ପ୍ରଥମ ମହଲା କୋଠରୀ ତାଲା ପଡ଼ିଛି ଏବଂ ନିରବ ରହିଛି, ଯଦିଓ ଏହା ବନ୍ଦ ହେବାର ଅନେକ ପୂର୍ବ ସମୟ ଥିଲା । ଏହାକୁ ଲାଗିଥିବା ଟିଣ ଏବଂ କାଠର କୁଡ଼ିଆରେ ମଧ୍ୟ କେହି ନାହାଁନ୍ତି, କେବଳ ଗଦାଏ ଚେୟାର୍‌, ଟେବୁଲ୍‌, ଗୋଟିଏ ଧାତବ ବେଞ୍ଚ୍‌, ଆଇରନ୍‌ ସିରପ୍‌ ଏବଂ ଫୋଲିକ୍‌ ଏସିଡ୍‌ ଟାବ୍‌ଲେଟ୍‌ର କାର୍ଟନ୍‌ ଏବଂ ଫିଙ୍ଗା ଯାଇଥିବା ଖୋଳଗୁଡ଼ିକ । ଏକ ପୁରୁଣା କଳଙ୍କି ଲଗା ନାମଫଳକ ମଧ୍ୟ ସେଠାରେ ପଡ଼ିଛି ଯେତେବେଳେ କି ତାଲା ପଡ଼ିଥିବା କୋଠରୀ ଥିବା ଅଟାଳିକାର ପ୍ରବେଶ ପଥରେ ଗୋଟିଏ ନୂଆ ରହିଛି ଯାହା ସୂଚନା ଦେଉଛି: ‘ସରକାରୀ ନୂତନ ପ୍ରକାର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଶାବ୍ରି ମୋହଲ୍ଲା, ଡାଲ୍‌ ଏସ୍‌ଜିଆର୍‌ [ଶ୍ରୀନଗର]’ ।

ଏଠାରୁ ବୋଟ୍‌ରେ ୧୦ ମିନିଟ୍‌ର ଯାତ୍ରା ଆପଣଙ୍କୁ ନାଜିର୍‌ ଅହମ୍ମଦ ଭଟଙ୍କ ‘କ୍ଲିନିକ୍‌’କୁ ନେଇଯିବ, ଯାହାକି ସାଧାରଣତଃ ଖୋଲା ଥାଏ – ଏବଂ ଗହଳି ଥାଏ। ଥଣ୍ଡା ପଡ଼ିଥିବା ଶୀତ ଦିନର ଏକ ଅପରାହ୍ଣରେ ସେ କାଠ ଖୁଣ୍ଟି ଉପରେ ଥିବା ତାଙ୍କର ଛୋଟ କାଠ ଦୋକାନରେ ସେହି ଅପରାହ୍ଣର ତାଙ୍କର ଶେଷ ଗ୍ରାହକ – ରୋଗୀଙ୍କୁ ଭେଟୁଛନ୍ତି (ସେ ଆଉ ଅଧିକଙ୍କୁ ଦେଖିବା ପାଇଁ ସନ୍ଧ୍ୟାରେ ଫେରିଆସିବେ । ଏହି ଦୋକାନରେ ଇଞ୍ଜେକ୍ସନ୍‌ ଦେବା ପାଇଁ ଏକ ଛୋଟ ଆଣ୍ଟେ -ଚାମ୍ବର୍‌ ରହିଛି । ଏହା ବାହାରେ ଥିବା ଫଳକରେ ଲେଖାଯାଇଛି ‘ଭଟ ମେଡିକେଟ୍‌ କେମିଷ୍ଟ୍ ଆଣ୍ଡ୍ ଡ୍ରଗିଷ୍ଟ୍‌’ ।

ପ୍ରାୟ ୬୦ ବର୍ଷ ବୟସ୍କା ହାଫିଜା ଦର୍‌ ଏଠାରେ ଏକ ବେଞ୍ଚରେ ବସି ଅପେକ୍ଷା କରିଛନ୍ତି । ସେ ଗୋଟିଏ ବୋଟ୍‌ରେ ନାଜିର୍‌ ଡାକ୍ତରଙ୍କୁ ଦେଖା କରିବା ପାଇଁ ଆସିଛନ୍ତି, ବୋଟ୍‌ରେ ଗଲେ ତାଙ୍କ ସାହିର ଦୂରତା ୧୦ ମିନିଟ୍‌ । ତାଙ୍କ ଉପରେ ଆଶୀର୍ବାଦ ବର୍ଷା କରି ସେ କୁହନ୍ତି, ‘‘ମୋ ଶାଶୂଙ୍କୁ କିଛି [ମଧୁମେହ]  ଇଞ୍ଜେକ୍ସନ୍‌ ନେବାକୁ ହେବ ନାଜିର୍‌ ସାହବ୍‌ ଦୟାକରି ସେଗୁଡ଼ିକ ଆମ ଘରେ ଦେଇ ଦିଅନ୍ତୁ କାରଣ ସେ ଏଠାକୁ ଆସିବା ପାଇଁ ଅତ୍ୟନ୍ତ ବୟସ୍କା । ଜଣେ ଗୃହିଣୀ ଏବଂ କୃଷକ ହୋଇଥିବା ଦର୍‌ ଏହା ମଧ୍ୟ କୁହନ୍ତି, ଆମେ ସେଠାରେ [ଏନ୍‌ଟିପିଏଚ୍‌ସିରେ] ଜଣେ ଡାକ୍ତର ପାଇଲୁ ନାହିଁ । ସେମାନେ କେବଳ ପିଲାମାନଙ୍କୁ ପୋଲିଓ ଡ୍ରପ୍‌ ଦିଅନ୍ତି ଏବଂ ଅପରାହ୍ଣରେ ୪ଟା ପରେ ସେଠାରେ କେହି ନଥାନ୍ତି ।’’ ତାଙ୍କ ସ୍ୱାମୀ ଜଣେ କୃଷକ ଏବଂ ଡାଲ୍‌ ହ୍ରଦରେ ଏକ ଶିକାରା ଚଲାନ୍ତି ।

ଏହି ହ୍ରଦରେ ଥିବା ଦ୍ୱୀପରେ ବାସ କରୁଥିବା ଲୋକମାନେ ପ୍ରାୟ ଦୁଇ ବର୍ଷ ହେବ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ଏନ୍‌ଟିପିଏଚ୍‌ସି)ରେ ଜଣେ ଡାକ୍ତରଙ୍କୁ ଦେଖିଥିବା ମନେପକାଇ ପାରନ୍ତି ନାହିଁ – ଏହାର କାରଣ ହେଉଛି କାଶ୍ମୀରରେ ଅଗଷ୍ଟ ୨୦୧୯ରେ ଆରମ୍ଭ ହୋଇଥିବା କ୍ରମାଗତ କର୍ଫ୍ୟୁ ଏବଂ ଲକ୍‌ଡାଉନ୍‌ । ନିକଟରେ ରହୁଥିବା ଏବଂ ଜଣେ ଟୁରିଷ୍ଟ ଫଟୋଗ୍ରାଫର୍‌ ଭାବରେ କାମ କରୁଥିବା ୪୦ ବର୍ଷ ବୟସ୍କ ମହମ୍ମଦ ରଫିକ୍‌ ମଲ୍ଲା କୁହନ୍ତି, ‘‘କିଛି ବର୍ଷ ପୂର୍ବେ ଏଠାରେ ଜଣେ ଡାକ୍ତର ଥିଲେ ଯେ କି ଭଲ କାମ କରୁଥିଲେ, କିନ୍ତୁ ତାଙ୍କର ବଦଳି ହୋଇଯାଇଛି । ଆମେ ୨୦୧୯ ଠାରୁ ଆଉ ଜଣେ ଡାକ୍ତରଙ୍କୁ ଦେଖି ନାହୁଁ । ସେମାନେ [କର୍ମଚାରୀମାନେ] ନିୟମିତ ଭାବରେ ଆସନ୍ତି ନାହିଁ ଏବଂ ସେମାନେ ସେଠାରେ ଯଥେଷ୍ଟ ସମୟ ରୁହନ୍ତି ନାହିଁ ।’’

ଶ୍ରୀନଗରସ୍ଥ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହକାରୀ ଯୋଜନା ନିର୍ଦ୍ଦେଶକଙ୍କ ଅନୁଯାୟୀ ସମସ୍ତ ‘ନୂଆ ପ୍ରକାର ପିଏଚ୍‌ସି’ (କାଶ୍ମୀରରେ ‘ଉନ୍ନତ ହୋଇଥିବା’ ଉପ-କେନ୍ଦ୍ରଗୁଡ଼ିକ)ରେ ଅତି କମ୍‌ରେ ଚିକିତ୍ସା ଅଧିକାରୀ ଭାବରେ ଜଣେ ଏମ୍‌ବିବିଏସ୍‌ ଡାକ୍ତର, ଜଣେ ଏଫ୍‌ଏମ୍‌ପିଏଚ୍‌ଡବ୍ଲ୍ୟୁ (ମହିଳା ବହୁ-ଉଦ୍ଦେଶ୍ୟ ସ୍ୱାସ୍ଥ୍ୟକର୍ମୀ) ଏବଂ ଜଣେ ନର୍ସିଂ ଅର୍ଡର୍ଲି ରହିବା ଉଚିତ୍‌, ସମସ୍ତେ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶାଳୟ ଦ୍ୱାରା ନିଯୁକ୍ତ ହେବା ଉଚିତ୍‌ ।

PHOTO • Adil Rashid
PHOTO • Adil Rashid

ଲେକ୍‌ ବାସିନ୍ଦାମାନେ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ( ଏନ୍‌ଟିପିଏଚ୍‌ସି ) ରେ ଜଣେ ଡାକ୍ତରଙ୍କୁ ଦୁଇ ବର୍ଷ ମଧ୍ୟରେ ଦେଖିଥିବା ମନେପକାଇ ପାରନ୍ତି ନାହିଁ ; ଏକ ସଂଲଗ୍ନ କୋଠରୀରେ କିଛି ଚିକିତ୍ସୀୟ ସାମଗ୍ରୀ ଏବଂ ଖରାପ ହୋଇଯାଇଥିବା ଆସବାବପତ୍ର ରହିଛି

ଜଣେ ଫଟୋଗ୍ରାଫର୍‌ ଭାବରେ ଏକ ଟୁରିଷ୍ଟ୍ ବୋଟ୍‌ରେ କାମ କରୁଥିବା ୨୫ ବର୍ଷ ବୟସ୍କ ୱାସିମ୍‌ ରାଜା ଏନ୍‌ଟିପିଏଚ୍‌ସି (ଯାହାକି ପ୍ରକୃତରେ କୁଲି ମୋହଲ୍ଲାରେ ଅଛି, ଯଦିଓ ଏହାର ଫଳକ ଏକ ନିକଟସ୍ଥ ସ୍ଥାନ ଉଲ୍ଲେଖ କରିଛି) ଥିବା ସାହିରେ ବାସ କରନ୍ତି, ସେ କୁହନ୍ତି, ‘‘କିନ୍ତୁ ଏହି କେନ୍ଦ୍ର କେବଳ [ପୋଲିଓ] ଟୀକାକରଣ ଅଭିଯାନ ସମୟରେ ଜୀବନ୍ତ ହୋଇଯାଏ ଯେତେବେଳେ ସେମାନେ ଲାଉଡ୍‌ ସ୍ପିକର୍‌ରେ ଘୋଷଣା କରନ୍ତି ।’’ ସେ ଏଥିସହ ମଧ୍ୟ କୁହନ୍ତି, ‘‘ଫର୍ମାସିଷ୍ଟ୍ କିନ୍ତୁ ତାଙ୍କ ପାଇଁ ସମ୍ଭବ ହେଉଥିବା ସମୟରେ ମୋ ବାପାଙ୍କୁ ଏକ ସାଲାଇନ୍‌ ଦେବା ପାଇଁ ଘରକୁ ଆସିବେ । “କିନ୍ତୁ ଯେତେବେଳେ ଆମେ ଏହି ଚିକିତ୍ସାଳୟକୁ ସବୁଠାରୁ ଅଧିକ ଆବଶ୍ୟକ କରୁ ସେତେବେଳେ ଏହା ବନ୍ଦ ହୋଇଥାଏ । ଏହା ପରେ ଆମକୁ ନାଜିର୍‌ କିମ୍ବା ବିଲାଲ୍‌ [କ୍ଲିନିକ୍‌ କରିଥିବା ଅନ୍ୟ ଜଣେ ଔଷଧ ଦୋକାନୀ]ଙ୍କ ପାଖକୁ ଯିବାକୁ କିମ୍ବା ଏକ ଡାକ୍ତରଖାନାକୁ ଯିବା ପାଇଁ ସଡ଼କକୁ ପହଞ୍ଚିବାକୁ ଚେଷ୍ଟା କରିବାକୁ ହୋଇଥାଏ । ଏହା ସମୟ ନିଏ ଏବଂ ଜରୁରୀ ପରିସ୍ଥିତି ସମୟରେ ଏହା ଖୁବ୍‌ କଷ୍ଟକର ହୋଇପାରେ ।’’

ଶ୍ରୀନଗରର ରେନାୱାରୀ ଅଞ୍ଚଳରେ ଥିବା ନିକଟତମ ସରକାରୀ ପରିଚାଳିତ ସାଧାରଣ ଡାକ୍ତରଖାନା ଜବାହାରଲାଲ ନେହରୁ ମେମୋରିଆଲ୍ ହସ୍ପିଟାଲ୍‌ ହେଉଛି କୁଲି ମୋହଲ୍ଲାରୁ ବୋଲେଭାର୍ଡ ସଡ଼କ ପର୍ଯ୍ୟନ୍ତ ୧୫ ମିନିଟ୍ ବୋଟ୍ ଯାତ୍ରା ଏବଂ ଏହା ପରେ ଦୁଇଟି ବସ୍‌ ଯାତ୍ରା । କିମ୍ବା ହ୍ରଦ ବାସିନ୍ଦାମାନେ ଆଉ ଏକ ସ୍ଥାନକୁ ୪୦ ମିନିଟ୍‌ ବୋଟ୍‌ରେ ଯାଆନ୍ତି ଏବଂ ଏହା ପରେ ଡାକ୍ତରଖାନାରେ ପହଞ୍ଚିବା ପାଇଁ ପ୍ରାୟ ୧୫ ମିନିଟ୍ ଚାଲନ୍ତି । କାଶ୍ମୀରର ଦୀର୍ଘ ଦିନର ଶୀତରେ ଏହି ଯାତ୍ରାଗୁଡ଼ିକ ବିଶେଷ ଭାବରେ କଷ୍ଟକର ହୋଇପାରେ ।

କଦବା କ୍ୱଚିତ୍‌ କାର୍ଯ୍ୟ କରୁଥିବା ଏନ୍‌ଟିପିଏଚ୍‌ସି ବ୍ୟତୀତ ୧୮- ୨୦ ବର୍ଗ କିଲୋମିଟର ଡାଲ୍‌ ହ୍ରଦରେ ଥିବା ଏକାଧିକ ଦ୍ୱୀପରେ ବାସ କରୁଥିବା ପ୍ରାୟ ୫୦,୦୦୦ – ୬୦,୦୦୦ ଲୋକଙ୍କ ପାଇଁ ଅନ୍ୟ ସରକାରୀ ପରିଚାଳିତ ସ୍ୱାସ୍ଥ୍ୟ ସୁବିଧା ହେଉଛି ନନ୍ଦପୋରାରେ ଥିବା ଏକ ଆଇଏସ୍‌ଏମ୍‌ (ଇଣ୍ଡିଆନ୍‌ ସିଷ୍ଟମ୍‌ ଅଫ୍‌ ମେଡିସିନ୍‌) ଚିକିତ୍ସାଳୟ । ଏହା ବିଶାଳ ଜଳାଶୟର ଗୋଟିଏ ମୁଣ୍ଡରେ ରହିଛି ଏବଂ ସେଠାରେ ମଧ୍ୟ ସ୍ୱାସ୍ଥ୍ୟସେବା କର୍ମୀମାନେ ସବୁବେଳେ ନଥାଆନ୍ତି । ଏବଂ କୂଳରେ ବୋଲ୍‌ଭାର୍ଡ ସଡ଼କରେ ଏକ ଉପକେନ୍ଦ୍ର ରହିଛି (ଏହା ମଧ୍ୟ ଦ୍ୱୀପଗୁଡ଼ିକରେ ବାସ କରୁଥିବା ଲୋକମାନଙ୍କ ପାଇଁ କୋଭିଡ୍‌-୧୯ ଟୀକା ଏବଂ ପରୀକ୍ଷା କରାଇବା ପାଇଁ ନିକଟତମ ସ୍ଥାନ) ।

ତେଣୁ ହ୍ରଦର ବସିନ୍ଦାମାନଙ୍କ ପାଇଁ, ବିଶେଷକରି ଯେଉଁମାନେ ଏହାର ଆଭ୍ୟନ୍ତରୀଣ ଦ୍ୱୀପଗୁଡ଼ିକରେ ବାସ କରନ୍ତି, ସେମାନଙ୍କ ପାଇଁ ନାଜିର୍‌ ଏବଂ ଏହିପରି ସମାନ ଔଷଧ ଦୋକାନ ଚଳାଉଥିବା ଅତି କମ୍‌ରେ ଆଉ ତିନି ଜଣଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସେବା ସେମାନଙ୍କ ପାଇଁ ସାଧାରଣତଃ ଏକମାତ୍ର ଗମନଯୋଗ୍ୟ ସ୍ୱାସ୍ଥ୍ୟସେବା ବିକଳ୍ପ । ସେମାନେ ‘ଡାକ୍ତର’ କିମ୍ବା ଚିକିତ୍ସା ପରାମର୍ଶଦାତାଙ୍କ ପରି ଦୁଇଟି ଯାକ କାର୍ଯ୍ୟ କରନ୍ତି ।

ପ୍ରାୟ ୫୦ ବର୍ଷ ବୟସ୍କ ନାଜିର୍‌ ଅହମ୍ମଦ ଭଟ ଡାଲ୍‌ ହ୍ରଦରେ ପ୍ରାୟ ୧୫ – ୨୦ ବର୍ଷ କାମ କରୁଛନ୍ତି । ସେ ଅପରାହ୍ଣ ବିରତି ସହିତ ଦୁଇଟି ପାଳିରେ ସକାଳ ୧୦ରୁ ରାତି ୧୦ ପର୍ଯ୍ୟନ୍ତ ତାଙ୍କର ଦୋକାନ- କ୍ଲିନିକ୍‌ରେ ଉପଲବ୍ଧ । ସେ କୁହନ୍ତି ସେ ଦିନରେ ୧୫ – ୨୦ ରୋଗୀ ଦେଖନ୍ତି । ସେ ମୁଖ୍ୟତଃ ସାଧାରଣ ଜ୍ୱର ଏବଂ କାଶ, ରକ୍ତଚାପ ସମସ୍ୟା, ଦୀର୍ଘସ୍ଥାୟୀ ଯନ୍ତ୍ରଣା ପରି ରୋଗ ଏବଂ ଛୋଟ ଛୋଟ ଘା’ ଯାହା ସଫା କରିବା ଏବଂ ବ୍ୟାଣ୍ଡେଜ୍‌ କରିବା ଆବଶ୍ୟକ କରୁଥିବା ରୋଗୀଙ୍କୁ ଦେଖିଥାନ୍ତି । (ସେ ମୋତେ ତାଙ୍କର ଚିକିତ୍ସୀୟ କିମ୍ବା ଫର୍ମାସିଷ୍ଟ ଶିକ୍ଷାଗତ ଯୋଗ୍ୟତା ବିଷୟରେ କିଛି କୁହନ୍ତି ନାହିଁ) । ନାଜିର୍‌ ପରାମର୍ଶ ପାଇଁ କୌଣସି ଦେୟ ନିଅନ୍ତି ନାହିଁ କିନ୍ତୁ ପାଇକାରୀ ଦାମ୍‌ରେ ଔଷଧ ଦେୟ ନିଅନ୍ତି (ଏବଂ ସେଥିରୁ ତାଙ୍କର ଆୟ କରନ୍ତି), ଏବଂ ନିୟମିତ ଭାବରେ ଆବଶ୍ୟକ କରୁଥିବା ଲୋକମାନଙ୍କ ପାଇଁ ଔଷଧ ଆଣନ୍ତି ।

PHOTO • Adil Rashid
PHOTO • Adil Rashid

ବାମ : ପର୍ଯ୍ୟଟକମାନଙ୍କୁ ଚମଡ଼ା ସାମଗ୍ରୀ ବିକ୍ରୟ କରୁଥିବା ମହମ୍ମଦ ସିଦିକ୍‌ ଚାଚୁ କୁହନ୍ତି , ‘ ଆମେ ଏସବୁ କ୍ଲିନିକ୍‌କୁ ପସନ୍ଦ କରୁ କାରଣ ସେଗୁଡ଼ିକ ନିକଟରେ ଅଛି ଏବଂ ଔଷଧ ସବୁବେଳେ ଉପଲବ୍ଧ ଥାଏ ଡାହାଣ : ସେ ଯାଉଥିବା ଔଷଧ ଦୋକାନ କ୍ଲିନିକ୍‌ ବିଲାଲ ଅହମ୍ମଦ ଭଟଙ୍କ ଦ୍ୱାରା ପରିଚାଳିତ

ନିକଟରେ ଥିବା ଆଉ ଏକ ଔଷଧ ଦୋକାନ – କ୍ଲିନିକ୍‌ରେ, ପର୍ଯ୍ୟଟକମାନଙ୍କୁ ଚମଡ଼ା ସାମଗ୍ରୀ ବିକ୍ରୟ କରୁଥିବା ୬୫ ବର୍ଷ ବୟସ୍କ ମହମ୍ମଦ ସିଦିକ୍‌ ଚାଚୁ ନିଜର ରକ୍ତଚାପ ଯାଞ୍ଚ କରାଉଛନ୍ତି । ନିକଟରେ ଶ୍ରୀନଗରରେ ଏକ ଘରୋଇ ଡାକ୍ତରଖାନାରେ ସେ ଏକ ପୀତକୋଷ ଅପସାରଣ ଅସ୍ତ୍ରୋପଚାର କରାଇଛନ୍ତି। ସେ କୁହନ୍ତି, ‘‘ଏହି ଚିକିତ୍ସାଳୟ [ଏନ୍‌ଟିପିଏଚ୍‌ସି] ମୂଲ୍ୟହୀନ । ସେଠାକୁ କେହି ଯାଆନ୍ତି ନାହିଁ । ଆମେ ଏସବୁ କ୍ଲିନିକ୍‌ ପସନ୍ଦ କରୁ କାରଣ ସେଗୁଡ଼ିକ ନିକଟରେ ରହିଛି ଏବଂ ଔଷଧଗୁଡ଼ିକ ସବୁ ସମୟରେ ଉପଲବ୍ଧ ।’’

ଯେଉଁ କ୍ଲିନିକ୍‌କୁ ଚାଚୁ ଯାଆନ୍ତି ତାହା ବିଲାଲ ଅହମ୍ମଦ ଭଟଙ୍କ ଦ୍ୱାରା ପରିଚାଳିତ, ସେ ଶ୍ରୀନଗରର ଦକ୍ଷିଣ ବାହ୍ୟ ଭାଗରେ ଥିବା ନାଓଗାମ୍‌ରେ ବାସ କରନ୍ତି । ସେ ଜଣେ ଲାଇସେନ୍ସପ୍ରାପ୍ତ କେମିଷ୍ଟ ଓ ଡ୍ରଗିଷ୍ଟ୍‌ । ଜମ୍ମୁ କାଶ୍ମୀର ଫର୍ମାସୀ କାଉନ୍‌ସିଲ୍‌ ଦ୍ୱାରା ପ୍ରଦାନ କରାଯାଇଥିବା ସାର୍ଟିଫିକେଟ୍ ବାହାର କରି ସେ ମୋତେ ଏହା କୁହନ୍ତି ।

ଔଷଧ ଥିବା ପ୍ଲାଇଉଡ୍‌ ଥାକ ଏବଂ ରୋଗୀମାନେ ଶୋଇବା ପାଇଁ ଏକ ଶଯ୍ୟା ଥିବା ତାଙ୍କ ଦୋକାନରେ – ସକାଳ ୧୧ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ, ଭଟ ୧୦ରୁ ୨୫ ପର୍ଯ୍ୟନ୍ତ ରୋଗୀ ଦେଖୁଥିବା କହିଥାଆନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ତାଙ୍କ ନିକଟକୁ ସାମାନ୍ୟ ଅଭିଯୋଗ ସହିତ ଆସିଥାଆନ୍ତି । ସେ ପରାମର୍ଶ ଦେୟ ମାଗନ୍ତି ନାହିଁ ଏବଂ କେବଳ ଔଷଧଗୁଡ଼ିକ ଏମ୍‌ଆର୍‌ପିରେ ବିକ୍ରି କରନ୍ତି।

ସେ ଗୁରୁତ୍ୱ ଦିଅନ୍ତି ଯେ ଡାଲ୍ ହ୍ରଦରେ ଏକ ଡାକ୍ତରଖାନା ଆବଶ୍ୟକ କରୁଛି । ‘‘ଏଠାରେ ଅତି କମ୍‌ରେ ଜଣେ ସ୍ତ୍ରୀରୋଗ ବିଶେଷଜ୍ଞ ରହିବା, ପ୍ରସୂତି ଛୋଟ ଡାକ୍ତରଖାନା ରହିବା ଆବଶ୍ୟକ ଯେଉଁଠାରେ ମହିଳାମାନେ ଆବଶ୍ୟକ କରୁଥିବା ସେବା ପାଇପାରିବେ । ଏଠାରେ ଚିକିତ୍ସୀୟ ପରୀକ୍ଷା ପାଇଁ କୌଣସି ସୁବିଧା ନାହିଁ । ଲୋକମାନେ ଅତି କମ୍‌ରେ ସେମାନଙ୍କର ରକ୍ତ ଶର୍କରା ଯାଞ୍ଚ, ସେମାନଙ୍କର ସିବିସି ପରୀକ୍ଷା କରାଇବାକୁ ସମର୍ଥ ହେବା ଉଚିତ୍‌ । ଏଠାରେ ଅଧିକାଂଶ ଲୋକ ଶ୍ରମିକ, ସେମାନେ ଗରିବ । ଯଦି ସେମାନେ ଏସବୁ ସୁବିଧା ଏହି ଚିକିତ୍ସା କେନ୍ଦ୍ର [ଏନ୍‌ଟିପିଏଚ୍‌ସି]ରେ ପାଇବେ ସେମାନଙ୍କୁ ହେମାଳ ଶୀତରେ ଟ. ୫ର ଗୋଟିଏ ଟାବଲେଟ୍‌ କିଣିବାକୁ ମଧ୍ୟ ଏଠାକୁ ଆସିବାକୁ ହୁଅନ୍ତା ନାହିଁ ।’’

ସେହି ଦିନ ପ୍ରଥମେ ବିଲାଲ୍‌ଙ୍କୁ କୁଲି ମୋହଲ୍ଲାରେ ଥିବା ଜଣେ କ୍ୟାନ୍‌ସର୍‌ ରୋଗୀଙ୍କୁ ତାଙ୍କ ଘରେ ଯାଞ୍ଚ କରିବାକୁ ହୋଇଥିଲା । ସେ କୁହନ୍ତି, “ସେ ଏସ୍‌କେଆଇଏମ୍‌ଏସ୍‌ରେ ଚିକିତ୍ସିତ ହେଉଛନ୍ତି ଏବଂ ମୋତେ ତାଙ୍କୁ ଏକ ସାଲାଇନ୍‌ ଦେବାକୁ ହୋଇଥିଲା’’ । ସେ ଶ୍ରୀନଗରରେ ଥିବା ଶେର୍‌-ଇ-କାଶ୍ମୀର ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ୍ ସାଇନ୍ସକୁ ସୂଚିତ କରୁଥିଲେ ଯାହାକି ହ୍ରଦର ପୂର୍ବ ତଟରେ ଥିବା ନେହରୁ ପାର୍କ ଘାଟଠାରୁ ପ୍ରାୟ ୧୦ କିଲୋମିଟର ଦୂରରେ ରହିଛି । ‘‘ମୋତେ ସେହି ସମୟ ପାଇଁ ଦୋକାନ ବନ୍ଦ କରିବାକୁ ହୋଇଥିଲା । ସେ ଜଣେ ଗରିବ ଲୋକ ଯେ କି ଶିକାରା ଚଳାନ୍ତି । ମୁଁ ତାଙ୍କଠାରୁ ପଇସା ନେଇପାରିଲି ନାହିଁ ।’’

PHOTO • Adil Rashid
PHOTO • Adil Rashid

ହ୍ରଦର ମୋହଲ୍ଲାଗୁଡ଼ିକରେ ବାସ କରୁଥିବା ଲୋକମାନଙ୍କ ପାଇଁ, ନାଜିର୍‌ ଏବଂ ଏହିପରି ସମାନ ଔଷଧ ଦୋକାନ ଚଳାଉଥିବା ଅତି କମ୍‌ରେ ଆଉ ତିନି ଜଣଙ୍କ ଦ୍ୱାରା ପ୍ରଦାନ କରାଯାଉଥିବା ସେବା ସେମାନଙ୍କ ପାଇଁ ସାଧାରଣତଃ ଏକମାତ୍ର ଗମନଯୋଗ୍ୟ ସ୍ୱାସ୍ଥ୍ୟସେବା ବିକଳ୍ପ । ସେମାନେ ‘ଡାକ୍ତର’ କିମ୍ବା ଚିକିତ୍ସା ପରାମର୍ଶଦାତାଙ୍କ ପରି ଦୁଇଟି ଯାକ କାର୍ଯ୍ୟ କରନ୍ତି

ଏନ୍‌ଟିପିଏଚ୍‌ସି ଅପରାହ୍ଣ ୪ଟାରେ ବନ୍ଦ ହେଉଥିବାରୁ ସନ୍ଧ୍ୟା ପରେ ହ୍ରଦର ଲୋକମାନେ ଔଷଧ ଦୋକାନ – କ୍ଲିନିକ୍‌ଗୁଡ଼ିକ ଉପରେ ଅଧିକ ନିର୍ଭରଶୀଳ ହୋଇଯାଆନ୍ତି । ବିଲାଲ୍‌ କୁହନ୍ତି, ‘‘ମୁଁ ରାତିରେ ଘରେ ଥିବା ସମୟରେ ଫୋନ୍‌ ପାଏ’’ ଏବଂ ସେ ଏକ ଘଟଣା ମନେପକାନ୍ତି ଯେତେବେଳେ ଜଣେ ବୟସ୍କ ମହିଳାଙ୍କ ପରିବାର ସେ ଅଣନିଶ୍ୱାସୀ ହୋଇଯାଉଥିଲେ କହି ତାଙ୍କୁ ଡାକିଥିଲେ। ସେ ଶ୍ରୀନଗରରେ ଏକ ଡାକ୍ତରଖାନାରେ ଏକ ଅସ୍ତ୍ରୋପଚାର କରାଇଥିଲେ ଏବଂ ତାଙ୍କର ମଧୁମେହ ଏବଂ ହୃଦ୍‌ ସମସ୍ୟା ମଧ୍ୟ ଥିଲା । ‘‘ଯେତେବେଳେ ସେମାନେ ମୋତେ ମଧ୍ୟରାତ୍ର ପରେ ଡାକିଲେ, ମୁଁ ସନ୍ଦେହ କଲି ଯେ ତାଙ୍କର ହୁଏତ ହୃଦାଘାତ ହୋଇଥିବ ଏବଂ ସେମାନଙ୍କୁ ଯେତେ ଶୀଘ୍ର ସମ୍ଭବ ଏକ ଡାକ୍ତରଖାନାକୁ ନେଇଯିବାକୁ ପରାମର୍ଶ ଦେଲି [ଫୋନ୍‌ରେ] । ସେମାନେ ତାହା କଲେ ଏବଂ ଏହା ଏକ ହୃଦାଘାତ ବୋଲି ଚିହ୍ନଟ ହୋଇଥିଲା । ଭାଗ୍ୟବଶତଃ, ସେ ରକ୍ଷା ପାଇଗଲେ ।’’

ଗଣମାଧ୍ୟମର ରିପୋର୍ଟ ଏବଂ ସୁନ୍ଦର ଫଟୋଗୁଡ଼ିକରେ ଅନୁପସ୍ଥିତ ଥିବା ଦ୍ୱୀପର ଅତ୍ୟନ୍ତ ଭିତରେ ଥିବା ଦ୍ୱୀପଗୁଡ଼ିକରେ ସମସ୍ୟା ଅଧିକ ଉତ୍କଟ ହୋଇପାରେ। ହେମାଳ ଶୀତ ମାସଗୁଡ଼ିକର ଅର୍ଥ ହେଉଛି ବୋଟ୍‌କୁ କେଇ ଫୁଟ୍‌ ଆଗକୁ ନେବା ପାଇଁ ଛଅ ଇଞ୍ଚ ବହଳ ବରଫ ଚାଦରକୁ ଭାଙ୍ଗିବା । ଖରା ଦିନେ ଯେଉଁ ଯାତ୍ରା ୩୦ ମିନିଟ୍ ସମୟ ଲାଗିବ ତାହା ହ୍ରଦ ବରଫ ପାଲଟିବା ସମୟରେ ତିନି ଘଣ୍ଟାରୁ ଅଧିକ ହୋଇପାରେ ।

ଏହି ଆଭ୍ୟନ୍ତରୀଣ ଅଞ୍ଚଳଗୁଡ଼ିକରେ ଥିବା ଟିଣ୍ଡ ମୋହଲ୍ଲାରେ ବାସ କରୁଥିବା ୨୪ ବର୍ଷ ବୟସ୍କା ହାଦିସା ଭଟ କୁହନ୍ତି, ‘‘ଆମେ ଏକ ସୁବିଧା ଆବଶ୍ୟକ କରୁ ଯେଉଁଠାରେ ଦିନ ଏବଂ ରାତିରେ ଡାକ୍ତରମାନେ ଥିବେ । ଆମେ ପରୀକ୍ଷା ସୁବିଧା ମଧ୍ୟ ପାଇବା ଜରୁରୀ । ଦିନ କିମ୍ବା ଏପରିକି ବିଳମ୍ବିତ ରାତି ପର୍ଯ୍ୟନ୍ତ ଆମେ ନାଜିର୍‌ଙ୍କ କ୍ଲିନିକ୍‌କୁ ଯାଉ ।’’ ଜଣେ ଗୃହିଣୀ ହୋଇଥିବା ହାଦିସା କୁହନ୍ତି, ‘‘କିନ୍ତୁ ଯଦି କେହି ରାତିରେ ଅସୁସ୍ଥ ହୋଇଯାଆନ୍ତି, ଆମକୁ ଏକ ବୋଟ୍ ଏବଂ କାର୍‌ ନେବାକୁ ହୁଏ ଏବଂ ସେମାନଙ୍କୁ ରାଇନାୱାରୀକୁ ନେବାକୁ ହୁଏ । ଜଣେ ପ୍ରାପ୍ତବୟସ୍କ ସାରା ରାତି ଅପେକ୍ଷା କରିବାକୁ ସକ୍ଷମ ହୋଇପାରନ୍ତି କିନ୍ତୁ ଗୋଟେ ଛୋଟ ପିଲା ଅପେକ୍ଷା କରିପାରିବ ନାହିଁ ।’’  ହାଦିସାଙ୍କ ଚାରି ଭାଇ ଋତୁ ଉପରେ ନିର୍ଭର କରି କୃଷକ ଭାବରେ କିମ୍ବା ହ୍ରଦରେ ଶିକାରା ଚାଳକ ଭାବରେ କାର୍ଯ୍ୟ କରନ୍ତି ।

ମାର୍ଚ୍ଚ ୨୦୨୧ରେ, ଯେତେବେଳେ ତାଙ୍କ ମାଆ ପଡ଼ିଗଲେ ଏବଂ ହାଡ଼ରେ ଆଘାତ ହେବାର ଆଶଙ୍କା ଥିଲା ତାଙ୍କୁ ନେହରୁ ପାର୍କଠାରୁ ପ୍ରାୟ ୮ କିଲୋମିଟର ଦୂରରେ ଥିବା ଦକ୍ଷିଣ ଶ୍ରୀନଗରର ବାର୍ଜୁଲା ସ୍ଥିତ ସରକାରୀ ପରିଚାଳିତ ଅସ୍ଥି ଏବଂ ସନ୍ଧି ଡାକ୍ତରଖାନାକୁ ନେବାକୁ ହୋଇଥିଲା । ହାଦିସାଙ୍କ ଭାଇ ଆବିତ୍‌ ହୁସେନ୍‌ ଭଟ କୁହନ୍ତି, ‘‘ଯଦିଓ ତାଙ୍କର ଆଘାତ ଗୁରୁତର ନଥିଲା, କେବଳ ସେଠାକୁ ଯିବା ପାଇଁ ଆମକୁ ଦୁଇ ଘଣ୍ଟା ଲାଗିଲା [ଏବଂ ଅଟୋରିସ୍କା ଏବଂ ଟ୍ୟାକ୍ସି ଦେୟ] । ନିକଟରେ ତାଙ୍କୁ ଚିକିତ୍ସା କରିବା ପାଇଁ କୌଣସି ସୁବିଧା ନଥିବାରୁ ଆମକୁ ଡାକ୍ତରଖାନାକୁ ଆଉ ଦୁଇ ଥର ଯିବାକୁ ହୋଇଥିଲା ।’’

ହ୍ରଦରୁ ଲୋକମାନଙ୍କୁ ଡାକ୍ତରଖାନାକୁ ନେବାର ସମସ୍ୟାଗୁଡ଼ିକର ସମାଧାନ ପାଇଁ ଡିସେମ୍ବର ୨୦୨୦ରେ ଜଣେ ହାଉସ୍‌ବୋଟ୍ ମାଲିକ ତାରିକ୍‌ ଅହମ୍ମଦ ପାଟଲୁ ଗୋଟିଏ ଶିକାରାକୁ ଏକ ଜଳ ଚାଳିତ ଆମ୍ବୁଲାନ୍ସରେ ପରିଣତ କରିଥିଲେ । ଏହି ସମୟରେ ଏହା କାହିଁକି ହେଲା ତାହା ସମ୍ପର୍କରେ ସୂଚନା ଦେଇ ଗଣମାଧ୍ୟମ ଜଣାଇଥିଲା – ତାଙ୍କ ଖୁଡ଼ିଙ୍କ ଘାତକ ହୃଦ୍‌ ସମସ୍ୟା, ତାଙ୍କର ନିଜ କୋଭିଡ୍‌- ୧୯ ସଂକ୍ରମଣ । ସେ ଏକ ଟ୍ରଷ୍ଟରୁ ଆର୍ଥିକ ସାହାଯ୍ୟ ପାଇଥିଲେ ଏବଂ ଏହି ଆମ୍ବୁଲାନ୍ସର ବର୍ତ୍ତମାନ ଏକ ଷ୍ଟ୍ରେଚର୍‌, ଏକ ହୁଇଲ୍ ଚେୟାର୍‌, ଏକ ଅକ୍ସିଜେନ୍‌ ସିଲିଣ୍ଡର୍‌, ପ୍ରାଥମିକ ଉପଚାର କିଟ୍‌, ମାସ୍କ, ଗ୍ଲୁକୋମିଟର ଏବଂ ଏକ ରକ୍ତଚାପ ମନିଟର୍‌ ରହିଛି । ୫୦ ବର୍ଷ ବୟସ୍କ ପାଟଲୁ କୁହନ୍ତି, ସେ ବର୍ତ୍ତମାନ ଏଠାକୁ ଜଣେ ପାରାମେଡିକ୍‌ ଏବଂ ଜଣେ ଡାକ୍ତରଙ୍କୁ ଆଣିବାକୁ ଆଶା କରୁଛନ୍ତି। ସେ ହିସାବ କରନ୍ତି ଯେ ଆମ୍ବୁଲାନ୍ସ ଏ ପର୍ଯ୍ୟନ୍ତ ୩୦ ରୋଗୀଙ୍କୁ ଡାକ୍ତରଖାନାକୁ ନେଇଛି ଏବଂ ମୃତ ଶରୀରକୁ ହ୍ରଦର ଏ ପାଖରୁ ସେ ପାଖକୁ ଆଣିବାରେ ସାହାଯ୍ୟ କରିଛି ।

PHOTO • Adil Rashid
PHOTO • Adil Rashid

ଜଣେ ହାଉସ୍‌ବୋଟ୍ ମାଲିକ ତାରିକ୍‌ ଅହମ୍ମଦ ପାଟଲୁ , ଯେ କି ଏକ ଶିକାରାକୁ ଏକ ହ୍ରଦ ଆମ୍ବୁଲାନ୍ସ ରେ ବଦଳାଇ ଦେଇଛନ୍ତି

ଶ୍ରୀନଗରରେ ସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ମଧ୍ୟ ସେମାନଙ୍କ ଭାଗର ସଂଘର୍ଷ କରୁଛନ୍ତି । ଜଣେ ବରିଷ୍ଠ ଅଧିକାରୀଙ୍କୁ ଯେତେବେଳେ ଡାଲ୍‌ ହ୍ରଦରେ ନଗଣ୍ୟ ସୁବିଧା ସମ୍ପର୍କରେ ପଚରାଯାଇଥିଲା ସେ ଶ୍ରୀନଗରର ଖାନିଆର୍‌ ଠାରେ ତାଙ୍କ ଡାକ୍ତରଖାନାରେ କର୍ମଚାରୀ ନିଅଣ୍ଟକୁ ଦର୍ଶାଇଥିଲେ । ସେ କୁହନ୍ତି, ‘‘୨୦୨୦ ମାର୍ଚ୍ଚରେ ଜିଲ୍ଲା ଚିକିତ୍ସାଳୟ (ରାଇନାୱାରୀରେ ଥିବା ଜବାହାରଲାଲ ନେହରୁ ମେମୋରିଆଲ୍‌ ହସ୍ପିଟାଲ୍‌) କୋଭିଡ୍‌-୧୯ ସୁବିଧା ନିମନ୍ତେ ସମର୍ପିତ ହେବା ପରେ ତାଙ୍କ ଡାକ୍ତରଖାନାକୁ ଅନେକ ଅଣକୋଭିଡ୍ ରୋଗୀ ଆସିବା ଆରମ୍ଭ ହୋଇଥିଲା, କିନ୍ତୁ ଏହି ସଂଖ୍ୟାରେ ବିପୁଳ ବୃଦ୍ଧିକୁ ପରିଚାଳନା କରିବା ପାଇଁ ଅତିରିକ୍ତ କର୍ମଚାରୀ ଯୋଗାଇ ଦିଆଯାଇନଥିଲା ।’’ ଚଳିତ ବର୍ଷ ଜାନୁଆରୀ ମାସରେ ସେ ମୋତେ କହିଥିଲେ, ‘‘ଯଦି ଏକ ସାଧାରଣ ଦିନରେ ସାଧାରଣତଃ ଆମ ପାଖକୁ ୩୦୦ ରୋଗୀ ଆସନ୍ତି, ବର୍ତ୍ତମାନ ଆମ ପାଖକୁ ୮୦୦- ୯୦୦, ଏପରିକି କେତେକ ଦିନରେ ୧୫୦୦ ମଧ୍ୟ ଆସୁଛନ୍ତି।’’

ହ୍ରଦର ବାସିନ୍ଦାମାନଙ୍କ ଛୋଟ ଦେଖାଯାଉଥିବା ଆବଶ୍ୟକତା ବିପକ୍ଷରେ ବଡ଼ ବଡ଼ ରୋଗକୁ ପ୍ରାଥମିକତା ଦେବା ପାଇଁ ଏହି ଅଧିକାରୀ କୁହନ୍ତି ଏନ୍‌ଟିପିଏଚ୍‌ସି ଏବଂ ଉପକେନ୍ଦ୍ରଗୁଡ଼ିକର କର୍ମଚାରୀମାନଙ୍କୁ ସାଧାରଣ ଅପେକ୍ଷା ଅଧିକ ରାତି ଡ୍ୟୁଟି କରିବାକୁ ଡକାଯାଉଛି, ଅନେକ ସମୟରେ ଲଗାତର ଭାବରେ, ଏହି କାରଣରୁ କୁଲି ମୋହଲ୍ଲାରେ ଥିବା ଏନ୍‌ଟିପିଏଚ୍‌ସିରେ ଫାର୍ମାସିଷ୍ଟ ଅନେକ ସମୟରେ ଅନୁପସ୍ଥିତ ରହୁଛନ୍ତି । ସ୍ୱାସ୍ଥ୍ୟକେନ୍ଦ୍ରରେ ସେମାନଙ୍କର କାମ ବ୍ୟତୀତ ଏଫ୍‌ଏମ୍‌ପିଏଚ୍‌ଡବ୍ଲ୍ୟୁ କୋଭିଡ୍-୧୯ ସମୟରେ ଯୋଗାଯୋଗ ଚିହ୍ନଟ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି ଏବଂ ସେମାନେ ମଧ୍ୟ ଅଧିକ କାର୍ଯ୍ୟ ଚାପରେ ଅଛନ୍ତି ।

୧୦ ବର୍ଷରୁ ଅଧିକ ସମୟ ଧରି କୁଲି ମୋହଲ୍ଲା ଏନ୍‌ଟିପିଏଚ୍‌ସିରେ ଥିବା ୫୦ ବର୍ଷ ବୟସ୍କ ଫାର୍ମାସିଷ୍ଟ ଇଫତିଖାର ଅହମ୍ମଦ ୱାଫାଇ କୁହନ୍ତି ମାସରେ ପାଞ୍ଚ ଥର ତାଙ୍କୁ ଖାନିଆରରେ ଥିବା ଡାକ୍ତରଖାନାରେ ରାତି ଡ୍ୟୁଟି ପାଇଁ ଡକାଯାଏ ଏବଂ ସେ ପରଦିନ ସକାଳେ ଏନ୍‌ଟିପିଏଚ୍‌ସିରେ ଯୋଗ ଦେବାକୁ ଅସମର୍ଥ ହୁଅନ୍ତି । ସେ କୁହନ୍ତି, ‘‘ଆମକୁ ଏଥିପାଇଁ ଅଧିକ ଅର୍ଥ ପୈଠ କରାଯାଏ ନାହିଁ । ଆମେ ଜାଣୁ ସବୁ କେନ୍ଦ୍ରଗୁଡ଼ିକରେ କର୍ମଚାରୀ କମ୍‌ ଅଛନ୍ତି ଏବଂ ଏହି ମହାମାରୀ ସୀମାକୁ ବଢ଼ାଇ ଦେଇଛି ।’’

ଏଥିସହିତ ସେ କୁହନ୍ତି, ଏହି ଏନ୍‌ଟିପିଏଚ୍‌ସିରେ ପ୍ରାୟ ତିନି ବର୍ଷ ହେବ ଜଣେ ଡାକ୍ତର ମଧ୍ୟ ଦିଆଯାଇନାହିଁ । ସେ କର୍ମଚାରୀ ନିଅଣ୍ଟ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ତାଙ୍କୁ ‘ଚଳେଇ ନେବା’ ପାଇଁ କୁହାଯାଇଥିଲା । ତାଙ୍କ କାର୍ଯ୍ୟ ଦାୟିତ୍ୱ ବାହାରେ ଥିବା କାର୍ଯ୍ୟଗୁଡ଼ିକ ସେ କିପରି କରନ୍ତି ତାହା ବ୍ୟାଖ୍ୟା କରି ୱାଫାଇ କହନ୍ତି, ‘‘ମୁଁ ନିଜେ ହିଁ କେନ୍ଦ୍ର ସଫା କରେ । ମୁଁ ମଧ୍ୟ ବେଳେ ବେଳେ ରୋଗୀମାନଙ୍କୁ ଇଞ୍ଜେକ୍ସନ୍‌ ଦିଏ, ବେଳେ ବେଳେ ସେମାନେ ଅନୁରୋଧ କଲେ ସେମାନଙ୍କର ରକ୍ତଚାପ ମଧ୍ୟ ଦେଖିଥାଏ । କିନ୍ତୁ ଜଣେ ରୋଗୀ ହୁଏତ ତାହା ବୁଝିପାରିବେ ନାହିଁ ଏବଂ ଆପଣ ତାଙ୍କୁ ଯେତେ ସମ୍ଭବ ସାହାଯ୍ୟ କରିବାକୁ ଚାହାଁନ୍ତି ।’’

ଏବଂ ଅନେକ ସମୟରେ ୱାଫାଇ ମଧ୍ୟ ଉପଲବ୍ଧ ନଥିବାରୁ ଡାଲ୍ ହ୍ରଦରେ ବାସ କରୁଥିବା ଲୋକମାନେ ସାଧାରଣତଃ ବନ୍ଦ ଥିବା ଏନ୍‌ଟିପିଏଚ୍‌ସିକୁ ଅତିକ୍ରମ କରନ୍ତି ଏବଂ ଔଷଧ ଦୋକାନ – କ୍ଲିନିକ୍‌ ଆଡ଼କୁ ଯାଆନ୍ତି, ଯାହା ସେମାନେ ସବୁଠାରୁ ଅଧିକ ଆବଶ୍ୟକ କରୁଥିବା ସମୟରେ ସାହାଯ୍ୟ ପ୍ରଦାନ କରିଥାଏ ।

ଅନୁବାଦ: ଓଡ଼ିଶାଲାଇଭ୍‍

Adil Rashid

Adil Rashid is an independent journalist based in Srinagar, Kashmir. He has previously worked with ‘Outlook’ magazine in Delhi.

Other stories by Adil Rashid
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE