“ଟ୍ରାକ୍ଟରର ଏକ ଟ୍ରଲି ଗ୍ରାମ ଚାରି ପାଖରେ ବୁଲିଲା ଏବଂ ସମସ୍ତଙ୍କୁ ଅନୁରୋଧ କରାଗଲା ଯେ ଆନ୍ଦୋଳନସ୍ଥଳୀକୁ ପଠାଇବା ଲାଗି କିଛି ସହାୟତା ଦିଆଯାଉ। ମୁଁ ୫୦୦ ଟଙ୍କା, ତିନି ଲିଟର କ୍ଷୀର ଏବଂ ଗୋଟିଏ ଗିନା ଚିନି ଦେଲି”, ହରିୟାଣାର ହିସାର ଜିଲ୍ଲାର ପେଟୱାଡ଼ ଗ୍ରାମର ୩୪ ବର୍ଷୀୟା ସୋନିଆ ପେଟୱାଡ଼ କହିଥିଲେ।

ନାରନୌନ୍ଦ ତହସିଲସ୍ଥିତ ସେମାନଙ୍କ ଗ୍ରାମରେ ଡିସେମ୍ବର ୨୦୨୦ ମଧ୍ୟଭାଗରେ ପ୍ରଥମ ଥର ରାସନ ଏକତ୍ରିତ କରାଯାଇଥିଲା। ଏହି ରାସନ ପେଟୱାଡ଼ଠାରୁ ୧୦୫ କିମି ଦୂର, ଦିଲ୍ଲୀ-ହରିୟାଣା ସୀମାରେ ଥିବା ଟିକରୀକୁ ପଠାଯାଇଥିଲା, ଯେଉଁଠି କୃଷକମାନେ କେନ୍ଦ୍ର ସରକାରଙ୍କ ପକ୍ଷରୁ ପାରିତ ତିନୋଟି ନୂଆ କୃଷି ଆଇନ ବିରୋଧରେ ୨୬ ନଭେମ୍ବରଠାରୁ ଆନ୍ଦୋଳନ କରି ଆସୁଛନ୍ତି।

“ମୋ ପାଖରେ ଅଧିକ ଟଙ୍କା ନଥିଲା। ସେଥିପାଇଁ ମୁଁ କାଠ ଖଣ୍ଡ ଦାନ କଲି”, ସୋନିଆଙ୍କ ବଡ଼ ପରିବାରର ସଦସ୍ୟ, ୬୦ ବର୍ଷୀୟା ଶାନ୍ତି ଦେବୀ କହିଥିଲେ। “ସେତେବେଳେ ଥଣ୍ଡା ପଡ଼ୁଥିଲା। ମୁଁ ଭାବିଲି, ଆନ୍ଦୋଳନକାରୀମାନେ କାଠ ଜଳାଇ ନିଜକୁ ଗରମ ରଖିପାରିବେ।”

ଟ୍ରାକ୍ଟର ଟ୍ରଲି ପେଟୱାଡ଼ରେ ଦ୍ୱିତୀୟ ଥର ପାଇଁ ଜାନୁଆରୀ ପ୍ରାରମ୍ଭରେ ଆସିଥିଲା। “ଯେତେବେଳେ କୌଣସି ବ୍ୟକ୍ତି ଆନ୍ଦୋଳନସ୍ଥଳୀକୁ ଯାଇଥାନ୍ତି, ଗ୍ରାମର ପ୍ରତ୍ୟେକ ମହିଳା ତାଙ୍କୁ କିଛି ନା କିଛି ଦେଇଥାନ୍ତି”, ସୋନିଆ କହିଥିଲେ। ଗୋପାଳନ କରୁଥିବା ମହିଳାମାନେ କ୍ଷୀର ଦେଇ ସହାୟତା କରିଥାନ୍ତି। ଏହା ପରଦା ପଛରେ ରହି କୃଷକ ଆନ୍ଦୋଳନକୁ ସମର୍ଥନ କରିବା ଲାଗି ସେମାନଙ୍କର ଉପାୟ।

କୃଷକମାନେ ଆନ୍ଦୋଳନସ୍ଥଳୀକୁ ଆସିବାର ଆଜକୁ ତିନି ମାସ ହୋଇଗଲାଣି ଏବଂ ହଜାର ହଜାର ଆନ୍ଦୋଳନକାରୀ-ପୁରୁଷ ଓ ମହିଳା-ଏବେ ବି ଦିଲ୍ଲୀ ସୀମାରେ-ମୁଖ୍ୟତଃ ଟିକରୀ ଏବଂ ସିଂଘୁ (ଦିଲ୍ଲୀ-ହରିୟାଣା ସୀମା) ଏବଂ ଗାଜିପୁର (ଦିଲ୍ଲୀ-ଉତ୍ତର ପ୍ରଦେଶ ସୀମା)ରେ ଏକତ୍ରିତ ହୋଇଛନ୍ତି।

ମୁଁ ପ୍ରଥମ ଥର ପାଇଁ ଫେବୃଆରୀ ୩ ତାରିଖ ଅପରାହ୍ଣରେ ସୋନିଆଙ୍କୁ ଟିକରୀରେ ଭେଟିଥିଲି। ସେ ଆନ୍ଦୋଳନସ୍ଥଳୀକୁ ପେଟୱାଡ଼-ପାଖାପାଖି ୧୦,୦୦୦ ଜନସଂଖ୍ୟା ଥିବା ଗ୍ରାମ (୨୦୧୧ ଜନଗଣନା)-ରୁ ୧୫୦ ଜଣ ମହିଳାଙ୍କ ଏକ ଗୋଷ୍ଠୀ ସହିତ ଆସିଥିଲେ, କିନ୍ତୁ ସେତେବେଳେ ସେମାନେ ଫେରିଯିବା ଲାଗି ପ୍ରସ୍ତୁତ ହେଉଥିଲେ। “ଆନ୍ଦୋଳନକୁ ଦେଖିବା ପରେ ଉତ୍ସାହ ଆସିଯାଇଥାଏ”, ସେ ପରେ ମୋତେ କହିଥିଲେ, ଯେତେବେଳେ ମୁଁ ଫେବୃଆରୀ ୭ ତାରିଖରେ ପେଟୱାଡ଼ରେ ତାଙ୍କୁ ଭେଟିଲି।

PHOTO • Sanskriti Talwar
PHOTO • Sanskriti Talwar

ସୋନିଆ (ବାମ) ଏବଂ ତାଙ୍କର ପରିବାର ପେଟୱାଡ଼ରେ ନିଜ ଅଂଶର ଜମି (ଡାହାଣ)କୁ ନିଜ ସମ୍ପର୍କୀୟମାନଙ୍କୁ ଭାଗ ଚାଷ ଲାଗି ଦେଇଥାନ୍ତି। ସେଥିରେ ସେମାନେ ମୁଖ୍ୟତଃ ଗହମ ଏବଂ ଧାନ ଚାଷ କରିଥାନ୍ତି।

“ଏବେ ଆମେ ଏକ ଭିନ୍ନ ସମୟରେ ରହୁଛୁ, ଏହାର ବିପରୀତ ପୂର୍ବରୁ ମହିଳାମାନଙ୍କୁ କିଛି କରିବା ଉପରେ ରୋକ ଲଗାଯାଉଥିଲା”, ସୋନିଆ କହିଥିଲେ। “ଆମକୁ ଏହି ସଂଘର୍ଷରେ ସାମିଲ ହେବାକୁ ପଡ଼ିବ। ଯଦି ମହିଳାମାନେ ପଛକୁ ହଟିଯିବେ, ତା’ହେଲେ ଏହି ଆନ୍ଦୋଳନ କିପରି ଭାବେ ଆଗକୁ ବଢ଼ିବ?”

ମହିଳାମାନେ ଏହି ସଂଘର୍ଷରେ ସମ୍ପୂର୍ଣ୍ଣ ଉତ୍ସାହର ସହିତ ଭାଗ ନେଉଛନ୍ତି, ପଞ୍ଜାବ କୃଷକ ୟୁନିଅନର ରାଜ୍ୟ ସମିତି ସଦସ୍ୟ ଜସବୀର କୌର ନଟ୍ଟ କହିଥିଲେ। “ଗ୍ରାମରୁ ପିନ୍ନୀ (ମିଠା) ପଠାଇ କିମ୍ବା ଏଠାରେ ଥିବା ଲୋକମାନଙ୍କୁ ଖାଇବାକୁ ଦେବା ଲାଗି ରାସନ ଏକତ୍ରିତ କରି-ମହିଳାମାନେ ସବୁପ୍ରକାରରେ ଯୋଗଦାନ କରୁଛନ୍ତି।”

ସୋନିଆ ଓ ତାଙ୍କର ସ୍ୱାମୀ, ବୀରେନ୍ଦ୍ର (୪୩), ହରିୟାଣାର ଜାଟ୍ ସମ୍ପ୍ରଦାୟର ଅଟନ୍ତି। ପେଟୱାଡ଼ରେ ବୀରେନ୍ଦ୍ରଙ୍କ ପିତା ଏବଂ ତାଙ୍କର ପାଞ୍ଚ ଭାଇଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଖରେ ୧.୫ ଏକର ଜମି ରହିଛି। ସେଥିମଧ୍ୟରୁ ଚାରି ଜଣ, ଯେଉଁମାନଙ୍କ ମଧ୍ୟରେ ସୋନିଆଙ୍କ ଶ୍ୱଶୂର ମଧ୍ୟ ସାମିଲ ଅଛନ୍ତି,ଙ୍କର ମୃତ୍ୟୁ ଘଟିସାରିଛି ଏବଂ ସେମାନଙ୍କ ଜମି ପୁଅମାନଙ୍କ ପାଖକୁ ଚାଲିଯାଇଛି। ବୀରେନ୍ଦ୍ର, ଯିଏକି ରିଅଲ ଇଷ୍ଟେଟ୍ ବ୍ୟବସାୟ କରିଥାନ୍ତି, ଏବଂ ତାଙ୍କ ଭାଇମାନେ ଏବେ ମିଳିତ ଭାବେ ପିତାଙ୍କ ଜମିର ମାଲିକ ଅଟନ୍ତି।

ଯେତେବେଳେ ମୁଁ ୨୦ ବର୍ଷର ଥିଲି, ମୋର ସ୍ୱାମୀଙ୍କର ମୃତ୍ୟୁ ଘଟିଲା”, ଶାନ୍ତି କହିଥିଲେ, ଯିଏକି ବୀରେନ୍ଦ୍ରଙ୍କ ଜଣେ କକାଙ୍କର ବିଧବା ଅଟନ୍ତି। ତାଙ୍କ ବାହାଘର ୧୪ ବର୍ଷ ବୟସରେ ହୋଇଯାଇଥିଲା। “ସେବେଠାରୁ ମୁଁ ମୋ ଭାଗ ଜମିରେ ଚାଷ କରୁଛି”। ଶାନ୍ତି, ଯିଏକି ସୋନିଆଙ୍କ ଘର ପାଖରେ ରହିଥାନ୍ତି,  ଯେତେବେଳେ ମୁଁ ସେଠାରେ ଥିଲି, ସେତିକିବେଳେ ତାଙ୍କୁ ଭେଟିବା ଲାଗି ଆସିଥିଲି। କିଛି ସମୟ ପରେ, ସୋନିଆଙ୍କ ବଡ଼ ପରିବାରର ଅନ୍ୟ ମହିଳାମାନେ ମଧ୍ୟ ଆମକୁ ଭେଟିବା ଲାଗି ଆସିଲେ।

ସୋନିଆଙ୍କ ଶ୍ୱଶୂରଙ୍କ ଆଉ ଜଣେ ଭାଇଙ୍କ ବିଧବା, ବିଦ୍ୟା ଦେବୀ ମୋତେ କହିଥିଲେ, “ଆମେ ପୂର୍ବରୁ ସବୁ କାମ ହାତରେ କରୁଥିଲୁ। ଏବେ ଅଧିକାଂଶ କାମ ବିଦ୍ୟୁତରେ ହେଉଛି।” ବିଦ୍ୟା, ଯିଏକି ଏବେ ୬୦ ବର୍ଷର ହୋଇଯାଇଛନ୍ତି, ମନେ ପକାଇ କୁହନ୍ତି କିପରି ଭାବେ ତାଙ୍କ ଦିନର ଆରମ୍ଭ ଭୋର ୪ଟାରୁ ହୋଇଥାଏ। “ଆମେ ଗହମ ଚୂନା କରି ଅଟା ପ୍ରସ୍ତୁତ କରିଥାଉ, ଏହାପରେ ଗୋରୁଗାଈମାନଙ୍କୁ ଖାଇବାକୁ ଦେଇଥାଉ ଏବଂ ଗାଈଠାରୁ କ୍ଷୀର ଦୁହିଁଥାଉ। ଏହାପରେ ସମ୍ପୂର୍ଣ୍ଣ ପରିବାର ପାଇଁ ଖାଦ୍ୟ ପ୍ରସ୍ତୁତ କରିଥାଉ।

PHOTO • Sanskriti Talwar
PHOTO • Sanskriti Talwar

ବାମ : ବିଦ୍ୟା ଦେବୀ ଏବେ ଚାଷ କରୁନାହାନ୍ତି, କିନ୍ତୁ କୃଷକ ଆନ୍ଦୋଳନକୁ ସମର୍ଥନ କରୁଛନ୍ତି। ଡାହାଣ : ଶାନ୍ତି ଦେବୀ ୨୦ବର୍ଷ ବୟସରେ ନିଜ ପରିବାରର ଜମିରେ କାମ କରିବା ଆରମ୍ଭ କରି ଦେଇଥିଲେ।

ସକାଳ ୮ଟାରେ ସେ ଚାରି କିଲୋମିଟର ପାଦରେ ଚାଲି ଚାଷ ଜମିକୁ ଯାଉଥିଲେ, ବିଦ୍ୟା ଦେବୀ କହିଥିଲେ। “ଆମେ ସେଠାରେ କାମ କରୁଥିଲୁ- ବୁଣିବା, ରୋଇବା ଏବଂ କାଟିବା  କାମ କରୁଥିଲୁ, ଏବଂ ଘରକୁ ପାଖାପାଖି ସନ୍ଧ୍ୟା ୬ଟାରେ ଫେରୁଥିଲୁ।” ଏହାପରେ ମହିଳାମାନେ ଗୋରୁଗାଈମାନଙ୍କୁ ଖାଇବାକୁ ଦେଉଥିଲେ, ରାତ୍ରୀଭୋଜନ ପ୍ରସ୍ତୁତ କରୁଥିଲେ ଏବଂ ରାତି ଦଶଟାରେ ଶୋଇବାକୁ ଯାଉଥିଲେ। “ପରଦିନ, ଏହିପରି ଚକ୍ର ଚାଲୁଥିଲା”, ସେ କହିଥିଲେ।

“ସନ୍ଧ୍ୟା ପୂର୍ବରୁ ସେମାନେ କେବେ ବି କ୍ଷେତରୁ ଫେରୁନଥିଲେ”, ସୋନିଆ କହିଥିଲେ, ଏଥିସହିତ ସେ କହିଥିଲେ ଯେ ଏବେ ମହିଳା ଚାଷୀଙ୍କ ପାଇଁ କାମ କରିବା ସହଜ ହୋଇଯାଇଛି। “ଏବେ ଫସଲ କାଟିବା, କୀଟନାଶକ ସିଞ୍ଚନ କରିବା ଲାଗି ମେସିନ ଆସିଯାଇଛି, ଏବଂ ଟ୍ରାକ୍ଟରରେ ମଧ୍ୟ ବହୁତ କାମ ହୋଇପାରୁଛି। କିନ୍ତୁ ଏବେବି ଆପଣଙ୍କୁ ଏଥିପାଇଁ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି।’’

ବିଦ୍ୟାଙ୍କ ପରିବାର ଏବେ ନିଜର ଦେଢ଼ ଏକର ଜମିରେ ଚାଷ କରୁନାହାନ୍ତି। “ଆମେ ୨୩  ବର୍ଷ ପୂର୍ବରୁ କାମ ଛାଡ଼ି ଦେଇଛୁ। ମୋ ସ୍ୱାମୀଙ୍କ ଦେହାନ୍ତ ପରେ ମୁଁ ସବୁବେଳେ ଅସୁସ୍ଥ ରହୁଥିଲି। ମୋ ପୁଅ ପାଠପଢ଼ା ଶେଷ ହେବା ପରେ ସ୍କୁଲରେ (ଶିକ୍ଷକ ଭାବେ) ନିଜ ପିତାଙ୍କ ଚାକିରି କରିଥିଲା”, ସେ କହିଥିଲେ।

ବିଦ୍ୟାଙ୍କ ପରିବାରର ମାଲିକାନାରେ ଥିବା ଜମି ଶାନ୍ତି ଏବଂ ତାଙ୍କର ୩୯ ବର୍ଷୀୟ ପୁଅ, ପବନ କୁମାରଙ୍କ ପାଖରେ ଭଡ଼ାରେ ରହିଛି। ବିଗତ ଦୁଇ ବର୍ଷ ଧରି, ସୋନିଆଙ୍କ ପରିବାର ମଧ୍ୟ ନିଜର ଦେଢ଼ ଏକର ଜମିକୁ ଶାନ୍ତି ଓ ପବନଙ୍କୁ ବାର୍ଷିକ ୬୦,୦୦୦ ଟଙ୍କାର ଭଡ଼ାରେ ଦେଇଛନ୍ତି-ଏହି ଆୟକୁ ବୀରେନ୍ଦ୍ର ଓ ତାଙ୍କ ପାଇଁ ବାଣ୍ଟି ନେଇଥାନ୍ତି। ଶାନ୍ତି ଓ ପବନ ଭାଗରେ ନେଇଥିବା ଜମିର ଛୋଟିଆ ଅଂଶରେ ନିଜ ପରିବାରର ଉପଯୋଗ ପାଇଁ ପନିପରିବା ଓ ଫଳ ଉତ୍ପାଦନ କରିଥାନ୍ତି ଏବଂ ଏଥିରୁ କିଛି ବଡ଼ ପରିବାରକୁ ମଧ୍ୟ ଦେଇଥାନ୍ତି।

ଧାନ ଚାଷରୁ ଭଲ ଫସଲ ମିଳିନଥାଏ। “ଧାନ ଉତ୍ପାଦନ ଲାଗି ଆମେ ଏକର ପ୍ରତି ପାଖାପାଖି ୨୫,୦୦୦ ଟଙ୍କା ଖର୍ଚ୍ଚ କରିଥାଉ”, ଶାନ୍ତି କହିଥିଲେ। ଗହମ ପାଇଁ ସେମାନଙ୍କୁ କମ୍‌ ଖର୍ଚ୍ଚ କରିବାକୁ ପଡ଼ିଥାଏ। “ଧାନ ଭଳି ଗହମରେ ଅଧିକ ପାଣି, ସାର ଓ କୀଟନାଶକର ଆବଶ୍ୟକତା ପଡ଼ିନଥାଏ। ଗୋଟିଏ ଏକର ଜମି ୧୦,୦୦୦ ଟଙ୍କାରେ ପ୍ରସ୍ତୁତ ହୋଇଯାଇଥାଏ। ତେଣୁ ଯଦି ବର୍ଷାରେ ଫସଲ ନଷ୍ଟ ନହେଲା, ଆମେ ଭଲ ଦରରେ ଫସଲ ବିକ୍ରି କରିପାରିଥାଉ”, ସେ କହିଥିଲେ। ସେ ଆହୁରି କହିଥିଲେ ଯେ ୨୦୨୦ରେ ହରିୟାଣାର ଚାଷୀମାନେ ଗହମ କୁଇଣ୍ଟାଲ ପ୍ରତି ୧୮୪୦ ଟଙ୍କାର ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି) ରେ ବିକ୍ରି କରିଥିଲେ।

PHOTO • Sanskriti Talwar
PHOTO • Sanskriti Talwar

ସୁନୀତା (ବାମ) ଏବେ ସୁଦ୍ଧା ଟିକରୀ ଯାଇନାହାନ୍ତି। ଫୋନରେ ସେ ଆନ୍ଦୋଳନ ସମ୍ପର୍କରେ ଖବର ପାଉଛନ୍ତି। ତାଙ୍କର ଶାଶୂ ଶାନ୍ତି (ଡାହାଣ) ଜାନୁଆରୀ ମଧ୍ୟ ଭାଗରେ ଟିକରୀ ଯାଇଥିଲେ।

ଶାନ୍ତି, ବିଦ୍ୟା ଓ ସୋନିଆ ଆନ୍ଦୋଳନସ୍ଥଳୀ‍ରେ ମହିଳା କୃଷକ ଦିବସରେ ମଧ୍ୟ ଅଂଶଗ୍ରହଣ କରିବା ଲାଗି, ଏକ ବସ ଭଡ଼ା କରି ୧୮ ଜାନୁଆରୀରେ ପ୍ରଥମ ଥର ପାଇଁ ଟିକରୀ ଯାଇଥିଲେ।

“ଆମେ କୃଷକମାନଙ୍କୁ ସମର୍ଥନ କରିବା ଲାଗି ଯାଇଥିଲୁ କାରଣ ଫସଲର ମୂଲ୍ୟ କମ୍‌ ହୋଇଯିବ। ଆମେ ସୁନିଶ୍ଚିତ ମୂଲ୍ୟରେ ନିଜର ଫସଲ ବିକ୍ରି କରିପାରିବୁ ନାହିଁ। ଆମକୁ ଗୋଲାମ କରାଯାଉଛି। ସେଥିପାଇଁ କୃଷକମାନେ ନିଜ ଅଧିକାର ପାଇଁ ଲଢ଼ୁଛନ୍ତି”, ବିଦ୍ୟା କହିଥିଲେ। “ଆମେ ଏବେ ଚାଷ କରିପାରିବୁ ନାହିଁ, କିନ୍ତୁ ଆମେ ସମସ୍ତେ ଗୋଟିଏ ପରିବାରର ସଦସ୍ୟ ଅଟୁ।”

ସୋନିଆ ଛୋଟ ଚାଷୀଙ୍କ ସମସ୍ୟାକୁ ଉଜାଗର କରିବାକୁ ଚାହୁଁଛନ୍ତି। “ଯେଉଁମାନଙ୍କ ପାଖରେ ବଡ଼ ଜମି ରହିଛି ସେମାନେ ଗୋଟିଏ କିମ୍ବା ଦୁଇ ବର୍ଷ ପର୍ଯ୍ୟନ୍ତ ନିଜର ଫସଲକୁ ସାଇତି ରଖିପାରିବେ, କିମ୍ବା ଦର ଭଲ ଥିବା ସମୟରେ ସେଗୁଡ଼ିକୁ ବିକ୍ରି କରିପାରିବେ। କିନ୍ତୁ ଛୋଟ ଜମି ମାଲିକମାନଙ୍କୁ ନିଜର ଫସଲ ବିକ୍ରି କରିବା ପୂର୍ବରୁ ଖର୍ଚ୍ଚର ଚିନ୍ତା ଘାରିଥାଏ”, ସୋନିଆ କହିଥିଲେ। “କେତେଦିନ ପର୍ଯ୍ୟନ୍ତ ସେମାନେ (ସରକାର) ଆମକୁ ଝୁଲାଇ ରଖିବେ ଏବଂ ଏହି କୃଷି ଆଇନ ପ୍ରସଙ୍ଗର ସମାଧାନ କରିବେ ନାହିଁ?”

କୃଷକମାନେ ଯେଉଁ ଆଇନକୁ ବିରୋଧ କରୁଛନ୍ତି ସେଗୁଡ଼ିକୁ ସର୍ବପ୍ରଥମେ, ୫ ଜୁନ, ୨୦୨୦ରେ ଅଧ୍ୟାଦେଶ ଆକାରରେ ପାରିତ କରାଯାଇଥିଲା, ଏହାପରେ ୧୪  ସେପ୍ଟେମ୍ବରରେ କୃଷି ବିଲ୍‌ ଭାବେ ଉପସ୍ଥାପନ କରାଯାଇଥିଲା। ପରେ ସେହି ମାସର ୨୦ ତାରିଖ ହିଁ ବର୍ତ୍ତମାନର ସରକାର ଅତି ତରବରିଆ ଭାବେ ଏହାକୁ ଆଇନରେ ପରିଣତ କରି ଦେଇଥିଲେ। ଏହି ତିନୋଟି ଆଇନ ହେଲା, କୃଷକ ଉତ୍ପାଦ ବ୍ୟବସାୟ ଏବଂ ବାଣିଜ୍ୟ (ସମ୍ବର୍ଦ୍ଧନ ଓ ସରଳୀକରଣ) ଆଇନ, ୨୦୨୦ ; କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ) ମୂଲ୍ୟ ସୁନିଶ୍ଚିତତା ଓ କୃଷି ସେବା ଉପରେ ଚୁକ୍ତି ଆଇନ, ୨୦୨୦ ; ଏବଂ ଅତ୍ୟାବଶ୍ୟକ ସାମଗ୍ରୀ (ସଂଶୋଧନ) ଆଇନ, ୨୦୨୦

PHOTO • Sanskriti Talwar
PHOTO • Sanskriti Talwar

ପରିବାର ଜମିର ଛୋଟିଆ ଭାଗରେ ଶାନ୍ତି ଦେବୀ ଲଗାଇଥିବା ପନିପରିବା ଓ ଫଳକୁ ମହିଳାମାନେ ଘରେ ଉପଯୋଗ ପାଇଁ ତୋଳୁଛନ୍ତି

କୃଷକମାନେ ଏହି ଆଇନଗୁଡ଼ିକୁ ନିଜ ଜୀବିକା ପାଇଁ ବିନାଶକାରୀ ବୋଲି ଭାବୁଛନ୍ତି କାରଣ ଏହିସବୁ ଆଇନ ବଡ଼ କର୍ପୋରେଟଗୁଡ଼ିକୁ କୃଷକ ଏବଂ କୃଷି ଉପରେ ଅଧିକ କ୍ଷମତା ପ୍ରଦାନ କରିବ। ଏହି ଆଇନ ସର୍ବନିମ୍ନ ସହାୟକ ମୂଲ୍ୟ (ଏମଏସପି), କୃଷି ଉତ୍ପାଦ ବିପଣନ ସମିତି (ଏପିଏମସି), ସରକାରୀ କ୍ରୟ ଆଦି ସମେତ, କୃଷକମାନଙ୍କୁ ସହାୟତା କରୁଥିବା ମୁଖ୍ୟ ଆଧାରଗୁଡ଼ିକୁ ଦୁର୍ବଳ କରିଦେବ। ଏହି ଆଇନକୁ ଏଥିପାଇଁ ମଧ୍ୟ ସମାଲୋଚନା କରାଯାଉଛି ଯେ ଏହା ପ୍ରତ୍ୟେକ ନାଗରିକଙ୍କୁ ପ୍ରଭାବିତ କରିବ। ଏହା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୩୨କୁ ଦୁର୍ବଳ କରି ସମସ୍ତ ନାଗରିକମାନଙ୍କର ଆଇନଗତ ପଦକ୍ଷେପ ନେବାର ଅଧିକାରକୁ ଅକ୍ଷମ କରିଦେବ।

ପବନଙ୍କ ୩୨ ବର୍ଷୀୟା ପତ୍ନୀ, ସୁନୀତା ଜଣେ ଗୃହିଣୀ ଯିଏକି ବର୍ତ୍ତମାନ ସୁଦ୍ଧା ଟିକରୀ ଯାଇନାହାନ୍ତି କାରଣ ତାଙ୍କର ଦୁଇ ଛୋଟ ପୁଅ ଅଛନ୍ତି। ସେ ଅତିକମ୍‌ରେ ଥରେ ଆନ୍ଦୋଳନସ୍ଥଳୀକୁ ଯିବାକୁ ଚାହୁଁଛନ୍ତି। “ସେଠାରେ ଯାହାକିଛି ହେଉଛି ମୁଁ ଜାଣିଛି। ମୁଁ ଖବର ଉପରେ ନଜର ରଖିଛି ଏବଂ ଏହାକୁ ସୋସିଆଲ ମିଡିଆରେ ଦେଖୁଛି”, ସେ ମୋତେ କହିଥିଲେ। ୨୬ ଜାନୁଆରୀରେ, ସେ ନିଜ ଫୋନରେ ଦିଲ୍ଲୀରେ କୃଷକମାନଙ୍କ ପକ୍ଷରୁ ଗଣତନ୍ତ୍ର ଦିବସରେ ବାହାର କରାଯାଇଥିବା ଟ୍ରାକ୍ଟର ଶୋଭାଯାତ୍ରା ସମୟରେ ହୋଇଥିବା ହିଂସାକାଣ୍ଡର ରିପୋର୍ଟ ଦେଖିଥିଲେ।

ଗଣତନ୍ତ୍ର ଦିବସର ତୁରନ୍ତ ପରେ, ପେଟୱାଡ଼ରେ ଏକ ସାଧାରଣ ବୈଠକ ଡକାଯାଇଥିଲା, ଯେଉଁଥିରେ ଏ ସମ୍ପର୍କରେ ଚର୍ଚ୍ଚା ହୋଇଥିଲା ଏବଂ ନିଷ୍ପତ୍ତି ନିଆଯାଇଥିଲା ଯେ ଗ୍ରାମବାସୀ ଆନ୍ଦୋଳନକାରୀ କୃଷକମାନଙ୍କୁ କିପରି ଭାବେ ସମର୍ଥନ ଜାରି ରଖିବେ। “ଏବେ ସେମାନେ (ଆନ୍ଦୋଳନସ୍ଥଳୀରେ) କଣ୍ଟା ପୋତି ଦେଇଥିଲେ। ଆନ୍ଦୋଳନକାରୀଙ୍କ ମୁକାବିଲା କରିବା ଲାଗି ଏହା କ’ଣ ଠିକ ଉପାୟ?” ବିଦ୍ୟା ଏହି ଘଟଣା ଉପରେ ଅସନ୍ତୋଷ ବ୍ୟକ୍ତ କରି ମୋତେ କହିଥିଲେ।

“ଆମ ଗାଁର ଅଧିକାଂଶ ମହିଳା ଆନ୍ଦୋଳନସ୍ଥଳୀରେ ରହିବାକୁ ଚାହାନ୍ତି। କିନ୍ତୁ ଆମ ଉପରେ ଏଠାରେ ଅନେକ ଦାୟିତ୍ୱ ଅଛି। ଆମର ପିଲାମାନେ ବଡ଼ ହେଉଛନ୍ତି। ଆମକୁ ସେମାନଙ୍କ ପାଇଁ ଭୋଜନ ପ୍ରସ୍ତୁତ କରିବା ଓ ସେମାନଙ୍କୁ ସ୍କୁଲ ପଠାଇବାକୁ ପଡ଼ିଥାଏ”, ସୋନିଆ କହିଥିଲେ। ତାଙ୍କର ତିନି ଜଣ ଝିଅ କିଶୋରାବସ୍ଥାରେ ଅଛନ୍ତି ଏବଂ ଗୋଟିଏ ସାତ ବର୍ଷର ପୁଅ ଅଛି। “ଯଦି ଜରୁରି ପଡ଼ିଲା ତା’ହେଲେ ଆମେ ପିଲାମାନଙ୍କୁ ନେଇ ଯିବୁ”, ସୁନୀତା କହିଥିଲେ।

ସୋନିଆ ଭାବୁଥିଲେ ଯେ କୃଷକମାନଙ୍କ ଆନ୍ଦୋଳନରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। “ଏହା କୌଣସି ଜଣେ ବ୍ୟକ୍ତିଙ୍କ ସଂଘର୍ଷ ନୁହେଁ। ଆମେମାନେ ସମସ୍ତେ ଏହାକୁ ଆଗକୁ ବଢ଼ାଉଛୁ ଏବଂ ଏହାକୁ ମଜବୁତ କରୁଛୁ।”

ଅନୁବାଦ - ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Sanskriti Talwar

Sanskriti Talwar is an independent journalist based in New Delhi. She reports on gender issues.

Other stories by Sanskriti Talwar