ପ୍ରତିଥର ଅନାରୁଲ ଇସଲାମଙ୍କୁ ନିଜ ଚାଷ ଜମିକୁ କାମ କରିବାକୁ ଯିବା ସମୟରେ ଅନ୍ତର୍ଜାତୀୟ ସୀମା ଅତିକ୍ରମ କରିବାକୁ ହୋଇଥାଏ। ଏହା କରିବା ପୂର୍ବରୁ ତାଙ୍କୁ ବିସ୍ତୃତ ନିୟମ ଏବଂ ସୁରକ୍ଷା ଯାଞ୍ଚର ପାଳନ କରିବାକୁ ପଡ଼ିଥାଏ। ତାଙ୍କୁ ନିଜ ପରିଚୟପତ୍ର (ସେ ସାଙ୍ଗରେ ଭୋଟ୍ ପରିଚୟପତ୍ର ଆଣିଥାନ୍ତି) ଜମା କରିବାକୁ ହୋଇଥାଏ, ରେଜିଷ୍ଟରରେ ଦସ୍ତଖତ କରିବାକୁ ପଡ଼ିଥାଏ ଏବଂ ସାରା ଶରୀରର ଯାଞ୍ଚ କରାଇବାକୁ ହୋଇଥାଏ। ସେ ନିଜ ସହିତ ଚାଷ ପାଇଁ ଯେଉଁସବୁ ଉପକରଣ ଆଣିଥାନ୍ତି, ସେଗୁଡ଼ିକର ଯାଞ୍ଚ କରାଯାଇଥାଏ। ଆହୁରି ଯେଉଁଦିନ ସେ ସାଥୀରେ କୌଣସି ଗାଈ ନେଇଯାଇଥାନ୍ତି, ତାହାର ଏକ ଫଟୋର ହାର୍ଡ କପି ମଧ୍ୟ ଜମା କରିବାକୁ ହୋଇଥାଏ।

“ଦୁଇରୁ ଅଧିକ ଗାଈ (ଏକ ସମୟରେ) ନେଇ ଯିବା ଲାଗି ଅନୁମତି ମିଳେ ନାହିଁ”, ଅନରୁଲ କହିଥାନ୍ତି। “ଫେରିବା ସମୟରେ, ମୋତେ ପୁଣିଥରେ ଦସ୍ତଖତ କରିବାକୁ ହୋଇଥାଏ ଏବଂ ମୋର କାଗଜପତ୍ର ମୋତେ ଫେରାଇ ଦିଆଯାଇଥାଏ। ଯଦି କାହା ପାଖରେ ପରିଚୟପତ୍ର ନାହିଁ, ତା’ହେଲେ ତାଙ୍କୁ ସେହି ସ୍ଥାନ ଦେଇ ଅତିକ୍ରମ କରିବା ଲାଗି ଅନୁମତି ଦିଆଯାଏନାହିଁ।”

ଅନାରୁଲ ଇସଲାମ-ଏଠାରେ ସମସ୍ତେ ତାଙ୍କୁ ବାବୁଲ ନାମରେ ଜାଣନ୍ତି-ମେଘାଳୟର ଦକ୍ଷିଣ ପଶ୍ଚିମ ଗାରୋ ହିଲ୍ସ ଜିଲ୍ଲାର ବଗିଚା ଗ୍ରାମରେ ନିଜ ପରିବାର ସହିତ ରହିଥାନ୍ତି। ରାଜ୍ୟ ସୀମାର ପାଖାପାଖି ୪୪୩ କିଲୋମିଟର ଭାଗ, ଭାରତ ଓ ବାଂଲାଦେଶ ମଧ୍ୟରେ ପାଖାପାଖି ୪୧୪୦ କିଲୋମିଟର ଲମ୍ବ ଅନ୍ତର୍ଜାତୀୟ ସୀମା- ବିଶ୍ୱର ପଞ୍ଚମ ସର୍ବବୃହତ ଭୂସୀମା-ସହ ଯୋଡ଼ି ହୋଇରହିଛି। ମେଘାଳୟକୁ ଲାଗିଥିବା ସୀମାରେ କଣ୍ଟା ତାର ଓ କଂକ୍ରିଟର ବାଡ଼ ତିଆରି ହୋଇଛି।

୧୯୮୦ ଦଶକ ପାଖାପାଖି ତାରବାଡ଼ ଲଗାଇବା କାମ ଆରମ୍ଭ ହୋଇଥିଲା-ତେବେ ଶହ ଶହ ବର୍ଷ ଧରି ପ୍ରବାସ ଏହି କ୍ଷେତ୍ରର ଅର୍ଥବ୍ୟବସ୍ଥା ଓ ଗ୍ରାମୀଣ ଜୀବିକାର ଏକ ଅଂଶବିଶେଷ ହୋଇ ରହିଆସିଛି। ଉପମହାଦେଶ ବିଭାଜନ ଓ ପରେ ବାଂଲାଦେଶ ଗଠନ ହେବା ଫଳରେ ଏହି ଯାତାୟାତ ବନ୍ଦ ହୋଇଯାଇଥିଲା। ଦୁଇ ଦେଶ ମଧ୍ୟରେ ବିଭାଜନ ଅନ୍ତର୍ଗତ ତାରବାଡ଼କୁ ଲାଗି ରହିଥିବା ୧୫୦ ଗଜ ଦୂରତାକୁ ଏକ ପ୍ରକାର ‘ବଫର ଜୋନ’ ଭାବେ ରଖାଯାଇଛି।

୪୭ ବର୍ଷୀୟ ଅନାରୁଲ ଇସଲାମଙ୍କୁ ଏହା ପୈତୃକ ସମ୍ପତ୍ତି ଭାବେ ମିଳିଛି। ତାଙ୍କୁ ମାତ୍ର ୭ ବର୍ଷ ହୋଇଥିବା ସମୟରେ, ନିଜ ପିତାଙ୍କୁ ସହାୟତା ନିମନ୍ତେ ତାଙ୍କୁ ସ୍କୁଲ ଛାଡ଼ିବାକୁ ପଡ଼ିଥିଲା। ତାଙ୍କର ତିନି ଭାଇଙ୍କୁ ମଧ୍ୟ ପୈତୃକ ସନ୍ତକ ଭାବେ ଜମି ମିଳିଥିଲା, ଯେଉଁଥିରେ ସେମାନେ ନିଜେ ଚାଷ କରୁଛନ୍ତି କିମ୍ବା ଅନ୍ୟ କାହାକୁ ଭାଗ ଚାଷ କରିବାକୁ ଦେଇଛନ୍ତି (ତାଙ୍କର ଚାରି ଭଉଣୀ ଗୃହିଣୀ ଅଟନ୍ତି)

PHOTO • Anjuman Ara Begum

ଅନାରୁଲ ଇସଲାମ ଦକ୍ଷିଣ ପଶ୍ଚିମ ଗାରୋ ହିଲ୍‌ସରେ ନିଜ ଘର ସାମ୍ନାରେ : ‘ମୋର ପୂର୍ବଜମାନେ ଏଠାରେ ରହୁଥିଲେ, ଯାହା ଏବେ ଅନ୍ତର୍ଜାତୀୟ ସୀମା ହୋଇଯାଇଛି’

ଜୀବିକା ନିର୍ବାହ ଲାଗି ଅନାରୁଲ ଚାଷ ବ୍ୟତୀତ ଅନ୍ୟ ଛୋଟମୋଟ କାମ ମଧ୍ୟ କରିଥାନ୍ତି ଯେପରିକି ସାହୁକାରୀ ଓ ନିର୍ମାଣସ୍ଥଳୀରେ ମଜୁରିଆ ଭାବେ କାମ କରିବା। କିନ୍ତୁ ଜମି ସହିତ ସେ ଭାବନାତ୍ମକ ଭାବେ ଯୋଡ଼ି ହୋଇ ରହିଛନ୍ତି। “ଏହା ମୋ ବାପାଙ୍କ ଜମି, ଯେଉଁଠିକୁ ମୁଁ ପିଲାଦିନରୁ ଆସୁଛି”, ସେ କହିଥାନ୍ତି। “ଏହା ମୋ ପାଇଁ ସ୍ୱତନ୍ତ୍ର। ବର୍ତ୍ତମାନ ଏଠାରେ ଚାଷ କରିବାକୁ ମୋତେ ଭଲ ଲାଗୁଛି ।”

ବାଡ଼ ପାର କରିବା ମାତ୍ରେ ସୀମା ପରେ ତାଙ୍କର ୭ ବିଘା (୨:୫ ଏକର) ଜମି ରହିଛି, ସେ ତା’ଣ ମାଲିକ। କିନ୍ତୁ ସୀମାରେ ହେଉଥିବା ସୁରକ୍ଷା ଯାଞ୍ଚ କାରଣରୁ ‘ବଫର ଜୋନ’ କ୍ଷେତ୍ର ପର୍ଯ୍ୟନ୍ତ ପହଞ୍ଚିବା ଲାଗି ବାଧା ସୃଷ୍ଟି ହୋଇଛି, ଯାହାଫଳରେ ବିଗତ ବର୍ଷଗୁଡ଼ିକରେ କେତେଜଣ ଚାଷୀଙ୍କୁ ବାଧ୍ୟ ହୋଇ ଚାଷ ଛାଡ଼ିବାକୁ ପଡ଼ିଛି।  କିନ୍ତୁ ଅନାରୁଲ ଚାଷ କରିବା ଜାରି ରଖିଛନ୍ତି କାରଣ ତାଙ୍କର ଜମି ସୀମା ଫାଟକଠାରୁ ବେଶି ଦୂର ନୁହେଁ ଏବଂ ସେ ନିଜକୁ ଜମି ସହିତ ଅଧିକ ଯୋଡ଼ି ହୋଇ ରହିଥିବା ଅନୁଭବ କରିଥାନ୍ତି। “ମୋର ପୂର୍ବଜମାନେ ଏଠାରେ ରହୁଥିଲେ, ଯାହା ଏବେ ଅନ୍ତର୍ଜାତୀୟ ସୀମା ହୋଇଯାଇଛି”, ସେ କହିଥାନ୍ତି।

ଏକଦା ତାଙ୍କର ଏକ ପ୍ରଭାବଶାଳୀ ପରିବାର ଥିଲା, ଯାହାର ଶାଖା ବଡ଼ ଆବାସିକ କ୍ଷେତ୍ରରେ ପରିବ୍ୟାପ୍ତ ହୋଇ ରହିଥିଲା, ଯାହାକୁ ‘ଦଫାଦାର ଭୀଟା’ (ଜମିଦାରମାନଙ୍କ ପୈତୃକ ଜମି) ବୋଲି କୁହାଯାଉଥିଲା। ସେ କହିଥାନ୍ତି ଯେ ଯୁଦ୍ଧ ପରେ, ୧୯୭୦ ଦଶକରେ, ସୀମାବର୍ତ୍ତୀ ଇଲାକାରେ ଲୁଟେରାମାନଙ୍କ ଆକ୍ରମଣ ଫଳରେ ସୁରକ୍ଷାର କୌଣସି ବ୍ୟବସ୍ଥା ନଥିଲା, ସେଥିପାଇଁ ସେମାନଙ୍କ ମଧ୍ୟରୁ ଅନେକ ଲୋକ ଅନ୍ୟ ଗ୍ରାମକୁ କିମ୍ବା ମହେନ୍ଦ୍ରଗଞ୍ଜର ବାହ୍ୟ ଇଲାକାକୁ ସ୍ଥାନାନ୍ତରିତ ହେବାକୁ ବାଧ୍ୟ ହେଲେ, ଯାହାକି ଯିକଯକ ବ୍ଲକର ଏକ ବଡ଼ ନଗରପାଳିକା ଅଟେ। ପାଖାପାଖି ୬୦୦ ଲୋକଙ୍କ ଜନସଂଖ୍ୟା ବିଶିଷ୍ଟ ତାଙ୍କ ଗ୍ରାମ, ବାଗୀଚା ଏହି ବ୍ଲକର ଅଂଶବିଶେଷ। ଅନାରୁଲ ଆହୁରି କୁହନ୍ତି ଯେ ବାଡ଼ ବସାଇବା କାରଣରୁ ସରକାର ଅନେକ ଲୋକଙ୍କୁ ଭିନ୍ନ ଭିନ୍ନ କ୍ଷତିପୂରଣ ରାଶି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ, କିନ୍ତୁ ସେଗୁଡ଼ିକର ସମ୍ପୂର୍ଣ୍ଣ ପରିଶୋଧ ଏବେ ବି ବାକି ରହିଛି।

ସୀମାରେ ଥିବା ଫାଟକ ସକାଳ ୮ଟାରେ ଖୋଲିଥାଏ ଏବଂ ଅପରାହ୍ଣ ୪ଟାରେ ବନ୍ଦ ହୋଇଯାଇଥାଏ। ଏହି ସମୟ ଅବଧି ମଧ୍ୟରେ, ଏହା ବନ୍ଦ ରହିଥାଏ। କାମକୁ ଯାଉଥିବା କୃଷକମାନଙ୍କୁ ଏକ ବୈଧ ପରିଚୟ ପ୍ରମାଣପତ୍ର ଏବଂ ଦସ୍ତଖତ କିମ୍ବା ଆଙ୍ଗୁଠି ଛାପ ସହିତ ନିଜର ନାମ ଲେଖିବାକୁ ହୋଇଥାଏ। ସୀମା ସୁରକ୍ଷା ବାହିନୀ (ବିଏସଏଫ) ନିକଟରେ ଏକ ରେଜିଷ୍ଟର ରହିଛି ଯେଉଁଥିରେ ପ୍ରତ୍ୟେକ ପ୍ରବେଶ ଓ ପ୍ରସ୍ଥାନକୁ ଉଲ୍ଲେଖ କରାଯାଇଥାଏ। “ସେମାନେ ଖୁବ କଠୋର। ବିନା ପରିଚୟପତ୍ରରେ କୌଣସି ପ୍ରବେଶ ନାହିଁ। ଯଦି ଆପଣ ନିଜର ପରିଚୟପତ୍ର ଆଣିବାକୁ ଭୁଲିଯାଇଛନ୍ତି, ତା’ହେଲେ ଆପଣ ନିଜର ସାରା ଦିନ ବରବାଦ କରିଦେଲେ”, ଅନାରୁଲ କହିଥାନ୍ତି।

କାମକୁ ଯିବା ସମୟରେ ସେ ନିଜ ସହିତ ଖାଦ୍ୟ ନେଇ ଯାଇଥାନ୍ତି, “ଭାତ କିମ୍ବା ରୁଟି, ଡାଲି, ତରକାରୀ, ମାଛ, ବୀଫ...” ସେ ଆଲୁମିନିୟମର ଏକ ପାତ୍ରରେ ସବୁକିଛି ଏକ ସଙ୍ଗେ ରଖିଥାନ୍ତି, ତାହାକୁ ଏକ ପ୍ଲେଟରେ ଘୋଡ଼ାଇ ଦେଇଥାନ୍ତି ଏବଂ ପରେ ତା’କୁ ଗାମୁଛା କିମ୍ବା ସୂତା ତଉଲିଆରେ ବାନ୍ଧି ନିଜ ସହିତ ନେଇଯାଇଥାନ୍ତି। ସେ ସୀମା ଫାଟକ ନିକଟରେ ଥିବା ମଜାର, ଏକ ଧର୍ମସ୍ଥଳୀ, ର କୂଅରୁ ପାଣି ଆଣିଥାନ୍ତି। ଯଦି ପାଣି ସରିଯାଇଛି ତା’ହେଲେ ତାଙ୍କୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଶୋଷରେ ରହିବାକୁ ହୋଇଥାଏ କିମ୍ବା ପୁଣିଥରେ ପ୍ରବେଶ-ପ୍ରସ୍ଥାନ ପ୍ରୋଟୋକଲକୁ ପାଳନ କରିବାକୁ ହୋଇଥାଏ, ତେବେ ସେ କୁହନ୍ତି ଯେ ଅନେକ ଥର ବିଏସଏଫର ଯବାନମାନେ ଏଥିରେ ସେମାନଙ୍କୁ ସହାୟତା କରିଥାନ୍ତି। “ଯଦି ମୁଁ ପାଣି ପିଇବାକୁ ଚାହିଁବି, ତା’ହେଲେ ମୋତେ ଏତିକି ଦୂରତା ଅତିକ୍ରମ କରି ଏଠାକୁ ଆସିବାକୁ ପଡ଼ିବ, ପ୍ରକ୍ରିୟାକୁ ପୁଣିଥରେ ପାଳନ କରିବାକୁ ହେବ ଏବଂ ଅଧିକାଂଶ ସମୟରେ ଫାଟକ ଖୋଲିବା ଲାଗି ଦୀର୍ଘ ପ୍ରତୀକ୍ଷା କରିବାକୁ ହେବ”, ଅନାରୁଲ କହିଥାନ୍ତି। “ମୋ ଭଳି କୃଷକଙ୍କ ପାଇଁ ଏହା ସମ୍ଭବ କି?”

PHOTO • Anjuman Ara Begum

ଭାରତ-ବାଂଲାଦେଶ ରାଜିନାମା ଅନ୍ତର୍ଗତ ‘ବଫର ଜୋନ’ରେ ନିଜର ଜମି ନିକଟରେ ପହଞ୍ଚିବାକୁ ହେଲେ, ଅନାରୁଲଙ୍କୁ ଏହି ସୀମାକୁ ପାର କରିବାକୁ ପଡ଼ିଥାଏ।

ସକାଳ ୮ଟାରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ସମୟକୁ କଡ଼ାକଡ଼ି ଭାବେ ପାଳନ କରାଯିବା ମଧ୍ୟ ବାଧା ଉତ୍ପନ୍ନ କରିଥାଏ। ମହେନ୍ଦ୍ରଗଞ୍ଜରେ କୃଷକମାନେ ପାରମ୍ପରିକ ଭାବେ ସକାଳ ସୂର୍ଯ୍ୟୋଦୟ ପୂର୍ବରୁ ଜମିରେ ଚାଷ କରିଥାନ୍ତି। “ବାସି ଭାତ କିମ୍ବା ରାତିରେ ବଳିଥିବା ଖାଦ୍ୟ ଖାଇବା ପରେ, ଆମେ ସକାଳ ପାଖାପାଖି ୪ଟା ସମୟରେ ଆମ ଜମିରେ କାମ ଆରମ୍ଭ କରିଥାଉ ଏବଂ ଖରା ବଢ଼ିବା ପୂର୍ବରୁ ଆମର କାମ ସମ୍ପୂର୍ଣ୍ଣ କରି ନେଇଥାଉ। କିନ୍ତୁ ଏଠାରେ ଏହା ସକାଳ ୮ଟାରେ ଖୋଲିଥାଏ ଏବଂ ମୁଁ ଟାଣ ଖରାରେ କାମ କରିଥାଏ। ମୋ ଶରୀର ଉପରେ ଏହାର ପ୍ରଭାବ ପଡ଼େ”, ଅନାରୁଲ କହିଥାନ୍ତି।

ସେ ସାରା ବର୍ଷ ସୁରକ୍ଷା ପ୍ରୋଟୋକଲ ପାଳନ କରିଥାନ୍ତି। ପ୍ରବେଶ ଅନୁମତି ପୂର୍ବରୁ ବିଏସଏଫ ପ୍ରତ୍ୟେକ ଜିନିଷକୁ ଯାଞ୍ଚ ତନଖି କରିଥାଏ। ମୋବାଇଲ ଫୋନ ନେଇ ଯିବା ଲାଗି ଅନୁମତି ମିଳେ ନାହିଁ। ତାହାକୁ ଫାଟକ ନିକଟରେ ଜମା କରିବାକୁ ପଡ଼ିଥାଏ ଏବଂ ଫେରିବା ସମୟରେ ପୁଣିଥରେ ନେବାକୁ ହୋଇଥାଏ। ପ୍ରତ୍ୟେକ କୃଷି ଉପକରଣ ଏବଂ ସାଥୀରେ ନେଇ ଯାଉଥିବା ଅନ୍ୟ ସମସ୍ତ ସାମଗ୍ରୀକୁ କଡ଼ାକଡ଼ି ଯାଞ୍ଚ କରାଯାଇଥାଏ। ଟ୍ରାକ୍ଟର ଓ ବିଦ୍ୟୁତରେ ଚାଲୁଥିବା ହଳ ନେଇ ଯିବା ଲାଗି ଅନୁମତି ରହିଛି ଏବଂ ଅନାରୁଲ ବେଳେ ବେଳେ ସାରା ଦିନ ପାଇଁ ତାକୁ ଭଡ଼ାରେ ନେଇଥାନ୍ତି, କିନ୍ତୁ ଉଚ୍ଚ ଅଧିକାରୀଙ୍କ ସୀମା ଗସ୍ତ କରିବାର ଥିଲେ ତାଙ୍କୁ ଅଟକାଇ ଦିଆଯାଇପାରେ। ଅନେକ ସମୟରେ ଗାଈଗୁଡ଼ିକୁ ମଧ୍ୟ ଅଟକାଇ ଦିଆଯାଇଥାଏ, ଏବଂ ଅନାରୁଲ କୁହନ୍ତି ଯେ ଏପରି ସ୍ଥିତିରେ ସେମାନଙ୍କୁ ସାରା ଦିନ ଅନ୍ୟ କୌଣସି ସ୍ଥାନରେ ରଖିବା ଏବଂ ନିଜ ଜମିରେ କାମ କରିବା କଷ୍ଟକର ହୋଇଥାଏ। ସେ ଗତବର୍ଷ ନିଜର ତିନୋଟି ଗାଈଙ୍କୁ ବିକ୍ରି କରି ଦେଇଥିଲେ, ଏବଂ ଗୋଟିଏ ଗାଈ ଓ ଗୋଟିଏ ବାଛୁରୀକୁ ଅନ୍ୟକୁ ପାଳିବା ଲାଗି ଦେଇ ସାରିଥିଲେ। ତେଣୁ ଆବଶ୍ୟକ ପଡ଼ିଲେ ଅନ୍ୟ କାହାଠାରୁ ଗାଈ ଭଡ଼ାରେ ନେଇ ଜମିକୁ ନେଇ ଯାଉଥିଲେ।

ସୀମା ଫାଟକରେ ବିହନର ଯାଞ୍ଚ ମଧ୍ୟ କରାଯାଏ, ଏବଂ ଝୋଟ ଓ ଆଖୁ ବିହନ ନେଇଯିବା ଲାଗି ଅନୁମତି ମିଳିନଥାଏ-ତିନି ଫୁଟରୁ ଅଧିକ ବଢ଼ୁଥିବା କୌଣସି ସାମଗ୍ରୀ ନେଇ ଯିବା ଲାଗି ଅନୁମତି ନାହିଁ, ଯାହା ଫଳରେ ଦୃଶ୍ୟତା ବାଧାପ୍ରାପ୍ତ ହେବ ନାହିଁ।

ସେଥିପାଇଁ ଅନାରୁଲ ଶୀତ ଦିନେ ଡାଲି, ବର୍ଷା ଦିନେ ଧାନ ଓ ସାରା ବର୍ଷ ଅମୃତଭଣ୍ଡା, ମୂଳା, ବାଇଗଣ, ଲଙ୍କା, ଲାଉ, ସଜନା ଓ ସବୁଜ ପରିବାପତ୍ର ଚାଷ କରିଥାନ୍ତି। ଧାନ ଅମଳ ଋତୁରେ, ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ, ଅନାରୁଲ ବେଳେ ବେଳେ ନିଜର କିଛି ଜମି ଭାଗରେ ଦେଇଥାନ୍ତି ଏବଂ ବାକି ସମୟ ସେ ନିଜେ ଜମିରେ ଚାଷ କରିଥାନ୍ତି।

ଏହି ଅମଳକୁ ଘରକୁ ବୋହି ନେବା ଆଉ ଏକ ସମସ୍ୟା-କିଛି ସପ୍ତାହ ପର୍ଯ୍ୟନ୍ତ କାଟିବା ପରେ ଧାନ ଫସଲ ପାଖାପାଖି ୨୫ କୁଇଣ୍ଟାଲ, ଆଳୁ ୨୫-୩୦ କୁଇଣ୍ଟାଲ ହୋଇପାରେ। “ମୁଁ ଏହାକୁ ନିଜ ମୁଣ୍ଡରେ ଉଠାଇ ନେଇଯାଇଥାଏ ଏବଂ ଏଥିରେ ୨-୫ ଚକ୍କର ଲଗାଇବାକୁ ପଡ଼ିଥାଏ”, ଅନାରୁଲ କହିଥାନ୍ତି। ସେ ପ୍ରଥମେ ଉତ୍ପାଦିତ ସାମଗ୍ରୀକୁ ଫାଟକ ନିକଟକୁ ନେଇଯାଇଥାନ୍ତି ଓ ଏହାପରେ ଅନ୍ୟପଟେ ଏହାକୁ ଏକତ୍ରିତ କରିଥାନ୍ତି, ପରେ ପୁଣିଥରେ ସେଗୁଡ଼ିକୁ ସଡ଼କ କଡ଼କୁ ନେଇଯାଇଥାନ୍ତି ଏବଂ ସ୍ଥାନୀୟ ପରିବହନକୁ ଅପେକ୍ଷା କରିଥାନ୍ତି, ଯାହାଫଳରେ ସେଗୁଡ଼ିକୁ ଘର କିମ୍ବା ମହେନ୍ଦ୍ରଗଞ୍ଜ ବଜାର ପର୍ଯ୍ୟନ୍ତ ନେଇଯାଇପାରିବେ।

PHOTO • Anjuman Ara Begum

ନିଜ ଘର ପଛପଟେ, ଗୁଆ ଗଛ ଚାରାର ଯତ୍ନ ନେଉଛନ୍ତି। ସୀମା ଫାଟକରେ ବିହନର ମଧ୍ୟ ଯାଞ୍ଚ କରାଯାଇଥାଏ, ଏବଂ ଝୋଟ ଓ ଆଖୁ ବିହନ ନେଇଯିବା ଲାଗି ଅନୁମତି ମିଳେ ନାହିଁ-ତିନି ଫୁଟରୁ ଅଧିକ ବଢ଼ୁଥିବା କୌଣସି ଜିନିଷ ନେଇ ଯିବା ଲାଗି ଅନୁମତି ମିଳିନଥାଏ ଯାହାଫଳରେ ଦୃଶ୍ୟତା ବାଧିତ ହେବ ନାହିଁ।

ଅନେକ ଥର ଯେତେବେଳ ସୀମା ପାର ଗୃହପାଳିତ ପଶୁଗୁଡ଼ିକ ବାଟବଣା ହୋଇଯାଇଥାନ୍ତି, କିମ୍ବା ଜମା ହୋଇଥିବା ନଡ଼ା ଚୋରି ହୋଇଥାଏ, ଗଣ୍ଡଗୋଳ ଆରମ୍ଭ ହୁଏ। ବେଳେ ବେଳେ, ସୀମାରେଖାର ସୀମାଙ୍କନ ଉପରେ ଝଗଡ଼ା ହୋଇଥାଏ। “ପାଖାପାଖି ୧୦ ବର୍ଷ ପୂର୍ବରୁ, ମୁଁ ମୋ ଜମିରେ କାମ କରୁଥିଲି। ଏହି ସମୟରେ, ଯେତେବେଳେ ମୁଁ ମୋ ଜମିରେ ଉପରକୁ ଉଠିଥିବା ଏକ ଛୋଟିଆ ସ୍ଥାନକୁ ସମତଳ କରିବାକୁ ଚେଷ୍ଟା କରୁଥିଲି, କିଛି ବାଂଲାଦେଶୀ ଓ ମୋ ଭିତରେ ଝଗଡ଼ା ଆରମ୍ଭ ହୋଇଗଲା”, ଅନାରୁଲ କୁହନ୍ତି। “ବାଂଲାଦେଶ ବର୍ଡର ଗାର୍ଡ କର୍ମଚାରୀ ତୁରନ୍ତ ସେଠାରେ ପହଞ୍ଚିଗଲେ ଏବଂ ମୋତେ ଖୋଳିବା ପାଇଁ ମନା କଲେ, ସେମାନେ କହିଲେ ଯେ ଏ ଜମି ବାଂଲାଦେଶର।” ଅନାରୁଲ ଭାରତୀୟ ବିଏସଏଫ ନିକଟରେ ଏ ସମ୍ପର୍କରେ ଅଭିଯୋଗ କରିଥିଲେ। ସ୍ଥାନୀୟ ଲୋକମାନେ କହିଥାନ୍ତି ଯେ ଭାରତ ଓ ବାଂଲାଦେଶର ସୁରକ୍ଷା ବାହିନୀଙ୍କ ମଧ୍ୟରେ ଅନେକ ପର୍ଯ୍ୟାୟ “ଫ୍ଲାଗ୍ ବୈଠକ” ଓ ବିତର୍କ ପରେ ଶେଷରେ ଏକ ବାଉଁଶ ଜରିଆରେ ସୀମା ରେଖା ନିର୍ଦ୍ଧାରଣ କରିଦିଆଗଲା। ବାଉଁଶ ଖୁବ ଅଳ୍ପ ଦିନରେ ଗାଏବ ହୋଇଗଲା। ଅନାରୁଲ କହିଥାନ୍ତି ଯେ ସେ ପାଖାପାଖି ଦୁଇ ବିଘା ଜମି ହରାଇଲେ ଏବଂ ସେହି ଜମି ଏବେ ସୁଦ୍ଧା ସେ ଫେରି ପାଇନାହାନ୍ତି। ଏହିପରି ତାଙ୍କୁ ପୈତୃକ ସମ୍ପତ୍ତି ରୂପରେ ଯେଉଁ ସାତ ବିଘା ଜମି ମିଳିଥିଲା, ସେଥିମଧ୍ୟରୁ ସେ ମାତ୍ର ପାଞ୍ଚ ବିଘା ଜମିରେ ଚାଷ କରିପାରୁଛନ୍ତି।

ତେବେ, ଭାରତୀୟ ଓ ବାଂଲାଦେଶୀ କୃଷକ କିଛି ମିଟର ଦୂରରେ ରହି, ଯାହାକୁ ସୀମା ଜରିଆରେ ପୃଥକ କରାଯାଇଛି, ଚାଷ ଜମିରେ କାମ କରିଥାନ୍ତି, କିନ୍ତୁ ଅନାରୁଲ କୁହନ୍ତି, “ମୁଁ ସେମାନଙ୍କ ସହିତ କଥା ହୁଏ ନାହିଁ କାରଣ ସୁରକ୍ଷା ବାହିନୀ ଏହାକୁ ପସନ୍ଦ କରନ୍ତି ନାହିଁ। ସାମାନ୍ୟ ସନ୍ଦେହ ହେଲେ, ମୁଁ ମୋ ଜମି ନିକଟରେ ପହଞ୍ଚି ପାରିବି ନାହିଁ। ମୋର କଥାବାର୍ତ୍ତା ସୀମିତ। ସେମାନେ କିଛି ପ୍ରଶ୍ନ ପଚାରିଲେ ମଧ୍ୟ ମୁଁ ଚୁପ ରହିବାର ନାଟକ କରିଥାଏ।”

“ଚୋରମାନେ ମୋ ପନିପରିବା ଚୋରାଇ ନେଇଯାଇଥାନ୍ତି। କିନ୍ତୁ ମୋର କୌଣସି ଆପତ୍ତି ନଥାଏ”, ସେ ଅଭିଯୋଗ କରିଥାନ୍ତି। “ସେମାନଙ୍କ ପାଖରେ ଇମାନ୍ (ସଚ୍ଚୋଟତା) ନାହିଁ, କିନ୍ତୁ ମୋ ଉପରେ ଆଲ୍ଲାଙ୍କ କୃପା ରହିଛି।” ସୀମାବର୍ତ୍ତୀ କ୍ଷେତ୍ର ପଶୁ ଚୋରି ପାଇଁ ନିନ୍ଦିତ ଏବଂ ମହେନ୍ଦ୍ରଗଞ୍ଜର ନିବାସୀମାନେ କହିଥାନ୍ତି ଯେ ମାଦକ ଦ୍ରବ୍ୟର ଚୋରା କାରବାର ମଧ୍ୟ ବଢ଼ିଯାଇଛି। ୨୮ବର୍ଷୀୟ ଯୁବକ, ଯାହାଙ୍କୁ ଅନାରୁଲ ୨୦୧୮ରେ ୭୦,୦୦୦ ଟଙ୍କା ଋଣ ଦେଇଥିଲେ, ଏବଂ ତାଙ୍କ ଠାରୁ ସୁଧ ଆକାରରେ ଅତିରିକ୍ତ ୨୦,୦୦୦ ଟଙ୍କା ପାଇବାକୁ ଆଶା ରଖିଥିଲେ ଖୁବ ଅଳ୍ପ ଦିନରେ ନିଶା ଔଷଧ ସେବନ କାରଣରୁ ତାଙ୍କର ମୃତ୍ୟୁ ଘଟିଲା। ଏଠାକାର ଲୋକମାନେ କୁହନ୍ତି ଯେ ଏହି ସବୁ ‘ଔଷଧ’ ସୀମା ଆରପଟୁ ଚୋରାଚାଲାଣ ମାଧ୍ୟମରେ ଅଣାଯାଇଥିଲା। “ଡ୍ରଗ୍ସ ହାସଲ କରିବା ସହଜ”, ଅନାରୁଲ କହିଥାନ୍ତି। “କେହି ଜଣେ କେବଳ ବାଡ଼ ଆରପଟୁ ଏହାକୁ ଫିଙ୍ଗି ଦେବାର ଆବଶ୍ୟକତା ରହିଛି। ଯଦି ଆପଣ ଫିଙ୍ଗିବାରେ ଦକ୍ଷ, ତା’ହେଲେ ଆପଣ ନିଶା ଔଷଧକୁ ସହଜରେ ସ୍ଥାନାନ୍ତରିତ କରିପାରିବେ।” ପଡ଼ି ରହିଥିବା ଋଣ ସମ୍ପର୍କରେ ଚିନ୍ତିତ ଅନାରୁଲ ସେହି ଯୁବକଙ୍କ ପରିବାର ସହିତ ଆଲୋଚନା କରିଥିଲେ, ସେମାନେ, ଅନ୍ତତଃ ୫୦,୦୦୦ ଟଙ୍କା ଫେରାଇବା ଲାଗି ସହମତ ହୋଇଯାଇଥିଲେ।

ନିଜର ସାହୁକାରୀ କାମ ସମ୍ପର୍କରେ ସେ କହିଥାନ୍ତି, “ମୁଁ ମୋ ବଡ଼ ପରିବାରର ଯତ୍ନ ନେବାରେ ସକ୍ଷମ ନଥିଲି। ସେଥିପାଇଁ ଯେତେବେଳେ ବି ମୋ ପାଖରେ କିଛି ଟଙ୍କା ହୋଇଯାଏ, ମୁଁ ତା’କୁ ଅନ୍ୟକୁ ସୁଧରେ ଉଧାର ଦେଇଥାଏ। ମୋର ଟଙ୍କା ଦରକାର। ସେଥିପାଇଁ।”

PHOTO • Anjuman Ara Begum
PHOTO • Anjuman Ara Begum

ସୀମାରେ ଭାରତ ପଟେ ଥିବା ସଡ଼କ ଓ ଫାଟକ। ଅନେକ ଥର, ଯେତେବେଳେ ଗୃହପାଳିତ ପଶୁ ସୀମା ଆରପଟେ ବାଟବଣା ହୋଇଥାନ୍ତି, କିମ୍ବା ନଡ଼ା ଚୋରି ହୋଇଯାଇଥାଏ କିମ୍ବା ସୀମାଙ୍କନ ଲାଇନ ବିବାଦୀୟ ହୋଇଯାଏ, ସେତେବେଳେ ଝଗଡ଼ା ଆରମ୍ଭ ହୋଇଯାଇଥାଏ।

ଜଳସେଚନ ଏବଂ ଜଳ ନିଷ୍କାସନ ପାଇଁ ମଧ୍ୟ ବାଡ଼ ବାଧା ଉତ୍ପନ୍ନ କରିଛି। ଜୁଲାଇ-ଅଗଷ୍ଟରେ ଭାରୀ ବର୍ଷା କାରଣରୁ ଅନାରୁଲଙ୍କ ବର୍ଷା ଆଧାରିତ ଜମି ସମ୍ପୂର୍ଣ୍ଣ ରୂପେ ପାଣିରେ ବୁଡ଼ିଯାଇଥାଏ, ଏବଂ ପାଣି ବାହାର କରିବା ଲାଗି କୌଣସି ମାର୍ଗ ନାହିଁ। କଠୋର ନିୟମ ଓ ଚୋରଙ୍କ ଡର କାରଣରୁ ଜମିରେ ପମ୍ପ ରଖିବା ମଧ୍ୟ ଅସମ୍ଭବ। ଏହା ଏକ ଭାରୀ ମେସିନ ହୋଇଥିବାରୁ ପ୍ରତିଦିନ ଏହାକୁ ଭିତରକୁ ନେଇ ଯିବା ଏବଂ ଫେରାଇ ଆଣିବା କଷ୍ଟକର। ଜେସିବି ଭଳି ବଡ଼ ମେସିନ ଜମିକୁ ସମତଳ କରିବା ଲାଗି ପ୍ରବେଶ କରିବାର ଅନୁମତି ଦିଏ ନାହିଁ। ସେଥିପାଇଁ ସେମାନେ ପାଣି ନିଷ୍କାସିତ ହେବାକୁ ଅପେକ୍ଷା କରିଥାନ୍ତି, ଗୋଟିଏ କିମ୍ବା ଦୁଇ ଦିନ, ଅଧିକ ବନ୍ୟା ସମୟରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ମଧ୍ୟ ଲାଗି ଯାଇପାରେ। ଏହା ଦ୍ୱାରା ତାଙ୍କର ଫସଲ ନଷ୍ଟ ହୋଇଯାଇଥାଏ, ଏବଂ ଅନାରୁଲଙ୍କୁ ଏଥିପାଇଁ କ୍ଷତି ସହିବାକୁ ପଡ଼ିଥାଏ।

କୃଷି ଶ୍ରମିକମାନଙ୍କୁ କାମରେ ରଖିବା ମଧ୍ୟ ଏକ ବଡ଼ ବାଧା, କାରଣ ଅନାରୁଲ କେବଳ ସେହି ଲୋକମାନଙ୍କୁ କାମରେ ରଖିପାରିବେ ଯେଉଁମାନଙ୍କ ପାଖରେ ଏକ ବୈଧ ପରିଚୟପତ୍ର ରହିଥିବ। ସେ କହିଥାନ୍ତି ଯେ ସମସ୍ତଙ୍କ ପାଇଁ ପିଇବା ପାଣିର ବ୍ୟବସ୍ଥା କରିବା କଷ୍ଟକର ହୋଇଥାଏ, ଏବଂ ଜମିରେ କୌଣସି ବଡ଼ ଗଛ ନାହିଁ ଯାହାର ଛାଇରେ ଆରାମ କରାଯାଇପାରିବ। “ଶ୍ରମିକମାନଙ୍କୁ ଏହି ନିୟମର ପାଳନ କରିବା କଷ୍ଟକର ଲାଗିଥାଏ,” ସେ କହିଥାନ୍ତି, ଏବଂ ଯେତେବେଳେ ସେ ନିଜ ଜମି ବିଷୟରେ କହିଥାନ୍ତି, ସେମାନେ ସେଠାକୁ ଯିବା ଲାଗି ସଙ୍କୋଚ କରିଥାନ୍ତି, ତେବେ ବେଳେ ବେଳେ ସେ ମଧ୍ୟ ସହାୟତା କରିବା ଲାଗି ନିଜ ପତ୍ନୀ କିମ୍ବା ପରିବାରର କୌଣସି ସଦସ୍ୟଙ୍କୁ ସାଥୀରେ ନେଇ ଯାଇଥାନ୍ତି।

କିନ୍ତୁ ମହିଳାମାନଙ୍କ ଲାଗି, ସୀମାରେ ଥିବା ଜମିରେ ଆହୁରି ଅନେକ ସମସ୍ୟା ରହିଛି, ଯେପରିକି ଶୌଚାଳୟର ଅଭାବ। ସେ କହିଥାନ୍ତି ଯେ ପିଲାମାନଙ୍କୁ ବଫର ଜୋନକୁ ନେଇଯିବା ଲାଗି ଅନୁମତି ନାହିଁ, ଏବଂ ଯେଉଁ ମହିଳା ଶ୍ରମିକମାନଙ୍କୁ ସେ କାମରେ ରଖିପାରିବେ, ସେମାନେ ବେଳେ ବେଳେ ପିଲାମାନଙ୍କୁ ନେଇ ପହଞ୍ଚି ଯାଇଥାନ୍ତି।

ନିଜର ତୃତୀୟ ଚାକିରି-ନିର୍ମାଣ ସ୍ଥଳୀରେ କାମ କରିବା-ଅନାରୁଲ କହିଥାନ୍ତି ଯେ ଏକ ସ୍ଥିର ଆୟ ସେ ଏଥିରୁ ଅର୍ଜନ କରିଥାନ୍ତି। ଅଞ୍ଚଳର ବିଭିନ୍ନ ସରକାରୀ ଓ ଘରୋଇ ବିକାଶ ପ୍ରକଳ୍ପ, ସାଧାରଣତଃ ୧୫-୨୦ କିଲୋମିଟର ପରିଧି ମଧ୍ୟରେ, ନିୟମିତ ଭାବେ ନିର୍ମାଣ କାର୍ଯ୍ୟ ଯୋଗାଇ ଦେଇଥାନ୍ତି। ବେଳେ ବେଳେ ସେ ପାଖାପାଖି ୮୦ ମିଲୋମିଟର ଦୂର, ତୁରା ସହରକୁ ଯାଇଥାନ୍ତି । (ତେବେ ଗତବର୍ଷର ଲକଡାଉନ ଏବଂ କୋଭିଡ-19 କାରଣରୁ ଏହା ବନ୍ଦ ହୋଇଯାଇଛି)। ପାଖାପାଖି ତିନି ବର୍ଷ ପୂର୍ବରୁ, ଅନାରୁଲ କହିଥାନ୍ତି ଯେ ସେ ୩ଲକ୍ଷ ଟଙ୍କା ରୋଜଗାର କରିବାରେ ସଫଳ ହେଲେ, ଯାହାଫଳରେ ସେ ସେକେଣ୍ଡ ହ୍ୟାଣ୍ଡ ମୋଟର ସାଇକେଲ ଓ ନିଜ ଝିଅ ବାହାଘର ପାଇଁ ସୁନା କିଣିଥିଲେ। ସାଧାରଣତଃ, ସେ ଗୋଟିଏ ଦିନରେ ୭୦୦ ଟଙ୍କା ରୋଜଗାର କରୁଥିଲେ ଏବଂ ନିର୍ମାଣ ସ୍ଥଳରେ ଦିନ ମଜୁରିଆ ଭାବେ ପ୍ରତିବର୍ଷ ୧ ଲକ୍ଷ ଟଙ୍କା ଆୟ କରୁଥିଲେ। “ଏହା ମୋତେ ତ୍ୱରିତ ଆୟ ପ୍ରଦାନ କରିଥାଏ, ଯେତେବେଳେ ଧାନ କ୍ଷେତରୁ ରୋଜଗାର ନିମନ୍ତେ ମୋତେ ଅତି କମରେ ତିନି ମାସ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥାଏ”, ସେ କହିଥାନ୍ତି।

PHOTO • Anjuman Ara Begum
PHOTO • Anjuman Ara Begum

ବାମ : ଅନାରୁଲ ଏବଂ ତାଙ୍କ ଗ୍ରାମର ଅନ୍ୟ ଲୋକମାନେ ବେଳେ ବେଳେ ସୀମା ପ୍ରସଙ୍ଗରେ ଚର୍ଚ୍ଚା କରିଥାନ୍ତି। ଡାହାଣ : ନିଜ ପରିବାର ସହିତ ନାତୁଣୀ ଜନ୍ମର ଖୁସି ପାଳନ କରିବା ସମୟରେ

ଅନାରୁଲ ଶିକ୍ଷାକୁ ଅତ୍ୟନ୍ତ ଗୁରୁତ୍ୱ ଦେଇଥାନ୍ତି। ତାଙ୍କର ବଡ଼ ଭାଇ ଜଣେ ପୂର୍ବତନ ସ୍କୁଲ ଶିକ୍ଷକ। ତାଙ୍କର ୧୫ ବର୍ଷୀୟା ଝିଅ ଶୋଭା ବେଗମ ଅଷ୍ଟମ ଶ୍ରେଣୀରେ ପଢ଼ୁଛି, ୧୧ ବର୍ଷୀୟ ପୁଅ ସଦ୍ଦାମ ଇସଲାମ ଚତୁର୍ଥ ଶ୍ରେଣୀରେ ଏବଂ ଛଅ ବର୍ଷର ଝିଅ, ସୀମା ବେଗମ ତୃତୀୟ ଶ୍ରେଣୀରେ ପଢ଼ୁଛନ୍ତି। ତାଙ୍କର ତିନି ଜଣ ବଡ଼ ଝିଅ, ଯେଉଁମାନଙ୍କ ବୟସ ୨୧ରୁ ଆରମ୍ଭ କରି ୨୫ ବର୍ଷ ମଧ୍ୟରେ, ବିବାହ କରିସାରିଲେଣି। ଅନାରୁଲଙ୍କ ଦୁଇ ପତ୍ନୀ, ଜିପ୍ସିଲା ଟି ସଙ୍ଗମା ଓ ଜକିଦା ବେଗମ, ଦୁଇ ଜଣଙ୍କ ବୟସ ପାଖାପାଖି 40 ବର୍ଷ।

ସେ ଚାହୁଁଥିଲେ, ତାଙ୍କର ବଡ଼ ଝିଅ ସ୍ନାତକ ପର୍ଯ୍ୟନ୍ତ ପଢ଼ୁ, କିନ୍ତୁ କୁହନ୍ତି ଯେ “ଚଳଚ୍ଚିତ୍ର, ଟିଭି, ମୋବାଇଲ ଫୋନ ତାକୁ ପ୍ରଭାବିତ କଲା ଏବଂ ସେ କାହାକୁ ପ୍ରେମ କରି ବସିଲା ଓ ଏହାପରେ ତା’ର ବାହାଘର କରି ଦିଆଗଲା। ମୋର ପିଲାମାନେ ମହତ୍ୱାକାଂକ୍ଷୀ ନୁହନ୍ତି, ଯାହାକି ମୋତେ ଦୁଃଖ ଦେଇଥାଏ। ସେମାନେ କଠିନ ପରିଶ୍ରମ କରନ୍ତି ନାହିଁ କିମ୍ବା ପାଠ ପଢ଼ନ୍ତି ନାହିଁ। କିନ୍ତୁ ମୋର ଭାଗ୍ୟ ଉପରେ ଭରସା ଅଛି ଏବଂ ଆଶା କରୁଛି ଯେ ସେମାନେ ନିଜ ଜୀବନରେ ସୌଭାଗ୍ୟ ପାଇବେ।”

୨୦୨୦ରେ, ଅନାରୁଲ କାଜୁ କାରବାରରେ ଭାଗ୍ୟ ପରୀକ୍ଷା କରିବାର ଯୋଜନା କରୁଥିଲେ, କିନ୍ତୁ ବିଏସଏଫ ଘୋଷଣା କରିଥିଲା ଯେ କୋଭିଡକୁ ପ୍ରତିହତ କରିବା ଲାଗି ସୀମା ଫାଟକକୁ ବନ୍ଦ ରଖାଯିବ ଏବଂ କୃଷକମାନଙ୍କୁ ସେମାନଙ୍କ ଜମିକୁ ଯିବା ଲାଗି ଅନୁମତି ମିଳିବ ନାହିଁ। ସେଥିପାଇଁ ଅନାରୁଲ କହିଥିଲେ, ସେ ନିଜର କିଛି ଫସଲ ହରାଇଥିଲେ। ତେବେ ଗୁଆ ଚାରାରୁ ତାଙ୍କୁ କିଛି ଲାଭ ମିଳିଥିଲା।

ଗତବର୍ଷ, ସୀମା ଫାଟକକୁ ୨୯ ଏପ୍ରିଲ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ଭାବେ ବନ୍ଦ କରି ଦିଆଗଲା, ଏହାପରେ କୃଷକମାନଙ୍କୁ ୩-୪ ଘଣ୍ଟା ଲାଗି କାମ କରିବାର ଅନୁମତି ଦିଆଗଲା, ଯେପର୍ଯ୍ୟନ୍ତ ନିୟମିତ ଘଣ୍ଟା ପର୍ଯ୍ୟନ୍ତ କାମ କରିବାକୁ ଦିଆଯିବ ନାହିଁ ତାହା ଜାରି ରହିଥିଲା।

ଏହି ବର୍ଷଗୁଡ଼ିକରେ, ଅନାରୁଲ ଅନେକ ବିଏସଏଫ କର୍ମଚାରୀଙ୍କ ସହିତ ବନ୍ଧୁତା ସ୍ଥାପନ କରି ଦେଇଛନ୍ତି। “ବେଳେ ବେଳେ ମୁଁ ତାଙ୍କୁ ଦେଖି ଦୁଃଖିତ ହୋଇଥାଏ”, ସେ କୁହନ୍ତି। “ସେମାନେ ନିଜ ପରିବାର ଠାରୁ ଅନେକ ଦୂରରେ ରହୁଛନ୍ତି ଏବଂ ଆମର ରକ୍ଷା ପାଇଁ ଏଠାକୁ ଆସିଛନ୍ତି।” ଇଦ୍ ପର୍ବ ସମୟରେ ସେ ସେମାନଙ୍କୁ ନିଜ ଘରକୁ ଖାଇବା ଲାଗି ଡାକି ସାରିଛନ୍ତି, କିମ୍ବା ଅନେକ ଥର ସେ କହିଥାନ୍ତି ଯେ, ସେ ସେମାନଙ୍କ ଲାଗି ଭାତ ଓ ମାଂସ ଝୋଳ ନେଇ ଯାଇଥାନ୍ତି। ଆହୁରି ବେଳେ ବେଳେ ସେ ସେମାନଙ୍କୁ ସୀମାର ଦୁଇ ପଟକୁ ଯିବା ଆସିବା କରିବା ସମୟରେ ରାସ୍ତାରେ ଚା’ ଭେଟି ଦେଇଥାନ୍ତି।

ରିପୋର୍ଟରଙ୍କ ପରିବାର ମହେନ୍ଦ୍ରଗଞ୍ଜରେ ରହିଥାନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Anjuman Ara Begum

Anjuman Ara Begum is a human rights researcher and freelance journalist based in Guwahati, Assam.

Other stories by Anjuman Ara Begum