ଗୋଟିଏ ହାତରେ ଗୋଟିଏ ରଙ୍ଗତୁଳୀ ଧରି ପ୍ରବୀଣ କୁମାର ଯେଉଁଠାରେ ସ୍କୁଟରରେ ନିଜ ଆଶାବାଡ଼ିକୁ ରଖି ବସିଛନ୍ତି, ନିଜ ଆଖପାଖରେ ଲୋକଙ୍କ ସହ କଥା ହେଉଛନ୍ତି, ସେଠାରେ ତାଙ୍କ ପାଖରେ ଏକ ବିଶାଳକାୟ କାନ୍‌ଭାସ ଅଛି । ତାହା ୧୮ ଫୁଟ୍‌ ଲମ୍ବା । ସେଥିରେ ସେ ସିଂଘୁରେ ଚାଷୀ ଆନ୍ଦୋଳନର ଚିତ୍ର ଅଙ୍କନ କରିଛନ୍ତି ।

ପ୍ରବୀଣ ଲୁଧିଆନାର ଜଣେ କଳା ଶିକ୍ଷକ ଓ ଚିତ୍ରକର । ଲୁଧିଆନାରୁ ସିଂଘୁ ଯାଏଁ ସେ ୩୦୦ କିଲୋମିଟର ଯାତ୍ରା କରିଛନ୍ତି । ଚାଷୀ ଆନ୍ଦୋଳନକୁ ସମର୍ଥନ କରି ନିଜର ଯୋଗଦାନ ଦେବା ଲାଗି ବାଧ୍ୟ ହୋଇ ସେ ଜାନୁଆରୀ ୧୦ ତାରିଖରେ ହରିୟାଣା-ଦିଲ୍ଲୀ ସୀମାରେ ଆନ୍ଦୋଳନସ୍ଥଳରେ ପହଞ୍ଚିଥିଲେ ।

ସେ କହନ୍ତି, ‘‘ଏହା ନୁହେଁ ଯେ ମୁଁ ପବ୍ଲିସିଟି ଚାହୁଁଛି । ଈଶ୍ୱର ମୋତେ ଅନେକ କିଛି ଦେଇଛନ୍ତି । ସେଥିନେଇ ମୋର କିଛି ଚିନ୍ତା ନାହିଁ । ମୋତେ ଖୁସି ଲାଗୁଛି ଯେ ବର୍ତ୍ତମାନ ମୁଁ ଏହି ଆନ୍ଦୋଳନର ଅଂଶବିଶେଷ ପାଲଟିଛି ।’’

ପୋଲିଓ ଯୋଗୁଁ ୩ ବର୍ଷ ବୟସରୁ ପକ୍ଷାଘାତର ଶିକାର ହୋଇଥିବା ନିଜ ଗୋଡ଼ ଆଡ଼କୁ ଇଙ୍ଗିତ କରି ସେ ଆହୁରି କହିଲେ, ‘‘ମୁଁ ୭୦% ଭିନ୍ନକ୍ଷମ ।’’ ସେହି ଭିନ୍ନକ୍ଷମତା କିମ୍ବା ପ୍ରାଥମିକ ଭାବେ ତାଙ୍କ ପରିବାର ଲୋକଙ୍କ ଅସନ୍ତୋଷ ତାଙ୍କୁ ସିଂଘୁ ଯାଏଁ  ଯାତ୍ରା କରିବାରୁ ଅଟକାଇ ପାରିନାହିଁ ।

୪୩ ବର୍ଷୀୟ ପ୍ରବୀଣ ଲୁଧିଆନାରେ ଏହି ବିଶାଳ କାନ୍‌ଭାସ୍‌ରେ ଚିତ୍ରାଙ୍କନ ଆରମ୍ଭ କରିଥିଲେ ଏବଂ ତାକୁ ସାଙ୍ଗରେ ସିଂଘୁ ଯାଏ ନେଇ ଆସିଥିଲେ । ସେଇଠି ରାସ୍ତା ଉପରେ ଆନ୍ଦୋଳନକାରୀଙ୍କ ମଝିରେ ବସି ତାହା ସମ୍ପୂର୍ଣ୍ଣ ହେବା ଯାଏ କାମ ଜାରି ରଖିଲେ।

PHOTO • Anustup Roy
PHOTO • Anustup Roy

ପ୍ରବୀଣ କୁମାର ଯାହାଙ୍କର ଚିତ୍ର ବିକ୍ଷୋଭସ୍ଥଳରେ ଥିବା ଷ୍ଟେଜ୍‌ରେ ଲଗାଯାଇଛି ସେ କହିଲେ, ‘ମୋତେ ଯାହା ଖୁସି ଦେଉଛି ତାହା ହେଲା ବର୍ତ୍ତମାନ ମୁଁ ଏହି ଆନ୍ଦୋଳନର ଅଂଶବିଶେଷ ।

ରାଜଧାନୀର ସୀମାରେ ଥିବା ସିଂଘୁ ଏବଂ ଅନ୍ୟ ବିକ୍ଷୋଭସ୍ଥଳରେ ସୀମାରେ ଲକ୍ଷ ଲକ୍ଷ ଚାଷୀ ୩ଟି କୃଷି ଆଇନକୁ ବିରୋଧ କରୁଛନ୍ତି । ଜୁନ୍‌ ୫, ୨୦୨୦ରେ ପ୍ରଥମେ ତାହା ଅଧ୍ୟାଦେଶ ଭାବେ ଜାରି ହୋଇଥିଲା, ତା’ପରେ ସେପ୍ଟେମ୍ବର ୧୪ ତାରିଖରେ କୃଷି ଆଇନ ଭାବେ ସଂସଦରେ ଉପସ୍ଥାପିତ ହେଲା । ସେହିମାସ ୨୦ ତାରିଖ ବେଳକୁ ତାହା ଆଇନରେ ପରିଣତ ହେଲା ।

ବିକ୍ଷୋଭରତ ଚାଷୀମାନେ କହୁଛନ୍ତି ଏହି ଆଇନ ଯୋଗୁଁ ବ୍ୟାପକ କ୍ଷତି ହେବ । କୃଷକଙ୍କ (ସଶକ୍ତିକରଣ ଓ ସୁରକ୍ଷା) ମୂଲ୍ୟ ନିଶ୍ଚିତତା ଏବଂ କୃଷି ସେବା ଆଇନ, ୨୦୨୦ , କୃଷକଙ୍କ ଉତ୍ପାଦନ ବ୍ୟବସାୟ ଏବଂ ବାଣିଜ୍ୟ (ଉନ୍ନତି ଏବଂ ସୁବିଧା) ଆଇନ, ୨୦୨୦ ; ଏବଂ ଜରୁରୀ ଦ୍ରବ୍ୟ (ସଂଶୋଧନ) ଆଇନ, ୨୦୨୦ । ଏହି ଆଇନଗୁଡ଼ିକୁ ପ୍ରତ୍ୟେକ ଭାରତୀୟଙ୍କୁ ପ୍ରଭାବିତ କରୁଥିବା ଭଳି ସମାଲୋଚନା କରାଯାଇଛି କାରଣ ଭାରତର ସମ୍ବିଧାନର ଧାରା ୩୨କୁ ଦୁର୍ବଳ କରି, ଏଗୁଡ଼ିକ ସମସ୍ତ ନାଗରିକଙ୍କ ଆଇନଗତ ଆଶ୍ରୟ ନେବାର ଅଧିକାରକୁ ଅକ୍ଷମ କରୁଛି

ପ୍ରବୀଣଙ୍କର ଚିତ୍ରଗୁଡ଼ିକରେ କୃଷି ଆଇନ ବିରୋଧରେ ହେଉଥିବା ବିକ୍ଷୋଭର ବିଭିନ୍ନ ପର୍ଯ୍ୟାୟକୁ ଦର୍ଶାଯାଇଛି । କାନ୍‌ଭାସଟି ବିକ୍ଷୋଭର ଏକ ଧାରାବାହିକ ପ୍ରଦର୍ଶନ-ଚାଷୀମାନେ ରେଳଧାରଣା ଅବରୋଧ ଆରମ୍ଭ କରିବା ଦିନରୁ ନେଇ ସେମାନେ ଲୁହବୁହା ଗ୍ୟାସ୍‌ ଓ ପାଣିମାଡ଼ର ସାମ୍ନା କରିବା ଏବଂ ଆଜି ପର୍ଯ୍ୟନ୍ତ ଯେତେବେଳେ ସେମାନେ ଦିଲ୍ଲୀ ସୀମାରେ ଆନ୍ଦୋଳନରତ ଅଛନ୍ତି ।

ସେ ବହୁ କଷ୍ଟ ସ୍ୱୀକାର କରି କାନ୍‌ଭାସରେ ଚାଷୀ ଆନ୍ଦୋଳନର ଚିତ୍ରକୁ ପ୍ରଦର୍ଶନ କରିଛନ୍ତି, କିନ୍ତୁ ଭବିଷ୍ୟତରେ ତାକୁ ଆଗକୁ ବଢ଼ାଇବାକୁ ଚାହାନ୍ତି । ସେ କହିଛନ୍ତି,‘‘ମୁଁ ଏହାକୁ ନିର୍ଣ୍ଣାୟକ ସ୍ଥିତିରେ ପହଞ୍ଚାଇବାକୁ ଚାହୁଁଛି’’-ଆନ୍ଦୋଳନ ସଫଳ ହେବା ଏବଂ କୃଷି ଆଇନ ପ୍ରତ୍ୟାହାର ହେବା ଯାଏ ।

ଅନୁବାଦ - ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Anustup Roy

Anustup Roy is a Kolkata-based software engineer. When he is not writing code, he travels across India with his camera.

Other stories by Anustup Roy