମରେ ସାଧାରଣ ସ୍ୱାସ୍ଥ୍ୟ ଓ ନାଗରିକ ସ୍ୱତନ୍ତ୍ରତା ଉପରେ ରିପୋର୍ଟ କରନ୍ତି । ଠାକୁର ଫ୍ୟାମିଲି ଫାଉଣ୍ଡେସନ୍‌ର ଏହି ରିପୋର୍ଟର ବିଷୟ ଉପରେ କୌଣସି ପ୍ରକାରର ସମ୍ପାଦକୀୟ ନିୟନ୍ତ୍ରଣ ସାବ୍ୟସ୍ତ କରିନି ।

ପ୍ରଚ୍ଛଦ ଫଟୋ: ଏମ୍‌.ପଲାନି କୁମାର

ଅନୁବାଦ: ଓଡ଼ିଶାଲାଇଭ୍‍

Kavitha Muralidharan

Kavitha Muralidharan is a Chennai-based independent journalist and translator. She was earlier the editor of 'India Today' (Tamil) and prior to that headed the reporting section of 'The Hindu' (Tamil). She is a PARI volunteer.

Other stories by Kavitha Muralidharan
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE