ଏପରିକି ସେ ସୀତାପୁର ଡାକ୍ତରଖାନାର ଶଯ୍ୟାରେ ପଡ଼ିଥିବା ସମୟରେ, ଅକ୍ସିଜେନ ଲାଗିଥିବା ଅବସ୍ଥାରେ ଏବଂ ମୃତ୍ୟୁ ସହ ସଂଘର୍ଷ କରୁଥିବା ବେଳେ ରିତେଶ ମିଶ୍ରାଙ୍କ ମୋବାଇଲ ଫୋନ ଲଗାତାର ରିଙ୍ଗ୍ ହୋଇ ଚାଲିଥାଏ। ସେସବୁ କଲ୍ ରାଜ୍ୟ ନିର୍ବାଚନ ଆୟୋଗ ଏବଂ ସରକାରୀ ଅଧିକାରୀଙ୍କ ଠାରୁ ଆସୁଥାଏ, ସେମାନେ ଚାହୁଁଥାନ୍ତି ଯେ ମରଣ ସହ ଲଢ଼ୁଥିବା ଏହି ସ୍କୁଲ ଶିକ୍ଷକ ଜଣଙ୍କ ମେ ୨ ତାରିଖରେ ଉତ୍ତର ପ୍ରଦେଶ ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ବେଳେ କାର୍ଯ୍ୟରେ ଯୋଗ ଦେବେ କି ନାହିଁ ତାହା ସୁନିଶ୍ଚିତ କରିବେ।

ତାଙ୍କ ପତ୍ନୀ ଅପର୍ଣ୍ଣା କୁହନ୍ତି, “ଫୋନ ରିଙ୍ଗ ବନ୍ଦ ହେଉନଥାଏ”। “ମୁଁ ଯେତେବେଳେ ଫୋନ ଉଠାଇଲି ଏବଂ ସେହି ବ୍ୟକ୍ତି ଜଣଙ୍କୁ କହିଲି ଯେ ରିତେଶ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ସେ ସେମାନଙ୍କର ଦାବି ଅନୁସାରେ କାର୍ଯ୍ୟରେ ଯୋଗ ଦେଇପାରିବେ ନାହିଁ- ମୁଁ ସେମାନଙ୍କୁ ଡାକ୍ତରଖାନା ଶଯ୍ୟାରେ ଶୋଇଥିବା ତାଙ୍କର ଏକ ଫଟୋ ପଠାଇଲି-ପ୍ରମାଣ ସ୍ୱରୂପ। ମୁଁ ତାହା କଲି। ମୁଁ ଆପଣଙ୍କୁ ସେହି ଫଟୋ ପଠାଇବି”, ସେ ପରୀକୁ କହିଥିଲେ। ଏବଂ କଲେ।

ଅପର୍ଣ୍ଣା ମିଶ୍ରା, ୩୪, ଯାହା ବିଷୟରେ ଅଧିକ କହିଥାନ୍ତି ତାହା ହେଉଛି ନିର୍ବାଚନ କାର୍ଯ୍ୟରେ ଯୋଗ ନଦେବା ଲାଗି ସେ ଖୁବ ଦୃଢ଼ ଭାବେ ନିଜ ସ୍ୱାମୀଙ୍କୁ ବାରଣ କରିଥିଲେ। “ତାଙ୍କର ଡ୍ୟୁଟି ତାଲିକା ଆସିବା ପରେ ମୁଁ ତାଙ୍କୁ ବାରମ୍ବାର ଏହି କଥା କହି ଆସୁଥିଲି”, ସେ କୁହନ୍ତି। “କିନ୍ତୁ ସେ ବାରମ୍ବାର କହୁଥିଲେ ଯେ ନିର୍ବାଚନ କାମ ବାତିଲ କରାଯାଇପାରିବ ନାହିଁ। ଆହୁରି ଯଦି ସେ କାର୍ଯ୍ୟରେ ଯୋଗ ନଦିଅନ୍ତି ତା’ହେଲେ କର୍ତ୍ତୃପକ୍ଷ ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଦେବେ।”

ରିତେଶ ଏପ୍ରିଲ ୨୯ ତାରିଖରେ କୋଭିଡ-19ରେ ପ୍ରାଣ ହରାଇଥିଲେ। ସେ ଉତ୍ତରପ୍ରଦେଶର ସେହି ୭୦୦ରୁ ଅଧିକ ସ୍କୁଲ ଶିକ୍ଷକମାନଙ୍କ ମଧ୍ୟରୁ ଜଣେ ଥିଲେ ଯେଉଁମାନଙ୍କର ଅନୁରୂପ ଭାବେ ପଞ୍ଚାୟତ ନିର୍ବାଚନରେ ଡ୍ୟୁଟି କରିବା ପରେ ମୃତ୍ୟୁ ଘଟିଥିଲା। ପରୀ ନିକଟରେ ସମ୍ପୂର୍ଣ୍ଣ ତାଲିକା ରହିଛି ଯେଉଁଥିରେ ଏବେ ମୋଟ ୭୧୩ ଜଣ -୫୪୦ ଜଣ ପୁରୁଷ ଏବଂ ୧୭୩ ଜଣ ମହିଳା ଶିକ୍ଷକ – ଶିକ୍ଷୟତ୍ରୀ ଅଛନ୍ତି ଏବଂ ଏହି ତାଲିକା ଏବେ ବଢ଼ି ବଢ଼ି ଚାଲିଛି। ରାଜ୍ୟର ପାଖାପାଖି ୮ଲକ୍ଷଶିକ୍ଷକଙ୍କ ସ୍ଥିତି ଏହିପରି-ଏମାନଙ୍କ ମଧ୍ୟରୁ ଲକ୍ଷାଧିକ ଶିକ୍ଷକଙ୍କୁ ନିର୍ବାଚନ କାମରେ ପଠାଯାଇଥିଲା।

ରିତେଶ, ଜଣେ ସହାୟକ ଅଧ୍ୟାପକ (ଅତିରିକ୍ତ ଶିକ୍ଷକ) ଯିଏକି ନିଜ ପରିବାର ସହିତ ସୀତାପୁର ଜିଲ୍ଲା ମୁଖ୍ୟାଳୟରେ ରହୁଥିଲେ କିନ୍ତୁ ସେ ଲକ୍ଷ୍ନୌର ଗୋସାଇଗଞ୍ଜ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିଲେ। ରାଜ୍ୟରେ ଏପ୍ରିଲ ୧୫, ୧୯, ୨୬ ଓ ୨୯ ତାରିଖରେ ଚାରିଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହୋଇଥିଲା ଯେଉଁଥିରେ ତାଙ୍କୁ ନିକଟବର୍ତ୍ତୀ ଏକ ବିଦ୍ୟାଳୟରେ ନିର୍ବାଚନ ଅଧିକାରୀ ଭାବେ କାମ କରିବା ଲାଗି ଦାୟିତ୍ୱ ଦିଆଯାଇଥିଲା।

PHOTO • Aparna Mishra
PHOTO • Aparna Mishra

“ମୁଁ ଯେତେବେଳେ ଫୋନ ଉଠାଇ କହିଲି ଯେ ରିତେଶ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ସେମାନଙ୍କର ଦାବି ଅନୁସାରେ ସେ କାର୍ଯ୍ୟରେ ଯୋଗ ଦେଇପାରିବେ ନାହିଁ- ମୁଁ ସେମାନଙ୍କୁ ଡାକ୍ତରଖାନା ଶଯ୍ୟାରେ ଶୋଇଥିବା ତାଙ୍କର ଏକ ଫଟୋ ପଠାଇଲି-ପ୍ରମାଣ ସ୍ୱରୂପ। ମୁଁ ତାହା କଲି। ମୁଁ ଆପଣଙ୍କୁ ସେହି ଫଟୋ ପଠାଇବି”, ତାଙ୍କ ପ ତ୍ନୀ ଅପର୍ଣ୍ଣା କହିଥିଲେ।  ଡାହାଣ : ନିର୍ବାଚନ କାର୍ଯ୍ୟରେ ଯୋଗ ଦେବା ଲାଗି ରିତେଶଙ୍କୁ ଏକ ସରକାରୀ ଚିଠି ମିଳିଥିଲା।

ଉତ୍ତର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଏକ ବିଶାଳ ପ୍ରକ୍ରିୟା ଏବଂ ଏଥିରେ ପାଖାପାଖି ୮ ଲକ୍ଷ ଆସନରେ ୧.୩ ନିୟୁତରୁ ଅଧିକ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି। ୧୩୦ ନିୟୁତ ଯୋଗ୍ୟ ମତଦାତାମାନେ ପ୍ରତ୍ୟକ୍ଷ ଭାବେ ନିର୍ବାଚିତ ୪ଟି ପଦବୀ ପାଇଁ ପ୍ରାର୍ଥୀଙ୍କୁ ଚୟନ କରିଥାନ୍ତି। ଏଥିପାଇଁ ୫୨୦ ନିୟୁତ ବାଲାଟ ପେପର ଛାପିବାକୁ ପଡ଼ିଥାଏ। ତେଣୁ ଏହି ପ୍ରକ୍ରିୟାକୁ ପରିଚାଳନା କରିବା ନିଶ୍ଚିତ ଭାବେ ସମସ୍ତ ନିର୍ବାଚନ ଅଧିକାରୀମାନଙ୍କ ଜୀବନକୁ ବିପନ୍ନ କରି ପକାଇଥାଏ।

କରୋନା ଭୂତାଣୁ ସଂକ୍ରମଣ ଶୀର୍ଷରେ ରହିଥିବା ସମୟରେ, ଏପରି କାର୍ଯ୍ୟରେ ଯୋଗ ଦେବା ପ୍ରତିବାଦରେ ଶିକ୍ଷକ ଓ ସେମାନଙ୍କ ସଂଘ ପକ୍ଷରୁ କରାଯାଇଥିବା ବିରୋଧକୁ ଅଣଦେଖା କରାଯାଇଥିଲା। ଭୂତାଣୁ ବିରୋଧରେ ଶିକ୍ଷକମାନଙ୍କୁ ସୁରକ୍ଷିତ ରଖିବା ଲାଗି ବ୍ୟବସ୍ଥା, କୌଣସି ବାସ୍ତବ ସୁରକ୍ଷା, ଦୂରତା ରକ୍ଷା କରିବା ଲାଗି ନିୟମ ନଥିବା ଦର୍ଶାଇ ୟୁପି ଶିକ୍ଷକ ମହାସଂଘ ପକ୍ଷରୁ ଏପ୍ରିଲ ୧୨ ତାରିଖରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଏକ ପତ୍ର ଲେଖାଯାଇଥିଲା। ପ୍ରଶିକ୍ଷଣ, ବାଲଟ ବାକ୍ସ ପରିଚାଳନା, ଶିକ୍ଷକମାନେ ହଜାର ହଜାର ଲୋକଙ୍କ ସଂସ୍ପର୍ଶରେ ଆସିବା ଆଦି କାର୍ଯ୍ୟରେ ବିପଦ ରହିଥିବା ସମ୍ପର୍କରେ ଏହି ଚିଠିରେ ଦର୍ଶାଯାଇଥିଲା। ତେଣୁ ନିର୍ବାଚନ ଘୁଞ୍ଚାଇ ଦେବା ନିମନ୍ତେ ମହାସଂଘ ଦାବି କରିଥିଲା। ଏହାପରେ ପୁଣି ଏପ୍ରିଲ ୨୮ ଓ ୨୯ ତାରିଖରେ ଭୋଟ ଗଣନା ତାରିଖ ଘୁଞ୍ଚାଇ ଦେବା ନିମନ୍ତେ ମହାସଂଘ ଗୁହାରି କରିଥିଲା।

“ଆମେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ମେଲରେ ଏବଂ ହାତରେ ପତ୍ର ପଠାଇଥିଲୁ। କିନ୍ତୁ ଆମକୁ କୌଣସି ଉତ୍ତର କିମ୍ବା ସ୍ୱୀକୃତିପତ୍ର ମଧ୍ୟ ମିଳିନଥିଲା”, ଦିନେଶ ଚନ୍ଦ୍ର ଶର୍ମା, ୟୁପି ଶିକ୍ଷକ ମହାସଂଘର ସଭାପତି ପରୀକୁ କହିଥିଲେ। “ଆମେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ଚିଠି ଲେଖିଥିଲୁ, କିନ୍ତୁ କୌଣସି ଉତ୍ତର ମିଳିନଥିଲା।’’

ପ୍ରଥମେ ଶିକ୍ଷକମାନଙ୍କୁ ଏକ ଦିନିକିଆ ପ୍ରଶିକ୍ଷଣ ଦିଆଗଲା, ଏହାପରେ ଦୁଇ ଦିନିଆ ନିର୍ବାଚନ ପରିଚାଳନା କାମ-ଦିନେ ପ୍ରସ୍ତୁତି ଏବଂ ଦ୍ଵିତୀୟ ଦିନ ଭୋଟ ଗ୍ରହଣ। ପରେ, ହଜାର ହଜାର ଶିକ୍ଷକଙ୍କୁ ଭୋଟ୍ ଗଣତି ନିମନ୍ତେ ଡକାଗଲା। ଏହି କାର୍ଯ୍ୟ ପୂରଣ କରିବା ବାଧ୍ୟତାମୂଳକ ଥିଲା। ପ୍ରଶିକ୍ଷଣ ଶେଷ କରିସାରିଥିବାରୁ ରିତେଶ ଏପ୍ରିଲ ୧୮ ତାରିଖରେ ନିର୍ବାଚନ ପରିଚାଳନା କାର୍ଯ୍ୟରେ ଯୋଗ ଦେଲେ। “ସେ ଅନ୍ୟ ସରକାରୀ ବିଭାଗର ଅଧିକାରୀଙ୍କ ସହିତ କାମରେ ଯୋଗ ଦେଲେ କିନ୍ତୁ ସେମାନଙ୍କ ମଧ୍ୟରୁ କାହାକୁ ସେ ପୂର୍ବରୁ ଚିହ୍ନିନଥିଲେ”, ଅପର୍ଣ୍ଣା କୁହନ୍ତି।

“ଡ୍ୟୁଟି କେନ୍ଦ୍ରକୁ ଯିବା ସମୟରେ ସେ ମୋତେ ଏକ ସେଲ୍ଫି ପଠାଇଥିଲେ ମୁଁ ତାହା ଆପଣଙ୍କୁ ଦେଖାଇବି। ତାହା ଏକ ସୁମୋ କିମ୍ବା ବୋଲେରୋ ଥିଲା ଯେଉଁଥିରେ ସେ ଅନ୍ୟ ଦୁଇ ଜଣ ଲୋକଙ୍କ ସହିତ ବସିଥିଲେ। ସେ ମଧ୍ୟ ମୋତେ ସେହି ଗାଡ଼ିର ଏକ ଫଟୋ ପଠାଇଥିଲେ ଯାହାକି ନିର୍ବାଚନ କାମ ପାଇଁ ପାଖାପାଖି ୧୦ ଜଣ ଲୋକଙ୍କୁ ନେଇ ଯାଉଥିଲା। ମୁଁ ଡରିଗଲି”, ଅପର୍ଣ୍ଣା ପୁଣି କହିଥିଲେ। “ଆହୁରି ଭୋଟ୍ ଗ୍ରହଣ କେନ୍ଦ୍ରରେ ଅଧିକ ଲୋକଙ୍କ ଭିଡ଼ ଥିଲା।”

ଚିତ୍ରଣ : ଜିଜ୍ଞାସା ମିଶ୍ରା

ପ୍ରଥମେ ଶିକ୍ଷକମାନଙ୍କୁ ଦିନିକିଆ ପ୍ରଶିକ୍ଷଣ ଦିଆଗଲା, ଏହାପରେ ଦୁଇ ଦିନିଆ ନିର୍ବାଚନ ପରିଚାଳନା କାମ-ଦିନେ ପ୍ରସ୍ତୁତି ଏବଂ ଦ୍ଵିତୀୟ ଦିନ ଭୋଟ ଗ୍ରହଣ। ପରେ, ହଜାର ହଜାର ଶିକ୍ଷକଙ୍କୁ ଭୋଟ୍ ଗଣତି ନିମନ୍ତେ ଡକାଗଲା। ଏହି କାର୍ଯ୍ୟ ପୂରଣ କରିବା ବାଧ୍ୟତାମୂଳକ ଥିଲା।

“ଏପ୍ରିଲ ୧୯ ତାରିଖରେ ସେ ଘରକୁ ଫେରିଲେ, ଭୋଟ୍ ଗ୍ରହଣ ପରେ, ତାଙ୍କ ଦେହରେ ଜ୍ୱର ଏବଂ ଶରୀରରେ ତାପମାତ୍ରା ୧୦୩ ଡିଗ୍ରୀ ଥିଲା। ଘରକୁ ଫେରିବା ପୂର୍ବରୁ ସେ ମୋତେ ଫୋନ୍ କରିଥିଲେ ଏବଂ କହିଥିଲେ ଯେ ସେ ଅସୁସ୍ଥ ଅନୁଭବ କରୁଛନ୍ତି ଏବଂ ମୁଁ ତାଙ୍କୁ ଶୀଘ୍ର ଫେରି ଆସିବା ଲାଗି କହିଲି। ପରିଶ୍ରମ କାରଣରୁ ସାଧାରଣ ଜ୍ୱର ହୋଇଥିବା ଭାବି ଆମେ ଚିକିତ୍ସା କରିଥିଲୁ। କିନ୍ତୁ ତୃତୀୟ ଦିନ (ଏପ୍ରିଲ ୨୨) ପର୍ଯ୍ୟନ୍ତ ଯେତେବେଳେ ଶରୀରରେ ଜ୍ୱର ରହିଲା, ଆମେ ଡାକ୍ତରଙ୍କୁ ସୂଚନା ଦେଲୁ ଯିଏକି ତୁରନ୍ତ କୋଭିଡ ପରୀକ୍ଷା ଏବଂ ଏକ ସିଟି-ସ୍କାନ କରାଇବାକୁ କହିଲେ।

“ଆମେ ତାହା କଲୁ-ସେ ପଜିଟିଭ୍ ଥିଲେ-ଆମେ ଡାକ୍ତରଖାନାରେ ଶଯ୍ୟା ଖୋଜିବା ଆରମ୍ଭ କଲୁ। ଲକ୍ଷ୍ନୌରେ ଆମେ ପାଖାପାଖି ୧୦ଟି ଡାକ୍ତରଖାନା ବୁଲିଲୁ। ପାଖାପାଖି ସାରା ଦିନ ବୁଲିବା ପରେ, ଶେଷରେ ଆମେ ତାଙ୍କୁ ରାତିରେ ସୀତାପୁର ଜିଲ୍ଲାର ଏକ ଘରୋଇ କ୍ଲିନିକରେ ଭର୍ତ୍ତି କଲୁ। ସେତେବେଳକୁ ତାଙ୍କର ନିଃଶ୍ଵାସପ୍ରଶ୍ଵାସ ନେବାରେ ଗମ୍ଭୀର ସମସ୍ୟା ହେଉଥିଲା।”

“ଡାକ୍ତର ଦିନକୁ ମାତ୍ର ଥରେ ଆସୁଥିଲେ, ଅଧିକାଂଶ ସମୟରେ ମଧ୍ୟରାତ୍ରୀ ୧୨ଟା ପରେ, ଏବଂ ଆମେ ଡାକିବା ସମୟରେ କେହି ଜଣେ ହେଲେ ଡାକ୍ତରଖାନା କର୍ମଚାରୀ ଉତ୍ତର ଦେଉନଥିଲେ। ଏପ୍ରିଲ ୨୯ ତାରିଖ ଅପରାହ୍ଣ ୫:୧୫ ମିନିଟ୍ ସମୟରେ ସେ କୋଭିଡ ବିରୋଧରେ ହାରି ଯାଇଥିଲେ। ସେ ବହୁତ ଚେଷ୍ଟା କରିଥିଲେ-ଆମେ ଯଥାସମ୍ଭବ ଚେଷ୍ଟା କରିଥିଲୁ-କିନ୍ତୁ ସେ ଆମ ଆଖି ସାମ୍ନାରେ ଆମ ସମସ୍ତଙ୍କୁ ଛାଡ଼ି ଚାଲିଗଲେ।”

ପାଞ୍ଚ ଜଣିଆ ପରିବାରରେ ରିତେଶ ଏକମାତ୍ର ରୋଜଗାରକ୍ଷମ ସଦସ୍ୟ ଥିଲେ। ତାଙ୍କ ପରିବାରରେ ସେ ନିଜେ, ଅପର୍ଣ୍ଣା, ସେମାନଙ୍କର ବର୍ଷକର ଝିଅ, ଏବଂ ତାଙ୍କର ମାତାପିତା ଥିଲେ। ସେ ଓ ଅପର୍ଣ୍ଣା ୨୦୧୩ରେ ବିବାହ କରିଥିଲେ ଏବଂ ଏପ୍ରିଲ ୨୦୨୦ରେ ତାଙ୍କର ପ୍ରଥମ ସନ୍ତାନ ହୋଇଥିଲା। “ମେ ୧୨ ତାରିଖରେ ଆମେ ଆମର ଅଷ୍ଟମ ବିବାହ ବାର୍ଷିକୀ ପାଳନ କରିଥାନ୍ତୁ”, ଅପର୍ଣ୍ଣା କାନ୍ଦି କାନ୍ଦି କହିଥିଲେ, “କିନ୍ତୁ ତା’ପୂର୍ବରୁ  ସେ ମୋତେ ଛାଡ଼ି ଚାଲିଗଲେ…” ସେ ନିଜ ବାକ୍ୟକୁ ସମ୍ପୂର୍ଣ୍ଣ ଭାବେ କହି ମଧ୍ୟ ପାରିନଥିଲେ।

*****

ଏପ୍ରିଲ ୨୬ରେ, ମାଡ୍ରାସ ହାଇକୋର୍ଟ କୋଭିଡ-19 ମହାମାରୀ ଚାଲିଥିବା ସମୟରେ ରାଜନୈତିକ ସମାବେଶକୁ ଅନୁମତି ଦେବା ଲାଗି ଭାରତୀୟ ନିର୍ବାଚନ ଆୟୋଗ(ଇସିଆଇ)ଙ୍କୁ ଭର୍ତ୍ସନା କରିଥିଲେ। ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ସଞ୍ଜୀବ ବାନାର୍ଜୀ ନିର୍ବାଚନ ଆୟୋଗଙ୍କ ଓକିଲଙ୍କୁ କହିଥିଲେ : “କୋଭିଡ-19ର ଦ୍ଵିତୀୟ ଲହରୀ ପାଇଁ ଆପଣଙ୍କ ସଂସ୍ଥା ଏକାକୀ ହିଁ ଉତ୍ତରଦାୟୀ।” ଏପରିକି ମୌଖିକ ଭାବେ ମୁଖ୍ୟ ବିଚାରପତି କହିଥିଲେ ଯେ “ ଆପଣଙ୍କ ଅଧିକାରୀମାନଙ୍କ ବିରୋଧରେ ସମ୍ଭବତଃ ହତ୍ୟା ମାମଲା ରୁଜୁ କରାଯିବା ଆବଶ୍ୟକ ।”

ଅଦାଲତଙ୍କ ନିର୍ଦ୍ଦେଶ ସତ୍ତ୍ୱେ ନିର୍ବାଚନ ପ୍ରଚାର ସମୟରେ ମାସ୍କ ପିନ୍ଧିବା, ସାନିଟାଇଜର ବ୍ୟବହାର କରିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ ବାଧ୍ୟତାମୂଳକ କରିବାରେ ବିଫଳତା ପାଇଁ ମାଡ୍ରାସ ହାଇକୋର୍ଟ ନିର୍ବାଚନ ଆୟୋଗ ଉପରେ ଅସନ୍ତୁଷ୍ଟ ହୋଇଥିଲେ।

PHOTO • Jigyasa Mishra
PHOTO • Jigyasa Mishra

ଲକ୍ଷ୍ନୌର ସରୋଜିନୀ ନଗରରେ, ମେ ୨ ତାରିଖରେ, ଭୋଟ ଗଣତି : ଉତ୍ତର ପ୍ରଦେଶରେ ପଞ୍ଚାୟତ ନିର୍ବାଚନ ଏକ ବିଶାଳ ପ୍ରକ୍ରିୟା ଏବଂ ଏଥିରେ ୧.୩ ନିୟୁତ ପ୍ରାର୍ଥୀ ୮ ଲକ୍ଷରୁ ଅଧିକ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥାନ୍ତି

ପରଦିନ, ଏପ୍ରିଲ ୨୭ ତାରିଖରେ, ଆହ୍ଲାବାଦ ହାଇକୋର୍ଟଙ୍କ ଏକ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରି ଉତ୍ତର ପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଏକ ନୋଟିସ ଜାରି କରିଥିଲେ। “ନିକଟରେ ଅନୁଷ୍ଠିତ ପଞ୍ଚାୟତ ନିର୍ବାଚନ ସମୟରେ ଏହା କାହିଁକି କୋଭିଡ ମାର୍ଗଦର୍ଶିକା ପାଳନ କରିବାରେ ବିଫଳ ହେଲା ଏବଂ କାହିଁକି ଏହା ଓ ଏହାର ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ଓ ଏପରି ଆଇନ ଉଲ୍ଲଙ୍ଘନ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ କାହିଁକି ଦଣ୍ଡିତ କରାଯିବ ନାହିଁ ସେ ସମ୍ପର୍କରେ କାରଣ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଥିଲେ।”

ଗୋଟିଏ ପର୍ଯ୍ୟାୟ ଭୋଟ ଗ୍ରହଣ ଏବଂ ଗଣତି ବାକିଥାଏ, ଅଦାଲତ ନିର୍ବାଚନ ଆୟୋଗଙ୍କୁ ଆଦେଶ ଦେଲେ : “ପରବର୍ତ୍ତୀ ପର୍ଯ୍ୟାୟର ପଞ୍ଚାୟତ ନିର୍ବାଚନରେ କୋଭିଡ-19ର ସମସ୍ତ ମାର୍ଗଦର୍ଶିକା... ସାମାଜିକ ଦୂରତା ଏବଂ ମୁହଁରେ ମାସ୍କ ପିନ୍ଧିବା ଆଦିକୁ କଡ଼ାକଡ଼ି ଭାବେ ପାଳନ କରାଯାଉ, ନଚେତ ଏଥିପାଇଁ ଦାୟୀ ଓ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।’’

ସେତେବେଳେ ମୃତ୍ୟୁ ସଂଖ୍ୟା ୧୩୫ ଥିଲା ଏବଂ ଏହି ପ୍ରସଙ୍ଗରେ ଦୈନିକ ଅମର ଉଜାଲା ରେ ଖବର ପ୍ରକାଶ ପାଇବା ପରେ ପ୍ରସଙ୍ଗ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲା।

ପ୍ରକୃତରେ କିଛି ପରିବର୍ତ୍ତନ ହେଲା ନାହିଁ।

ମେ ୧ ତାରିଖରେ, ଭୋଟ ଗଣତିର ୨୪ ଘଣ୍ଟା ପୂର୍ବରୁ, ସମାନ ଭାବେ ଅସନ୍ତୁଷ୍ଟ ସର୍ବୋଚ୍ଚଅଦାଲତ ସରକାରଙ୍କୁ ପ୍ରଶ୍ନ କରିଥିଲେ : “ଏହି ନିର୍ବାଚନରେ ପାଖାପାଖି ୭୦୦ ଶିକ୍ଷକ ପ୍ରାଣ ହରାଇଲେ, ଆପଣ ଏ ଦିଗରେ କ’ଣ କରୁଥିଲେ?” (ମାତ୍ର ୨୪ ଘଣ୍ଟା ମଧ୍ୟରେ ଉତ୍ତର ପ୍ରଦେଶରେ ୩୪,୩୭୨କୋଭିଡ-19 ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି)

ଅତିରିକ୍ତ ସଲିସିଟର ଜେନେରାଲଙ୍କ ଉତ୍ତର ଥିଲା : “ନିର୍ବାଚନ ହୋଇନଥିବା ରାଜ୍ୟରେ ମଧ୍ୟ, ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଦିଲ୍ଲୀରେ କୌଣସି ନିର୍ବାଚନ ନାହିଁ ତଥାପି ସେଠାରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ୁଛି। ଭୋଟ୍ ଗ୍ରହଣ ଆରମ୍ଭ ହେବା ସମୟରେ ଆମେ ଦ୍ଵିତୀୟ ଲହରୀର ମଧ୍ୟ ଭାଗରେ ନଥିଲୁ।”

ଅନ୍ୟ ଅର୍ଥରେ କହିବାକୁ ଗଲେ ମୃତ୍ୟୁ ପାଇଁ ନିର୍ବାଚନ ଏବଂ ଭୋଟ୍ ଗ୍ରହଣ ଦାୟୀ ନୁହେଁ।

PHOTO • Jigyasa Mishra
PHOTO • Jigyasa Mishra

‘ନିର୍ବାଚନ କାର୍ଯ୍ୟରେ ଯୋଗ ଦେଉଥିବା ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ଅତି ନଗଣ୍ୟ ଥିଲା’, ସନ୍ତୋଷ କୁମାର କୁହନ୍ତି

“ଆମ ପାଖରେ କୌଣସି ସଠିକ ତଥ୍ୟ ନାହିଁ ଯାହା ଦର୍ଶାଇ ପାରିବ ଯେ କିଏ ପଜିଟିଭ ଏବଂ କିଏ ପଜିଟିଭ୍ ନୁହନ୍ତି”, ଉତ୍ତର ପ୍ରଦେଶର ପ୍ରାଥମିକ ଶିକ୍ଷା ରାଷ୍ଟ୍ରମନ୍ତ୍ରୀ ସତୀଶ ଚନ୍ଦ୍ର ଦ୍ଵିବେଦୀ ପରୀକୁ କହିଥିଲେ। “ଆମେ କୌଣସି ଅଡିଟ୍ କରିନାହୁଁ। ଅଧିକନ୍ତୁ, କେବଳ ନିର୍ବାଚନ କାର୍ଯ୍ୟରେ ଯୋଗ ଦେଉଥିବା ଶିକ୍ଷକମାନେ ପଜିଟିଭ୍ ହୋଇନାହାନ୍ତି। କାର୍ଯ୍ୟରେ ଯୋଗ ଦେବା ପୂର୍ବରୁ ସେମାନେ କରୋନା ପଜିଟିଭ ନଥିଲେ ବୋଲି ଆମେ କିପରି ଜାଣିବୁ?” ସେ ପ୍ରଶ୍ନ କରିଥିଲେ।

ତେବେ, ଟାଇମ୍ସ ଅଫ ଇଣ୍ଡିଆର ଏକ ରିପୋର୍ଟରେ ସରକାରୀ ତଥ୍ୟ ବିଷୟରେ ଉଲ୍ଲେଖ କରାଯାଇଛି ଯେ “ଜାନୁଆରୀ ୩୦, ୨୦୨୦ ଏବଂ ଏପ୍ରିଲ ୪, ୨୦୨୧- ଏହି ୧୫ ମାସର ଅବଧି ମଧ୍ୟରେ ଉତ୍ତର ପ୍ରଦେଶରେ ୬.୩ ଲକ୍ଷ କୋଭିଡ-19 ମାମଲା ଚିହ୍ନଟ ହୋଇଥିଲା। ଏପ୍ରିଲ ୪ରୁ ଆରମ୍ଭ କରି ଏବେସୁଦ୍ଧା ୩୦ ଦିନ ମଧ୍ୟରେ ୮ ଲକ୍ଷରୁ ଅଧିକ ସଂକ୍ରମଣ ମାମଲା ଚିହ୍ନଟ କରାଯାଇଥିଲା ଯାହା ୟୁପିରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟାକୁ ୧୪ ଲକ୍ଷରେ ପହଞ୍ଚାଇ ଦେଇଥିଲା। ଏହି ଅବଧି ଥିଲା ଗ୍ରାମୀଣ ନିର୍ବାଚନର ସମୟ।” ଅନ୍ୟ ଅର୍ଥରେ କହିବାକୁ ଗଲେ, ମହାମାରୀ ଆରମ୍ଭ ହେବା ଠାରୁ ରାଜ୍ୟରେ ଯେତିକି ସଂଖ୍ୟକ ପଜିଟିଭ୍ ଚିହ୍ନଟ ହୋଇନଥିଲେ ତା’ଠାରୁ ଅଧିକ ନିର୍ବାଚନ ପ୍ରକ୍ରିୟା ଚାଲିବାର ମାତ୍ର ଗୋଟିଏ ମାସ ମଧ୍ୟରେ ଚିହ୍ନଟ ହୋଇଛନ୍ତି।

ମୃତ୍ୟୁବରଣ କରିଥିବା ୭୦୬ ଜଣ ଶିକ୍ଷକଙ୍କ ତାଲିକା ଏପ୍ରିଲ ୨୯ ତାରିଖରେ ପ୍ରସ୍ତୁତ ହୋଇଥିଲା, ସବୁଠୁ ଅଧିକ ପ୍ରଭାବିତ ହୋଇଥିଲା ଉତ୍ତର ପ୍ରଦେଶର ଆଜମଗଡ଼, ଯାହାକି ସେମାନଙ୍କ ମଧ୍ୟରୁ ୩୪ ଜଣଙ୍କୁ ହରାଇଥିଲା। ସେହିପରି ଗୋରଖପୁରରୁ ୨୮ ଜଣ, ଜୌନପୁରରୁ ୨୩ ଜଣ ଏବଂ ଲକ୍ଷ୍ନୌରୁ ୨୭ ଜଣ ଶିକ୍ଷକ ପ୍ରାଣ ହରାଇଥିଲେ। ୟୁପି ଶିକ୍ଷକ ମହାସଂଘର ଲକ୍ଷ୍ନୌ ଜିଲ୍ଲା ସଭାପତି ସୁଧାଂଶୁ ମୋହନ କୁହନ୍ତି ଯେ ମୃତ୍ୟୁ ସଂଖ୍ୟା ଥମିବାର ନାଁ ଧରୁନି। “ବିଗତ ପାଞ୍ଚ ଦିନ ମଧ୍ୟରେ”, ସେ ଆମକୁ ମେ ୪ ତାରିଖରେ କହିଥିଲେ, “ଆହୁରି ୭ ଜଣ ଶିକ୍ଷକ ପ୍ରାଣ ହରାଇଛନ୍ତି ଯେଉଁମାନେ ନିର୍ବାଚନ କାର୍ଯ୍ୟରୁ ଫେରିଥିଲେ”। (ପରୀ ଲାଇବ୍ରେରୀରେ ଅପଲୋଡ ହୋଇଥିବା ତାଲିକାରେ ଏହି ନାଁଗୁଡ଼ିକୁ ସାମିଲ କରାଯାଇଛି)।

ତେବେ, ଯଦିଓ ରିତେଶ କୁମାରଙ୍କ ଦୁଃଖ ଆମକୁ ଅତିକମ୍‌ରେ ୭୧୩ଜଣ ଶିକ୍ଷକଙ୍କ ପରିବାର କେଉଁ ସ୍ଥିତି ଦେଇ ଗତି କରୁଥିବ ତା’ର ସାମାନ୍ୟ ଧାରଣା ଦେଇଥାଏ, ତଥାପି ଏହା ସମ୍ପୂର୍ଣ୍ଣ କାହାଣୀ ନୁହେଁ। ଆହୁରି କିଛି ଲୋକ ଅଛନ୍ତି ଯେଉଁମାନେ ବର୍ତ୍ତମାନ କୋଭିଡ-19ରେ ସଂକ୍ରମିତ ହୋଇଛନ୍ତି; ଯେଉଁମାନଙ୍କର ପରୀକ୍ଷା କରାଯିବାକୁ ବାକି ରହିଛି ଏବଂ ଯେଉଁମାନେ ସେମାନଙ୍କ ପରୀକ୍ଷା ରିପୋର୍ଟ ଅପେକ୍ଷାରେ ରହିଛନ୍ତି, ସେମାନେ ମଧ୍ୟ ସଂଘର୍ଷ କରୁଛନ୍ତି। ଏମିତି କିଛି ଲୋକ ମଧ୍ୟ ଅଛନ୍ତି ଯେଉଁମାନଙ୍କ ଠାରେ ଘରକୁ ଫେରିବା ପରେ କୌଣସି ଲକ୍ଷଣ ନାହିଁ କିନ୍ତୁ ସେମାନେ ନିଜକୁ ପୃଥକବାସରେ ରଖିଛନ୍ତି। ସେମାନଙ୍କର କାହାଣୀରୁ ପ୍ରତିଫଳିତ ହେଉଥିବା ବାସ୍ତବତା ମାଡ୍ରାସ ଓ ଆହ୍ଲାବାଦ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ କ୍ରୋଧ ଓ ଅସନ୍ତୋଷର କାରଣ ଥିଲା।

“ନିର୍ବାଚନ କାର୍ଯ୍ୟରେ ଯୋଗ ଦେଇଥିବା ସରକାରୀ କର୍ମଚାରୀଙ୍କ ସୁରକ୍ଷା ପାଇଁ ବ୍ୟବସ୍ଥା ଅତ୍ୟନ୍ତ ନଗଣ୍ୟ ଥିଲା”, ୪୩ ବର୍ଷୀୟ ସନ୍ତୋଷ କୁମାର କହିଛନ୍ତି। ସେ ଲକ୍ଷ୍ନୌର ଗୋସାଇଗଞ୍ଜ ବ୍ଲକରେ ଥିବା ଏକ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଭାବେ କାର୍ଯ୍ୟରତ ଏବଂ ସେ ଉଭୟ ଭୋଟ ଗ୍ରହଣ ଓ ଗଣତି ଦିନ ଉପସ୍ଥିତ ଥିଲେ। “ସାମାଜିକ ଦୂରତା ବିଷୟରେ ଚିନ୍ତା ମଧ୍ୟ କରାନଯାଇ ଯୋଗାଡ଼ କରାଯାଇଥିବା ବସ୍‌ ଓ ଅନ୍ୟ ଗାଡ଼ିରେ ଆମକୁ ଯାତ୍ରା କରିବାକୁ ହୋଇଥିଲା। ଏହାପରେ, ଭୋଟ୍ କେନ୍ଦ୍ରରେ, ଆମ ପାଖରେ ଗ୍ଲୋବ୍ସ କିମ୍ବା ସାନିଟାଇଜର ଆଦି କୌଣସି ସତର୍କତାମୂଳକ ବ୍ୟବସ୍ଥା ନଥିଲା। କେବଳ ଆମେ ଯେତିକି ସାଙ୍ଗରେ ନେଇଥିଲୁ ସେତିକି ଥିଲା। ଏପରିକି ଆମେ ନିଜ ସହ ନେଇଥିବା ଅତିରିକ୍ତ ମାସ୍କ ଆମେ ସେହି ଭୋଟରମାନଙ୍କୁ ଦେଇଥିଲୁ ଯେଉଁମାନେ ବିନା ମାସ୍କରେ ଭୋଟ୍ ଦେବାକୁ ଚାଲିଆସିଥିଲେ।

ଚିତ୍ରଣ: ଅନ୍ତରା ରମଣ

‘ମୁଁ ରସୋୟା ଙ୍କ ଠାରୁ ପ୍ରତି ଗୋଟିଏ ଦିନ ଅନ୍ତରାଳରେ ଫୋନ୍ କଲ୍‌ ପାଇଥାଏ ଏବଂ ସେ ମୋତେ ଗାଁର ସ୍ଥିତି କିପରି ଭାବେ ବିଗିଡ଼ି ଚାଲିଛି ସେ ସମ୍ପର୍କରେ ସୂଚନା ଦେଇଥାନ୍ତି। ସେଠାରେ ଲୋକମାନେ ଏହା ସୁଦ୍ଧା ଜାଣନ୍ତି ନାହିଁ ଯେ ସେମାନେ କାହିଁକି ମରୁଛନ୍ତି’

“କାମ ବାତିଲ କରି ଫେରିଯିବା ଲାଗି ଆମ ପାଖରେ କୌଣସି ବିକଳ୍ପ ନଥିଲା ଏହା ସତ୍ୟ”, ସେ କୁହନ୍ତି। “ଥରେ ତୁମ ନାମ ତାଲିକାରେ ଆସିଛି ମାନେ, ତୁମକୁ କାର୍ଯ୍ୟରେ ଯୋଗ ଦେବାକୁ ହେବ। ଏପରିକି ଗର୍ଭବତୀ ମହିଳାଙ୍କୁ ମଧ୍ୟ ନିର୍ବାଚନ କାମରେ ଯୋଗ ଦେବାକୁ ହୋଇଥିଲା, ସେମାନଙ୍କ ଛୁଟି ଦରଖାସ୍ତ ନାକଚ ହୋଇଯାଇଥିଲା।” ଏବେ ସୁଦ୍ଧା କୁମାରଙ୍କର କୌଣସି ଲକ୍ଷଣ ନାହିଁ-ଏବଂ ସେ ମେ ୨ ଭୋଟ ଗଣତିରେ ମଧ୍ୟ ଅଂଶଗ୍ରହଣ କରିଥିଲେ।

ମିତୁ ଅୱସ୍ତି, ଲକ୍ଷ୍ମୀପୁର ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ, ତାଙ୍କ କ୍ଷେତ୍ରରେ ଭାଗ୍ୟ ଆହୁରି ନିଷ୍ଠୁର ଥିଲା। ଯେଉଁଦିନ ସେ ପ୍ରଶିକ୍ଷଣ ନେଲେ, ସେ ପରୀକୁ କହିଥିଲେ, ତାଙ୍କ ସହ “କୋଠରୀରେ ଆହୁରି ୬୦ ଜଣ ଥିଲେ।  ସେମାନେ ସମସ୍ତେ ଲକ୍ଷ୍ମୀପୁର ବ୍ଲକର ଭିନ୍ନ ଭିନ୍ନ ବିଦ୍ୟାଳୟରୁ ଆସିଥିଲେ।  ସେମାନେ ସମସ୍ତେ ବସିଥିଲେ, ପାଖକୁ ଲଗାଲଗି ହୋଇ, କହୁଣୀକୁ କହୁଣୀ ବାଜୁଥିଲା, ଏବଂ ସେମାନେ ଗୋଟିଏ ମାତ୍ର ବାଲାଟ୍ ବାକ୍ସରେ ପ୍ରଶିକ୍ଷଣ ନେଉଥିଲେ। ସେଠାକାର ସ୍ଥିତି କେତେ ଭୟଙ୍କର ଥିଲା ଆପଣ କଳ୍ପନା ସୁଦ୍ଧା କରିପାରିବେ ନାହିଁ।”

ଅୱସ୍ତି, ୩୮, ସେବେଠାରୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେ ତାଙ୍କର ପ୍ରଶିକ୍ଷଣ ଶେଷ କରିଥିଲେ-ଯାହାକୁ ସେ ଏଥିପାଇଁ ଦାୟୀ ବୋଲି ମାନନ୍ତି-ଏବଂ ଭୋଟ ଗ୍ରହଣ ଓ ଗଣତିକୁ ଯାଇନଥିଲେ। ତେବେ, ତାଙ୍କ ବିଦ୍ୟାଳୟର ଅନ୍ୟ କର୍ମଚାରୀଙ୍କୁ ଏପରି କାମ ଦିଆଯାଇଥିଲା।

“ଆମର ଅତିରିକ୍ତ ଶିକ୍ଷକମାନଙ୍କ ମଧ୍ୟରୁ ଜଣେ, ଇନ୍ଦ୍ରକାନ୍ତ ଯାଦବ, ଅତୀତରେ କେବେ ନିର୍ବାଚନ କାର୍ଯ୍ୟ କରିନଥିଲେ। ଏଥର ସେ କଲେ,” ସେ କହିଥିଲେ। “ଯାଦବ ଭିନ୍ନକ୍ଷମ ଥିଲେ। ତାଙ୍କର ମାତ୍ର ଗୋଟିଏ ହାତ ଥିଲା, ତଥାପି ତାଙ୍କୁ କାର୍ଯ୍ୟରେ ଯୋଗ ଦେବାକୁ ପଡ଼ିଲା। ସେଠାରୁ ଫେରିବାର ଦୁଇ ଦିନ ପରେ ସେ ଅସୁସ୍ଥ ହୋଇପଡ଼ିଲେ ଏବଂ ଶେଷରେ ତାଙ୍କର ମୃତ୍ୟୁ ଘଟିଲା।”

“ମୁଁ ପ୍ରତି ଗୋଟିଏ ଦିନ ଅନ୍ତରାଳରେ ରସୋୟା (ବିଦ୍ୟାଳୟର ରୋଷେଇଆ) ଙ୍କ ଠାରୁ ଫୋନ କଲ୍‌ ପାଇଥାଏ ଏବଂ ତାଙ୍କ ଗ୍ରାମରେ ସ୍ଥିତି କିପରି ଭାବେ ବିଗିଡ଼ି ଚାଲିଛି ସେ ସମ୍ପର୍କରେ ସେ କୁହନ୍ତି। ସେଠାକାର ଲୋକମାନେ ଏହାସୁଦ୍ଧା ଜାଣନ୍ତି ନାହିଁ ଯେ ସେମାନେ କାହିଁକି ମରୁଛନ୍ତି। ସେମାନଙ୍କଠାରେ ଦେଖାଦେଉଥିବା ଜ୍ୱର ଓ କଫ ବିଷୟରେ ସେମାନେ କିଛି ଜାଣନ୍ତି ନାହିଁ-ଯାହା ହୁଏତ କୋଭିଡ-19 ହୋଇପାରେ”, ଅୱସ୍ତି କୁହନ୍ତି।

ଶିବା କେ, ୨୭, ମାତ୍ର ଗୋଟିଏ ବର୍ଷ ହେବ ଚିତ୍ରକୁଟର ମଉ ବ୍ଲକର ଏକ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଭାବେ ଯୋଗ ଦେଇଥିଲେ। ନିର୍ବାଚନ କାମରେ ଯିବା ପୂର୍ବରୁ ସେ ନିଜର ପରୀକ୍ଷା କରାଇଥିଲେ: “ନିରାପଦ ରହିବା ଲାଗି, ମୁଁ ନିର୍ବାଚନ କାମରେ ଯିବା ପୂର୍ବରୁ ମୋର ଆରଟି-ପିସିଆର ପରୀକ୍ଷା କରାଇଥିଲି ଏବଂ ସବୁକିଛି ଭଲ ଥିଲା”। ଏହାପରେ ଏପ୍ରିଲ ୧୮ ଓ ୧୯ ତାରିଖରେ ସେ ସେହି ବ୍ଲକର ବିୟାୱାଲ ଗ୍ରାମରେ କାର୍ଯ୍ୟରେ ଯୋଗ ଦେଇଥିଲେ। “କିନ୍ତୁ କାର୍ଯ୍ୟରେ ଯୋଗ ଦେଇ ଫେରିବା ପରେ ମୁଁ ଯେତେବେଳେ ପୁଣିଥରେ ମୋର ଟେଷ୍ଟ କରାଇଲି ରିପୋର୍ଟ କୋଭିଡ ପଜିଟିଭ୍ ଆସିଲା”, ସେ ପରୀକୁ କହିଥିଲେ।

PHOTO • Courtesy: UP Shikshak Mahasangh
PHOTO • Courtesy: UP Shikshak Mahasangh

ବରେଲୀ (ବାମ) ଏବଂ ଫିରୋଜବାଦ (ଡାହାଣ) : ମେ ତାରିଖରେ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକମାନେ ଭୋଟଗଣତି ସ୍ଥଳରେ ଏକତ୍ରିତ ହୋଇଛନ୍ତି; କୌଣସି ଦୂରତା କିମ୍ବା କୋଭିଡ ନିୟମ ପାଳନ କରାଯାଇନାହିଁ।

“ମୁଁ ଅନୁମାନ କରୁଛି ଯେ ଚିତ୍ରକୂଟ ଜିଲ୍ଲା ମୁଖ୍ୟାଳୟରୁ ଆମକୁ ମତଦାନ କେନ୍ଦ୍ର ପର୍ଯ୍ୟନ୍ତ ଆଣିଥିବା ବସରେ ମୁଁ ସଂକ୍ରମିତ ହୋଇଛି। ସେହି ବସ୍‌ରେ ପୁଲିସ କର୍ମଚାରୀଙ୍କ ସମେତ ପାଖାପାଖି ୩୦ଜଣ ବ୍ୟକ୍ତି ଥିଲେ।” ସେ ପୃଥକବାସରେ ରହି ଚିକିତ୍ସିତ ହେଉଛନ୍ତି।

ଏହି ବିପର୍ଯ୍ୟୟ ବ୍ୟାପିବାର ସବୁଠୁ ରୋଚକ କାରଣ ହେଉଛି ମତଦାନ କେନ୍ଦ୍ରରେ ପହଞ୍ଚୁଥିବା ସମସ୍ତ ଏଜେଣ୍ଟଙ୍କ ପାଇଁ ଆରଟି-ପିସିଆର ନେଗେଟିଭ ପ୍ରମାଣପତ୍ର ବାଧ୍ୟତାମୂଳକ ହୋଇଥିଲେ ସୁଦ୍ଧା ଏହାକୁ ଯାଞ୍ଚ କରିବା ଲାଗି କୌଣସି ବ୍ୟବସ୍ଥା ନଥିଲା। ସନ୍ତୋଷ କୁମାର, ଯିଏକି ସେବେଠାରୁ ଗଣତି କାର୍ଯ୍ୟରେ ନିୟୋଜିତ ଥିଲେ, କୁହନ୍ତି ଏହି ଏବଂ ଅନ୍ୟ ଗାଇଡଲାଇନକୁ କେବେ ବି କେନ୍ଦ୍ରରେ ପାଳନ କରାଯାଇନଥିଲା।

*****

“ଆମେ ଏପ୍ରିଲ ୨୮ ତାରିଖରେ ଉତ୍ତର ପ୍ରଦେଶ ରାଜ୍ୟ ନିର୍ବାଚନ ଆୟୋଗ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଏକ ପତ୍ର ଲେଖି ମେ ୨ ତାରିଖରେ ଭୋଟ ଗଣତି ଦିନକୁ ଘୁଞ୍ଚାଇ ଦେବା ଲାଗି ଅନୁରୋଧ କରିଥିଲୁ”, ଶିକ୍ଷକ ମହାସଂଘ ସଭାପତି ଦିନେଶ ଚନ୍ଦ୍ର ଶର୍ମା କହିଥିଲେ। “ପରଦିନ ଆମେ ନିର୍ବାଚନ ଆୟୋଗ ଏବଂ ମୁଖ୍ୟମନ୍ତ୍ରୀଙ୍କୁ ୭୦୦ ମୃତ ଶିକ୍ଷକମାନଙ୍କ ତାଲିକା ଦେଇଥିଲୁ, ଯାହାକୁ ଆମେ ଆମ ସଂଘର ବ୍ଲକସ୍ତରୀୟ ଶାଖା ଜରିଆରେ ପ୍ରସ୍ତୁତ କରିଥିଲୁ।”

ଶର୍ମା ଏ ସମ୍ପର୍କରେ ଜାଣନ୍ତି, କିନ୍ତୁ ପ୍ରତିକ୍ରିୟା ଦେବାକୁ ମନା କରିଥିଲେ, ମାଡ୍ରାସ ଉଚ୍ଚ ନ୍ୟାୟାଳୟ ଭାରତର ନିର୍ବାଚନ ଆୟୋଗଙ୍କୁ ଭର୍ତ୍ସନା କରିବା ପ୍ରସଙ୍ଗରେ। ତେବେ, ସେ ଅତ୍ୟନ୍ତ ଦୁଃଖର ସହିତ କହିଥାନ୍ତି ଯେ “ଆମ ଜୀବନର କୌଣସି ମୂଲ୍ୟ ନାହିଁ, କାରଣ ଆମେ ସାଧାରଣ ଲୋକ, ଧନୀ ଲୋକ ନୋହୁଁ। ସରକାର ନିର୍ବାଚନ ଘୁଞ୍ଚାଇ ଶକ୍ତିଶାଳୀ ଲୋକମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିଲେ-କାରଣ ସେହି ଲୋକମାନେ ନିର୍ବାଚନରେ ବହୁ ପରିମାଣରେ ଅର୍ଥ ପୂର୍ବରୁ ଖର୍ଚ୍ଚ କରିସାରିଥିଲେ। ବରଂ, ଆମେ ଦେଇଥିବା ତଥ୍ୟ ପାଇଁ ଆମକୁ ଅଯୌକ୍ତିକ ଅଭିଯୋଗର ସମ୍ମୁଖୀନ ହେବାକୁ ପଡ଼ିଥିଲା।

“ଏଠାରେ ଦେଖନ୍ତୁ, ଆମର ୧୦୦ ବର୍ଷ ପୁରୁଣା ସଂଘ ଯେଉଁଥିରେ ୩୦୦,୦୦୦ ଲକ୍ଷ ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସରକାରୀ ଶିକ୍ଷକ ସାମିଲ ରହିଛନ୍ତି। ଆପଣ ଭାବୁଛନ୍ତି କି ମିଛ ଓ ଜାଲିଆତି କରି ଗୋଟିଏ ସଂଘ ଏତେ ବର୍ଷ ଧରି ତିଷ୍ଠି ରହିପାରିବ?

“ସେମାନେ ଆମ ତଥ୍ୟକୁ ବିଚାର ଓ ଗ୍ରହଣ କରିବାକୁ କେବଳ ମନା କରି ଦେଇନାହାନ୍ତି, ବରଂ ସେମାନେ ଏହା ଉପରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଆମ ପକ୍ଷରୁ, ଆମେ ଅନୁଭବ କରିଛୁ ଯେ ଏହି ପ୍ରଥମ ତାଲିକାରେ ୭୦୬ ଜଣଙ୍କ ନାମ ଥିଲେ ମଧ୍ୟ ଆମେ ଆହୁରି ଅନେକଙ୍କୁ ଛାଡ଼ି ଦେଇଛୁ। ତେଣୁ ଆମକୁ ତାଲିକା ସଂଶୋଧନ କରିବାକୁ ହେବ।

ଚିତ୍ରଣ: ଜିଜ୍ଞାସା ମିଶ୍ର

ସେ ଅତ୍ୟନ୍ତ ଦୁଃଖର ସହିତ କହିଥାନ୍ତି ଯେ “ଆମ ଜୀବନର କୌଣସି ମୂଲ୍ୟ ନାହିଁ, କାରଣ ଆମେ ସାଧାରଣ ଲୋକ, ଧନୀ ଲୋକ ନୋହୁଁ। ସରକାର ନିର୍ବାଚନ ଘୁଞ୍ଚାଇ ଶକ୍ତିଶାଳୀ ଲୋକମାନଙ୍କୁ ଅସନ୍ତୁଷ୍ଟ କରିବାକୁ ଚାହୁଁନଥିଲେ-କାରଣ ସେହି ଲୋକମାନେ ନିର୍ବାଚନରେ ବହୁ ପରିମାଣରେ ଅର୍ଥ ପୂର୍ବରୁ ଖର୍ଚ୍ଚ କରିସାରିଛନ୍ତି।”

ମହାସଂଘର ଲକ୍ଷ୍ନୌ ଜିଲ୍ଲା ସଭାପତି ସୁଧାଂଶୁ ମୋହନ ପରୀକୁ କହିଛନ୍ତି, “ଭୋଟ ଗଣତିରୁ ଫେରି କୋଭିଡ ପଜିଟିଭ ହୋଇଥିବା ଶିକ୍ଷକମାନଙ୍କ ତାଲିକାକୁ ଆମେ ସଂଶୋଧନ କରୁଛୁ। ଏମିତି ବହୁ ଶିକ୍ଷକ ଅଛନ୍ତି ଯେଉଁମାନେ ଲକ୍ଷଣ ଦେଖା ଦେବା ପରେ ୧୪ ଦିନିଆ ସତର୍କତାମୂଳକ ପୃଥକବାସରେ ରହୁଛନ୍ତି କିନ୍ତୁ ଟେଷ୍ଟ କରାଇନାହାନ୍ତି।”

ଦିନେଶ ଶର୍ମା କୁହନ୍ତି ଯେ ସଂଘ ପକ୍ଷରୁ ଲେଖାଯାଇଥିବା ପ୍ରଥମ ଚିଠିରେ “ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରିଥିବା ସମସ୍ତ କର୍ମଚାରୀମାନଙ୍କୁ କୋଭିଡ-19ରୁ ସୁରକ୍ଷିତ ରହିବା ଲାଗି ଯଥେଷ୍ଟ ସାମଗ୍ରୀ ଯୋଗାଇ ଦେବାକୁ ଦାବି କରାଯାଇଥିଲା।” ଯାହାକୁ କେହି ଶୁଣିନଥିଲେ।

“ମୁଁ ଯଦି ଜାଣିଥାନ୍ତି ଯେ ମୋ ସ୍ୱାମୀଙ୍କୁ ମୁଁ ଏପରି ଭାବେ ହରାଇବି ବୋଲି, ମୁଁ କେବେ ବି ତାଙ୍କୁ ଛାଡ଼ିନଥାନ୍ତି। ଅତି ବେଶୀରେ, ସେ ଚାକିରି ହରାଇଥାନ୍ତେ, କିନ୍ତୁ ଜୀବନ ନୁହେଁ”, ଅପର୍ଣ୍ଣା ମିଶ୍ରା କହିଥାନ୍ତି।

ଶିକ୍ଷକ ମହାସଂଘ ପକ୍ଷରୁ ସରକାରଙ୍କୁ ଲେଖା ଯାଇଥିବା ପ୍ରଥମ ପତ୍ରରେ ଏହା ମଧ୍ୟ ଦାବି କରାଯାଇଥିଲା ଯେ “କାର୍ଯ୍ୟରତ ଥିବା ସମୟରେ କେହି ବ୍ୟକ୍ତି କୋଭିଡ-19ରେ ସଂକ୍ରମିତ ହେଲେ ତାଙ୍କୁ ଚିକିତ୍ସା ପାଇଁ ୨୦ ଲକ୍ଷ ଟଙ୍କା ଦିଆଯାଉ। ମୃତ୍ୟୁବରଣ କରିବା କ୍ଷେତ୍ରରେ ମୃତକଙ୍କ ପରିବାରକୁ 50 ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଉ।”

ଯଦି ଏପରି ହୋଇଥାନ୍ତା ତା’ହେଲେ ଅପର୍ଣ୍ଣା ଓ ତାଙ୍କ ଭଳି ଅନ୍ୟମାନେ କିଛି ପରିମାଣରେ ଆଶ୍ୱସ୍ତି ପାଇପାରିଥାନ୍ତେ ଯେଉଁମାନଙ୍କ ଜୀବନସାଥୀ କିମ୍ବା ପରିବାର ସଦସ୍ୟ ସେମାନଙ୍କ ଚାକିରି ସହିତ ଜୀବନ ମଧ୍ୟ ହରାଇଛନ୍ତି।

ସୂଚନା: ଜଷ୍ଟ ଇନରେ ପ୍ରକାଶିତ ଖବର ଅନୁଯାୟୀ, ଉତ୍ତର ପ୍ରଦେଶ ସରକାର ଆହ୍ଲାବାଦ ହାଇକୋର୍ଟଙ୍କୁ ଜଣାଇଛନ୍ତି ଯେ ସେମାନେ ନିର୍ବାଚନ କାର୍ଯ୍ୟରେ ପ୍ରାଣ ହରାଇଥିବା କର୍ମଚାରୀଙ୍କ ପରିବାରବର୍ଗଙ୍କୁ ୩୦,୦୦,୦୦୦ ଟଙ୍କା କ୍ଷତିପୂରଣ ପ୍ରଦାନ କରିବେ। “ତେବେ ରାଜ୍ୟ ନିର୍ବାଚନ ଆୟୋଗଙ୍କ ଓକିଲ ଅଦାଲତଙ୍କୁ କହିଛନ୍ତି ଯେ ବର୍ତ୍ତମାନସୁଦ୍ଧା ୨୮ ଟି ଜିଲ୍ଲାରୁ ୭୭ ଜଣ ପ୍ରାଣ ହରାଇଥିବା ସୂଚନା ରହିଛି।

ଜିଜ୍ଞାସା ମିଶ୍ର ଠାକୁର ପରିବାର ଫାଉଣ୍ଡସନର ସ୍ୱାଧୀନ ସମ୍ବାଦିକତା ଗ୍ରାଣ୍ଟ ଜରିଆରେ ସାଧାରଣ ସ୍ୱାସ୍ଥ୍ୟ ନାଗରିକ ସ୍ୱତନ୍ତ୍ରତା ସମ୍ବନ୍ଧିତ ବିବରଣୀ ପ୍ରସ୍ତୁତ କରନ୍ତି ଠାକୁର ପରିବାର ଫାଉଣ୍ଡେସନ୍‌ ଏହି ବିବୃତିର ବିଷୟବସ୍ତୁ ଉପରେ କୌଣସି ପ୍ରକାରର ସମ୍ପାଦକୀୟ ନିୟନ୍ତ୍ରଣ ଜାହିର କରେନାହିଁ

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Jigyasa Mishra

Jigyasa Mishra is an independent journalist based in Chitrakoot, Uttar Pradesh.

Other stories by Jigyasa Mishra
Lead Illustration : Antara Raman

Antara Raman is an illustrator and website designer with an interest in social processes and mythological imagery. A graduate of the Srishti Institute of Art, Design and Technology, Bengaluru, she believes that the world of storytelling and illustration are symbiotic.

Other stories by Antara Raman