ଆର. କୈଳାସମ୍ ପ୍ରାୟତଃ ବିଚଳିତ ମନ ନେଇ ବ୍ୟାଙ୍କରୁ ଫେରିଥାନ୍ତି। “ଯେତେବେଳେ ବି ମୁଁ ମୋର ବ୍ୟାଙ୍କ ଖାତା ଅପଡେଟ୍ କରିବାକୁ ଯାଇଥାଏ, ସେମାନେ ମୋତେ ମେସିନ ଖରାପ ଅଛି, କିମ୍ବା ପରେ କେବେ ଆସନ୍ତୁ କହି ଫେରାଇ ଦିଅନ୍ତି”, ସେ କୁହନ୍ତି।

ନିଜ ପଡ଼ା, ବଙ୍ଗଲାମେଡ଼ୁରୁ ୫ କିଲୋମିଟର ଦୂର କେ.ଜି. କାଣ୍ଡିଗାଇ ସହରରେ ଥିବା ବ୍ୟାଙ୍କରେ ପହଞ୍ଚିବା ଲାଗି ଦୀର୍ଘ ଦୁଇ ଘଣ୍ଟାର ପଦଯାତ୍ରା ପରେ ତାଙ୍କୁ ଏପରି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିଥାଏ। (ଗୋଟିଏ ବର୍ଷ ପୂର୍ବ ପର୍ଯ୍ୟନ୍ତ ଅଧା ରାସ୍ତା ପାଇଁ ବସ୍ ସେବା ଉପଲବ୍ଧ ଥିଲା, କିନ୍ତୁ ବର୍ତ୍ତମାନ ତାହା ବନ୍ଦ ହୋଇଯାଇଛି)

ବ୍ୟାଙ୍କରେ ତାଙ୍କର ପ୍ରକୃତ ସଂଘର୍ଷ ଆରମ୍ଭ ହୋଇଥାଏ। ତାମିଲନାଡ଼ୁର ତିରୁଭଲ୍ଲୁର ଜିଲ୍ଲା ଅନ୍ତର୍ଗତ କେ. ଜି କାଣ୍ଡିଗାଇସ୍ଥିତ କାନାରା ବ୍ୟାଙ୍କ ଶାଖାରେ ପାସବୁକ୍ ଏଣ୍ଟ୍ରି ପାଇଁ ସ୍ୱୟଂ ଚାଳିତ ମେସିନ୍ ରହିଛି। କୈଳାସମ୍ କେବେ ବି ଏହାକୁ ଉପଯୋଗ କରିବା ଲାଗି ସକ୍ଷମ ହୋଇନଥାନ୍ତି। “ଏହା ମୋ ପାଇଁ କାମ କରେ ନାହିଁ”, ସେ କୁହନ୍ତି।

ଦିନେ ସକାଳେ, ସେ ଯେତେବେଳେ, ମୋ ସହିତ ବ୍ୟାଙ୍କ ସେବା ସମସ୍ୟା ସମ୍ପର୍କରେ ଆଲୋଚନା କରୁଥିଲେ, ସେଠାରେ ଥିବା ଭେଲିକଣ୍ଠନ ଗଛ ଛାଇରେ, ବସିଥିବା କିଛି ମହିଳା, ଆମ ସହିତ ଯୋଗ ଦେଇଥିଲେ। “ଏଣ୍ଟ୍ରି କରିବା ଲାଗି ତୁମ ଖାତାରେ ଏକ ଷ୍ଟିକରର ଆବଶ୍ୟକତା ରହିଛି, ଥାଥା (ଜେଜେବାପା),” ସେମାନଙ୍କ ମଧ୍ୟରୁ ଜଣେ କହିଲେ। ସେମାନେ ଠିକ୍ କହୁଥିଲେ : କୈଳାସମଙ୍କ ବ୍ୟାଙ୍କ ଖାତାରେ ଏକ ବାରକୋଡ୍ ନାହିଁ, ଯାହାକି ମେସିନ କାମ କରିବା ଲାଗି ଜରୁରି। “ମୁଁ ଜାଣିନାହିଁ ସେମାନେ କାହିଁକି ଏକ ଷ୍ଟିକର ଦେଉନାହାନ୍ତି। ମୁଁ ଏସବୁ କଥା ବୁଝିପାରୁନାହିଁ”, ସେ କୁହନ୍ତି। ମହିଳାମାନେ ମଧ୍ୟ ନିଶ୍ଚିତ ନୁହଁନ୍ତି ଏବଂ ଅନୁମାନ କରି କୁହନ୍ତି : “ଯଦି ତୁମେ (ଏଟିଏମ) କାର୍ଡ ପାଇବ, ତା’ହେଲେ ତୁମେ ଷ୍ଟିକର ପାଇବ”, ଜଣେ କହିଥିଲେ। “ତୁମେ ୫୦୦ ଟଙ୍କା ଦେଇ ନୂଆ ଆକାଉଣ୍ଟ ଖୋଲିବା ଉଚିତ୍”, ଅନ୍ୟ ଜଣେ କହିଥିଲେ। “ଯଦି ଏହା ଜିରୋ ଆକାଉଣ୍ଟ ହୋଇଥାଏ, ତୁମେ ତାହା ପାଇବ ନାହିଁ”, ତୃତୀୟ ମହିଳା ଜଣଙ୍କ କହିଲେ। କୈଳାସମ୍ ତୁନି ହୋଇଗଲେ।

ବ୍ୟାଙ୍କ ସେବାକୁ ନେଇ ସଂଘର୍ଷ କରୁଥିବା ସେ ଏକମାତ୍ର ବ୍ୟକ୍ତି ନୁହନ୍ତି। ବଙ୍ଗଲାମେଡ଼ୁରେ ଅନେକଙ୍କ ପାଇଁ, ସେମାନଙ୍କର ଆକାଉଣ୍ଟ ଚଳାଇବା, ଟଙ୍କା ଉଠାଇବା ଏବଂ ସେମାନଙ୍କର ରୋଜଗାର ବିଷୟରେ ଜାଣିବା, ସହଜ ହୋଇନଥାଏ। ଏହି ପଡ଼ା- ସରକାରୀ ଭାବେ ଚେରୁକ୍କାନୁର ଇରୁଲାର କଲୋନୀ ଭାବେ ପରିଚିତ- ତିରୁତ୍ତାନି ବ୍ଲକର ଏକ ଖୋଲା ବୁଦାଳିଆ ଭୂଖଣ୍ଡ ମଧ୍ୟ ଭାଗରେ ଥିବା ଏକମାତ୍ର ବସତି। ସଡ଼କର ଉଭୟ କଡ଼ରେ ୩୫ଟି ଇରୁଲା ପରିବାରର କିଛି ଛୋଟିଆ କଚ୍ଚା ଘର ଓ କିଛି ପକ୍କା ଘର ରହିଛି। (ସରକାରୀ କାଗଜପତ୍ରରେ ବର୍ତ୍ତମାନ ଏହି ସମୁଦାୟର ନାମ ଇରୁଲାର ବୋଲି ପ୍ରାୟତଃ ଉଲ୍ଲେଖ କରାଯାଉଛି)

କୈଳାସମ, ୬୦, ଏବଂ ତାଙ୍କ ପତ୍ନୀ କେ. ସଞ୍ଜୟାମ୍ମା, ୪୫, ଏଠାରେ ଚାଳଛପର ଥିବା ଏକ ମାଟି ଘରେ ରୁହନ୍ତି। ସେମାନଙ୍କର ଚାରିଟି ଛେଳି ରହିଛି, ଯେଉଁମାନଙ୍କୁ ସଞ୍ଜୟାମ୍ମା ପାଳିଥାନ୍ତି; ସେମାନଙ୍କର ଚାରି ଜଣ ପିଲାମାନେ ନିଜ ପରିବାର ସହିତ ବାହାରକୁ ଚାଲିଯାଇଛନ୍ତି। ଦିନ ମଜୁରି କରୁଥିବା କୈଳାସମ କୁହନ୍ତି, “ଯଦି ମୁଁ ଚାଷ ଜମିରେ କାମ କରେ ମୋତେ ସାରା ଦିନ କାମ କରିବାକୁ ହୋଇଥାଏ। ସେଥିପାଇଁ ମୋର ଗମ୍ଭୀର ପିଠି ଯନ୍ତ୍ରଣା ହୁଏ ଏବଂ ହାଡ଼ ଦରଜ ହୋଇଥାଏ। ତେଣୁ ଆଜିକାଲି ମୁଁ ଏରି ଭେଲାଇ (ହ୍ରଦ କାମ, ଏମଜିଏନଆରଇଜିଏକୁ ଯାହା କୁହାଯାଏ) କାମ କରିବାକୁ ପସନ୍ଦ କରିଥାଏ।” ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ସୁନିଶ୍ଚିତ ନିଯୁକ୍ତି ଆଇନ ୨୦୦୫ରେ ପ୍ରତି ଗ୍ରାମୀଣ ପରିବାରକୁ ବାର୍ଷିକ ଅତିକମରେ ୧୦୦ ଦିନର କାମ ଯୋଗାଇ ଦେବାର ବ୍ୟବସ୍ଥା ରହିଛି-ଯଦିଓ ବଙ୍ଗଲାମେଡ଼ୁର ଇରୁଲାଙ୍କ ପାଇଁ ୧୦୦ ଦିନର କାମ ମିଳିବା ବିରଳ।

PHOTO • Smitha Tumuluru
PHOTO • Smitha Tumuluru

ଆର. କୈଳାସମ ବ୍ୟାଙ୍କକୁ ଯାଉଥିଲେ ମଧ୍ୟ, ବ୍ୟାଙ୍କଖାତା ଅପଡେଟ୍ କରିବା ଲାଗି ତାଙ୍କର ଉଦ୍ୟମ ଅସଫଳ ହୋଇଥାଏ; ନିଜ ଟଙ୍କା ବିଷୟରେ ଜାଣିବା ପାଇଁ ବ୍ୟାଙ୍କ ଖାତା ହିଁ ତାଙ୍କର ଏକମାତ୍ର ଭରସା।

ଇରୁଲାମାନେ – ନିର୍ଦ୍ଦିଷ୍ଟ ଭାବେ ଦୁର୍ବଳ ଜନଜାତି ସମୁଦାୟ (ପିଭିଟିଜି) ଭାବେ ତାମିଲନାଡ଼ୁରେ ତାଲିକାଭୁକ୍ତ ହୋଇଛନ୍ତି- ସେମାନେ ମୁଖ୍ୟତଃ ଆୟ ପାଇଁ ଦିନ ମଜୁରି ଉପରେ ନିର୍ଭର କରିଥାନ୍ତି। ବଙ୍ଗଲାମେଡ଼ୁର ପୁରୁଷମାନେ ଚାଷ ଜମିରେ, ଇଟାଭାଟିରେ, ନିର୍ମାଣ ସ୍ଥଳୀରେ ଋତୁକାଳୀନ କାମ କରି ଦିନକୁ ନଗଦ ଟଙ୍କା ଆକାରରେ ୩୫୦-୪୦୦ ଟଙ୍କା ରୋଜଗାର କରିଥାନ୍ତି। ଯେଉଁଦିନ ସେମାନେ କାମ ପାଇନଥାନ୍ତି, ନିକଟସ୍ଥ ବୁଦା ଜଙ୍ଗଲରେ ସେମାନେ ଖାଦ୍ୟ ଫଳ ଓ କନ୍ଦମୂଳ ସନ୍ଧାନ କରିଥାନ୍ତି। ଦୈନନ୍ଦିନ ଖାଦ୍ୟ ଯୋଗାଡ଼ ପାଇଁ ମଧ୍ୟ ସେମାନେ ମୂଷା, ଠେକୁଆ, ଗୁଣ୍ଡୁଚି ମୂଷା ଓ ଚଢ଼େଇ ଶିକାର କରିଥାନ୍ତି। (ଦେଖନ୍ତୁ ବଙ୍ଗଲାମେଡ଼ୁରେ ପୋତା ଧନ ଖନନ ଏବଂ ବଙ୍ଗଲାମେଡ଼ୁରେ ମୂଷାଙ୍କ ସହିତ ଏକ ଭିନ୍ନ ମାର୍ଗରେ )

ଏହି ପଡ଼ାର ଅଧିକାଂଶ ମହିଳାଙ୍କ ପାଇଁ, ଏମଜିଏନଆରଇଜିଏ କାମ ରୋଜଗାରର ଏକମାତ୍ର ଉତ୍ସ, ଏହାଛଡ଼ା ସେମାନେ ଇଟା ଭାଟିରେ ଋତୁକାଳୀନ କାମ କରିଥାନ୍ତି। (ଦେଖନ୍ତୁ ବଙ୍ଗଲାମେଡ଼ୁ: ‘ମହିଳାଙ୍କ ପାଇଁ କାମ କେଉଁଠି ଅଛି?’ )

ହ୍ରଦ ଶଯ୍ୟା ସଫା କରିବା, ପୋଖରୀ ଖୋଳିବା କିମ୍ବା ବୃକ୍ଷରୋପଣ କରିବା ଭଳି ଏମଜିଏନଆରଇଜିଏ କାର୍ଯ୍ୟସ୍ଥଳୀରେ କାମ କରି ଇରୁଲାମାନେ ଦିନକୁ ଅତି ବେଶିରେ ୧୭୫ ଟଙ୍କା ରୋଜଗାର କରିଥାନ୍ତି। ଏହି ଟଙ୍କା ସିଧାସଳଖ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ଜମା ହୋଇଥାଏ।

“ଯଦି ମୁଁ ଏ ସପ୍ତାହରେ କାମ କରେ, ଟଙ୍କା ଆହୁରି ଗୋଟିଏ ସପ୍ତାହ ପରେ ପଡ଼ୁଥିବା ସପ୍ତାହରେ ମିଳିଥାଏ”, କୈଳାସମ କୁହନ୍ତି। ସେ ଜାଣନ୍ତି ନାହିଁ ମାସ ଶେଷରେ ସେ କେତେ ଟଙ୍କା ସଞ୍ଚୟ କରିଥାନ୍ତି : “ମାସକୁ ଆମର ୫୦୦ ଟଙ୍କା ଦରକାର (ଘର ଖର୍ଚ୍ଚ ପାଇଁ)”, ସେ କୁହନ୍ତି। “ଅବଶିଷ୍ଟ ବ୍ୟାଙ୍କ ଖାତାରେ ଥାଏ।  ଥରେ ମୋର ୩୦୦୦ ଟଙ୍କା ବ୍ୟାଙ୍କରେ ଥିଲା ଯାହାକୁ ମୁଁ ମୋ ପୁଅକୁ କିଛି କିଣିବାକୁ ଦେଲି।”

ବ୍ୟାଙ୍କରୁ ଟଙ୍କା ଉଠାଇବା ଲାଗି, କୈଳାସମଙ୍କୁ ଏକ ଫର୍ମ ପୂରଣ କରିବାକୁ ହୋଇଥିଲା। “ସେମାନେ ମୋତେ ଏକ ଚାଲାନ୍ ଦେବାକୁ କହିଲେ। ମୁଁ ଜାଣିନଥିଲି ଏହା କିପରି କରିବାକୁ ହେବ”, ସେ କୁହନ୍ତି। ସେ ଓ ସଞ୍ଜୟାମ୍ମା ଉଭୟ ଲେଖାପଢ଼ା ଜାଣନ୍ତି ନାହିଁ। “ବ୍ୟାଙ୍କ କର୍ମଚାରୀ କୁହନ୍ତି ଯେ ସେମାନେ ଆମ ପାଇଁ ଏହା ପୂରଣ କରିପାରିବେ ନାହିଁ”, ସେ କୁହନ୍ତି। “ମୁଁ କେହି ଆସିବାକୁ ଅପେକ୍ଷା କରିଥାଏ ଏବଂ ମୋ ପାଇଁ ତାହା କରିଦେବା ଲାଗି ତାଙ୍କୁ ଅନୁରୋଧ କରିଥାଏ। ମୁଁ ଯେତେବେଳେ ଯାଏ କେବେ ବି ୧,୦୦୦ ଟଙ୍କାରୁ ଅଧିକ ଉଠାଏ ନାହିଁ (୨-୩ ମାସରେ ଥରେ)।”

ସେ ଯେଉଁମାନଙ୍କର ସାହାଯ୍ୟ ନେଇଥାନ୍ତି ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଜି. ମଣିଗନ୍ଦନ। ସେ ବ୍ୟାଙ୍କ ସଂକ୍ରାନ୍ତ କାମ ପାଇଁ କୈଳାସମଙ୍କୁ ସହାୟତା କରିଥାନ୍ତି ଏବଂ ଆଧାର କାର୍ଡ କିମ୍ବା ସରକାରୀ ଯୋଜନା ଓ ଭତ୍ତା ପାଇବା ନିମନ୍ତେ ଅନ୍ୟ ଇରୁଲାମାନଙ୍କୁ କାଗଜପତ୍ରରେ ଆବେଦନ କରିବା ଲାଗି ସହାୟତା କରିଥାନ୍ତି।

PHOTO • G. Manigandan
PHOTO • Smitha Tumuluru

ଏହି ଏକମାତ୍ର ବସତି ବଙ୍ଗଲାମେଡ଼ୁର ଅଧିକାଂଶ ବାସିନ୍ଦାଙ୍କ ଆକାଉଣ୍ଟ କେ.ଜି କାଣ୍ଡିଗାଇ ସହରରେ ଥିବା ଏକ ବ୍ୟାଙ୍କ ଶାଖାରେ ରହିଛି। ଡାହାଣ : ମଣିଗନ୍ଦନ, ଯିଏକି ସ୍କୁଲ ପରବର୍ତ୍ତୀ ଶିକ୍ଷାଦାନ କରିଥାନ୍ତି, ଏହି ପଡ଼ାର ଲୋକମାନଙ୍କୁ ବ୍ୟାଙ୍କ ସଂକ୍ରାନ୍ତ କାମରେ ସହାୟତା କରିଥାନ୍ତି

“ମୁଁ ଯେତେବେଳେ (ବ୍ୟାଙ୍କକୁ) ଯାଇଥାଏ, ସେଠାରେ ସବୁବେଳେ ୫ କିମ୍ବା ୬ ଜଣ ଲୋକ କାହାର ସହାୟତା ପାଇଁ ଅପେକ୍ଷା କରିଥାନ୍ତି। ଚାଲାନଗୁଡ଼ିକ ଇଂରାଜୀରେ ଥାଏ। ମୁଁ କିଛି କିଛି ଇଂରାଜୀ ପଢ଼ିପାରୁଥିବାରୁ ମୁଁ ସେମାନଙ୍କୁ ସହାୟତା କରିଥାଏ”, କୁହନ୍ତି ୩୬ ବର୍ଷୀୟ ମଣିଗନ୍ଦନ, ଯିଏକି ନବମ ଶ୍ରେଣୀରୁ ସ୍କୁଲ ପାଠପଢ଼ା ଛାଡ଼ି ଦେଇଥିଲେ। ସେ ଏକ ସ୍ଥାନୀୟ ସ୍ଵେଛାସେବୀ ସଂଗଠନରେ କାମ କରିଥାନ୍ତି ଯାହାକି ପିଲାମାନଙ୍କ ପାଇଁ ସ୍କୁଲ ପରବର୍ତ୍ତୀ ପାଠ ପଢ଼ାଇଥାଏ। “ପ୍ରଥମେ ଭୁଲ କରିଦେବି ବୋଲି ମୁଁ ଡରୁଥିଲି”, ସେ କହିଥିଲେ। “ଯଦି ଆମେ କିଛି ଅସ୍ପଷ୍ଟ କିମ୍ବା ଭୁଲକୁ ଠିକ୍ କରି ଲେଖିଥାଉ, ସେମାନେ ଏହାକୁ ଚିରି ଦିଅନ୍ତି ଏବଂ ଆମକୁ ପୁଣିଥରେ ଏକ ନୂଆ ସିଟ୍ ରେ ଲେଖିବାକୁ ପଡ଼ିଥାଏ। ଗତ କିଛି ମାସ ଧରି, ଚାଲାନଗୁଡ଼ିକ ତାମିଲରେ ମଧ୍ୟ ଉପଲବ୍ଧ ହେଉଛି।

କୈଳାସମଙ୍କ ପଡ଼ୋଶୀ ଗୋବିନ୍ଦାମ୍ମାଲ, ୫୫, ଆଦୌ ସ୍କୁଲରେ ପଢ଼ିନାହାନ୍ତି, ସେ ମଧ୍ୟ ନିଜର ଏମଜିଏନଆରଇଜିଏ ମଜୁରି, ଓ ମାସିକ ୧,୦୦୦ ଟଙ୍କା ଭତ୍ତା ପାଇବାରେ ସମସ୍ୟା ଭୋଗିଥାନ୍ତି। ସେ ଜଣେ ବିଧବା ଓ ଏକୁଟିଆ ରହିଥାନ୍ତି; ତାଙ୍କ ଝିଅ ଓ ଦୁଇ ପୁଅ ଏହି ପଡ଼ାରେ ଥିବା ସେମାନଙ୍କର ନିଜ ନିଜ ଘରେ ରହିଥାନ୍ତି। “ମୁଁ ଆଙ୍ଗୁଠି ଛାପ ଦେଇଥାଏ। ତେଣୁ ସେମାନେ (ବ୍ୟାଙ୍କ କର୍ମଚାରୀ) ମୋର ଚାଲାନ ଦାଖଲ କରିବା ଲାଗି ଜଣେ ସାକ୍ଷୀଙ୍କ ଦସ୍ତଖତ କରିବା ପାଇଁ କହିଥାନ୍ତି। ମୁଁ ସାଧାରଣତଃ ମୋର ଫର୍ମ ପୂରଣ କରି ଦେଉଥିବା ଲୋକମାନଙ୍କୁ ମୋ ପାଇଁ ଦସ୍ତଖତ କରିବା ଲାଗି ମଧ୍ୟ କହିଥାଏ”, ସେ କୁହନ୍ତି।

ଚାଲାନ୍ ପୂରଣ କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ନିଜ ଆକାଉଣ୍ଟ ନମ୍ବର ଉଲ୍ଲେଖ କରିବାକୁ ହୋଇଥାଏ। ମଣିଗନ୍ଦନ ଏକ ଘଟଣା ସମ୍ପର୍କରେ ମନେ ପକାଇ ହସି ହସି କୁହନ୍ତି : “ଥରେ ମୁଁ ସାକ୍ଷୀ ଭାବେ ଜଣଙ୍କ ପାଇଁ ଦସ୍ତଖତ କଲି ଏବଂ ମୋ ଆକାଉଣ୍ଟ ନମ୍ବର ଲେଖିଲି। ହେଲେ ବ୍ୟାଙ୍କ ମୋ ଆକାଉଣ୍ଟରୁ ଟଙ୍କା କାଟିନେଲା। ସୌଭାଗ୍ୟବଶତଃ, ସେମାନେ ଏହି ଭୁଲକୁ ଧରିପାରିଲେ ଏବଂ ମୁଁ ମୋ ଟଙ୍କା ଫେରିପାଇଲି।”

ନିଜର ବ୍ୟାଙ୍କ କାମ ପାଇଁ, ମଣିଗନ୍ଦନ ଏଟିଏମ କାର୍ଡ ବ୍ୟବହାର କରିଥାନ୍ତି, କାରବାର ପାଇଁ ସ୍କ୍ରିନରେ ତାମିଲ ଭାଷା ଚୟନ କରନ୍ତି। ତିନି ବର୍ଷ ପୂର୍ବରୁ ତାଙ୍କୁ କାର୍ଡ ମିଳିଥିଲା, କିନ୍ତୁ ଏହାର ଭଲ ଭାବେ ବ୍ୟବହାର ଜାଣିବା ଲାଗି ତାଙ୍କୁ କିଛିଦିନ ଲାଗିଥିଲା। “କିପରି ଟଙ୍କା ଉଠାଇବାକୁ ହେବ ଏବଂ ମୋର ଆକାଉଣ୍ଟ ବାଲାନ୍ସ ଚେକ୍ କରିବାକୁ ହେବ ତାହା ବୁଝିବା ଲାଗି ମୋତେ ୨୦ଥର ଚେଷ୍ଟା କରିବାକୁ ପଡ଼ିଥିଲା।”

ତା’ହେଲେ କାହିଁକି କୈଳାସମ୍ କିମ୍ବା ଗୋବିନ୍ଦାମ୍ମାଲ ଏଟିଏମ କାର୍ଡ ବ୍ୟବହାର କରନ୍ତି ନାହିଁ? ମଣଗନ୍ଦନ କୁହନ୍ତି ଯେଉଁମାନେ କାଇ ନଟ୍ଟୁ ଆଙ୍ଗୁଠି ଛାପ ଦେଇ ସ୍ଵାକ୍ଷର କରିଥାନ୍ତି-ସେମାନଙ୍କୁ ଏଟିଏମ କାର୍ଡ ଦିଆଯାଏ ନାହିଁ। ତେବେ କେ.ଜି. କାଣ୍ଡିଗାଇ ସହରର କାନାରା ବ୍ୟାଙ୍କ ଶାଖାର ପରିଚାଳକ ବି. ଲିଙ୍ଗାମାୟା କୁହନ୍ତି, ଯେ ପୂର୍ବରୁ ଏହି ନିୟମ ଥିଲା, କିନ୍ତୁ ଏବେ ବ୍ୟାଙ୍କ ସମସ୍ତ ଆବେଦନକାରୀମାନଙ୍କୁ ଏଟିଏମ କାର୍ଡ ଯୋଗାଇ ଦେଉଛି। “ତାହା ଜନ ଧନ (ଆକାଉଣ୍ଟ) ହେଉ କିମ୍ବା ସେମାନେ ବୁଢ଼ା ଆଙ୍ଗୁଠି ଛାପ ବ୍ୟବହାର କରୁଥାନ୍ତୁ”, ସେ କୁହନ୍ତି। କିନ୍ତୁ ବଙ୍ଗଲାମେଡ଼ୁରେ ଅଧିକାଂଶ ଲୋକ ଏ ସୁବିଧା ବିଷୟରେ ଜାଣନ୍ତି ନାହିଁ।

PHOTO • Smitha Tumuluru

ଚେରୁକ୍କାନୁର ପଞ୍ଚାୟତ ଗ୍ରାମରେ ବ୍ୟାଙ୍କ ପକ୍ଷରୁ ଏକ ଛୋଟ ୟୁନିଟ୍ ସ୍ଥାପନ କରାଯାଇଛି

ତେଣୁ ସେମାନେ (ବ୍ୟାଙ୍କ କର୍ମଚାରୀ) ମୋର ଚାଲାନ ଦାଖଲ କରିବା ଲାଗି ଜଣେ ସାକ୍ଷୀଙ୍କ ଦସ୍ତଖତ କରିବା ଲାଗି କହିଥାନ୍ତି। ମୁଁ ସାଧାରଣତଃ ମୋର ଫର୍ମ ପୂରଣ କରି ଦେଉଥିବା ଲୋକମାନଙ୍କୁ ମୋ ପାଇଁ ଦସ୍ତଖତ କରିବା ଲାଗି ମଧ୍ୟ କହିଥାଏ”, ଗୋବିନ୍ଦାମ୍ମାଲ କୁହନ୍ତି।

ବ୍ୟାଙ୍କ ସେବାକୁ ସହଜରେ ଉପଲବ୍ଧ କରିବା ଲାଗି, କାନାରା ବ୍ୟାଙ୍କ ପକ୍ଷରୁ ବଙ୍ଗଲାମେଡ଼ୁଠାରୁ ତିନି କିଲୋମିଟର ଦୂର, ଚେରୁକ୍କନୁରଠାରେ ଏକ ‘ଅତି ଲଘୁ ଶାଖା’ ଖୋଲାଯାଇଛି। ଏହି ‘ମିନି ବ୍ୟାଙ୍କ’, ଯାହା ଏଠାକାର ଲୋକମାନେ କୁହନ୍ତି, ପାଇଁ ଜଣେ ବ୍ୟକ୍ତିଙ୍କୁ ଜରୁରିକାଳୀନ ଭାବେ ଚୁକ୍ତି ଓ କମିଶନ ଭିତ୍ତିରେ ରଖାଯାଇଛି- ବିଜନେସ କରେସପଣ୍ଡେଣ୍ଟ (ବିସି) ବା ବ୍ୟବସାୟିକ ପ୍ରତିନିଧି ଯିଏକି ବାୟୋମେଟ୍ରିକ ସହାୟତାରେ ଗ୍ରାହକମାନଙ୍କୁ ସେମାନଙ୍କର ଆକାଉଣ୍ଟ ବାଲାନ୍ସ ଯାଞ୍ଚ କରିବା ଏବଂ ଟଙ୍କା ଉଠାଣ ଓ ଜମା କରିବାରେ ସହାୟତା କରିଥାନ୍ତି।

ବିସି, ଇ. କ୍ରିଷ୍ଣାଦେବୀ, ୪୨, ନିଜ ଫୋନ ଜରିଆରେ ଏକ ପୋର୍ଟେବଲ ବାୟୋମେଟ୍ରିକ ଡିଭାଇସକୁ ଇଣ୍ଟରନେଟ୍ ସହିତ ସଂଯୋଗ କରିଥାନ୍ତି। ଏହାପରେ ସେ ଗ୍ରାହକଙ୍କ ଆଧାର ନମ୍ବର ଟାଇପ କରିଥାନ୍ତି। ସେହି ଡିଭାଇସ ସେମାନଙ୍କର ଆଙ୍ଗୁଠି ଛାପକୁ ଯାଞ୍ଚ କରିଥାଏ ଏବଂ ଏହାପରେ କାରବାରକୁ ଅନୁମୋଦନ କରିଥାଏ। ସେ କୁହନ୍ତି, “ସେମାନଙ୍କର ଆଧାର ନିଶ୍ଚିତ ଭାବେ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୋଗ ହେବା ଆବଶ୍ୟକ। ମୁଁ ହାତରେ ନଗଦ ଟଙ୍କା ରଖିଥାଏ।” ତାଙ୍କୁ ଦିନର ହିସାବ ବ୍ୟାଙ୍କ ସହିତ ଅପରାହ୍ଣ ୩:୩୦ ସୁଦ୍ଧା ସାରିବାକୁ ହୋଇଥାଏ।

କିନ୍ତୁ ଯେଉଁମାନଙ୍କର ଆଙ୍ଗୁଠି ଛାପ ପଞ୍ଜୀକରଣରେ ସମସ୍ୟା ରହିଥାଏ, ଆଧାର କାର୍ଡ ନଥାଏ କିମ୍ବା ପାସ୍ ବୁକ୍ ଅପଡେଟ୍ କରିବା ଲାଗି ଚାହୁଁଥିଲେ, ସେମାନଙ୍କୁ କେ. ଜି. କାଣ୍ଡିଗାଇରେ ଥିବା ବ୍ୟାଙ୍କ ଶାଖାକୁ ଯିବାକୁ ହୋଇଥାଏ।

“ବେଳେ ବେଳେ ସେ (ବିସି) କୁହନ୍ତି ଯେ ତାଙ୍କର ନଗଦ ଟଙ୍କା ଶେଷ ହୋଇଯାଇଛି। ଏହାପରେ ସେ ଆମକୁ ଏକ ସ୍ଲିପ୍ ଦେଇଥାନ୍ତି ଏବଂ ପରେ କିମ୍ବା ପରଦିନ ତାଙ୍କ ଘରକୁ ଆସି ଆମ ଟଙ୍କା ସଂଗ୍ରହ କରିନେବାକୁ କହିଥାନ୍ତି। ଏହାପରେ ଆମେ ପୁଣିଥରେ ଯାଇଥାଉ”, ଗୋବିନ୍ଦାମ୍ମାଲ କୁହନ୍ତି, ଯିଏକି ନିଜର କିଛି ବନ୍ଧୁମାନଙ୍କ ସହିତ ତିନି କିଲୋମିଟର ଦୂର ସ୍ଥାନୀୟ ହ୍ରଦ କଡ଼ ଦେଇ ଚେରୁକ୍କନୁର ଅଭିମୁଖେ ଯିବାକୁ ବାହାରିଛନ୍ତି। “ଆମେ କାର୍ଯ୍ୟାଳୟ ବାହାରେ ଅପେକ୍ଷା କରିଥାଉ। ଯଦି ସେ ଆସନ୍ତି ନାହିଁ, ଆମେ ତାଙ୍କ ଘରକୁ ଯାଇଥାଉ।”

ସାଧାରଣତଃ ବିସିମାନେ ସେମାନଙ୍କ ଘରୁ କାର୍ଯ୍ୟ କରିଥାନ୍ତି। କିନ୍ତୁ କ୍ରିଷ୍ଣାଦେବୀ ଏକ ପୁରୁଣା ଅବ୍ୟବହୃତ ପାଠାଗାରରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ବସିଥାନ୍ତି। ଏମଜିଏନଆରଇଜିଏ କିମ୍ବା ଭତ୍ତା ଟଙ୍କା ବିତରଣ ଦିନ ସେ ସେଠାରେ ଅଧିକ ସମୟ ପର୍ଯ୍ୟନ୍ତ ରହିଥାନ୍ତି। ସେହି ସମୟଗୁଡ଼ିକ ବ୍ୟତୀତ, ସେ କୁହନ୍ତି ଯେ ଦିନର ଯେକୌଣସି ସମୟରେ ସେ ଉପଲବ୍ଧ ଥାଆନ୍ତି। “ଯେଉଁ ଲୋକମାନେ କାମରେ ବାହାରକୁ ଯାଇଥାନ୍ତି, ସେମାନେ ମୋ ଘରକୁ ଆସିଥାନ୍ତି”, ସେ କୁହନ୍ତି।

ସପ୍ତାହକୁ ଗୋଟିଏ ଦିନ, ମଙ୍ଗଳବାର ଦିନ, କ୍ରିଷ୍ଣାଦେବୀ ନିଜର ବାୟୋମେଟ୍ରିକ ଡିଭାଇସକୁ କେ.ଜି କାଣ୍ଡିଗାଇ ମୁଖ୍ୟ ଶାଖାକୁ ନେଇଯାଇଥାନ୍ତି। ଅନ୍ୟ ଚାରିଟି ପଞ୍ଚାୟତର ବିସିମାନେ ଅନ୍ୟ ଦିନଗୁଡ଼ିକରେ ଏହା କରିବା ଲାଗି ବ୍ୟାଙ୍କକୁ ଯାଇଥାନ୍ତି। ଆଧାର ସହାୟତାରେ କାରବାର କରିବାକୁ ଚାହୁଁଥିବା ଗ୍ରାହକମାନଙ୍କ ପାଇଁ ଏହି ଡିଭାଇସ ଶନି ଓ ରବିବାରକୁ ଛାଡ଼ି ଅନ୍ୟ ସବୁଦିନ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଉପଲବ୍ଧ ଥାଏ। ତେବେ କୈଳାସମ ଭୁଲବଶତଃ ଭାବି ନେଇଛନ୍ତି ଯେ କେବଳ ମଙ୍ଗଳବାର ଦିନ କେ.ଜି. କାଣ୍ଡିଗାଇରେ ହିଁ ସେ ଏହି ଡିଭାଇସର ସୁବିଧା ନେଇପାରିବେ। “ସେହିଦିନ ହିଁ ଚେରୁକ୍କନୁରରୁ ବିସି ଏଠାକୁ ଆସିଥାନ୍ତି”, ସେ କୁହନ୍ତି।

PHOTO • G. Manigandan
PHOTO • G. Manigandan

ଜଣେ ବ୍ୟକ୍ତି ରହୁଥିବା ‘ମିନି ବ୍ୟାଙ୍କ’ ଚେରୁକ୍କନୁରରେ, ସେ ହେଉଛନ୍ତି କ୍ରିଷ୍ଣାଦେବୀ, ଯିଏକି ଗ୍ରାହକମାନଙ୍କୁ ସେମାନଙ୍କର ଆକାଉ ଣ୍ଟ ବାଲାନ୍ସ ଯାଞ୍ଚ କରିବା ଏବଂ ଟଙ୍କା ଉଠାଣ ଓ ଜମା କରିବାରେ ସହାୟତା କରିଥାନ୍ତି। ଡାହାଣ : ଏସ. ସୁମତୀ, ନିଜର ବଖୁରିକିଆ ଛୋଟ ଘରେ ଏକ ଛୋଟ ଦୋକାନ ଚଳାଇଥାନ୍ତି, ଓଭରଡ୍ରାଫ୍ଟ ସୁବିଧା ବିଷୟରେ ଜାଣି ସେ ଚକିତ ହୋଇଥିଲେ।

କୈଳାସମଙ୍କ ଭଳି, ଅଧିକାଂଶ ଇରୁଲା ପରିବାର ନିକଟରେ କାନାରା ବ୍ୟାଙ୍କରେ ଆକାଉଣ୍ଟ ରହିଛି-ଚାରି ଦଶନ୍ଧି ଧରି ଏଠାରେ ଏହି ଏକମାତ୍ର ବ୍ୟାଙ୍କ ରହିଛି। (କିଛି ବର୍ଷ ପୂର୍ବରୁ, କେ.ଜି. କାଣ୍ଡିଗାଇରେ ଆନ୍ଧ୍ରା ବ୍ୟାଙ୍କ ପକ୍ଷରୁ ଏକ ଶାଖା ଖୋଲା ଯାଇଥିଲା, ଏବଂ ସେହି ସହରରେ ଏବେ ଚାରିଟି ଭିନ୍ନ ବ୍ୟାଙ୍କର ଏଟିଏମ ରିହଛି) କେତେକରେ ନିୟମିତ ଜମା ଖାତା ରହିଥିବା ବେଳେ, ଅନ୍ୟମାନେ ‘ଜିରୋ ବାଲାନ୍ସ’ କିମ୍ବା ଜନ ଧନ ଆକାଉଣ୍ଟ ଖୋଲିଥାନ୍ତି ଯେଉଁଥିରେ ସର୍ବନିମ୍ନ ଜମା ରଖିବା ଦରକାର ହୋଇନଥାଏ।

ତେବେ, ଅଧିକାଂଶ ଲୋକ ଯେଉଁମାନଙ୍କ ସହିତ ମୁଁ କଥା ହୋଇଥିଲି ସେମାନେ କହିଥିଲେ ଯେ ଜିରୋ ବାଲାନ୍ସ ଆକାଉଣ୍ଟରେ ମଧ୍ୟ କିଛି ଟଙ୍କା ଜମା ରଖିବାକୁ ସେମାନଙ୍କୁ କୁହାଯାଇଥିଲା। ଏପରି ଏକ ଆକାଉଣ୍ଟ ଥିବା ଗୋବିନ୍ଦାମ୍ମାଲ କୁହନ୍ତି, “କେ. ଜି. କାଣ୍ଡିଗାଇରେ, ସେମାନେ ମୋତେ ସବୁବେଳେ ସେଠାରେ କିଛି ଟଙ୍କା, ଅତିକମରେ ୫୦୦-୧୦୦୦ ଟଙ୍କା ରଖିବା ଲାଗି କହିଥାନ୍ତି। ଏହାପରେ ଯାଇ ଏରି ଭେଲାଇ (ଏମଜିଏନଆରଇଜିଏ କାମ) ଟଙ୍କା ଆସିଥାଏ। ସେହି କାରଣରୁ ମୁଁ ଚେରୁକ୍କନୁର (ମିନି ବ୍ୟାଙ୍କ) ଯାଇଥାଏ। ସେଠାରେ ମୁଁ ୨୦୦-୩୦୦ ଟଙ୍କା ଆକାଉଣ୍ଟରେ ରଖିଥାଏ।

୨୦୨୦ ଶେଷ ଆଡ଼କୁ, ଯେତେବେଳେ ମୁଁ ଏ ସମ୍ପର୍କରେ କେ. ପ୍ରଶାନ୍ତ, କେ. ଜି. କାଣ୍ଡିଗାଇ ଶାଖାର ତତ୍କାଳୀନ ପରିଚାଳକଙ୍କ ସହିତ ଆଲୋଚନା କଲି, ସେ ସ୍ପଷ୍ଟ କରିଥିଲେ ଯେ ଜନ ଧନ ଆକାଉଣ୍ଟରେ ସର୍ବନିମ୍ନ ଜମା ରଖିବା ଦରକାର ନାହିଁ। ସମସ୍ତ ପ୍ରକାରର କାରବାର ପାଇଁ ସେମାନେ “ଯଦି କେୱାଇସି ନିୟମ ପାଳନ କରୁଥିବା ଆକାଉଣ୍ଟ ଚାହାନ୍ତି, ତା’ହେଲେ ସେମାନଙ୍କୁ ଏକ ନିୟମିତ ଆକାଉଣ୍ଟ ଖୋଲିବାକୁ ପଡ଼ିବ, ଯେଉଁଥି‍ରେ ୫୦୦ ଟଙ୍କାର ସର୍ବନିମ୍ନ ଜମା ରଖିବାକୁ ହେବ”, ସେ କୁହନ୍ତି।

ତେବେ, ବର୍ତ୍ତମାନର ଶାଖା ପରିଚାଳକ ବି. ଲିଙ୍ଗାମାୟା, ସ୍ୱୀକାର କରିଥାନ୍ତି ଯେ ଜନ ଧନ ଆକାଉଣ୍ଟଧାରୀମାନଙ୍କୁ ସର୍ବନିମ୍ନ ଜମା ରଖିବାର ଆବଶ୍ୟକତା ନଥାଏ, ବ୍ୟାଙ୍କ କର୍ମଚାରୀମାନେ ସେମାନଙ୍କୁ ଅନ୍ୟଥା ଅନୁରୋଧ କରିଥାନ୍ତି। ଏବଂ ସେ କହିଥାନ୍ତି ଯେ ନିର୍ଦ୍ଦିଷ୍ଟ ଭାବେ ଜଣେ ବ୍ୟକ୍ତି ଏକ ଜନ ଧନ କିମ୍ବା ଜିରୋ ବାଲାନ୍ସ ଆକାଉଣ୍ଟ ଖୋଲିବା ଲାଗି ଅନୁରୋଧ ନକଲେ, ବ୍ୟାଙ୍କ ପକ୍ଷରୁ ନିୟମିତ ଆକାଉଣ୍ଟ ଆପେ ଆପେ ଖୋଲି ଦିଆଯାଇଥାଏ।

ଗୋବିନ୍ଦାମ୍ମାଲ ଆଉ ଏକ ସମସ୍ୟା ବିଷୟରେ ଆଲୋକପାତ କରିଥାନ୍ତି। “ପ୍ରଥମେ, ସେମାନେ (ବ୍ୟାଙ୍କ) କହୁଥିଲେ ଯେ ଆକାଉଣ୍ଟ ପାଇଁ ମୋତେ କିଛି ଟଙ୍କା ଦେବାକୁ ପଡ଼ିବ ନାହିଁ, ଏବେ ସବୁ ବର୍ଷ ସେମାନେ ୫୦୦ କିମ୍ବା ୧୦୦୦ ଟଙ୍କା ନେଇ ଯାଉଛନ୍ତି। ବ୍ୟାଙ୍କରେ ଯେତିକି ଟଙ୍କା ଜମା ଥାଏ ବୋଲି ମୁଁ ଆଶା କରେ ସବୁବେଳେ ତା’ଠାରୁ କମ୍ ଟଙ୍କା ପାଇଥାଏ”, ସେ କୁହନ୍ତି।

କେ. ପ୍ରଶାନ୍ତ ଏହି ଦ୍ୱନ୍ଦ୍ୱକୁ ଓଭରଡ୍ରାଫ୍ଟ ସୁବିଧା ସହିତ ଯୋଡ଼ିଥାନ୍ତି, ଯାହାକୁ ଏକ ଶୁଳ୍କ ଆକାରରେ ଦିଆଯାଇଥାଏ, ଏପରିକି ଜନ ଧନ ଆକାଉଣ୍ଟକୁ ମଧ୍ୟ। “ଧରାଯାଉ ସେମାନଙ୍କର (ଆକାଉଣ୍ଟଧାରୀଙ୍କର) ଆକାଉଣ୍ଟରେ ୨୦୦୦ ଟଙ୍କା ଜମା ରହିଛି ଏବଂ ସେମାନେ ୩୦୦୦ ଟଙ୍କା ଉଠାଇ ନେବାକୁ ଚାହୁଁଛନ୍ତି, ସେତିକି ଟଙ୍କା ଉଠାଇବା ଲାଗି ବ୍ୟାଙ୍କ ସେମାନଙ୍କୁ ଅନୁମତି ଦେଇଥାଏ। ବଳକା ୧୦୦୦ ଟଙ୍କା ସେମାନଙ୍କର ନୂଆ ଜମା ସମୟରେ ପରିଶୋଧ କରି ନିଆଯାଇଥାଏ। ଯାହା ଜଣାପଡ଼ୁଛି ଏହାକୁ ଉପଯୋଗ କରୁଥିଲେ ମଧ୍ୟ ସେମାନେ ଏହା ବିଷୟରେ ଜାଣନ୍ତି ନାହିଁ।”

PHOTO • Smitha Tumuluru
PHOTO • G. Manigandan

ଏମ. ଅଙ୍କମ୍ମା ଓ ତାଙ୍କ ପିଲାଙ୍କ ସହିତ ଆର. ବନଜା। ୨୦୨୦ ରେ ବନଜା ଏବଂ ତାଙ୍କର ସ୍ୱାମୀ ଆର. ଜନସନ (ଡାହାଣ), ଏକ ଫୋନ୍ ଠକେଇରେ ସେମାନଙ୍କ ଆକାଉଣ୍ଟରୁ ଟଙ୍କା ହରାଇଥିଲେ।

ଗୋବିନ୍ଦାମ୍ମାଲଙ୍କ ଘର ସାମ୍ନା ରାସ୍ତା ଆରପଟେ ରହୁଥିବା ଏସ. ସୁମତୀ, ୨୮, ଗତବର୍ଷ ଓଭରଡ୍ରାଫ୍ଟ ସୁବିଧା ବିଷୟରେ ଜାଣିବା ପରେ ଚକିତ ହୋଇଯାଇଥିଲେ: “ପୂର୍ବରୁ କେହି ଆମକୁ ଏ ବିଷୟରେ କହିପାରିଥାନ୍ତା। ବ୍ୟାଙ୍କ ଆମ ଟଙ୍କା ନେଇଯାଉଛି ବୋଲି ଆମେ ଭାବୁଥିଲୁ ।”

ଏସଏମଏସ ସେବା ପାଇଁ ମଧ୍ୟ ଟଙ୍କା କଟିଯାଇଥାଏ, ଯେଉଁଥିପାଇଁ ବ୍ୟାଙ୍କ ପ୍ରତି ତ୍ରୈମାସରେ ୧୮ ଟଙ୍କା କାଟିଥାଏ। କିନ୍ତୁ ଏଠାରେ ସମସ୍ତଙ୍କ ପାଖରେ ଫୋନ ନାହିଁ, ଏବଂ ଯେତେବେଳେ ଲୋକଙ୍କ ଜମା ଟଙ୍କା ସରିଯାଇଥାଏ ସେମାନେ ମେସେଜ୍ ପାଇନଥାନ୍ତି। ସୁମତୀ କୁହନ୍ତି, ସେମାନେ କେବଳ ଟଙ୍କା ଉଠାଇବା ସମୟରେ ଏସଏମଏସ ପାଇଥାନ୍ତି। “ସେମାନେ ଆମ ଆକାଉଣ୍ଟରେ ଟଙ୍କା ଜମା କରିବା ସମୟରେ ମେସେଜ୍ ପଠାନ୍ତି ନାହିଁ କାହିଁକି? ଏହା ଆମକୁ ଅନେକ ସମସ୍ୟାରୁ ମୁକ୍ତି ଦିଅନ୍ତା।”

ଡିଜିଟାଲ ବ୍ୟବସ୍ଥା ବଢ଼ିଯିବା କାରଣରୁ ଅନ୍ୟ କେତେକ ସମସ୍ୟା ମଧ୍ୟ ଦେଖାଦେଇଛି। ନଭେମ୍ବର ୨୦୨୦ରେ, ମଣିଗନ୍ଦନଙ୍କ ପୁତୁରା ଆର. ଜନସନ, ୨୩, ଜଣେ ଠକ ହାବୁଡ଼ରେ ପଡ଼ି ୧୫୦୦ ଟଙ୍କା ହରାଇଥିଲେ। ଏମଜିଏନଆରଇଜିଏ ମଜୁରିରୁ ତାଙ୍କ ସ୍ତ୍ରୀ ବନଜା ୨,୦୦୦ ଟଙ୍କା ସଞ୍ଚୟ କରି ରଖିଥିଲେ। ଏହି ଦମ୍ପତିଙ୍କର ଏକମାତ୍ର ବ୍ୟାଙ୍କ ଆକାଉଣ୍ଟ ରହିଛି। ନିଜକୁ ବ୍ୟାଙ୍କ କର୍ମଚାରୀ ବୋଲି ପରିଚୟ ଦେଇ ଫୋନ କରିଥିବା ଜଣେ ଠକକୁ ବନଜାଙ୍କ କାର୍ଡର ସମସ୍ତ ବିବରଣୀ ପ୍ରକାଶ କରି ଦେଇଥିଲେ ଜନସନ୍। “ସେ ଆମ ସହିତ ଜଣେ ବ୍ୟାଙ୍କ ଅଧିକାରୀ ଭଳି କଥା ହୋଇଥିଲା। ସେ କହିଥିଲା ଯେ କାର୍ଡଟି ଲକ୍ ହୋଇଯାଇଛି ଏବଂ ଏହାକୁ ଅନଲକ୍ କରିବାକୁ ହେଲେ ମୋତେ ତାଙ୍କୁ ଏହି ନମ୍ବର ଦେବାକୁ ପଡ଼ିବ। ମୁଁ ଜାଣିଥିବା ସମସ୍ତ ନମ୍ବର ତା’କୁ ଦେଇଦେଲି। ଗୋପନୀୟ ନମ୍ବର (ଓଟିପି) ମଧ୍ୟ। ଆମ ପାଖରେ ମାତ୍ର ୫୦୦ ଟଙ୍କା ରହିଗଲା”, ସେ କୁହନ୍ତି।

ଜନସନଙ୍କ କାର୍ଡ “ଅନଲକ୍” କରିବା ଲାଗି ସେହି କଲର୍ ଜଣଙ୍କ ତାଙ୍କ କକା ମଣିଗନ୍ଦନଙ୍କ କାର୍ଡର ବିବରଣୀ ମଧ୍ୟ ମାଗିଥିଲା। ଏକାଧିକ ସନ୍ଦିଗ୍ଧ କାର୍ଯ୍ୟକଳାପ ସମ୍ପର୍କରେ ବ୍ୟାଙ୍କ ମଣିଗନ୍ଦନଙ୍କୁ ସତର୍କ କରାଇ ଦେଇଥିଲା। ହେଲେ ସେତେବେଳକୁ ସେ ୧୭,୦୦୦ ଟଙ୍କା ହରାଇ ସାରିଥିଲେ- ଏକ ଆବାସ ଯୋଜନାରେ ସେ ନୂଆ ଘର କରିବା ଲାଗି ସଞ୍ଚୟ କରି ରଖିଥିବା ଟଙ୍କାରୁ କିଛି ଅଂଶ।

ଡିଜିଟାଲ ଦୁନିଆ ଓ ସେମାନଙ୍କର ନିର୍ଦ୍ଦିଷ୍ଟ ସମସ୍ୟାର ସମାଧାନ କରୁନଥିବା ଏକ ବ୍ୟାଙ୍କିଙ୍ଗ ବ୍ୟବସ୍ଥାକୁ ନେଇ ଜନସନ୍ ଓ ଅନ୍ୟ ଇରୁଲାମାନେ ସଂଘର୍ଷ ଜାରି ରଖିଛନ୍ତି। ଏବଂ କୈଳାସମଙ୍କ ଜମାଖାତା ଏବେ ସୁଦ୍ଧା ଅପଡେଟ୍ ହୋଇନାହିଁ। କିନ୍ତୁ ଗୋଟିଏ କଥାକୁ ନେଇ ସେ ଆଶ୍ୱସ୍ତ ହୋଇଛନ୍ତି : “ କାଇ ରେଗାଇ (ବାୟୋମେଟ୍ରିକ) ମେସିନ ବ୍ୟବହାର କରିବା ଲାଗି ତାଙ୍କୁ ଆଉ ଚାଲାନ୍ ଭରିବାକୁ ପଡ଼ିବ ନାହିଁ।”

ଅନୁବାଦ: ଓଡ଼ିଶାଲାଇଭ୍‍

Smitha Tumuluru

Smitha Tumuluru is a documentary photographer based in Bengaluru. Her prior work on development projects in Tamil Nadu informs her reporting and documenting of rural lives.

Other stories by Smitha Tumuluru
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE