ଗୋପାଳ ଗୁପ୍ତା ଗୋଟିଏ ବର୍ଷରେ ଦ୍ୱିତୀୟ ଥର ପାଇଁ ମୁମ୍ବାଇ ଛାଡିବା ପାଇଁ ନିଷ୍ପତ୍ତି ନେଇଥିଲେ, ଯେତେବେଳେ ଏହା ପ୍ରାୟ ନିଶ୍ଚିତ ହୋଇଯାଇଥିଲା ଯେ ଏପ୍ରିଲ୍‌ ମଧ୍ୟ ଭାଗ ସୁଦ୍ଧା ମହାରାଷ୍ଟ୍ରରେ ପୁଣିଥରେ ଲକ୍‌ଡାଉନ୍‌ ପରି କଟକଣା ଆରମ୍ଭ ହୋଇଯିବ ।

କିନ୍ତୁ ଏହା ପରିବର୍ତ୍ତେ ତାଙ୍କ ପରିବାର ମାର୍ଚ୍ଚ ମାସର ଶେଷ ଭାଗରେ ଉତ୍ତର ପ୍ରଦେଶର କୁସୌରା ତାଲୁକାରେ ଥିବା ସେମାନଙ୍କର ଗ୍ରାମ ସାହାତ୍‌ପୁର୍‌କୁ ତାଙ୍କ ଭସ୍ମ ଏକ ଛୋଟ ନାଲି ମାଟି କଳସରେ ନେବା ପାଇଁ ଏକ ଟ୍ରେନ୍‌ ଚଢ଼ିଥିଲେ  ।

ଗୋପାଳଙ୍କ ୨୧ ବର୍ଷୀୟା ଝିଅ ଜ୍ୟୋତି କୁହନ୍ତି , ‘‘ମୁଁ ଭାବୁନି ମୋ ବାପାଙ୍କ ମୃତ୍ୟୁ ପାଇଁ ମୁଁ କେବଳ କରୋନାକୁ ଦୋଷ ଦେଇ ପାରିବି.. ଯଦି ବି ସେ ବଞ୍ଚିଥା’ନ୍ତେ, ସେ ଗୋଟିଏ ଗୋଡ଼ ବିନା ରହିଥା’ନ୍ତେ ।

ଯେତେବେଳେ କଲ୍ୟାଣର ୫୬ ବର୍ଷ ବୟସ୍କ ପରିବା ବ୍ୟବସାୟୀ ଗୋପାଳ ମାର୍ଚ୍ଚ ମାସର ପ୍ରଥମ ସପ୍ତାହରେ ସାମାନ୍ୟ କାଶ-ଥଣ୍ଡାରେ ପୀଡ଼ିତ ହେଲେ, ସେତେବେଳେ ସେ ପାଲାବାନି ଅଞ୍ଚଳରେ ଥିବା ବସ୍ତି କ୍ଲିନିକ୍‌ରୁ କିଛି ଔଷଧ ନେବା ପରେ ସୁସ୍ଥ ଅନୁଭବ କଲେ । ଏଠାରେ ତାଙ୍କ ପରିବାର ଏକ ଦୁଇ ବଖୁରିଆ ଘର ଭଡ଼ା ନେଇ ରୁହନ୍ତି ।

ସେ ୟୁପିର ବାଲିଆ ଜିଲ୍ଲାର ବଂଶଡ଼ିହ ତାଲୁକ ରେ ଥିବା ସେମାନଙ୍କ ଗ୍ରାମରୁ ମାତ୍ର ଦୁଇମାସ ତଳେ ଜାନୁଆରୀରେ ଫେରିଥିଲେ ।  କିନ୍ତୁ କାମ ଜୋର୍‌ ଧରିବା ଆରମ୍ଭ କରିବା ବେଳକୁ କୋଭିଡ୍‌ର ଦ୍ୱିତୀୟ ପର୍ଯ୍ୟାୟ ବୃଦ୍ଧି ଆରମ୍ଭ ହେଲା । ଜ୍ୟୋତି କୁହନ୍ତି, ‘‘ମୋ ବାପା ଗତ ବର୍ଷ ପରି ଅପେକ୍ଷା କରିବାର ବିପଦ ପୁଣି ଚାହୁଁନଥିଲେ ।’’ ତେଣୁ ପରିବାର ପୁଣି ଥରେ ଗାଁକୁ ଫେରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲା ।

କିନ୍ତୁ ମାର୍ଚ୍ଚ ୧୦ ତାରିଖ ସନ୍ଧ୍ୟା ପ୍ରାୟ ୫ଟା ବେଳକୁ ଗୋପାଳ ଅଣନିଶ୍ୱାସୀ ହେବା ପରି ଅନୁଭବ କଲେ । ତାଙ୍କୁ ସ୍ଥାନୀୟ କ୍ଲିନିକ୍‌କୁ ନିଆଗଲା ଏବଂ ସେ ପଜିଟିଭ୍‌ ହୋଇଥିବା ଚିହ୍ନଟ ହେଲେ ।  ତାଙ୍କ ପରିବାର ତାଙ୍କୁ କେଡିଏମ୍‌ସି (କଲ୍ୟାଣ ଡୋମ୍ବିଭାଲି ମ୍ୟୁନିସିପାଲ୍‌ କର୍ପୋରେସନ୍‌) ପରିସରକୁ ନେଇଗଲେ , ଯାହା ଏକ ‘ସମର୍ପିତ କୋଭିଡ୍‌ ସ୍ୱାସ୍ଥ୍ୟ କେନ୍ଦ୍ର’ ରେ ପରିବର୍ତ୍ତିତ ହୋଇଥିଲା। (କଲ୍ୟାଣ ଏବଂ ଡୋମ୍ବିଭାଲି ହେଉଛି ମୁମ୍ବାଇ ମେଟ୍ରୋପଲିଟାନ୍‌ କ୍ଷେତ୍ର ମଧ୍ୟରେ ଥିବା ସହର) । କିନ୍ତୁ ତାଙ୍କ ଅବସ୍ଥା ଖରାପ ହେଲା ଏବଂ କେନ୍ଦ୍ରର କର୍ମଚାରୀମାନେ ତାଙ୍କୁ ଏକ ଅଧିକ ଭଲ ବ୍ୟବସ୍ଥା ଥିବା ସ୍ଥାନକୁ ନେଇ ଯିବା ପାଇଁ କହିଥିଲେ । ସେହି ଅପରାହ୍ଣରେ ଗୋପାଳଙ୍କୁ କଲ୍ୟାଣରେ ଥିବା ଏକ ଘରୋଇ ଡାକ୍ତରଖାନାକୁ ନିଆଯାଇଥିଲା ।

ଜ୍ୟୋତି ସେ ସମୟକୁ ମନେ ପକାଇ କୁହନ୍ତି, ‘‘ଆମେ ପ୍ରକୃତରେ ଜାଣି ନଥିଲୁ କେଉଁଠିକୁ ଯିବାକୁ ହେବ। ଚିନ୍ତା କରିବାକୁ ଆମ ପାଖରେ କମ୍‌ ସମୟ ଥିଲା ଏବଂ ବାପାଙ୍କ ଅବସ୍ଥା ଅଧିକ ଖରାପ ହୋଇଯାଉଥିବା ଏବଂ ଭାଇର ଅବସ୍ଥା ନେଇ ଭୟଭୀତ ଥିଲୁ’’। ତାଙ୍କ ଭାଇ ବିବେକ, ୨୬ ମଧ୍ୟ ପଜିଟିଭ୍‌ ଚିହ୍ନଟ ହୋଇଥିଲେ ଏବଂ ତାଙ୍କୁ ଭିଓ୍ୱାଣ୍ଡି ନିକଟସ୍ଥ ଏକ କେନ୍ଦ୍ରରେ ୧୨ ଦିନ ସଙ୍ଗରୋଧରେ ରହିବା ପାଇଁ କୁହାଯାଇଥିଲା।

PHOTO • Courtesy: Gupta family
PHOTO • Courtesy: Gupta family

ଜ୍ୟୋତି ( ଗୋପାଳ ଏବଂ ଶଶିକଳାଙ୍କ ସହ ): ‘ ଆମ ପାଖରେ ଚିନ୍ତା କରିବା ପାଇଁ କମ୍‌ ସମୟ ଥିଲା ଏବଂ ମୋ ବାପାଙ୍କ ଅବସ୍ଥା ଖରାପ ହେଉଥିବାରେ ଆମେ ଭୟଭୀତ ହୋଇ ଯାଇଥିଲୁ

ଥରେ ସେମାନେ ଘରୋଇ ଡାକ୍ତରଖାନାରେ ପହଞ୍ଚିବା ପରେ ପରିବାରକୁ ଟ ୫୦,୦୦୦ ନଗଦ ଅର୍ଥ ଜମା କରିବାକୁ କୁହାଯାଇଥିଲା । ଗୋପାଳଙ୍କୁ ଆଇସିୟୁକୁ ନିଆଯାଇଥିଲା ଏବଂ ପରିବାର ଅନୁମୋଦନ କରାଯାଇଥିବା ଦାମୀ ଔଷଧ ଆଣିବା ପାଇଁ ଡାକ୍ତରଖାନାର ଷ୍ଟୋର୍‌କୁ ଦୌଡ଼ିଥିଲେ । “ଆମେ ପାଖରେ ଥିବା ଅଳ୍ପ କିଛି ସଞ୍ଚୟକୁ ବ୍ୟବହାର ସହିତ  ଆରମ୍ଭ କରିଥିଲୁ । ଦିନକୁ ଦିନ ଆମକୁ ଏକ ନୂଆ ବିଲ୍ ମିଳୁଥିବା ଆମର ଅବସ୍ଥାକୁ ଖରାପ କରିବାରେ ଲାଗିଥିଲା।’’ କୁହନ୍ତି ଗୋପାଳଙ୍କ ପତ୍ନୀ ଶଶିକଳା । ସେ ଜଣେ ଗୃହିଣୀ ଏବଂ ପରିବାରର ବ୍ୟବସାୟରେ ମଧ୍ୟ କାମ କରନ୍ତି, ମଣ୍ଡିରୁ ପରିବା ଆଣନ୍ତି ।

ଗୋପାଳ ଏବଂ ତାଙ୍କ ପୁଅ ବିବେକ ଉଭୟେ ପରିବା ବିକୁଥିଲେ । ଗତବର୍ଷ ଲକ୍‌ଡାଉନ୍‌ ପୂର୍ବରୁ ସେମାନେ ଉଭୟେ ମିଶି ଦିନକୁ ଟ. ୩୦୦- ୭୦୦ ରୋଜଗାର କରୁଥିଲେ । ଏଥିରେ ସେମାନଙ୍କ ଛଅ ଜଣିଆ ପରିବାର ଚଳୁଥିଲା – ସେମାନେ ତେଲି ସମୂହର (ଏକ ଓବିସି) । ୨୦୧୩ – ୨୦୧୪ରେ ନିଜର ଗ୍ରାଜୁଏସନ୍‌ ସମ୍ପୂର୍ଣ୍ଣ କରିବା ପରେ ବିବେକ ନାଭି ମୁମ୍ବାଇର ଏକ ଛୋଟ ମଲ୍‌ରେ କ୍ୟାସିଅର୍‌ ଭାବରେ କାମ ପାଇଥିଲେ, ଯାହା ମାସକୁ ଟ. ୧୨,୦୦୦ର ଆୟ ଦେଉଥିଲା । କିନ୍ତୁ ଯେତେବେଳେ ମଲ୍‌ ବନ୍ଦ ହୋଇଗଲା, ସେ ମଧ୍ୟ ତାଙ୍କ ବାପାଙ୍କ ସହ ପରିବା ବିକ୍ରି କରିବା ଆରମ୍ଭ କରିଥିଲେ ।

ଗୋପାଳ ଏବଂ ଶଶିକଳାଙ୍କ ସାନ ପୁଅ, ୧୯ ବର୍ଷ ବୟସ୍କ ଦୀପକ, ଯିଏକି ୧୨ ଶ୍ରେଣୀରେ ନାମ ଲେଖାଇଥା’ନ୍ତେ, ତାଙ୍କୁ ୨୦୨୦ ଲକ୍‌ ଡାଉନ୍‌ ସମୟରେ ତାଙ୍କ ପାଠପଢ଼ା ବନ୍ଦ କରିବାକୁ ହେଲା । ଗୋଟିଏ ଏନ୍‌ଜିଓ ଏବଂ ସାଙ୍ଗସାଥୀଙ୍କ ସହଯୋଗରେ କୌଣସି ମତେ ନିଜର ବିକମ୍‌ ତୃତୀୟ ବର୍ଷର ଦେୟ ଦେଇଛନ୍ତି ଏବଂ ଜ୍ୟୋତି ଅନ୍‌ଲାଇନ୍‌ କ୍ଲାସ୍‌ରେ ଯୋଗ ଦେଉଛନ୍ତି ।

ତାଙ୍କ ଭଉଣୀ ୨୨ ବର୍ଷ ବୟସ୍କ ଖୁସ୍‌ବୁ ପରିବାରରେ ପୂର୍ବରୁ ଏକ ଆର୍ଥିକ ସଙ୍କଟ ଯୋଗୁ ୯ମ ଶ୍ରେଣୀ ଶେଷ ହେବାପରେ ସ୍କୁଲ୍‌ ଛାଡ଼ିଥିଲେ । ଜ୍ୟୋତି କୁହନ୍ତି, ‘‘ମୋ ବାପା କେବେ ଏହା ଚାହିଁ ନଥିଲେ କିନ୍ତୁ ଆମ ପାଖରେ ଅନ୍ୟ କୌଣସି ବିକଳ୍ପ ନଥିଲା..’’। ତାଙ୍କର ଅନ୍ୟ ଦୁଇ ଭଉଣୀ ବିବାହିତ ଏବଂ ଉତ୍ତର ପ୍ରଦେଶରେ ରହୁଛନ୍ତି ।

ଗତ ବର୍ଷ ଜୁନ୍‌ ସୁଦ୍ଧା ସେମାନେ ଗାଁକୁ ଚାଲିଗଲେ ଏବଂ ଏବଂ ସେମାନଙ୍କ ଦାଦାଜୀ ଙ୍କ ଛୋଟ ଘରେ ରହିଲେ । ନଭେମ୍ବରରେ ଜ୍ୟୋତିଙ୍କର ପଞ୍ଚମ ସେମିଷ୍ଟାର ପରୀକ୍ଷା ଥିଲା ଏବଂ ସେ ବିବେକ ସହିତ ମୁମ୍ବାଇକୁ ଫେରିଲେ । ସେ ପରିବା ବିକିବା ଆରମ୍ଭ କଲେ ଏବଂ ଦିନକୁ ଟ. ୨୦୦-୩୦୦ ଆୟ କଲେ । ଜ୍ୟୋତି କଲ୍ୟାଣରେ ଏକ ସାର୍ବଜନୀନ ଡାକ୍ତରଖାନାରେ ଏକ ଅସ୍ଥାୟୀ କାମ ପାଇଲେ, ଘର ଘର ବୁଲି ପିଲାମାନଙ୍କୁ ପୋଲିଓ ଡ୍ରପ୍‌ ଦେବା ଏବଂ ସମ୍ଭାବ୍ୟ କୋଭିଡ୍‌-୧୯ ପାଇଁ ତାପମାତ୍ରା ଏବଂ ଅମ୍ଲଜାନ ସ୍ତର ଯାଞ୍ଚ କରିବା । ସେ ଏହା ତିନି ମାସ ପାଇଁ କଲେ ଏବଂ ଏଥିପାଇଁ ସମୁଦାୟ ଟ. ୨୫୦୦ ପାଇଲେ ।

ଜାନୁଆରୀ ୨୦୨୧ରେ, ଗୋପାଳ ଏବଂ ପରିବାରର ଅନ୍ୟମାନେ ମୁମ୍ବାଇ ଫେରିଆସିଲେ – ଗାଁରେ କାମ ନଥିଲା ଏବଂ ସେମାନଙ୍କ ସଞ୍ଚୟ ଶେଷ ହେବାରେ ଲାଗିଥିଲା । ଗତ ବର୍ଷ ସେମାନଙ୍କ ପରିବାର ଏକ ଏନ୍‌ଜିଓଠାରୁ ରାସନ୍‌ ସାହାଯ୍ୟ ପାଇଥିଲା। କିନ୍ତୁ ଘର ଭଡ଼ା ଟ. ୩୦୦୦ ଏବଂ ବିଦ୍ୟୁତ୍‌ ଏବଂ ଅନ୍ୟ ବିଲ୍‌ଗୁଡ଼ିକ ମଧ୍ୟ ଥିଲା, ଏବଂ ସେମାନେ ଏଥିପାଇଁ ମଧ୍ୟ ସେମାନଙ୍କ ସଞ୍ଚୟ ବ୍ୟବହାର କରୁଥିଲେ ।

PHOTO • Courtesy: Gupta family
PHOTO • Courtesy: Gupta family

ଗତ ବର୍ଷ ମଧ୍ୟ ସେମାନଙ୍କର ସଞ୍ଚୟ ଖର୍ଚ୍ଚ ହୋଇଯାଉଥିଲା, ଜ୍ୟୋତି ଏକ ଅସ୍ଥାୟୀ କାମ ପାଇଲେ, ଘରକୁ ଘର ଯାଇ ପିଲାମାନଙ୍କୁ ପୋଲିଓ ଡ୍ରପ୍‌ ଦେବା ଏବଂ କୋଭିଡ୍‌ ଯାଞ୍ଚ କରିବା

ଏହାପରେ ମାର୍ଚ୍ଚରେ ଗୋପାଳଙ୍କର ଘରୋଇ ଡାକ୍ତରଖାନାରେ ୧୦ ଦିନର ରହଣୀରେ ବିଲ୍‌ ଅଧିକ ଭାବରେ ବଢ଼ିବାରେ ଲାଗିଲା – ବିସ୍ମିତ କରିବା ଭଳି ଟ. ୨୨୧,୮୫୦ର ଡାକ୍ତରଖାନା ବିଲ୍‌, ଏଥି ସହିତ ଟ. ୧୫୮,୦୦୦ ଔଷଧ ପାଇଁ । ( ଏହି ସମ୍ବାଦାତା ସମସ୍ତ ବିଲ୍‌ ଦେଖିଛନ୍ତି ।) ଏହାଛଡ଼ା ସିଟି ସ୍କାନ୍‌, ପ୍ଲାଜ୍‌ମା ଇନ୍‌ଫ୍ୟୁଜନ୍‌, ଲାବ୍‌ରେ ପରୀକ୍ଷା, ଆମ୍ବୁଲାନ୍ସ ଖର୍ଚ୍ଚ- ଏସବୁ ସମୁଦାୟ ପ୍ରାୟ ଟ. ୯୦,୦୦୦  ।

ଗତ ବର୍ଷର ଲକ୍‌ଡାଉନ୍‌ ପରେ ସଂଘର୍ଷ କରୁଥିବା - ଏହି ପରିବା ବିକାଳୀଙ୍କ ପରିବାର -  ଗୋପାଳଙ୍କ ଚିକିତ୍ସା ପାଇଁ ସେମାନେ ପ୍ରାୟ ଟ. ୫ ଲକ୍ଷ ବ୍ୟୟ କରିଥିଲେ ।

ସେମାନେ ଜାଣି ନଥିଲେ ଯେ ମେ’ ୨୦୨୦ରେ ମହାରାଷ୍ଟ୍ରର ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ମହାତ୍ମା ଜ୍ୟୋତିରାଓ ଫୁଲେ ଜନ ଆରୋଗ୍ୟ ଯୋଜନା (ଏମ୍‌ଜେପି – ଜେଏଓ୍ୱାଇ) ଅଧୀନରେ ସମସ୍ତ କୋଭିଡ୍‌-୧୯ ରୋଗୀଙ୍କ ପାଇଁ ମାଗଣା ଚିକିତ୍ସା ଘୋଷଣା କରିଥିଲେ। ଏହି ଯୋଜନା ଅଧୀନରେ କଲ୍ୟାଣ କ୍ଷେତ୍ର ମଧ୍ୟରେ ଚାରୋଟି ଘରୋଇ ଡାକ୍ତରଖାନା (ଏବଂ ଗୋଟିଏ ସରକାରୀ ଡାକ୍ତରଖାନା) ରହିଛି । ଜ୍ୟୋତି କୁହନ୍ତି, ‘‘ଯଦି ଆମେ ଜାଣି ଥାଆନ୍ତୁ, ଆମେ ଅନ୍ୟ କୌଣସି ଡାକ୍ତରଖାନାକୁ ଯାଇ ଥାଆନ୍ତୁ କାହିଁକି? ଆମ ଭିତରୁ କେହି ଏହା ଜାଣି ନଥିଲେ।’’

ମେ’ ୨୦୨୦ରେ, ମହାରାଷ୍ଟ୍ର ସରକାର କୋଭିଡ୍‌-୧୯ ଚିକିତ୍ସାର ଦେୟ ନିମନ୍ତେ  ସମସ୍ତ ଘରୋଇ ଡାକ୍ତରଖାନାରେ ଏକ ଆଇସିୟୁ ଶଯ୍ୟା ପାଇଁ ଦିନକୁ ଟ. ୭,୫୦୦ ଏବଂ  ଭେଣ୍ଟିଲେଟର୍‌ ଥିବା ଆଇସିୟୁ ଶଯ୍ୟା ପାଇଁ ଟ. ୯,୦୦୦ ମଧ୍ୟରେ ସୀମିତ କରିଥିଲେ ।

ଏମ୍‌ଜେପି – ଜେଏଓ୍ୱାଇ ଯୋଜନା ଏବଂ ରିହାତି ଦର ସମ୍ପର୍କରେ କଲ୍ୟାଣ- ଡୋମ୍ବିଭଲି ମ୍ୟୁନିସିପାଲ୍‌ କର୍ପୋରେସନ୍‌ର ଆୟୁକ୍ତ ବିଜୟ ସୂର୍ଯ୍ୟବଂଶୀ ମୋତେ କହିଥିଲେ : ‘‘ଏହି ଯୋଜନା ଅଧୀନରେ ପଞ୍ଜୀକରଣ କରିବା ପାଇଁ କେତେକ ସର୍ତ୍ତ ଅନୁସରଣ କରିବା ପାଇଁ ରହିଛି, ଏବଂ ଗତବର୍ଷ ଆମେ ସମସ୍ତ ଘରୋଇ ଡାକ୍ତରଖାନା [କେଡିଏମ୍‌ସି କ୍ଷେତ୍ରରେ] କୁ ପଞ୍ଜୀକରଣ କରିବା ପାଇଁ କରିବା ପାଇଁ ନିବେଦନ କରିଥିଲୁ । କିନ୍ତୁ ସେଗୁଡ଼ିକ ମଧ୍ୟରୁ କେତେଗୁଡ଼ିଏ ବୋଧହୁଏ ଏହି ଯୋଜନା ଅଧୀନରେ ପୂରଣ ହେବା ଆବଶ୍ୟକ ଥିବା ଏହି ସର୍ତ୍ତଗୁଡ଼ିକ ପୂରଣ ପୂରଣ କରି ନାହାଁନ୍ତି। ଏବଂ ଏହି ରିହାତି ଦର [ଘରୋଇ ଡାକ୍ତରଖାନା ପାଇଁ ] ତଥାପି ଅଧିକାଂଶ ନିମ୍ନ-ଆୟ ବର୍ଗ ପାଇଁ ସାହାଯ୍ୟକାରୀ ହୋଇ ନାହିଁ ।’’

ଏପରି ଯୋଜନାଗୁଡ଼ିକ ସମ୍ପର୍କରେ ଇଣ୍ଡିଆ ଏକ୍ସକ୍ଲୁସିଭ୍‌ ରିପୋର୍ଟ ୨୦୧୯-୨୦୨୦ ସୂଚିତ କରିଛି : ‘‘ପିଏମ୍‌-ଜେଏଓ୍ୱାଇ [ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା] ପରି ଯୋଜନାଗୁଡ଼ିକର ଉପସ୍ଥିତି ସତ୍ତ୍ୱେ, ଗରିବ ଲୋକମାନଙ୍କର ସ୍ୱାସ୍ଥ୍ୟ ସେବା ବ୍ୟୟରେ କୌଣସି ହ୍ରାସ ପରିଲକ୍ଷିତ ହୋଇ ନାହିଁ ।’’ ନୂଆଦିଲ୍ଲୀ ସ୍ଥିତ ସେଣ୍ଟର୍‌ ଫର୍‌ ଇକ୍ୱିଟି ଷ୍ଟଡିଜ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଏହି ରିପୋର୍ଟ ଏହା ମଧ୍ୟ ସୂଚିତ କରିଛି : ‘‘ସାର୍ବଜନୀନ ସ୍ୱାସ୍ଥ୍ୟସେବା ପ୍ରଦାନ କରୁଥିବା କେନ୍ଦ୍ରଗୁଡ଼ିକର ବିଶାଳ ନେଟଓ୍ୱାର୍କର ଅନୁପସ୍ଥିତି ଏବଂ ମହଙ୍ଗା ଘରୋଇ ଡାକ୍ତରଖାନାଘୁଡ଼ିକର ଉପସ୍ଥିତି,,, ଏହା ନିଶ୍ଚିତ କରେ ଯେ ଗରିବମାନେ ଅନ୍ୟ କୌଣସି ପ୍ରକାର ବିକଳ୍ପରୁ ବଞ୍ଚିତ ।’’

ସୂର୍ଯ୍ୟବଂଶୀ ଏହା ମଧ୍ୟ କୁହନ୍ତି ଯେ କେଡିଏମ୍‌ସି ସାର୍ବଜନୀନ ସ୍ୱାସ୍ଥ୍ୟସେବା ନିମନ୍ତେ ସୁବିଧା ବୃଦ୍ଧି କରୁଛନ୍ତି, ଏବଂ ଗତ ବର୍ଷ ଥିବା ମାତ୍ର ଦୁଇଟି ସାର୍ବଜନୀନ ଡାକ୍ତରଖାନାରୁ ବର୍ତ୍ତମାନ ଏହା ଛ’ଟି କେନ୍ଦ୍ରକୁ ବୃଦ୍ଧି ହୋଇଛି । ସେ କହିଥିଲେ, ‘‘ଆମେ ଅଧିକ ଆଇସିୟୁ ଶଯ୍ୟା, ଭେଣ୍ଟିଲେଟର୍‌ ଏବଂ ଓଟୁ (O2) ଶଯ୍ୟା ପାଉଛୁ ।’’

PHOTO • Aakanksha

କେଇଏମ୍‌ରେ ଜ୍ୟୋତି ଡାକ୍ତରଖାନାରେ ରହୁଥିଲେ ( ଫଟୋରେ ଆଇସିୟୁ ନିକଟରେ ), ଯେତେବେଳେ କି ତାଙ୍କ ଭାଇଭଉଣୀମାନେ କଲ୍ୟାଣରେ ସେମାନଙ୍କ ମା ଙ୍କର ଦେଖାଶୁଣା କରୁଥିଲେ ।

ସେ ଏହା ମଧ୍ୟ କହିଥିଲେ ଯେ ଅଡିଟର୍‌ମାନଙ୍କର ଏକ ଦଳ କେଡିଏମ୍‌ସି କ୍ଷେତ୍ରରେ ଥିବା ଡାକ୍ତରଖାନାଗୁଡ଼ିକ ଦ୍ୱାରା ହେଉଥିବା ଅଧିକ ଦେୟ ଦାବି ଉପରେ ନଜର ରଖୁଛନ୍ତି।  କିନ୍ତୁ ସେ ଏହା ମଧ୍ୟ କୁହନ୍ତି, ‘‘ତଥାପି ଏକ ଗଳିଆ ବାଟ ଅଛି ଯାହା କେତୋଟି ଘରୋଇ ଡାକ୍ତରଖାନା ଉପଯୋଗ କରୁଛନ୍ତି। ସରକାରୀ ଦର ପ୍ରତ୍ୟେକ ପରୀକ୍ଷା ଏବଂ ଔଷଧ [କିମ୍ବା ସିଟି ସ୍କାନ ପରି ଯାଞ୍ଚ] କୁ ସାମିଲ କରେ ନାହିଁ, ଏବଂ କେତେକ ଡାକ୍ତରଖାନା ଏସବୁ ବିଲ୍‌ ବଢ଼ାଇ ଦେଇଛନ୍ତି। ଆମେ ଘରୋଇ ଡାକ୍ତରଖାନାକୁ ଯିବା ପାଇଁ ଏକ ଟାସ୍କ ଫୋର୍ସ ନିଯୁକ୍ତ କରିଛୁ ଏବଂ ଯେଉଁ କ୍ଷେତ୍ରଗୁଡ଼ିକରେ ବିଲ୍‌ଗୁଡ଼ିକ ଖୁବ୍‌ ଅଧିକ ଏବଂ ଅନୁମୋଦିତ ସାମଗ୍ରୀଗୁଡ଼ିକ ଜରୁରୀ ନା ନାହିଁ ତାହା ଉପରେ ନଜର ରଖୁଛନ୍ତି। ଏହା ଠିକ୍‌ ଭାବରେ ପରିଭାଷିତ ହୋଇ ନଥିବା ଏକ କ୍ଷେତ୍ର ଏବଂ ଏହାକୁ ପ୍ରଶ୍ନ କରିବା କଷ୍ଟକର, କିନ୍ତୁ ଅତିକମ୍‌ରେ ଆମେ ଅଙ୍କୁଶ ରଖିପାରିବୁ।’’ ସେ କୁହନ୍ତି, ଏଭଳି କ୍ଷେତ୍ରରେ ପରିବାର ଫେରସ୍ତ ଅର୍ଥ ଗ୍ରହଣ କରିପାରିବେ ।

ମାର୍ଚ୍ଚରେ ଯେତେବେଳେ ଗୋପାଳଙ୍କ ଡାକ୍ତରଖାନା ବିଲ୍‌ ପୈଠ କରିବା ପାଇଁ ସଂଘର୍ଷ କରୁଥିଲେ, ସେତେବେଳେ ଶଶିକଳା କଲ୍ୟାଣରେ ଏକ ଦୋକାନରେ ଟ. ୯,୦୦୦ ପାଇଁ ତାଙ୍କର ଦୁଇ ହଳ ସୁନା କାନଫୁଲ ବିକ୍ରୀ କରିଥିଲେ । ତାଙ୍କ ପରିବାର ସମ୍ଭବ ହେଉଥିବା ପ୍ରତିଟି ଉପାୟରେ  ଧାର କରଜ କରିଥିଲେ- ପାଖ ପଡ଼ୋଶୀ, ସାଙ୍ଗସାଥୀ ଏବଂ ସମ୍ପର୍କୀୟମାନଙ୍କ ଠାରୁ ମାଗି । ଶଶିକଳା ଫୋନ୍‌ରେ କାନ୍ଦୁଥିବା ଅବସ୍ଥାରେ କହିଥିଲେ, ‘‘ ପ୍ରତିଦିନ ଆମେ ଏ ବିଲ୍‌ ହେଉ କି ସେ ବିଲ୍‌ ହେଉ ପୈଠ କରୁଥିଲୁ । ଆମେ ଜାଣିଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାଗିଥିଲୁ, ଏପରିକି ୧୦୦-୨୦୦ ଟଙ୍କାର ସାହାଯ୍ୟ ମଧ୍ୟ । ଏହା ଥିଲା କେବଳ ତାଙ୍କୁ [ଗୋପାଳ] ଆମପାଖରେ ଶୀଘ୍ର ପାଇବା ପାଇଁ । ମୁଁ ସବୁ ସମୟରେ ଭୟରେ ରହୁଥିଲି । ବିବେକ ସେପର୍ଯ୍ୟନ୍ତ [ସଙ୍ଗରୋଧ] କେନ୍ଦ୍ରରେ ଥିଲା ଏବଂ ମୁଁ କାମନା କରୁଥିଲି ସେ ବି ଏହି ଅବସ୍ଥାକୁ ଚାଲି ନଯାଉ । ମୁଁ ବିଲ୍‌କୁ ଭୟ କରୁ ନଥିଲି । ଥରେ ସବୁକିଛି ଠିକ୍‌ ହେବା ପରେ ଆମେ ଅଧିକ କଷ୍ଟ  କରିଥା’ନ୍ତୁ ଏବଂ ପୁଣିଥରେ ସବୁ କିଛି ଗଢ଼ି ପାରିଥା’ନ୍ତୁ । କିନ୍ତୁ ଧିରେ ଧିରେ ସବୁକିଛି ଚୂରମାର ହୋଇଗଲା ।’’

ମାର୍ଚ୍ଚ ୧୮ରେ କଲ୍ୟାଣର ଏହି ଘରୋଇ ଡାକ୍ତରଖାନାରେ ଦାଖଲ ହେବାର ଆଠ ଦିନ ପରେ, ରାତିରେ ପରିବାର ନିକଟକୁ ଗୋପାଳ ଭୀଷଣ ଯନ୍ତ୍ରଣାରେ ଥିବା ନେଇ ଏକ କଲ୍‌ ଆସିଲା । ପରୀକ୍ଷାରୁ ଏକ ସଂକ୍ରମଣ ସମ୍ପର୍କରେ ଜଣାପଡ଼ିଲା । ଜ୍ୟୋତି କୁହନ୍ତି , ‘‘ ଆମେ ଜାଣି ନଥିଲୁ ଏହା କେଉଁ କାରଣରୁ ହୋଇଥିଲା । ସେମାନେ କହିଲେ ତୁରନ୍ତ ଚିକିତ୍ସା ଆବଶ୍ୟକ ଏବଂ ଏଥିରେ ପ୍ରାୟ ଟ. ୨ ଲକ୍ଷ ଖର୍ଚ୍ଚ ହେବ । ସେତେବେଳେ ହିଁ ଆମେ କହିଲୁ ଆମେ ଏହି ଖର୍ଚ୍ଚ ତୁଲାଇ ପାରିବୁ ନାହିଁ ଏବଂ ଆମକୁ ସାର୍ବଜନୀନ ଡାକ୍ତରଖାନାକୁ ଯିବାକୁ କୁହାଗଲା । କିନ୍ତୁ ଏହା ପୂର୍ବରୁ ଆମକୁ ଆମର ସମସ୍ତ ବିଲ୍‌ ଦେବାକୁ ହୋଇଥିଲା ।’’

(ଯେତେବେଳେ ମୁଁ ଡାକ୍ତରଖାନାର ପ୍ରତିନିଧିକୁ ଯୋଗାଯୋଗ କଲି, ସେମାନେ ସାମ୍ନାସାମ୍ନି ଭାବରେ ଏବଂ  ପରିବାରର ଜଣେ ସଦସ୍ୟଙ୍କ ଉପସ୍ଥିତିରେ ମତାମତ ଦେବାକୁ ରାଜି ହୋଇଥିଲେ, କିନ୍ତୁ ଗୁପ୍ତା ପରିବାର ଏପର୍ଯ୍ୟନ୍ତୁ ୟୁପିରେ ଅଛନ୍ତି) ।

ଡାକ୍ତରଖାନା ଚୁଡ଼ାନ୍ତ ବିଲ୍‌ ଉପରେ ଏକ ନାମମାତ୍ର ରିହାତି ଦେଇଥିଲା ଏବଂ ପରିବାରକୁ ମେ’ ୧୯ର ସାରାଦିନ ଅର୍ଥ ଯୋଗାଡ଼ କରିବାରେ ବ୍ୟୟ କରିବାକୁ ହୋଇଥିଲା, ଏପରିକି ସେମାନେ ପ୍ରାୟ ଚିହ୍ନି ନଥିବା ଲୋକମାନଙ୍କୁ ମଧ୍ୟ ମାଗିଥିଲେ । ଜ୍ୟୋତି ଏବଂ ତାଙ୍କ ମା’ ସ୍ଥାନୀୟ ସହର ପ୍ରଶାସନକୁ ମଧ୍ୟ ନିବେଦନ କରିଥିଲେ, କିନ୍ତୁ ତାହା କିଛି ସାହାଯ୍ୟ କରି ନଥିଲା । ତଥାପି ପରିବାର କୌଣସି ମତେ ପୈଠ କରିଥିଲା । ଜ୍ୟୋତି କୁହନ୍ତି, ‘‘କେବଳ ଆମେ ଜାଣୁ ଆମେ କେଉଁ ପରିସ୍ଥିତି ଦେଇ ଯାଇଥିଲୁ । ଆମେ ଆମ ବାପାଙ୍କୁ ବଞ୍ଚାଇବାକୁ କେତେ ଦିନ ଖାଇ ନଥିଲୁ ମଧ୍ୟ ।’’

PHOTO • Aakanksha

ଦିନ ସମୟରେ ସେ ଆଇସିୟୁ ନିକଟରେ ଡାକ୍ତରଖାନା ସିଡ଼ିରେ ଅନ୍‌ଲାଇନ୍‌ କ୍ଲାସ୍‌ରେ ଯୋଗ ଦିଅନ୍ତି ଏବଂ ରାତିରେ ବାହାରେ ଥିବା ଫୁଟ୍‌ପାଥ୍‌ରେ ଶୁଅନ୍ତି

ମାର୍ଚ୍ଚ ୨୦ରେ ସମ୍ପୂର୍ଣ୍ଣ ବିଲ୍‌ ପୈଠ କରିବା ପରେ ଅମ୍ଳଜାନ ସୁବିଧା ଥିବା ଏକ ଘରୋଇ ଆମ୍ବୁଲାନ୍ସ ଗୋପାଳଙ୍କୁ କେନ୍ଦ୍ର ମୁମ୍ବାଇରେ ଥିବା ସରକାରୀ ପରିଚାଳିତ କେଇଏମ୍‌ ଡାକ୍ତରଖାନାକୁ ନେବା ପାଇଁ ଟ. ୯,୦୦୦ ଦାବି କରିଥିଲା । ସେଠାରେ ପରୀକ୍ଷାରୁ ଜଣା ପଡ଼ିଲା ଗୋପାଳ ତଥାପି କୋଭିଡ୍‌ ପଜିଟିଭ୍‌ ଥିଲେ । ତାଙ୍କୁ ଆଇସିୟୁକୁ ପଠାଇ ଦିଆଗଲା । ଜଣେ କେଇଏମ୍‌ ଡାକ୍ତର (ନିଜ ନାମ ପ୍ରକାଶ କରିବାକୁ ଚାହୁଁନଥିବା ) ମୋତେ କହିଥିଲେ : ‘‘ ଯେତେବେଳେ ରୋଗୀ ଆସିଥିଲା ତାଙ୍କର ଥମ୍ବ୍ରୋସିସ୍‌ [ଚାରୋଟି ଭିନ୍ନ ଭିନ୍ନ ସ୍ଥାନରେ ହୋଇଥିବା ଧମନୀ ଅବରୁଦ୍ଧ] ହୋଇଥିଲା ଯାହା ରକ୍ତ ଯୋଗାଣ ବନ୍ଦ ହେବାର କାରଣ ହୋଇଥିଲା । ଏହି କାରଣରୁ ଗାଙ୍ଗାରିନ୍‌ [ଯେଉଁଠାରେ ଶରୀର ତନ୍ତୁର ଏକ ବୃହତ୍‌ ପରିମାଣ ନଷ୍ଟ ହୋଇଥାଏ] ହୋଇଥିଲା । ଏହି ସଂକ୍ରମଣ ବ୍ୟାପୁଥିଲା ଏବଂ ତାଙ୍କ ବାମ ଗୋଡ଼ କଟା ହୋଇଥା’ନ୍ତା’’।

ଜ୍ୟୋତି କୁହନ୍ତି, ‘‘ ପ୍ରଥମ ଥର ପାଇଁ  ମୁଁ ମୋ ବାପାଙ୍କର ଗାଙ୍ଗାରିନ୍‌ ପରି କିଛି ହୋଇଥିବା ବିଷୟରେ ଜାଣିବାକୁ ପାଇଥିଲି । ତାଙ୍କର କୌଣସି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ନଥିଲା । ମାର୍ଚ୍ଚ ୧୦ ତାରିଖରେ ସେ ସ୍ଥାନୀୟ ଡାକ୍ତରଖାନାକୁ ଚାଲି କରି ଯାଇଥିଲେ । କିନ୍ତୁ କିଛି ଦିନ ମଧ୍ୟରେ ସେ ତାଙ୍କ ଗୋଡ଼ ହରାଇବାକୁ ଯାଉଥିଲେ ? ତାହା ଶୁଣିବା ପ୍ରକୃତରେ ଆମ ସମସ୍ତଙ୍କୁ ଦୋହଲାଇ ଦେଇଥିଲା । ’’

ଏହି ସମୟରେ ଶଶିକଳା ବାରମ୍ବାର ଅଚେତ ହୋଇଯାଉଥିଲେ ଏବଂ ଭୟଭୀତ ହୋଇ ଯାଉଥିଲେ । କେଇଏମ୍‌ ଡାକ୍ତରଖାନା ପରିବାରର ମାତ୍ର ଜଣେ ସଦସ୍ୟଙ୍କୁ ରହିବା ପାଇଁ ଅନୁମତି ଦେଇଥିଲା, ଏବଂ ବିବେକ  ସଙ୍ଗରୋଧ କେନ୍ଦ୍ରରୁ ସେ ପର୍ଯ୍ୟନ୍ତ ଫେରି ନଥିଲେ । ତେଣୁ ପରବର୍ତ୍ତୀ ସପ୍ତାହ ନିମନ୍ତେ ଜ୍ୟୋତି ଡାକ୍ତରଖାନାରେ ରହିଥିଲେ । ଏହି ସମୟରେ ତାଙ୍କର ଅନ୍ୟ ଦୁଇ ଭାଇଭଉଣୀ କଲ୍ୟାଣରେ ତାଙ୍କ ମା’ଙ୍କ ଯତ୍ନ ନେଉଥିଲେ ।

ଦିନରେ ସେ ଡାକ୍ତରଖାନାର ଆଇସିୟୁ ୟୁନିଟ୍‌ ନିକଟରେ ସିଡ଼ିରେ ତାଙ୍କର ଶେଷ ପରୀକ୍ଷା ପାଇଁ ପ୍ରସ୍ତୁତି ନିମନ୍ତେ ଅନ୍‌ ଲାଇନ୍‌ କ୍ଲାସ୍‌ କରୁଥିଲେ । ଏହା ଛଡ଼ା ଡାକ୍ତରମାନେ ଅନୁମୋଦନ କରିଥିବା ଔଷଧ ଆଣିବା ପାଇଁ ଏଣେ ତେଣେ ଦୌଡ଼ୁଥିଲେ । ଜ୍ୟୋତି କୁହନ୍ତି, ‘‘ଏଠାରେ ସେମାନେ ଆମଠାରୁ କୌଣସି ଅର୍ଥ ଦାବି କରି ନଥିଲେ। ମୋତେ କେବଳ ବେଳେ ବେଳେ ଔଷଧ ଆଣିବାକୁ ହେଉଥିଲା। କେଇ ଦିନରେ ପ୍ରାୟ ଟ. ୮୦୦-୧୦୦୦ ମୂଲ୍ୟର । ରାତିରେ ସେ ଡାକ୍ତରଖାନା ବାହାରେ ଫୁଟ୍‌ପାଥ୍‌ରେ ଶୋଉଥିଲେ । ସେ କେଇଏମ୍‌ କ୍ୟାଣ୍ଟିନ୍‌ରେ ରିହାତି ଦରରେ ମିଳୁଥିବା ଭୋଜନ ଖାଉଥିଲେ ଏବଂ ଡାକ୍ତରଖାନାର ଶୌଚାଳୟ ବ୍ୟବହାର କରୁଥିଲେ ।

ସେ କୁହନ୍ତି, ‘‘ ମୁଁ ଘରକୁ ଯାଉନଥିଲି କାରଣ ମୁଁ ଡରିଯାଇଥିଲି । କାଳେ ସେ ମୋତେ ଖୋଜୁଥିବେ ଏବଂ ମୁଁ ପାଖରେ ନଥିବି ? ଘରୁ କେଇଏମ୍‌ ରେ ପହଞ୍ଚିବାକୁ ପ୍ରାୟ ଦେଢ଼ ଘଣ୍ଟା ଲାଗିଯାଏ । ମୁଁ ଗୋଟିଏ ମିନିଟ୍‌ ମଧ୍ୟ ନଷ୍ଟ କରିବାକୁ ଚାହୁଁ ନଥିଲି ।’’

‘‘ମୁଁ ମୋ ବାପାଙ୍କଙ୍କୁ ଭେଟି ପାରୁ ନଥିଲି କିମ୍ବା କଥା ହୋଇ ପାରୁ ନଥିଲି । ସେ ମୋ ସହ ଏବଂ ଆମ ପରିବାର ସହ ଫୋନ୍‌ ଯୋଗାଯୋଗ କରିଥିଲେ । ମୋ ପାଖରେ ଆମ ଶେଷ ଆଳାପର ରେକର୍ଡ଼ ରହିଛି । ସେ ତୁଷାର୍ତ୍ତ ଥିଲେ ଏବଂ ସକାଳେ ମୋତେ ପାଣି ପାଇଁ ଫୋନ୍‌ କରିଥିଲେ । ମୁଁ ତୁରନ୍ତ ତଳକୁ ଦୌଡ଼ିଲି ଏବଂ ଦୋକାନରୁ ଗୋଟିଏ ପାଣି ବୋତଲ ଆଣିଲି। କିନ୍ତୁ କର୍ମଚାରୀ କହିଲେ ତାଙ୍କୁ କେବଳ ଭିତରୁ [ଓ୍ୱାର୍ଡରୁ] ପାଣି ଦିଆଯିବ । ’’

ବାପା ଓ ଝିଅଙ୍କ ମଧ୍ୟରେ ଏହି ଶେଷ ଆଳାପ ହୋଇଥିଲା ମାର୍ଚ୍ଚ ୨୮ ସକାଳ ୭ଟା ସମୟରେ । ଅପରାହ୍ଣ ସୁଦ୍ଧା ଜଣେ ଡାକ୍ତର ବାହାରକୁ ଆସିଲେ ଏବଂ ଜ୍ୟୋତିଙ୍କୁ କହିଲେ ଯେ ଗୋପାଳ ସୁସ୍ଥ ହେବାର ସମ୍ଭାବନା କ୍ଷୀଣ ଏବଂ ତାଙ୍କୁ ଭେଣ୍ଟିଲେଟର୍‌ରେ ରଖାଯାଇଥିଲା । ସେ କୁହନ୍ତି, ‘‘ଦୁଇ ଘଣ୍ଟା ପରେ ସେମାନେ ମୋତେ ଏ ବିଷୟରେ [ଗୋପାଳଙ୍କ ମୃତ୍ୟୁ] କହିଲେ…। ମୁଁ ଏହା ଶୁଣିବାକୁ ଚାହୁଁନଥିଲି ଏବଂ ମୋ କାନ ବନ୍ଦ କରିବାକୁ ବା ଦୌଡି ପଳାଇବାକୁ ଚାହୁଁ ଥିଲି। ମୁଁ ମୋ ପରିବାରକୁ କହିବା ପାଇଁ ଫୋନ୍‌ କଲି ।’’

PHOTO • Courtesy: Gupta family
PHOTO • Courtesy: Gupta family

ପରିବାର ଫଟୋ : ବିବେକ , ଶଶିକଳା , ଖୁସ୍‌ବୁ , ଜ୍ୟୋତି , ଦୀପକ । ଡାହାଣ : ‘ ଯଦି ମୁଁ ଖେଳରେ ପଦକ ପାଉଥିଲି  କିମ୍ବା ୧୨ମରେ ୮୫ ପ୍ରତିଶତ ରଖୁଥିଲି ତେବେ ସେ ମୋ ପଦକ ଏବଂ ମାର୍କସିଟ୍‌ ଗାଁ ରେ ସମସ୍ତଙ୍କୁ ଦେଖାଉଥିଲେ ।  ସେ କହିଥିଲେ ଏତେ ପାଠ ପଢ଼ ଯେ ତୁମକୁ କାହା ଆଗରେ ମୁଣ୍ଡ ନୁଆଁଇ ବା ଦରକାର କରିବ ନାହିଁ

ଦାଦାର୍‌ ଶ୍ମଶାନରେ ଗୋପାଳଙ୍କର ଦାହସଂସ୍କାର ହୋଇଥିଲା । ଜ୍ୟୋତିଙ୍କ ସମ୍ପର୍କୀୟମାନେ ଶେଷକୃତ୍ୟ ପାଇଁ ୟୁପି ଯିବାକୁ ପରିବାର ପାଇଁ ଟ୍ରେନ୍‌ ଟିକେଟ୍‌ କରିବାକୁ ପଇସା ଦେଇଥିଲେ । ସେମାନେ ମାର୍ଚ୍ଚ ୩୦ରେ ବାହାରିଲେ ଏବଂ ତାଙ୍କ ଭସ୍ମ ସହିତ ଏପ୍ରିଲ୍‌ ୧ରେ ତାଙ୍କ ଗାଁରେ ପହଞ୍ଚିଲେ । ସେମାନେ ଏ ପର୍ଯ୍ୟନ୍ତ ମୁମ୍ବାଇ ଫେରି ନାହାଁନ୍ତି ।

ଜ୍ୟୋତି ଏବେବି ତାଙ୍କ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି । ସେ କୁହନ୍ତି, ‘‘ ମୁଁ ନିଜକୁ ପାଠ ପଢ଼ାରେ ବ୍ୟସ୍ତ ରଖିଛି ।’’ ମୋର ବାପା ତାଙ୍କ ବାପାଙ୍କ ମୃତ୍ୟୁ ପରେ ପାଠ ପଢ଼ିବାର ସୁଯୋଗ ପାଇ ନଥିଲେ ଏବଂ ତାଙ୍କ ୯ ବା ୧୦ ବର୍ଷ ବୟସରୁ କାମ କରିବା ଆରମ୍ଭ କରିଥିଲେ । ସେ ଚାହୁଁଥିଲେ ଆମେ ପାଠ ପଢ଼ୁ । ତାଙ୍କର ଦୁଃଖ ଥିଲା ଯେ ସେ ତାଙ୍କର ସବୁ ପିଲାଙ୍କୁ ପାଠ ପଢ଼ାଇ ପାରିଲେନି । ସେ କୁହନ୍ତି, ‘‘ ବାପା ମୋର ଉପଲବ୍ଧିରେ ସବୁବେଳେ ଗର୍ବ କରୁଥିଲେ, ଏପରିକି ଛୋଟ ଛୋଟ ଉପଲବ୍ଧିରେ ମଧ୍ୟ । ଯଦି ମୁଁ ଖେଳରେ ପଦକ ପାଉଥିଲି  କିମ୍ବା ୧୨ଶରେ ୮୫ ପ୍ରତିଶତ ରଖୁଥିଲି ତେବେ ସେ ମୋ ପଦକ ଏବଂ ମାର୍କସିଟ୍‌ ଗାଁରେ ସମସ୍ତଙ୍କୁ ଦେଖାଉଥିଲେ ।  ସେ କହିଥିଲେ ଏତେ ପାଠ ପଢ଼ ଯେ ତୁମେ କାହା ଆଗରେ ମୁଣ୍ଡ ନୁଆଁଇବା ଦରକାର କରିବ ନାହିଁ ।’’

ଜ୍ୟୋତି ଜଣେ ଚାଟାର୍ଡ ଆକାଉଣ୍ଟାଣ୍ଟ ହେବାକୁ ଚାହୁଁଥିଲେ, କିନ୍ତୁ କୋଚିଂ କ୍ଲାସ୍‌ର ଦାମ୍‌ ଜାଣିବା ପରେ ଏବଂ ଏହି ରାସ୍ତା ଆପଣାଇବାକୁ ଚେଷ୍ଟା କରିନଥିଲେ । ସେ କୁହନ୍ତି, ‘‘ବର୍ତ୍ତମାନ ମୋତେ ଯେକୌଣସି କାମ ସମ୍ଭବ ତାହା ପାଇବାକୁ ଏବଂ ରୋଜଗାର କରିବାକୁ ହେବ। ଆମକୁ ସମସ୍ତ ଋଣ ପରିଶୋଧ କରିବାକୁ ହେବ । ଭାଇ [ବିବେକ] ମୁମ୍ବାଇ ଫେରିଯିବାକୁ ଏବଂ କାମ ଆରମ୍ଭ କରିବାକୁ ଚାହାଁନ୍ତି । ଏଠାରେ [ଗାଁ ରେ] କାମ ପାଇବା କଷ୍ଟକର । ଆମେ ଏପର୍ଯ୍ୟନ୍ତ କାହାକୁ କେତେ ଫେରାଇବାକୁ ହେବ ତାହା ଏକାଠି ବସି ହିସାବ ଓ ତାଲିକା କରିବା ବାକି ଅଛି । ଏହି ତାଲିକା ଖୁବ୍‌ ଲମ୍ବା ।’’

ବର୍ତ୍ତମାନ ଜ୍ୟୋତିଙ୍କ ବଡ଼ ଭଉଣୀଙ୍କ ପତି ତାଙ୍କ ପରିବାରକୁ ସାହାଯ୍ୟ କରୁଛନ୍ତି । ସେମାନଙ୍କ ମୁମ୍ବାଇ ଘରର ଭଡ଼ା କେଇ ମାସ ହେବ ବାକି ପଡ଼ିଛି ।

ତାଙ୍କ ମା’ ଶଶିକଳା ଏପର୍ଯ୍ୟନ୍ତ ଆଘାତରୁ ମୁକ୍ତ ହୋଇ ନାହାନ୍ତି । ସେ କୁହନ୍ତି, ‘‘ଆମ ପାଖରୁ ସବୁକିଛି ଚାଲିଗଲା, ଏମିତିକି ଆମେ ଯାହା ଟିକିଏ ଗଢ଼ିଥିଲୁ । ମୁଁ ଭାବି ଚାଲିଛି ମୁଁ କ’ଣ କରିବା ଠିକ୍‌ ହୋଇଥା’ନ୍ତା ଯେ ସେ ଆମ ସହିତ ଥା’ନ୍ତେ । ଆମେ ଏକ ସରଳ ଜୀବନଯାପନ କରୁ ଏବଂ ଆମର ସ୍ୱପ୍ନ ଛୋଟ, କିନ୍ତୁ ଆମେ କ’ଣ ତାହାର ମଧ୍ୟ ହକ୍‌ଦାର ନୁହେଁ ?’’

ସମ୍ବାଦଦାତାଙ୍କ ଟିପ୍ପଣୀ : ମୁଁ ୨୦୨୦ ଆରମ୍ଭରୁ ଆମେ ଯୋଗ ଦେଇଥିବା ଏକ କର୍ମଶାଳାରୁ ଜ୍ୟୋତି ଗୁପ୍ତାଙ୍କୁ ଜାଣେ । ଏହି କାହାଣୀ ପାଇଁ ତାଙ୍କର ଏବଂ ତାଙ୍କ ମା ଙ୍କର ସାକ୍ଷାତକାର ଫୋନ୍‌ରେ ନିଆଯାଇଛି । କେଇଏମ୍‌ ଡାକ୍ତରଙ୍କ ସହ ଏହି ଆଳାପ ଡାକ୍ତରଖାନାରେ ହୋଇଥିଲା ।

ଅନୁବାଦ: ଓଡ଼ିଶାଲାଇଭ୍‍

Aakanksha

Aakanksha (she uses only her first name) is a Reporter and Content Editor at the People’s Archive of Rural India.

Other stories by Aakanksha
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE